Unknown

 

 

 

 

 

 

 

 

 

 

 

ମନ ନଈର ଦୁଇ କୂଳ

ବଳରାମ ପଟ୍ଟନାୟକ

 

 

 

 

 

ମୋର ଅତି ଆଦରର ସାନଭାଇ

ଗୋପାଳ

ହାତରେ ଏ ବହିଟି ଅର୍ପଣ କରୁଛି ।

 

–ବଳରାମ ଭାଇ

 

ପଦେ ଅଧେ

 

ମନର ବଡ଼ଦାଣ୍ଡରେ ଜନ ଅରଣ୍ୟ ଓ ତା’ରି ଭିତରେ ସମୟର ରଥଚକ୍ର ଗଡ଼ି ଚାଲିଥିଲା ବେଳେ କେତେ କେତେ ଲୋକଙ୍କ ସମ୍ପର୍କରେ ଆସିଛି, କାହାଠୁ କାହାଠୁ ଶୁଣିଛି, କିଛି ନ ଶୁଣି ବି ଆବଭାବରୁ ଲକ୍ଷ୍ୟ କରିଛି ଓ ସେମାନଙ୍କର ନିଛକ ନୀରବତା ଅନେକ କଥା କହିଗଲା ବେଳେ ଅନୁଭବ କରିଛି–ମନ ଗହନର ରୁଚି ଓ ପେଟଭରା ତୃପ୍ତି ଗୋଟିଏ ବୃନ୍ତର କଳା ଧଳା ଦୁଇଟି ପାଖୁଡ଼ା ଭଳି । ରୁଚି ବିହୀନ ତୃପ୍ତି ଓ ପ୍ରାଚୁର୍ଯ୍ୟ ପଛରେ ସମସ୍ତେ ଧାଇଁଥିବାର ଦେଖାଯାଏ । ରୁଚିକି ଜଳାଞ୍ଜଳି ଦେଇ ପରିତୃପ୍ତିର ଭ୍ରାନ୍ତି – ବିଳାସରେ ଉତ୍ତପ୍ତ ଆତ୍ମାର ଆର୍ତ୍ତନାଦ ଗଗନ ପବନରେ ସବୁଆଡ଼େ ଶୁଣିବାକୁ ମିଳେ ।

 

ଉପନ୍ୟାସର କଥାବସ୍ତୁ ଏହି ଦୁଇଟି ପରସ୍ପର ବିରୋଧି ସମାନ୍ତରାଳ ଭାବନାରେ ହିଁ ଆଧାରିତ । ପାଠକ ପାଠିକାଙ୍କର ମତାମତ ଲେଖକର ସର୍ବସ୍ୱ ।

 

ବଳରାମ ପଟ୍ଟନାୟକ

 

ମନ ନଈର ଦୁଇ କୂଳ

 

ଝିଅଟି ଦେଖିବାକୁ ଭାରି ନିରୀହା । ବେଶି କଥାବାର୍ତ୍ତା କରେନି । ଯେତିକି ଦରକାର ସେତିକି । ଅଫିସ୍‌ରେ କାମ କରିବା ଲାଗି ଯେତିକି କେବଳ ପ୍ରୟୋଜନ । ଦଶଟାରୁ ପାଞ୍ଚଟାଯାଏ ମୁଣ୍ଡ ପୋତି ପୋତି ଅଫିସ୍‌ରେ ସେ କାମ କରେ । କାମ ସରିଗଲେ ସାଇକେଲ ଚଢ଼ି ନିଜ କ୍ୱାଟରରେ ଆସି ପହଞ୍ଚେ । କ୍ୱାଟରରେ କେବଳ ସିଏ ନିଜେ ଆଉ ଜଣେ ଚାକରାଣୀ ବୁଢ଼ୀ । ଶଇଳ ତାକୁ ମାଉସୀ ବୋଲି ଡାକେ । ଚାକିରୀ କରିବାର ତିନି, ଚାରି ବର୍ଷ ଆସି ହେଲାଣି । ବର୍ଷେ ହେଲା ତାର ପ୍ରମୋଶନ ହୋଇଛି । ଲୋଅର ଡିଭିଜନରୁ ଅପର ଡିଭିଜନ କିରାନୀ । ଘର କଟକ ସହରତଳି ଅଞ୍ଚଳର କୋଉ ଏକ ପଡ଼ା ଗାଁରେ । ଗାଁରେ ବାପ ମା’, ଓ ଛୋଟ ଭାଇଟିଏ । ଗାଁ ପାଠତକ ତା’ର ସରିଗଲେ ତାକୁ ପାଖକୁ ନେଇ ଆସିବ । ପରିବାରଟିର ଭରଣପୋଷଣ ଇତ୍ୟାଦି ସବୁ ଶଇଳ ଉପରେ । ଭୁବନେଶ୍ୱରର ଅଫିସରେ ଚାକିରୀ କେବଳ ନୁହେଁ– ସକାଳେ ସଞ୍ଜେ କେତେ ଜଣ ଝିଅ ପିଲାଙ୍କୁ ସେ ଟିଉସନ କରେ । ପିଲାଏ ତା ଘରକୁ ଆସନ୍ତି । ଯେତେ ଗଧ ପିଲାଟିଏ ହେଲେ ବି ଶଇଳ ପାଖକୁ ଆସିଲେ ମାସ ଛ’ଟାରେ ସେ କ୍ଲାସରେ ଭଲ କରେ । ଶଇଳକୁ ବେଶୀଗୁଡ଼େ ବୟସ ହୋଇ ନ ଥିଲା ଭଳି ଜଣାପଡ଼େ । ତେବେ ପଚିଶରୁ କମ୍‌ ନୁହେଁ । ପାଖକୁ ଆସି ଦେଖିଲେ ପଚିଶ ବୋଲି ଜଣାପଡ଼ିବ । ଦୂରରୁ ଜଣାପଡ଼େ – ଅଠର, ଉଣେଇଶ ବର୍ଷର ଝିଅଟିଏ । ଆଖି ଦି’ଟି ତାର ବର୍ଷନ୍ତ କଳାମେଘ ଭଳି ଗମ୍ଭୀର ଦେଖାଗଲେ ବି ବେଳେବେଳେ ବିଜୁଳିର ଚଞ୍ଚଳତା ସେଥିରେ ଖେଳିଯାଏ । ଶଇଳ ହାତେ ମାପି ଚାଖଣ୍ଡେ ଚାଲିବା ଝିଅ ।

ତଥାପି ଅମଡ଼ା ବାଟର କଣ୍ଟା ଓ ଘାସର ଅରମା ଭିତରେ ଛନ୍ଦିହୋଇ ନ ପଡ଼ିଛି ବୋଲି କହି ହେବନି । ପରିବାରଟିକୁ ଚଳେଇବ ବୋଲି ଚାକିରୀ କରିଛି । ନିଜ ଜୀବନର ଭବିଷ୍ୟତ କଥା ଏଯାଏ ସେ ଭାବିନି । ନିଜର ଲକ୍ଷ୍ୟ ଓ ସ୍ୱତନ୍ତ୍ର୍ୟ ଇଚ୍ଛା ବୋଲି କିଛି ନାହିଁ । ସାନଭାଇକି ପାଠପଢ଼େଇ ମଣିଷ କରିବା ଓ ବୁଢ଼ା ବୟସରେ ବାପ ମା’ଙ୍କୁ ପୋଷିବାକୁ ଜୀବନର ପଣ କରିନେଇଛି । ଶଇଳ ବୋଲି କରୁଛି । ଅନ୍ୟ ଝିଅମାନେ ହୋଇଥିଲେ କରନ୍ତେନି ।

ସୁର ପାଠପଢ଼ା ଛାଡ଼ି ଯେତେବେଳେ ଚାକିରୀ ଜୀବନ ଆରମ୍ଭ କରେ ସେତେବେଳେ ଶ୍ରୀମତୀ ଶୈଳବାଳା ଦାସ, ଅପର ଡିଭିଜନ କିରାନୀଙ୍କ ପାଖରେ ତାକୁ କାମ କରିବାକୁ ପଡ଼ିଲା । ଶଇଳର ଚାକିରୀ କ୍ଷେତ୍ରରେ ତିନି ଚାରି ବର୍ଷ ଅଭିଜ୍ଞତା ଅଛି । ସୁର କିନ୍ତୁ ଗଜା ଟୋକା । ସଦ୍ୟ କଲେଜରୁ ବାହାରିଛି । ଅଫିସ୍‌ର ଯୋଉ ବିଭାଗରେ ଶଇଳ କାମ କରୁଥିଲା ତାକୁ ସେଇଠି ନିଯୁକ୍ତି ମିଳିଲା । ପୁଣି ଜଣେ ମାଇପି ଲୋକର ତଳିଆ ହିସାବରେ ।

ପ୍ରଥମେ ପ୍ରଥମେ ତାକୁ ବଡ଼ ଖରାପ ଲାଗୁଥିଲା । ଅଫିସ୍‌ କାମ ବିଷୟରେ କିଛି ହେଲେ ସେ ଜାଣିନି । ଯାହାଠୁ କିଛି ନା କିଛି ଶିଖି ନିଅନ୍ତା, ସିଏ ପୁଣି ଝିଅଟିଏ । ସୁରଟା ଲାଜକୁରା ପିଲା । ସାଙ୍ଗସାଥି ମେଳରେ ଅନେକ ବଡ଼ ବଡ଼ କଥା ସେ କହେ । କିନ୍ତୁ ଅଚିହ୍ନା ସ୍ତ୍ରୀ ଲୋକଟିଏ ପାଖରେ ପାଟି ଫିଟେନି ।

ଶଇଳ କେତେଦିନ ଧରି ସୁର ସାଙ୍ଗେ କଥାବାର୍ତ୍ତା କିଛି କଲାନି । ତା କାମଯାକ ସେ ନିଜେ କରିନିଏ । ସୁର ଅଫିସ୍‌ ସମୟତକ କେବଳ ବସି ବସି କଟେଇ ଥାଏ । ବିରକ୍ତ ଲାଗିଲେ ଖଣ୍ଡେଅଧେ ଚିଠିପତ୍ର ପଢ଼ାପଢ଼ି କରେ । ଶଇଳକୁ କିଛି ଗୋଟେ ପଚାରିବାକୁ ତାକୁ ଲାଜମାଡ଼େ । ପଚାରିବି ପଚାରିବି ହୁଏ, କହି ପାରେନି ।

ଅସଲ ଅସୁବିଧାଟା, ଶଇଳ ପରେ ବୁଝିପାରିଲା । କାମ ବତେଇବା ଛଳରେ ସେ ସୁର ସାଙ୍ଗେ କଥାବର୍ତ୍ତା କରେ । ଅଫିସ୍‌ କଥା ଓ ବାହାର କଥା । ଶଇଳକୁ ଏତେ ବେଶି କଥାଭାଷା ହେବାର କେହି କେବେ ଅଫିସ୍‌ରେ ଦେଖି ନ ଥିଲେ ।

 

ସୁରକୁ ଖଣ୍ଡେ କ୍ୱାଟର ମିଳିଥାଏ । ହେଲେ ତା’ ଘରଟା ଟିକିଏ ଦୂର ବାଟ । ଖଣ୍ଡଗିରି ରାସ୍ତାରେ । ତା’ର ସାଇକେଲ୍‌ ନ ଥାଏ । ଅଫିସ୍‌ରୁ ଘରକୁ ଚାଲି ଚାଲି ସେ ଯା’ଆସ କରେ । ତାର ବେଶି ସାଙ୍ଗସାଥି ନ ଥାଆନ୍ତି । ଥିଲେ, କାହା ସାଙ୍ଗେ ମେସରେ ହୁଏତ ଖାଉଥାଆନ୍ତା । ସୁବିଧା ସୁଯୋଗ ନ ଥିବାରୁ ସେ ଦି’ଓଳି ହୋଟେଲରେ ଚଳେଇ ଦିଏ ।

 

ଶଇଳ କ୍ୱାଟରଟା କିନ୍ତୁ ଅଫିସ୍‌ ପାଖରେ । ସୁର ଚାଲି ଚାଲି ଅଫିସ୍‌ ଫେରନ୍ତା ତା’ କ୍ୱାଟର ଆଡ଼େ ଯାଉଥିଲା ବେଳେ ଶଇଳ ଦିନେ ଦିନେ ସୁରକୁ ତା’ ଘରକୁ ନିମନ୍ତ୍ରଣ କରେ । ସାଇକେଲ୍‌ରୁ ଓହ୍ଲେଇ ଶଇଳ ତା’ ସାଙ୍ଗେ ଚାଲି ଚାଲି ଆସେ । ଜଳଖିଆ, ଚା’ ନ ଦେଇ ତାକୁ ଖାଲିରେ ଖାଲିରେ ଘରୁ ଛାଡ଼େନି । ଛୁଟି ଦିନମାନଙ୍କରେ କେତେଥର ବି ସୁର କ୍ୱାଟର ଆଡ଼େ ସେ ବୁଲି ଯାଇଛି । କେବଳ କଥାବାର୍ତ୍ତା ହେବାକୁ । ବିଚାରା ସେ ଏକେଲା ଅଛି । କ’ଣ ଖାଇଲା ନ ଖାଇଲା କେହି ବୁଝିବାକୁ ନାହାନ୍ତି ।

 

ଚାକିରୀ ଜୀବନ ଭିତରେ ଶଇଳ ଅନ୍ୟ କାହା କ୍ୱାଟରକୁ କେବେ ଯାଇ ନ ଥିଲା । ଯେତେ ଚିହ୍ନା ପରିଚୟ ଥିଲେ ବି ନିଜ କ୍ୱାଟରକୁ ଡାକି ଅନ୍ୟ କାହାକୁ ଚା’ ଜଳଖିଆ ଦେବା, ତା’ ଜୀବନରେ ଏଇ ପ୍ରଥମ ।

 

ଅଫିସ୍‌ କାମରେ ଯୋଗଦେଲାବେଳେ ଭୁବନେଶ୍ୱର କେମିତି ଗୋଟେ ମରୁଭୂମି ଭଳି ସୁରକୁ ଜଣା ପଡ଼ୁଥିଲା । ଖାଲି ଧାଡ଼ି ଧାଡ଼ି ଘର ଓ ବିଜୁଳି ଆଲୁଅ । ବାହାର ଲୋକ କେହିହେଲେ ନାହାନ୍ତି । ସମସ୍ତେ ଚାକିରିଆ । ସେତେବେଳେ ସବୁଦିନିଆ ମାର୍କେଟ ନ ଥିଲା । ସପ୍ତାହରେ ଦି’ ଦିନ ହାଟ । ସମସ୍ତେ ଯିଏ ଯାହା କାମରେ ବ୍ୟସ୍ତ । ବାଟ ଘାଟରେ ଦେଖା ମିଳିଲେ ଖାଲି ଅଫିସ୍‌ କଥା । ସୁରକୁ ପ୍ରଥମେ ପ୍ରଥମେ ଅଣନିଶ୍ୱାସୀ ହେଲାଭଳି ଜଣା ପଡ଼ୁଥିଲା । ସବୁଦିନ ପାଇଁ ସେଠି ରହି କେମିତି ଯେ ସେ ଚାକିରୀ ଜୀବନଟା କଟେଇବ କଳ୍ପନା କରିପାରୁ ନ ଥିଲା ସୁର ।

 

ଅଫିସ୍‌ କାମ ବତେଇବା ଛଳରେ ଶଇଳ ସାଙ୍ଗେ ତା’ର ଚିହ୍ନା ପରିଚୟ । ସମ୍ପର୍କଟା କ୍ରମେ ଡଙ୍କ ମେଲେଇଲା । ଅଫିସ୍‌ କଥାବାର୍ତ୍ତାରୁ ଘର ବିଷୟରେ କଥାବର୍ତ୍ତା । ନିଜ ନିଜର ଅଭାବ ଅସୁବିଧା ବିଷୟରେ ଆଳାପ ଆଲୋଚନା । ଘରର ଅନ୍ୟମାନଙ୍କ ପାଇଁ ନିଜର କର୍ତ୍ତବ୍ୟ କରିବାକୁ ଜୀବନର ସବୁକିଛି ଉଚ୍ଚ ଆଶା, କଳ୍ପନା ଓ ସ୍ୱପ୍ନ ଆଦିକି ଆଡ଼େଇ ଚାକିରୀ ଜୀବନକୁ ବରଣ କରିବାକୁ ପଡ଼ିଛି ! ଶଇଳର ଯେମିତି ଅଭାବ ଅସୁବିଧା, ସାନ ଭାଇ ଓ ବୁଢ଼ା ବାପ ମା’, ସୁରର ବି ଠିକ୍‌ ସେଇଭଳି । ତା’ ହୋଇ ନ ଥିଲେ ସେ ଆଉ ବେଶି ପଢ଼ାପଢ଼ି କରିଥାଆନ୍ତା କି ବଡ଼ ଚାକିରୀ ଖଣ୍ଡିଏ କରିଥାଆନ୍ତା । କିରାନୀ ଚାକିରୀଟାକୁ ଅନ୍ୟ ଉପାୟ ନ ଥିଲେ ଧରି ଦେବାକୁ ପଡ଼େ ।

 

ଗୋଟିଏ ନୀଡ଼ର ଦୁଇଟି ପକ୍ଷୀଭଳି ଶଇଳ ଆଉ ସୁର । ଚାକିରୀ କରି ପେଟ ପୋଷିବେ ଓ ଘରେ ଅନ୍ୟମାନଙ୍କୁ ସାହାଯ୍ୟ କରିବେ । ଦିହେଁ ଦିହିଁଙ୍କ ବିଷୟରେ ଜାଣିସାରିଲା ପରେ ବୁଝାମଣା ଓ ସମ୍ପର୍କ ବଢ଼ିବାରେ ଲାଗିଛି । ଚାକିରୀ ଜୀବନ ଆଉ ଚାକିରିଆ ଶିବିର ଭୁବନେଶ୍ୱର ଆସ୍ତେ ଆସ୍ତେ ଆଉ ଖରାପ ଲାଗିଲାନି ।

 

ଅବସ୍ଥା ସାଙ୍ଗେ ସୁର ନିଜକୁ ଖାପ ଖୁଆଇ ନେଉଥିଲା ।

 

ଖାଲି ପାରିପାର୍ଶ୍ୱିକ ଅବସ୍ଥା ଓ ଚାକିରୀଆ ଜୀବନ ସାଙ୍ଗେ ନୁହେ, ଅଫିସର ଅନ୍ୟାନ୍ୟ ସହକର୍ମୀ ଓ ଅନ୍ୟ ଅଫିସ୍‌ର ଲୋକମାନଙ୍କ ସାଙ୍ଗେ ତା’ର ଆଳାପ ଆଲୋଚନା ବି ବଢ଼ୁଥିଲା । ଯେତିକି ଯେତିକି ଅଫିସ୍‌ରେ ସେ ପୁରୁଣା ହେଲା, ଚିହ୍ନା, ଅଚିହ୍ନା ଓ ମୁହଁ ଚୁହାଁଚୁହିଁ ବନ୍ଧୁତାର ବଢ଼ି ଚାଲିଲେ । ଦୋକାନୀ ବେପାରୀଙ୍କ ସାଙ୍ଗେ ଚିହ୍ନା ପରିଚୟ ହୋଇଗଲା ପରେ ଖୋଲିଲା ବାକୀଖାତା । ମନୋହାରୀ ଦୋକାନ, ପାନ ଦୋକାନ, ହୋଟେଲ, ରେଷ୍ଟୁରେଣ୍ଟ ଆଦି ସମସ୍ତଙ୍କ ସାଙ୍ଗେ ସୁରର ବ୍ୟକ୍ତିଗତ ଭାବରେ ଚିହ୍ନା ପରିଚୟ ଜମି ଆସିଲା । ଭୁବନେଶ୍ୱର ଭଳି ଜାଗାରେ ସୁର ଦୋକାନରୁ ବାକୀ ଆଣି ମାସ ମାସ ବିତେଇ ପାରିବ ବୋଲି ବଳ ବାନ୍ଧିଲା । ଧାର ଟଙ୍କାଟା ଖାଲି ପ୍ରତି ମାସର ପହିଲା ବେଳକୁ ଦେଇଦେଲେ ହୁଏ । ଧାର ସୁଝିଦେଲେ ଦୋକାନରୁ ହଜାର ହଜାର ଟଙ୍କାର ଜିନିଷପତ୍ର ଓ ଲୁଗାପଟା ଆଦି ଯାହା କିଛି ନେଲେବି ଦୋକାନିଆର ଆପତ୍ତି ନାହିଁ-

 

ରମେଶ ବାବୁ ଏଇ ସବୁ ବିଷୟ ନେଇ ସୁରକୁ ଅନେକ ସାହାଯ୍ୟ କରିଥିଲେ । ଏକା ବିଭାଗରେ କାମ କରନ୍ତି; କିନ୍ତୁ ସେ ଦଶ ବାର ବର୍ଷର ପୋଖତ କିରାନୀ । ଅନ୍ୟମାନଙ୍କ କାମ ଦେଖିବା ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମତାମତ ପ୍ରକାଶ କରିବା ରମେଶ ବାବୁଙ୍କ ଉପରେ ନିର୍ଭର କରେ । ସେ ବିଭାଗୀୟ ସୁପରିନ୍‌ଟେଣ୍ଡେଣ୍ଟ ନୁହଁନ୍ତି । ତାଙ୍କ ତଳିଆ । କିନ୍ତୁ ତାଙ୍କ ଲେଖାରେ କେହି ହେଲେ ବୁନ୍ଦା ଦେଇପାରିବେନି । ଅଫିସ୍‌ରୁ ଉପର ମହଲଯାଏ ସମସ୍ତେ ରମେଶ ବାବୁଙ୍କ ଲେଖା ଓ ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରନ୍ତି । ସବୁଆଡ଼େ ତାଙ୍କର ସୁନାମ । ଯେତିକି କାର୍ଯ୍ୟଦକ୍ଷ ସେତିକି ମେଳାପୀ । ବଡ଼ ଖୁସିବାସୀ ଲୋକ । ତାଙ୍କ ତଳିଆ କିରାନୀମାନଙ୍କୁ କୌଣସି କାମ କରିବାକୁ ସେ ବାଧ୍ୟ କରନ୍ତିନି । ଅଥଚ ତାଙ୍କ କଥା ଓ ବ୍ୟବହାରରେ ଦରକାର ହେଲେ ସମସ୍ତେ ଅଫିସ୍‌ ସମୟ ପରେ ଅଧିକା କାମ କରିବାକୁ ଅମଙ୍ଗ ନୁହଁନ୍ତି । ତାଙ୍କ ବିଷୟରେ କିଏ ଯେବେ କୋଉଠି ବଦ୍‌ନାମ କଲା କି ଅଫିସ୍‌ କାମ ବିଷୟରେ ଆଲୋଚନା କଲା, ରମେଶ ବାବୁ ଫଣା ଟେକି ତା’ ଉପରେ ଗର୍ଜିଉଠନ୍ତି । ନିଜର ସମୁଦାୟ ବୁଦ୍ଧି ବୃତ୍ତି ପେଞ୍ଚପାଞ୍ଚ ପ୍ରୟୋଗ କରି ତାକୁ ତଳିତଳାନ୍ତ କରନ୍ତି । କେତେ ଜଣଙ୍କୁ ଚାକିରୀରୁ ବାହାର କରିବା ପଛଆଡ଼େ ରମେଶ ବାବୁଙ୍କର ହାତ ଥିଲା ବୋଲି କେହି କେହି କହନ୍ତି । ତାଙ୍କୁ ଯିଏ ଭଲ ବ୍ୟବହାର କଲା ଓ ତାଙ୍କ କାମ ବିଷୟରେ ତାରିଫ୍‌ କଲା, ନିଜର ପାରୁପର୍ଯ୍ୟନ୍ତ ସାହାଯ୍ୟ ସହାନୁଭୂତି ତା’ ଲିପରେ ସେ ଢାଳିଦିଅନ୍ତି-। ତାର ଭଲମନ୍ଦ ବୁଝନ୍ତି । ଦରକାର ପଡ଼ିଲେ ଧାର ଉଧାର ଦିଅନ୍ତି ।

 

ସୁର କାମରେ ଆସି ଯୋଗ ଦେଲା ବେଳେ ରମେଶ ବାବୁ ତାକୁ ଅନେକ ସାହାଯ୍ୟ କରିଥିଲେ । ସେ କେମିତି କ୍ୱାଟରଟିଏ ଶୀଘ୍ର ପାଇଯିବ ସେଥିପାଇଁ ସେ ବିଶେଷ ପରିଶ୍ରମ କରିଥିଲେ । ଧାଁ ଧପଡ଼ କରିଥିଲେ । ଉପର ହାକିମଙ୍କୁ କୁହାବୋଲା କରି ମାସ ଗୋଟେ ଭିତରେ ସୁରକୁ କ୍ୱାଟର ମିଳିଗଲା । ଅଥଚ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରି ବି କ୍ୱାଟର ଖଣ୍ଡିଏ ପାଉନାହାନ୍ତି । ସେଥିଯୋଗୁ ରମେଶ ବାବୁଙ୍କ ଉପରେ ସେ ବିଶେଷ କୃତଜ୍ଞ । କିଛି ଗୋଟାଏ କାମ କରି ଦେବାକୁ କହିଲେ, ସୁର ସାଙ୍ଗେ ସାଙ୍ଗେ କରି ଦିଏ । ଅଫିସକୁ ପ୍ରତିଦିନ ଆସି ନମସ୍କାର କରେ-। କୌଣସି ଗୋଟିଏ ବିଷୟରେ ସନ୍ଦେହ ହେଲେ ଶଇଳ ଅପେକ୍ଷା ରମେଶ ବାବୁଙ୍କୁ ପଚାରିବାକୁ ସେ ବେଶି ପସନ୍ଦ କରେ । ଶଇଳ ଖାଲି ଝିଅ ପିଲା ଯୋଗୁ ନୁହେଁ । ରମେଶ ବାବୁଙ୍କର ଅଫିସ୍‌ କାମରେ ବହୁତ ବର୍ଷର ଅଭିଜ୍ଞତା ଯୋଗୁ । କିଛି ଗୋଟିଏ ଭୁଲ୍‌ ଭାଲ କଲେ ସେ ଥରକୁ ଦି’ଥର ବତେଇ ଦିଅନ୍ତି । ବଡ଼ ଭାଇଭଳି ଉପଦେଶ ଦିଅନ୍ତି । କିଛି ଅସୁବିଧା ପଡ଼ିଲେ ସୁର ରମେଶ ବାବୁଙ୍କଠୁ ଅଭୟ ପାଏ ।

 

ଶଇଳ କଥା କିନ୍ତୁ ରମେଶ ବାବୁଙ୍କଠୁ ଅଲଗା । ଆଳାପ ଆଲୋଚନା ଛଳରେ, କଥା ପ୍ରସଙ୍ଗରେ ନିଜ ନିଜର ଦୁଃଖ ଓ ଅସୁବିଧା ନେଇ ସେମାନେ ଏତେ କଥାବାର୍ତ୍ତା କରିଛନ୍ତି ଯେ ତାଙ୍କ ଭିତରେ ପ୍ରଭେଦ କିଛି ନ ଥାଏ । କେଇଟା ବର୍ଷର ବ୍ୟବଧାନରେ ସେ ଅପର ଡିଭିଜନ । ସୁର ଲୋଅର ଡିଭିଜନ କିରାନୀ । କାଲିକି କାଲି ଦରମା ବଢ଼ିଯିବ । ପ୍ରମୋଶନ ବି ଶୀଘ୍ର ହୋଇଯିବ । କିନ୍ତୁ ରମେଶ ବାବୁଙ୍କ ସାଙ୍ଗେ କଥା ହେଲା ବେଳେ ଆଳାପ ଆଲୋଚନା ଯେତେ ଖୋଲାଖୋଲି ହେଲେ ବି ସୁରର ତାଙ୍କ ପ୍ରତି ଭକ୍ତି ଯେତିକି ଥାଏ, ଭୟ ବି ସେତିକି ଥାଏ । କାଳେ କ’ଣ ଭାବିବେ ବୋଲି ସୁର ଅନେକ କିଛି କଥା ତାଙ୍କ ଆଗେ କହେନି । ଶଇଳ ଅପେକ୍ଷା ରମେଶ ବାବୁଙ୍କ ସାଙ୍ଗେ କଥାବାର୍ତ୍ତା ହୁଏ କମ୍‌ । ଶଇଳଟା କିନ୍ତୁ ଘରେ ଭାରି ଗପୁଡ଼ି । ଅଫିସ୍‌ରେ ଦାନ୍ତ ଚିପି ଚିପି କଥା କହେ । ଗମ୍ଭୀର ରହେ । ଗହିରିଆ ପାଣିର ଗାଢ଼ ନୀଳିମା ଭଳି । ଘରେ ସେ କଳକଳ ନାଦିନୀ ନଦୀ । ଶଇଳର ଖୋଲାଖୋଲି କଥା ଓ ମାର୍ଜିତ ବ୍ୟବହାର ସୁରକୁ ତା’ ପାଖକୁ ଟାଣି ନେଇଥିଲା । ଦିନେ ଦି’ଦିନରେ ଥରେ ତା’ କ୍ୱାଟର ଆଡ଼େ ବୁଲି ନ ଆସିଲେ ସୁରକୁ ଭଲ ଲାଗେନି ।

 

ରମେଶ ବାବୁଙ୍କୁ ବି ଭଲ ଲାଗେନି – ସୁର ଶଇଳ ସାଙ୍ଗେ ବେଶି କଥାଭାଷା ହେଲେ । ଥରେ କାପିଟାଲ ବସ୍‌ଷ୍ଟାଣ୍ଡ ପାଖରେ ରମେଶ ବାବୁ ଦିହିଙ୍କି ଏକାଠି କଥା ହେଉ ଥିବାର ଦେଖିଥିଲେ । ସେଦିନ ଶଇଳ ତିନି ଦିନ ଛୁଟି ନେଇ ଗାଁକୁ ଯାଉଥିଲା ଓ ସୁର ତାକୁ ଛାଡ଼ିବାକୁ ଆସିଥିଲା । ରମେଶ ବାବୁ ପଦୁଟିଏ ପଚାରି ଦେଇ ମାର୍କେଟ ଆଡ଼େ ଚାଲିଗଲେ । ହାତରେ ତାଙ୍କର ବ୍ୟାଗ୍‌ ନ ଥିଲା କି ସେ ବଜାର ସଉଦା କରି ଆସିଛନ୍ତି ବୋଲି ଜଣାପଡ଼ୁ ନ ଥିଲା । ଓଠ ଅଗରେ ଥିଲା ହସର ଟିକିଏ ଛିଟିକା । ଉପର ଠାଉରିଆ ଭଦ୍ରାମି ଖାତିରିରେ । ଶଇଳ ସାଙ୍ଗେ ଆସି ବସଷ୍ଟାଣ୍ଡରେ କଥା ହେବାକୁ ରମେଶ ବାବୁ ଯେ ଭଲ ପାଉନାହାନ୍ତି, ଏକଥା ପାଟି ଖୋଲି ନ କହିଲେ ବି ତାଙ୍କ ଆବ୍‍ଭାବରୁ ବେଶ୍‌ ଜଣା ପଡ଼ୁଥିଲା । ଆଉ ଥରେ ସେମିତି ଅଫିସ୍‌ ଛୁଟି ପରେ ଶଇଳ ଆଉ ସୁର ସାଙ୍ଗ ହୋଇ ଫେରୁଥିଲେ । ରମେଶ ବାବୁ ଦିହିଙ୍କି ଦେଖି ନ ଦେଖିଲା ଭଳି ତାଙ୍କ ପାଖ ଦେଇ ସେଦିନ ସାଇକେଲ୍‌ ଛୁଟେଇ ଚାଲିଗଲେ । ଆଉ କେବେ ହୁଏତ ଦେଖିଥିବେ । ଶଇଳ ଓ ସୁରକୁ ଜଣାନାହିଁ ।

 

ସୁର ଠିକ୍‌ ଲକ୍ଷ୍ୟ କରିଛି– ତା’ପରେ ପରେ ରମେଶ ବାବୁଙ୍କ ବ୍ୟବହାର ତା ପ୍ରତି କେମିତି ବଦଳି ଗଲା । ଆଗ ହସି ହସି କଥା ହେଉଥିଲେ । ଅଭାବ ଅସୁବିଧା ବୁଝୁଥିଲେ । ଅଫିସ୍‌ କାମ ବିଷୟରେ କ’ଣ କରିବ, କ’ଣ ନ କରିବ ଉପଦେଶ ଦେଉଥିଲେ । ଏଣିକି ସେ ହେଲେ ଜଣେ ଅଲଗା ମଣିଷ । କ’ଣ କିଛି ପଚାରିଲେ ଚିଡ଼ି ଚିଡ଼ି ହୁଅନ୍ତି । ଆଉ କଥାବାର୍ତ୍ତା ନାହିଁ । କହନ୍ତି–ଯାହାକିଛି କହୁଛ ଲେଖିଆଣ । ସୁର ତାଙ୍କର ଏ ପରିବର୍ତ୍ତନ ବୁଝି ପାରୁଥିଲା । ଭାବୁଥିଲା – ସେ ଦିନ ତାଙ୍କ ଦିହିଙ୍କ ଏକାଠି ଦେଖିଥିବା ଯୋଗୁ ଏମିତି ହେଉଛନ୍ତି ? ତା’ ଛଡ଼ାତ ଆଉ କିଛି କାରଣ ନାହିଁ ? ସେଇଟାତ କିଛି ଦୋଷାବହ ନୁହେଁ ? ନାଁ–ଆଉ କିଛି କାରଣ ଅଛି ? ଖୋଲିକରି କହିଲେ ସିନା କିଛିନା କିଛି ସେ ଜାଣିପାରନ୍ତା ? ନ କହିଲେ ଜାଣିବ ଅବା କେମିତି ? କ’ଣ କହି ସେ ତାଙ୍କୁ ବୁଝେଇବ ? ସେଥିପାଇଁ ଅଫିସ୍‌ରେ ଏଣିକି ଶଇଳ ସାଙ୍ଗେ ସେ କମ୍‌ କଥାବାର୍ତ୍ତା କରେ-। କିନ୍ତୁ ଶଇଳ ତା’ ଘରକୁ ନିମନ୍ତ୍ରଣ କଲେ ସେ ମନାକରିବ ଅବା କେମିତି ? ତା ଛଡ଼ା ଶଇଳ ସାଙ୍ଗେ ଏତେଦିନ ମିଳାମିଶା କରି କେବେହେଲେ ତା’ଠି ଦୁର୍ବଳତା ସେ ଦେଖିନି । ବଡ଼ ହୁସିଆର ସେ । ସିଏ ସିନା ଅନ୍ୟକୁ ଉପଦେଶ ଦେବ, ତାକୁ ଉପଦେଶ ଦେବା କିଛି ଦରକାର ନାହିଁ-। ତା’ର ଦାୟିତ୍ୱ ଓ କର୍ତ୍ତବ୍ୟ ସେ ଭଲ ଭାବରେ ଜାଣିଛି, ଶିଖିଛି ଓ ହୃଦୟଙ୍ଗମ କରିଛି ।

 

ଅନ୍ୟମାନଙ୍କ ଅପେକ୍ଷା ଶଇଳର ଅଫିସ୍‌ କାମ ଅପେକ୍ଷାକୃତ କମ୍‌ । ଝିଅପିଲା ବୋଲି । ଯେତେବେଳେ ଯାହା ତାକୁ ଦିଆଯାଏ, ସେ ନ କରି ଛାଡ଼େନି । ଅନ୍ୟ କେତେକଙ୍କଠୁ ତା’ର ଲେଖାଲେଖିର ଶୈଳୀ ମାର୍ଜିତ ଆଉ ନିର୍ଭୁଲ । କାମକୁ ସେ କେବେ ଜମେଇ ରଖେନି । ପାରୁପର୍ଯ୍ୟନ୍ତ ଲାଗିପଡ଼ି କରେ । ତା’ଛଡ଼ା ସେ ବିଭାଗରେ ସେ ଜଣେମାତ୍ର ମହିଳା କର୍ମଚାରୀ । ଅନ୍ୟ ବିଭାଗରେ ଆଉ କେତେଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ଦେଖାଚାହାଁ ହେବାର ସୁବିଧା ସୁଯୋଗ ନାହିଁ । ତେଣୁ ମୁଣ୍ଡ ପୋତି ପୋତି ପୋତି ଦଶଟାରୁ ପାଞ୍ଚଟାଯାଏ ବସିବା ଛଡ଼ା ଅନ୍ୟ ଉପାୟ ନାହିଁ । ତା’ ଛଡ଼ା କାମ ବିଷୟରେ କେହି ତାକୁ କିଛିହେଲେ କହନ୍ତିନି । ରମେଶ ବାବୁ ଓର ଉଣ୍ଡନ୍ତି । ବେଳେ ବେଳେ ଉପରେ ପଡ଼ି ତା’ ସାଙ୍ଗେ କଥାବାର୍ତ୍ତା କରନ୍ତି । ତା’ କାମ ଅପେକ୍ଷା ନିଜ କାମ ବିଷୟରେ ବେଶି ତାରିଫ୍‌ କରନ୍ତି ପ୍ରକାରନ୍ତରରେ । ଶଇଳ ସବୁ କିଛି ଶୁଣେ । କାମ ବିଷୟରେ ଯାହାକିଛି ରମେଶ ବାବୁ କହନ୍ତି, ସେ ସବୁକୁ ଅକ୍ଷରେ ଅକ୍ଷରେ ପାଳନ କରେ । ଶଇଳ ଭଲ ଭାବରେ ଜାଣେ–ସୁର ବାବୁଙ୍କ ସାଙ୍ଗେ ତାର ମିଳାମିଶାକୁ ରମେଶ ବାବୁ ଭଲ ପାଉନାହାନ୍ତି । ପାଟିଖୋଲି କିଛି ନ କହିଲେ ବି ତାଙ୍କର ଆବଭାବ କହୁଛି, ଚାଲି କହୁଛି, ଆଖି କହୁଛି, ମୁହଁ କହୁଛି ଓ କଥା କହିବାର ଭଙ୍ଗିରୁ ସବୁ ଜଣାପଡ଼ି ଯାଉଛି । ହେଲେ ଉପାୟ କ’ଣ ?

 

ଶଇଳକୁ ଏ ସବୁର ଅସଲ କାରଣଟା କିନ୍ତୁ ଭଲ ଭାବରେ ଜଣା ।

 

ସେ ଯେତେବେଳେ ପ୍ରଥମ ହୋଇ ଭୁବନେଶ୍ୱରକୁ ଚାକିରୀ କରିବାକୁ ଆସେ । ଚାରିବର୍ଷ ତଳେ

 

ସେତେବେଳେ ଅଫିସର ଏ କୋଠା ନ ଥିଲା । ଏତେ କ୍ୱାଟର ନ ଥିଲା । ଏତେ ଲୋକ ନ ଥିଲେ କି କ୍ୟାପିଟାଲ୍‌ର ସିଧାସଳଖ ପିଚୁରାସ୍ତା ଉପରେ ଲୋକ ଗହଳି ନ ଥିଲା । ରମେଶ ବାବୁଙ୍କ ପରିଶ୍ରମ ଯୋଗୁ କ୍ୱାଟର ଖଣ୍ଡିକ ମାସ ଦି’ଟା ଭିତରେ ସେ ପାଇ ପାରିଥିଲା । କେବଳ ସ୍ତ୍ରୀ ଲୋକ ବୋଲି । ରମେଶବାବୁ ସେତେବେଳେ ସକାଳେ ସଂଜେ ତା’ ଘରକୁ ବୁଲି ଆସନ୍ତି । ଅଭାବ ଅସୁବିଧା ବୁଝନ୍ତି । ନୂଆ କ୍ୱାଟର ଯୋଗୁ ସେ ଘରକୁ ଇଲେକ୍‌ଟ୍ରିକ୍‌ ଯାଇ ନ ଥିଲା । ରମେଶବାବୁଙ୍କ ଯତ୍ନରୁ ଦିନ ପନ୍ଦରଟା ଭିତରେ ଆଲୁଅ ଆସିଗଲା । ପଙ୍ଖା ବି ଘୂରିଲା । ତାଙ୍କର ଏଇ ସବୁ ଉପକାର ପାଇଁ ଶଇଳ ରମେଶବାବୁଙ୍କ ପାଖରେ କୃତଜ୍ଞତାରେ ଆବଦ୍ଧ । କେତେଥର ସେ କହିଛି–ଆପଣଙ୍କର ଏ ଉପକାର ମୁଁ ସୁଝି ପାରିବିନି ।

 

ରମେଶବାବୁଙ୍କର କିଛିହେଲେ ଦରକାର ନାହିଁ । ଏ ସବୁ ସୁବିଧା କରିଦେବା ତାଙ୍କର କାମ । କିନ୍ତୁ ଉପକାରଟାକୁ ସବୁଲୋକ ମାନନ୍ତିନି । କୃତଜ୍ଞ ହେବା ତ ଦୂର କଥା । କଥା ପଦେ କହିବା ବି ବିରଳ । ଶଇଳଠୁ ଏ ସବୁ ଶୁଣି ରମେଶବାବୁ ଅଳ୍ପ ହସି ଦିଅନ୍ତି । ଶଇଳ ବି ହସେ । ଶଇଳର ହସ କୃତଜ୍ଞତାରେ ଭିଜା । କିନ୍ତୁ ରମେଶବାବୁଙ୍କର ହସ ପଛଆଡ଼େ କେତେ କ’ଣ ଲୁଚି ଛପି ରହିଥାଏ । କେବେହେଲେ ପାଟି ଖୋଲି ସେ କିଛି କହି ନାହାନ୍ତି । ବ୍ୟବହାର କଥାବର୍ତ୍ତା ଓ ଚାଲିଚଳଣରୁ କିଛି ଠଉରେଇ ହୁଏନି । ଶଇଳ କିନ୍ତୁ ରମେଶ ବାବୁଙ୍କ ମନ କଥା ଭଲ ରୂପେ ଜାଣି ନେଇଥିଲା । ତାଙ୍କ ଆଖି କୋଣର ବିଜୁଳି, ମୁହଁର କ୍ଷୁଧା ଏପରିକି ତାଙ୍କ ମନକଥା ଯାକ ବେଶ୍‌ ବୁଝି ପାରିଥିଲା । ପଦୁଟିଏ କଥା ଭାଷା ନ ହୋଇ ବି ମଣିଷକୁ ଚିହ୍ନି ହୁଏ । ଅଳ୍ପ ତଳେଇ କରି ଦେଖିଲେ ।

 

କିନ୍ତୁ ଚାରିବର୍ଷ ତଳର ଶଇଳ ଓ ଏବକାର ଶଇଳ ଭିତରେ ଅନେକ ପ୍ରଭେଦ ଅଛି । ଆଗ ଚାହାଣିରେ ଥିଲା ତାର ଦାଢ଼ୁଆ ଛୁରୀ । ଏବେ ଅଳ୍ପ ଥନ୍ତରା ହୋଇଗଲାଣି । କିନ୍ତୁ ଘଷିମାଜି ଶଇଳ ତାକୁ ଦାଢ଼ୁଆ କରୁଛି । ଚାରିବର୍ଷ ତଳେ ଚାଲିରେ ଥିଲା ତା’ର ଛନ୍ଦ । ଏବେ ସେ ଚଞ୍ଚଳତା ନାହିଁ । ତାର ଚାଲି, ତାର କଥା, ଚାହାଣୀ, ହସ ଓ ତା’ର ଛଇ ଭିତରେ ଭରି ରହିଲାଣି ଗାମ୍ଭୀର୍ଯ୍ୟ ସକାଳର ନିବୁଜ କୁହୁଡ଼ି ଭଳି ।

 

ସେତେବେଳେ ନିବୁଜ କୁହୁଡ଼ି ନ ଥିଲା । ଥିଲା – ପୂର୍ଣ୍ଣିମାର ଜ୍ୟୋତ୍ସ୍ନା । ଗଭୀର ସାଗରର ଗାଢ଼ ନୀଳିମା ଭଳି ମନରେ ତାର ହିସାବ ନିକାଶ ନ ଥିଲା । କଳକଳ ନାଦିନୀ ନଦୀ ଭଳି ସେ ଥିଲା ଚପଳ ଆଉ ଚଞ୍ଚଳ । ଭବିଷ୍ୟତ ଜୀବନର ଛବିକି କଳ୍ପନାର ତୂଳୀ ଧରି ସେ ଖାଲି ଆଙ୍କିବାରେ ଲାଗିଥିଲା । ଜୀବନ ଭିତରେ ସେ ପଶି ନ ଥିଲା । ଚାକିରୀ କରି ବାପ ମା’ଙ୍କୁ ପୋଷିବା ସାନ ଭାଇକି ମଣିଷ କରିବା ଏଇ ଆଶାରେ ସେ ଅଫିସରେ ଆସି ଯୋଗ ଦେଲା । ଏ ଦିଗରେ ରମେଶବାବୁଙ୍କର ସାହାଯ୍ୟ ସହାନୁଭୂତିକି ନିଶ୍ଚୟ ଭୁଲି ପାରିବନି । ଏକା ଚାକିରୀ ଓ ଏକା ଅଫିସ ହେଲେ କ’ଣ ହେଲା – ଦୁନିଆରେ ଖୁବ୍‌ ଅଳ୍ପ ଲୋକେ ଏମିତି ସହାନୁଭୂତି ଦେଖାନ୍ତି । ସେଇଥିପାଇଁ ରମେଶବାବୁଙ୍କୁ କ୍ୱାଟରକୁ ଡାକି ସେ ଚା’ ଜଳଖିଆ ଦେଇଛି । ଥରେ ଦି’ଥର ସିନେମା ଦେଖି ବି ସାଙ୍ଗ ହୋଇ ସେମାନେ ଯାଇଛନ୍ତି । ଅନ୍ୟ କେହି ଜାଣିନାହାନ୍ତି । କେବଳ ରମେଶବାବୁ ଆଉ ଶଇଳ । ବେଳେ ବେଳେ ତାର ମନ କୃତଜ୍ଞତାର ରଞ୍ଜା ଉପରେ ଲଟେଇ ଲଟେଇ ତାଙ୍କ ଆଡ଼ିକି ଡଙ୍କେଇ ଯାଇଥିଲା । ରମେଶବାବୁ ଆଖିରେ କେବଳ ପ୍ରତ୍ୟୁତ୍ତର ଦେଇଛନ୍ତି-। ଦି’ହଳ ଆଖି ତାଙ୍କର ହସି ଉଠିଛି । ଅଫିସରେ ଆଉ ବାହାରେ ଅଳ୍ପ ଯେତିକି କଥାବାର୍ତ୍ତା-। ସମୟ ଗଡ଼ିବା ସାଙ୍ଗେ ସାଙ୍ଗେ ଦିହିଁଙ୍କ ମନ ଭିତରର ବ୍ୟବଧାନ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି ପଛେ କମିନି ।

 

ତା’ ଛଡ଼ା ରମେଶବାବୁ ହେଲେ ପିଲା ଛୁଆର ବାପା । ନିଜର ଘର ସଂସାର ତାଙ୍କ ପଛଆଡ଼େ ବନ୍ଧା । ହଲଚଲ ହେବାର ଉପାୟ ନାହିଁ । ଚାରି ଚାରିଟା ଛୁଆ । ବର୍ଷେ ଦି’ ବର୍ଷ ଗଲେ ବଡ଼ ପୁଅ ମାଟ୍ରିକ୍‌ ପାଶ କରିବ । ସ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆସି ବୁଢ଼ୀ ହେଲେଣି । ଦିହର ସୁନା ଅଳଙ୍କାର ତକ ତାଙ୍କର ବୟସ ଖସା ଚେହେରାକୁ କେବଳ ଘୋଡ଼େଇ ରଖିଛି । ସବୁବେଳେ ପିଲାଝିଲାଙ୍କ ଉପରେ ମନ । କେମିତି ସେମାନେ ମଣିଷ ହେବେ । ତା’ ଛଡ଼ା ରମେଶବାବୁଙ୍କୁ ସାଢ଼େ ଦଶ ବେଳକୁ ଖୁଆଇ ପିଆଇ ଅଫିସ ଛାଡ଼ିବା କଷ୍ଟ । ପୁଣି ଛୁଆ ପିଲାର ମା’ ହୋଇଗଲେ ଝିଅ ବେଳ ଭଳି ଭ୍ରୂଲତା ଉପରେ ସ୍ଵପ୍ନଯାକ ଆଉ ଲହଡ଼ା ଭାଙ୍ଗେନି । ନିଜର ସ୍ୱାମୀ ପ୍ରତି ଯାହା କିଛି କର୍ତ୍ତବ୍ୟ ସେ ହୁଏ ଗୌଣ । ଘର କଲା ସ୍ତ୍ରୀର ବାସ୍ତବବାଦୀ ମନ କୁହୁଡ଼ି ପହଁରିବାକୁ ଆଉ ଭଲ ପାଏନି । ନିଜର ଘରଦ୍ୱାର, ଟଙ୍କାପଇସା, ଛୁଆପିଲା ପରିବାରର ଭବିଷ୍ୟତ ଆଦିର ଭାବନା ଭିତରେ ସ୍ୱପ୍ନଯାକ ତା’ର ହଜିଯାଏ । ମନ ଭିତରେ ଆଉ ଲହରୀ ଉଠେନି ।

 

କିନ୍ତୁ ପୁରୁଷ ମନରେ ବେଳେ ବେଳେ ଭାବନାର ଜୁଆର ଭାଙ୍ଗେ । ନିଜର କାମଦାମ୍, କର୍ତ୍ତବ୍ୟ, ଦାୟିତ୍ୱ ଆଉ ଭବିଷ୍ୟତ ଜୀବନର କଳ୍ପନା ଭିତରେ ବି’ ତାର ଭାବପ୍ରବଣତା ମରି ନ ଥାଏ-। ସେ ମରିବାର ନୁହେଁ । ପୁରୁଷ ହେଲା ସ୍ୱଭାବତଃ ଚପଳ । ଜଞ୍ଜାଳ ଭିତରେ ବୁଡ଼ି ରହି ମଣିଷ ସେ ସବୁକୁ ଆଉ ଖୋଜି ବୁଲେନି । ଆପେ ଆପେ ସେ ସବୁ ପାଖକୁ ଆସିଲେ ଅଲଗା କଥା ।

 

ଶଇଳ ଆପେ ଆପେ ସେମିତି ପାଖକୁ ଆସିଥିଲା । ଖାଲି ପାଖକୁ ନୁହେଁ । ନିକଟକୁ । ଅତି ନିକଟକୁ ।

 

ରମେଶବାବୁ ଇଚ୍ଛା କରିଥିଲେ ସେ ସବୁ ହାସଲ କରି ପାରିଥାନ୍ତେ । ଶଇଳ ସେତେବେଳେ ବର୍ତ୍ତମାନ ଭଳି ଗମ୍ଭୀର ନ ଥିଲା କି ହାତେ ମାପି ଚାଖଣ୍ଡେ ଚାଲୁ ନ ଥିଲା । ସୁବିଧା ସୁଯୋଗର ଅଭାବ ଯୋଗୁ ହେଉ, ଅଥବା ଘରକଲା ମନରେ ଦ୍ୱନ୍ଦ୍ୱ ଯୋଗୁ ହେଉ, ନିଜର ଆତ୍ମସମ୍ମାନ ବଜାୟ ରଖିବା ପାଇଁ ଭଲମନ୍ଦର ବିଚାର କରି ରମେଶବାବୁ ସେତେବେଳେ ଜାଣିଶୁଣି ଶଇଳ ପାଖରୁ ଓହରି ଯାଇଥିଲେ । ତାକୁ ସାହାଯ୍ୟ କରିବା, ଚାକିରୀ ଜୀବନରେ ସେ କେମିତି ଉନ୍ନତି କରିବ ସେଥିପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ଓ ତା’ର ଭଲମନ୍ଦ ବୁଝିବା, ଏଇ ଥିଲା ତାଙ୍କର କାମ । କିନ୍ତୁ ଶଇଳ ଉପରେ ସଦାବେଳେ ତାଙ୍କର ଆଖି ଥାଏ । ବିଚାରୀ ଝିଅ ପିଲାଟିଏ-। ବୁଢ଼ୀ ଚାକରାଣୀଟିକି ସାଙ୍ଗରେ ଧରି ଏକଲା ତାର କ୍ୱାଟରରେ ଅଛି । ତାର କିଛି ଅସୁବିଧା ନ ହେଉ ଏଇତକ ଥିଲା ତାଙ୍କର ଇଚ୍ଛା ।

 

ସୁର କଥାଟା ସଂପୂର୍ଣ୍ଣ ବାଦ୍‌ ଦିଆଯାଇପାରେ । ସିଏ ଅବା କୋଉ ଭାଡ଼ିର ପାରା ? ଏଇ କାଲି ଆସି କାମରେ ଯୋଗ ଦେଇଛି । ଅଫିସରେ ଏଯାଏ ଚେର ମାଡ଼ିନି । କେତେ କେତେ ଲୋକ ଏବେ ବି ତାଙ୍କୁ ଚିହ୍ନି ନାହାନ୍ତି । ଲୋଅର ଡିଭିଜନ କିରାନୀ । କିଏ ଅବା ତାଙ୍କୁ ପଚାରେ ?

 

ଖାଲି ରମେଶ ବାବୁ ନୁହନ୍ତି – ଉଚ୍ଚ ପଦସ୍ଥ ଅଫିସର ମିଃ ମହାନ୍ତି ବି ଶଇଳର ଖୋଜ ଖବର ନିଅନ୍ତି । ସୁବିଧା ଅସୁବିଧା ବୁଝନ୍ତି । ଶଇଳର ଫାଇଲ ତାଙ୍କ ପାଖକୁ ଦସ୍ତଖତ ହେବାକୁ ଯାଇଥିଲେ ତାକୁ ଡକରା ଆସେ । ଶଇଳ ପାଖରେ ଆସି ତାଙ୍କୁ ବୁଝେଇ ନ ଦେଲେ ଫାଇଲରେ ସେ ଦସ୍ତଖତ କରନ୍ତିନି । ମିଃ ମହାନ୍ତିଙ୍କର ଏଇ ଗୋଟିଏ ବଡ଼ ବଦ ଅଭ୍ୟାସ । ଅଫିସର ସମସ୍ତଙ୍କ ନିକଟରେ ଏହା ପ୍ରଯୁଜ୍ୟ । କେତେକଙ୍କୁ ଏଇଟା ଭଲ ଲାଗେନି । କିନ୍ତୁ ଚାରା କ’ଣ ଅଛି ।

 

ଶଇଳର ଫାଇଲ୍‌ଟା ପାଶ୍‌ କରିବାକୁ ମି: ମହାନ୍ତି କିନ୍ତୁ ବେଶି ସମୟ ନିଅନ୍ତି । କେବଳ ଶଇଳ ଫାଇଲ୍‌ ନୁହେଁ । ତା ସାଙ୍ଗକୁ ପୁଣି ଗପ । ମିଃ ମହାନ୍ତି କାମଦାମରେ ବେଶ୍‌ ଧୁରନ୍ଧର । ବଡ଼ ଗପୁଡ଼ି । ଗପ କେବଳ ତାଙ୍କର ଅଫିସ କାମରେ ଆବଦ୍ଧ ରହେନି । ଦୁହେଁ ଢିଙ୍କିଶାଳରୁ ଢେଙ୍କାନାଳ ଯାଏ ସବୁ କିଛି ବିଷୟରେ ଗପ ଜମାନ୍ତି । ଯେତେବେଳେ ଯୋଉ ବିଷୟରେ ଆଲୋଚନା ଆରମ୍ଭ ହେଲା । ତା’ ପରେ ପରେ କଥାରୁ କେନା ବାହାରେ । ବେଳେବେଳେ ଅନ୍ୟର ବ୍ୟକ୍ତିଗତ ଜୀବନ ଉପରେ ବି ଆଲୋଚନା ଚାଲେ । ମିଃ ମହାନ୍ତିଙ୍କର ଏଇ ଗୁଣ ଯୋଗୁ କେତେ ଲୋକ ତାଙ୍କୁ କାମ ଜାଣନ୍ତିନି ବୋଲି ଆଖ୍ୟା ଦିଅନ୍ତି । ତାଙ୍କ ପାଖରେ ଛୋଟ ବଡ଼ ନାହିଁ । ଅଫିସର ବୋଲି ମନରେ ଗର୍ବ ନାହିଁ । କିରାନୀ, ଚପରାଶୀ ଏପରିକି ଝାଡ଼ୁବାଲା ଅଫିସ ଚୌକିଦାର ମାଳିମାନେ ବି ତାଙ୍କ ଆଗରେ ନିଜ ନିଜର ଗୁହାରୀ ଆସି କହନ୍ତି । ଅଫିସରେ କହିବାକୁ ସୁବିଧା । ନ ପାଇଲେ ତାଙ୍କ କ୍ୱାଟରକୁ ଦଉଡ଼ନ୍ତି । ମିଃ ମହାନ୍ତି କେତେ କେତେ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଆଇନ ଅନୁସାରେ କାହାର କାହାର ସୁବିଧା କରି ନ ପାରିଲେ ତାଙ୍କୁ ପ୍ରବୋଧ ଦିଅନ୍ତି । ସାନ୍ତ୍ୱନା ଦିଅନ୍ତି । ନିଜ ଅଧୀନରେ କାମ କରୁଥିବା ଲୋକଙ୍କୁ ଅଭୟ ଦେବା ତାଙ୍କର ହେଲା ଗୋଟିଏ ଭଲ ଗୁଣ । ସେଇଥିପାଇଁ ସବୁରି ମୁଖରେ ତାଙ୍କର ପ୍ରଶଂସା । ଯୋଉ କେତେଜଣ ମିଃ ମହାନ୍ତିଙ୍କ ଠାରୁ ଆଶା କରିଥିବା ସାହାଯ୍ୟ ପାଇ ନାହାନ୍ତି ସେଇମାନେ କେବଳ ଅସନ୍ତୋଷ ପ୍ରକାଶ କରନ୍ତି । କେହି ତାଙ୍କୁ ନିନ୍ଦା କରିବା କୋଉଠି ଶୁଣା ନାହିଁ ।

 

ମିଃ ମହାନ୍ତିଙ୍କର ନିବୁଜ୍‌ ଅଫିସ ରୁମ୍‌ ଭିତରେ ଶଇଳ ତା ଫାଇଲ୍‌ଟା ଦସ୍ତଖତ କରଉଥିଲେ ରମେଶ ବାବୁ କିଛି ନା କିଛି କାମ ବାହାନାରେ ଘର ଭିତରକୁ ପଶି ଯାଆନ୍ତି । ଶଇଳ ସେତେବେଳେ ଅଧା ଡର ଓ ଅଧା ସଙ୍କୋଚରେ ମିଃ ମହାନ୍ତିଙ୍କର ପ୍ରଶ୍ନର ଜବାବ୍‌ ଦେଉଥାଏ ଗମ୍ଭୀର ଭାବରେ । ରହି ରହି ଶଇଳର ବକ୍ତବ୍ୟ ଶୁଣିଲା ବେଳେ ଆଖି ତାଙ୍କର ଚରି ବୁଲୁଥାଏ ଲଗାମ ଛଡ଼ା ହୋଇ ଶଇଳର ଲୋଭନୀୟ ଶରୀର ଉପରେ ସେତିକି ବେଳେ ତାଙ୍କର ମାନସମ୍ମାନ ପଦ ମର୍ଯ୍ୟାଦା, ନିଜର ବୟସ ଓ ଲୋକନିନ୍ଦା ଆଦି ମିଃ ମହାନ୍ତିଙ୍କୁ ବାଟକୁ ଆଣେ । ତଥାପି ତାଙ୍କ ମନରେ କୋଉ ଏକ କଣରେ ଶଇଳକୁ ଦେଖି ଦେଲେ ମଳୟ ବହେ, ଚାନ୍ଦ ଉଏଁ ଓ କୁହୁ ତାନରେ କୋଇଲି ଗାଇବାରେ ଲାଗେ । ସେ ସବୁର ଆତ୍ମ ପ୍ରକାଶ ହେଲା–ଶଇଳକୁ ତା’ର ସୁଖଦୁଃଖ ପଚାରିବା ଆଉ ଅଭାବ ଅସୁବିଧା ବୁଝିବା ।

 

କେବଳ ଥରେ ଦି’ଥର ନୁହେଁ ସଦାବେଳେ । ଶଇଳ ଯେତେଥର ତା’ର କେସ୍‌ ବିଷୟରେ ବୁଝେଇବାକୁ ମିଃ ମହାନ୍ତିଙ୍କ ରୁମ୍‌ ଭିତରକୁ ଆସିଛି, ରମେଶବାବୁଙ୍କର ସେତିକି ଥର ସେ ଘର ଭିତରେ ଆବିର୍ଭାବ । ତାଙ୍କୁ ଦେଖି ଦେଲେ ମିଃ ମହାନ୍ତିଙ୍କର କାନ ମୂଳ କେମିତି ନାଲିଆସିଆ ପଡ଼ିଯାଏ । କହିବାର ଉପାୟ ନାହିଁ । ମୁହଁରେ ହସ ଉକୁଟେଇ କିଛି ପଚାରିବା ଆଗରୁ ରମେଶବାବୁ ତାଙ୍କର ଜରୁରୀ କାମ ବିଷୟରେ ଆଗ କହି ପକାନ୍ତି । ଅଫିସ ଭିତରେ ରମେଶବାବୁ ଜଣେ ଅପରିହାର୍ଯ୍ୟ ଲୋକ । ଅଫିସ ଗୋଟାକର ପ୍ରତ୍ୟେକ କାମ ତାଙ୍କୁ ଜଣାଅଛି । ଦରକାର ପଡ଼ିଲେ ରମେଶବାବୁ ଅଫିସର ସେଇ ବିଭାଗୀୟ କାମତକ ଏକଲା ତୁଲେଇ ଦେଇପାରିବେ । ସେଇଥିପାଇଁ ସମସ୍ତେ ତାଙ୍କୁ ଭୟ କରନ୍ତି । ବଡ଼ ବଡ଼ ହାକିମ ଯାଏ ସମସ୍ତେ ରମେଶବାବୁ ଆସିଗଲେ ବସିବାକୁ ଅନୁରୋଧ କରନ୍ତି । କିନ୍ତୁ ଅନ୍ୟମାନେ ଘଣ୍ଟା ଘଣ୍ଟା ଧରି ଅଫିସ କାମ ନେଇ ସେମାନଙ୍କର ଉପର ହାକିମମାନଙ୍କ ପାଖରେ ନିଜ ନିଜ ଅଭିମତ ପ୍ରକାଶ କରୁଥିଲେ ସେମାନଙ୍କୁ ବସିବାର ସୌଭାଗ୍ୟ ମିଳେ ନାହିଁ । ବସିବାକୁ ନ କହିବା ବୋଧେ ଅଫିସର ଆଦବ୍‌ କାଇଦା ଭିତରେ ଅନ୍ତର୍ଭୁକ୍ତ । ସେ ଯାହାହେଉ ଉପରିସ୍ଥ ଅଫିସରମାନଙ୍କ ପାଖରେ ରମେଶବାବୁଙ୍କର ସମ୍ମାନ ଅଛି । ନିଜର କାମଦାମ ଓ ଅଭିଜ୍ଞତା ବଳରେ ତାକୁ ସେ ହାସଲ କରିଛନ୍ତି । ଆତ୍ମସମ୍ମାନ କେହି କାହାକୁ ଦେଇ ଦିଏନି । ଯିଏ ସମ୍ମାନ ପାଇବାର ଅଧିକାରୀ ସିଏ ନିଜେ ନିଜେ ହାସଲ କରେ । ଦାବୀ କରେ । ଅଧିକାରକୁ ଅନ୍ୟ ନିକଟରେ ସାବ୍ୟସ୍ତ କରେ ।

 

ରମେଶବାବୁ ଅଫିସ ରୁମ ଭିତରକୁ ପଶି ଆସିଲେ ମିଃ ମହାନ୍ତିଙ୍କ କଥାର ଗତି ବଦଳେ-। ସ୍ୱର ତାଙ୍କର ଅସ୍ୱାଭାବିକ ଭାବରେ ମୋଟା ଶୁଣାଯାଏ । ବେଳେବେଳେ ଶଇଳ ଉପରେ ସେ ବିରକ୍ତ ହୁଅନ୍ତି । ଚାରିବର୍ଷ ହେଲା ଅଫିସରେ ଆସି କାମ କଲେ ବି ନିର୍ଭୁଲ କରି ଏ ଯାଏ ଲେଖି ପାରିଲନି ।

 

ଶଇଳ ଜରିଆରେ ମିଃ ମହାନ୍ତିଙ୍କର ଏ କଥା ଯେ ନିଜ ଉପରେ ମାଡ଼ ହେଲା ଭଳି ଏ କଥା ରମେଶବାବୁ ଭଲରୂପେ ଜାଣନ୍ତି । କାରଣ ଫାଇଲ୍‌ଟା ତାଙ୍କ ଜରିଆରେ ଆସିଛି । ହେଲେ ରମେଶବାବୁଙ୍କର କହିବାକୁ ଉପାୟ ନାହିଁ । ରାଗ ଜର ଜର ହୋଇ ତରତରରେ ସେ ରୁମ୍‌ ଭିତରୁ ବାହାରି ଯାଆନ୍ତି । ଜରୁରୀ କାମର ଆଳ ଦେଖେଇ ।

 

ତାଙ୍କ ପଛେ ପଛେ ଚାଲେ ଶଇଳ ।

 

ମିଃ ମହାନ୍ତି ସିଗାରେଟ୍‌ରେ ଅଗ୍ନି ସଂଯୋଗ କରି ମୁଣ୍ଡ ଉପରେ ପଙ୍ଖାଟା ଘୁରୁ ଥିବାର ଲକ୍ଷ୍ୟ କରନ୍ତି ଓ ଫାଇଲ ଉପରେ ଦସ୍ତଖତ କରି ବାଁ ପଟେ ଜମେଇବାରେ ଲାଗି ଯାଆନ୍ତି ।

 

ଦିନେ ସଂଧ୍ୟା ବେଳେ–

 

ସମୟ ସାଢ଼େ ୫ଟା କି ୬’ଟା ପାଖାପାଖି ହେବ । ସୁର ଅଫିସରୁ ଫେରି ଝାଡ଼ା ଝପଟ ଆଦି ସାରିଦେଇ ଜଳଖିଆ କରିବା ପାଇଁ ଗଲାବେଳକୁ ଚୁଡ଼ା ନାହିଁ । ସରିଗଲାଣି । ମାସକୁ ମାସ ବୋଉ ଗାଁରୁ ପଠେଇ ଦିଏ ବସ୍‌ କଣ୍ଡକ୍‌ଟର ହାତରେ । ତାଙ୍କ ଗାଁ ବାଟ ଦେଇ ସରକାରୀ ବସ୍‌ ଯା’ ଆସ କରେ । ଚୁଡ଼ା, ଖଟା ଓ ବେଳେବେଳେ ଗୁଆଘିଅ ଅତି ଅକ୍ଳେଶରେ ତା’ ପାଖରେ ଆସି ପହଞ୍ଚେ । ହୋଟେଲରେ ଭାତ ଖାଇବା ଛଡ଼ା ସେ ଜଳଖିଆ ଦୋକାନର ପାଖ ମାଡ଼େନି । ବେଳେବେଳେ ଚା’ କପେ ।

 

ପ୍ରଥମେ ପ୍ରଥମେ ଭୁବନେଶ୍ୱରକୁ ଆସିଲା ବେଳେ ସୁର ଏ ସବୁକୁ ଭଲ ପାଉ ନ ଥିଲା-। ପିଲାଦିନୁ ବଜାର ଜଳଖିଆ ଆଦି ସେ ଖାଏନି । ଚା’, ପାନ କି ସିଗାରେଟ୍‌ର ପାଖ ମାଡ଼ୁ ନ ଥିଲା-। ସେ ସିନେମା ବି ଦେଖି ଯାଏନି । ତା’ ଛଡ଼ା ସେ ବଡ଼ ଈଶ୍ୱର ବିଶ୍ୱାସୀ । ଗାଧୁଆପାଧୁଆ ସାରି ଅଧଘଣ୍ଟେ ଯାଏ କ’ଣ ଗୁଣୁ ଗୁଣୁ ହୁଏ ।

 

କିନ୍ତୁ ଅଫିସରେ ଆସି ଯୋଗ ଦେଲା ପରେ ପଛ ଜୀବନ କଥା ତା’ର ଆଉ ମନେ ନାହିଁ । କଠୋର ଜୀବନ ତାର ପାସୋର ହୋଇଗଲାଣି । ଜଣାପଡ଼େ ଛାତ୍ର ଜୀବନଟା କେତେ ବର୍ଷ ତଳର ଗୋଟିଏ ଉପାଖ୍ୟାନ ଭଳି ।

 

ସେ ଏବେ ତିନି ଚାରି କପ୍‌ ଚା ଖାଏ । ସକାଳେ ସଞ୍ଜେ ଆଉ ଅଫିସରେ । ସେତକ ନ ହେଲେ ଦିହ ଓ ମନ ଅବଶ ହୋଇପଡ଼େ । ତା’ ସାଙ୍ଗକୁ ସିଗାରେଟ ପରେ ପରେ ପାନ । ସବୁଥିରେ ସେ ଏବେ ଧୁରନ୍ଧର । ହାତରେ ସିଗାରେଟ୍‌ ଧରି ନଥିଲେ କେମିତି ଅଡ଼ୁଆ ଅଡ଼ୁଆ ଲାଗେ । କ’ଣ ଗୋଟିଏ ଜିନିଷ ଛାଡ଼ି ଆସିଥିଲା ଭଳି ଜଣାପଡ଼େ ।

 

କ୍ୱାଟରର ଆଗ ପଟଟା ଖାଲି ବୁଦୂବୁଦୁକିଆ ଘାସରେ ଭରା ଚାକୁଣ୍ଡା ଗଛର ବଣ । ସୁର ସେଇ ବାଟ ଦେଇ ଗଲାବେଳେ ଡେଇଁ ଡେଇଁ ଚାଲେ । ସବୁଦିନ ଭାବେ– ସେ ଅରମାଗୁଡ଼ାକ ସଫା କରିଦେବ । ବଡ଼ ହେଲା ସାଧ୍ୟ ଲୋକ । କରିପାରେନି ।

 

ରାସ୍ତା ଉପରକୁ ଯିବାକୁ ଅଛି ଦି’ ଚାରି ଖୋଜ ବାଟ ଗୋପାଳବାବୁ ଡାକିଲେ–

 

ସୁର ଲେଉଟି ଚାହିଁଲା ବେଳକୁ ଗୋପାଳ ବାବୁ ବଡ଼ ସରାଗରେ କାହିଁକି ଡାକୁଛନ୍ତି । କିଏ ଜଣେ ସ୍ତ୍ରୀଲୋକ ତରତରରେ ଘର ଭିତରକୁ ପଶିଗଲେ । ବୋଧେ ତାଙ୍କର ସ୍ତ୍ରୀ ହେବେ । ଝରକା ଭିତରୁ ଦିଶିଗଲା ଆଉ ଜଣଙ୍କର କଇଁଫୁଲିଆ ମୁହଁ । ଗୋପାଳବାବୁଙ୍କ ଭଉଣୀ – ମନି ସୁର ଡାକହାକରୁ କେବଳ ଶୁଣିଛି । ଭଲରୂପେ ଦେଖିନି । ଯୋଡ଼ିକିଆ କ୍ୱାଟରରୁ ଗୋଟିକରେ ଗୋପାଳବାବୁ ତାଙ୍କର ପିଲାପିଲି ନେଇ ରହନ୍ତି । ଆଉ ଗୋଟିକରେ ସୁର ।

 

ଏତେଦିନ ହେଲା ସେ ଆସି ଏଠି ରହିଲାଣି । ସବୁଦିନ ମୁହଁ ଚୁହାଁ ଚୁହିଁ । କଥାବାର୍ତ୍ତା ନାହିଁ କି ଆଳାପ ନାହିଁ । ସୁର ବର୍ଷେ ହେଲା ଏଠି ରହିଥିଲେ ବି ସେ ଗୋପାଳବାବୁ କି ତାଙ୍କ ଘରର କାହାକୁ ହେଲେ ଚିହ୍ନିନି । ଇଚ୍ଛା କରିଥିଲେ ସଂପର୍କଟା ଅନେକ ଦିନ ଆଗରୁ ଜମି ସାରନ୍ତାଣି-। ସୁର କିନ୍ତୁ ଜାଣିଶୁଣି ସେ ସବୁ କରିନି । ଉପରେ ପଡ଼ି ବଂଧୁତା କରିବାକୁ ସେ ଭଲପାଏନି ।

 

କ୍ୱାଟର ଆଗରେ ତାଙ୍କର ଛୋଟ କାଠର ଗୋଟିଏ ବଗିଚା । ଚାରିପଟଯାକ ବାଇଗବା ଗଛର ବାଡ଼ । ସାମ୍ନାକୁ ଗେଟ୍‌ ଲାଗିଛି । କିରାସିନୀ ପଟାରେ ତିଆରି । ଖଣ୍ଡଖଣ୍ଡକିଆ ଦି’ ଧାଡ଼ି ଇଟା ପାହାଚଯାଏ ଲମ୍ବି ଯାଇଛି । ଦିପଟେ କଦଳୀ ଗଛର ବଣ । ତିନି, ଚାରିଟା ଅମୃତଭଣ୍ଡା ଗଛ ଲଙ୍କାମରୀଚ, ବାଇଗଣ ଓ ଡେଙ୍ଗା ଡେଙ୍ଗା ଭେଣ୍ଡି ଗଛରେ ଭର୍ତ୍ତି । ଦି’ ଚାରି କିଆରୀ କୋଶଳା ବି ଲାଗିଛି । ଅଫିସରୁ ଆସି ଗୋପାଳବାବୁ ସଦାବେଳେ ସେଇ ବଗିଚାରେ । ଘର ପାଇପରୁ ବଗିଚାକୁ ରବର ନାଡ଼ରେ ପାଣି ଆସେ । ଗୋପାଳବାବୁଙ୍କ ପିଲାପିଲିଙ୍କର ବି ଏଇ ହେଲା ଗୋଟିଏ ପ୍ରଧାନ କାମ । ଖାଲି ସେଇ ନୁହଁନ୍ତି ଆଉ ସମସ୍ତଙ୍କ କ୍ୱାଟରରେ ଏମିତି ଗୋଟିଏ ଗୋଟିଏ ବଗିଚା । ସେଇ ଧାଡ଼ି କ୍ୱାଟରରେ ରହନ୍ତି ବନୁବାବୁ । କ୍ୟାପିଟାଲ ହାଇସ୍କୁଲ ଶିକ୍ଷକ । ଆଉ କେତେଜଣ ଅନ୍ୟ ଅଫିସରେ ଯାଇ କାମ କରନ୍ତି । ରବିବାବୁ, ବିଜୟବାବୁ, ଭାଗୀରଥିବାବୁ, ନାରାୟଣ ସ୍ୱାମୀ ଓ ସେନଗୁପ୍ତବାବୁ । ଅଳ୍ପ କେଇଜଣଙ୍କୁ ସେ ଚିହ୍ନେ ।

 

ତାଙ୍କ ଘରର ପାହାଚ ପାଖରେ ହେଲାବେଳକୁ ସୁର ଆଉ କେତେ ଜଣଙ୍କୁ ନିଜ ନିଜର କ୍ୱାଟର ଆଗ ବଗିଚାରେ କାମ କରୁଥିବାର ଦେଖେ । ମନପ୍ରାଣ ଲଗେଇ ସେମାନେ ଶାକସବଜୀ ବଢ଼େଇବାରେ ଲାଗିଛନ୍ତି । ରାସ୍ତା ଦେଇ ଜଣେ ଅଧେ କାଁ ଭାଁ ଯା’ ଆସ କରୁଛନ୍ତି । ସମସ୍ତଙ୍କର ଖଣ୍ଡିଏ ଖଣ୍ଡିଏ ସାଇକେଲ । ବ୍ୟାଗ ଝୁଲୁଛି । ଅଫିସରୁ ଫେରି ସମସ୍ତେ ଯିଏ ଯାହାର ବଜାର ସଉଦା କରିବାକୁ ବାହାରି ପଡ଼ିଲେଣି ।

 

ଗୋପାଳବାବୁ ଭିତରକୁ ଡାକିଲେ ।

 

ସୁର ବାହାରକୁ ଥରୁଟିଏ ଆଖି ପକେଇ ଦେଇ ଆଖିରେ ସମ୍ଭାଷଣ ଜଣେଇଲା ।

 

ଗୋପାଳବାବୁ ବସିବାକୁ ଚଉକି ଖଣ୍ଡେ ଦେଖେଇ ଭିତରକୁ ପଶିଗଲେ ।

 

ସୁର ସେତେବେଳେ ରାସ୍ତା ଉପରକୁ ଚାହିଁଥିଲା । ତାଙ୍କ କ୍ୱାଟର ଆଗ ବାଡ଼ ପାଖରେ କୁକୁଡ଼ା ଯୋଡ଼ିଏ ମାଟିରୁ କ’ଣ ଟୁଙ୍କିବାରେ ଲାଗିଥିଲେ । ଗୋଟିଏ ଗଞ୍ଜା ଆରଟି ମାଇ କୁକୁଡ଼ା । ମନ ଆନନ୍ଦରେ ସେମାନେ ଡିଆଁ ଡେଇଁ କରି ଘୂରି ବୁଲୁଥିଲେ ।

 

ପଛରୁ ପାଦ ଶବ୍ଦ ଶୁଭିଲା ।

 

ଅନେଇଲା ବେଳକୁ ଛୋଟ ଛୁଆଟିଏ । ବୋଧେ ଗୋପାଳବାବୁଙ୍କର ପୁଅ । ଘର ଭିତରକୁ ଆସୁ ନ ଥିଲା କି ଚାଲିଯାଉ ନ ଥିଲା । ସତେ ଅବା ଚିହ୍ନିବାକୁ ଚେଷ୍ଟା କରୁଥିଲା ।

 

ପିଲାଟିକି, ସୁର ପାଖକୁ ଡାକିଲା ।

 

ଆସିବ କ’ଣ ଘରଆଡ଼େ ଦଉଡ଼ି ଯାଇ ସେ ଅଦୃଶ୍ୟ ହେଲା ।

 

ସୁର ଅଗଣା ଆଡ଼ିକି ଅନେଇଲା...ଦି’ ତିନି ବୁଦା କଦଳୀ ଗଛ । କାନ୍ଦି ପଡ଼ିଛି । ପାଖେ ପାଖେ ଅମୃତଭଣ୍ଡା ଗଛ । ତା’ ପାଖକୁ ରୋଷେଇ କାଠସବୁ ପଦାରେ । ଦି’ ଚାରିଟା ଟିଣଡ଼ବା ଇଆଡ଼େ ସିଆଡ଼େ ଅବେଇଛତର ହୋଇ ପଡ଼ିଛି । ପିଲାଟି ଦୁଆରବନ୍ଧ ପଛଆଡ଼େ ଲୁଚି ଲୁଚି ଅନେଇବାରେ ଲାଗିଛି ।

 

ଗୋପାଳବାବୁ ସାଙ୍ଗେ ସାଙ୍ଗେ ଘରଆଡ଼ୁ ଆସି ପଚାରିଲେ – ସୁରବାବୁ ଆଉ ଖବର କ’ଣ ? ଯେମିତି ଅବା ଅନେକ ଦିନରୁ ଆଳାପ ଆଲୋଚନା ଅଛି ।

 

ତା’ପରେ ଚାଲିଲା ଅଫିସ କଥା – କାମ କେମିତି ଚାଲିଛି ? ଶକ୍ତ କାମ ନା ଖାଟେଣି ପଡ଼ୁଛି ? ଉପରେ କେତେ ଜଣ ସିନିଅର ଅଛନ୍ତି ? ପ୍ରମୋଶନ ହେବାକୁ କେତେ ଦିନ ଲାଗିବ ? ଅଫିସର ବଡ଼ବାବୁ ତାଙ୍କ ଉପରେ ଖୁସି ନା ବେଳେ ବେଳେ ଖିଟ୍‌ ଖିଟ୍‌ ହୁଅନ୍ତି ? ଘରେ ଆଉ କିଏସେ ? ବାପ ମା’ ଅଛନ୍ତି ନା ନାହାନ୍ତି ? ଜମିବାଡ଼ି କେତେ ? ଭାଇ ଭଉଣୀ କେତୋଟି ? କୋଉବର୍ଷ ବି. ଏ. ପାଶ୍‌ କଲେ ? ଏମିତି ନାନା ଆଡ଼ୁ ବାର ପ୍ରକାର ପ୍ରଶ୍ନ କରୁକରୁ ଗୋପାଳବାବୁ ଡାକ ଛାଡ଼ିଲେ–

 

ଝିଅଟିଏ ପ୍ଳେଟ ଦି’ଟିରେ ଜଳଖିଆ ଆଣି ଟେବୁଲ ଉପରେ ରଖିଲା । ମିଠା ଆଉ ସିଙ୍ଗଡ଼ା ।

 

ଗୋପାଳବାବୁ କହିଲେ– ମନି ! ଚା’ ଆଣ–

 

ସୁର ମନି ଆଡ଼ିକି ଚାହିଁନି । ଜଳଖିଆ ପ୍ଲେଟ ଓ ଗୋପାଳବାବୁଙ୍କ ଉପରେ ଆଖି ଲହରେଇ ଆଣି ପଚାରିଲା–ଇଏ ସବୁ କ’ଣ ।

 

ଚାଲୁନା– ଆପଣ ଏତେ ପାଖରେ ଅଛନ୍ତି, ଅଥଚ କେହି କାହାକୁ ଆମେ ଜାଣିନୁ କି ଚିହ୍ନୁନି ।

 

ସୁର ଓଠ ଉପରେ ହସ ଉକୁଟେଇ ଖାଇଲା ବେଳେ ଜାଣିପାରିଲା–ଗୋପାଳବାବୁଙ୍କ ସ୍ତ୍ରୀ କାନ୍ଥ ପଛଆଡ଼ୁ ତା’ ଆଡ଼ିକି ଅନେଇଛନ୍ତି । କାହାକୁ ହେଲେ ସେ ଦେଖିନି । ଅନୁଭବ କରୁଛି ।

 

ସାଙ୍ଗେ ସାଙ୍ଗେ ଆସିଗଲା ଚା’ । ମନି ଟ୍ରେରେ ଚା’ ଦି କପ୍‌ ଆଣି ଟେବୁଲ ଉପରେ ରଖିଦେଲା ଓ ମୁହଁ ପୋତି ପୋତି ଆର ଘରକୁ ଗଲା ।

 

ଆଗରେ ଗୋପାଳବାବୁ କାନ୍ଥ ପଛଆଡ଼େ ତାଙ୍କ ସ୍ତ୍ରୀ । ପିଲାଟି ଏପଟ ସେପଟ ଯା’ ଆସ କରୁଛି । ସୁର ମନେ ମନେ ଭାବୁଥିଲା– କୋଉଦିନ ତ ଏମିତି ଆଳାପ ଆଲୋଚନା ଓ ବଂଧୁତ୍ୱ ଦେଖା ନ ଥିଲା ? ଗତ କେତେ ମାସ ଧରି ସେଇ କ୍ୱାଟରରେ ସେ ଏକୁଟିଆଟି ହୋଇ ରହିଛି । ଗୋପାଳବାବୁଙ୍କ ସାଙ୍ଗେ କେବେହେଲେ କଥା ପଦିଏ ବି ହେଇ ନ ଥିଲା । ମୁହାଁମୁହିଁ ହୋଇଗଲେ କେବଳ ଶୁଖିଲା ହସର ଆଦାନ ପ୍ରଦାନ । ସୁର କଥାବାର୍ତ୍ତା କରୁଥିଲା ବେଳେ ଏ ସବୁ ଭାବି ଲାଗିଥିଲା ।

 

ଗୋପାଳବାବୁଙ୍କ ଛୁଆଟା ଦୁଆରବନ୍ଧ ଏପଟେ । ବୋଉର କାନି ଧରି ଓଟାରିବାରେ ଲାଗିଥିଲା ।

 

ସୁର ହଠାତ୍‌ ଉଠିଯାଇ ତାକୁ ଟେକି ଆଣିଲା ଓ ପାଖରେ ବସେଇ ଖାଇବାକୁ କହିଲା । କଥା ଛଳରେ ବୁଝି ନେଲା...ନା’ ତା’ର ଟୁନା । ପିଲାଟି ସିନା ତିନି ବର୍ଷର, ହେଲେ ପକ୍‌କା ବଦ୍‌ମାସ ।

 

ଟୁନା ଦଉଡ଼ି ପଳେଇବାକୁ ଛଟପଟ ହେଉଥିଲା । ବାପା ଗାଳି ଦେବାରୁ ତୁନି ହୋଇ ବସି ରହିଲା ଓ ଖାଇବାରେ ମନ ଦେଲା ।

 

ଘରଆଡ଼ୁ କିଛି ବୋଧେ ଇସାରା ପାଇ ଗୋପାଳବାବୁ ଅଳ୍ପ ସମୟ କ’ଣ କଥା ହୋଇ ପୁଣି ଫେରି ଆସିଲେ । ସୁରର ବାପାଙ୍କ ନା ଗାଁ ଓ ପୋଷ୍ଟଅଫିସ ଆଦି ଟିପି ନେଇ ତାଙ୍କ ପାଖକୁ ଚିଠି ଦେବେ ବୋଲି କହିଲେ ।

 

ଚିଠି ଦେବାର କାରଣଟା ସୁର ପ୍ରଥମେ ବୁଝି ପାରିଲାନି । ପଚାରିବାକୁ ଯାଉ ଯାଉ ଛେପ ଢୋକିଲା । ତା’ର ବିଭାଘର ବିଷୟରେ ଏଇସବୁ ଯେ ଆଳାପ ଆଲୋଚନା ଏ କଥା ସେ ଠଉରେଇ ନେଲା । ମନ ତା’ର ପବନ ବେଗରେ ଛୁଟିଗଲା – ମନି ଆଡ଼େ । ତାକୁ ଏ ଯାଏ ଭଲ ଭାବରେ ସେ ଦେଖି ପାରିନି । ତାଙ୍କ ଘରର ଝରକା ପଛଆଡ଼େ ବେଳେ ବେଳେ ଦୁଆର ମୁହଁରେ ମନି ଠିଆ ହୋଇଥିଲା ବେଳେ ତା’ ରୂପର ଧାସ ସୁର ଦିହରେ ଆସି ବାଜିଛି । ବିଜୁଳିବତୀ ହଠାତ୍‌ ଜଳି ଉଠିଲେ ଚାରିଆଡ଼େ ଆଲୁଅର ଯେମିତି ଲହଡ଼ା ଭାଙ୍ଗେ । ବତୀ ଆଡ଼ିକି ଚାହିଁଲେ ଆଖି ଝଲସି ଉଠିଲା ଭଳି ।

 

ସୁର ଅଳ୍ପ ସମୟ ଯାଏ କେବଳ ତୁନି ରହିଲା । ସେମାନେ ଗାଁକୁ ଚିଠି ଦେବେ । ତା’ର ଅବା କହିବାର କ’ଣ ଅଛି ? ହଁ କି ନାଇଁ କିଛି ହେଲେ କହିଲାନି । ଅଫିସ କାମ ବିଷୟରେ ବଗିଚା ଭିତରେ ଅଳ୍ପ ସମୟ ଯାଏ କଥାବର୍ତ୍ତା ହୋଇ ସୁର ସେଦିନ ସଂଧ୍ୟାରେ ଗୋପାଳବାବୁଙ୍କ ଘରୁ ବିଦାୟ ନେଲା ।

 

ନୂଆ ରାଜଧାନୀ ରାସ୍ତାର ଧାରେ ଧାରେ ସୁର ଚାଲିଲା ନାକ ସିଧା । କୁଆଡ଼େ ଯିବ ସେମିତି କିଛି ଉଦ୍ଦେଶ୍ୟ ନ ଥିଲା । ସାଙ୍ଗସାଥୀ କେହି ହେଲେ ଆଖିରେ ପଡ଼ୁ ନ ଥିଲେ । ନିଜ କ୍ୱାଟରରେ ଏକୁଟିଆଟା ବସି ରହି ସେ କ’ଣ ଅବା କରିବ ? ବେଳେ ବେଳେ ରେଲଷ୍ଟେସନ ଆଡ଼େ ସେ ବୁଲି ଆସେ । ଗାଡ଼ି ସବୁ ଯା’ଆସ କଲା ବେଳେ କେତେ କେତେ ଲୋକ ଚଢ଼ନ୍ତି । କେତେ କେତେ ଓହ୍ଲେଇ ଯାଆନ୍ତି । ଏଇ କେତେ ବର୍ଷ ହେଲା କ୍ୟାପିଟାଲ ଷ୍ଟେସନରେ ଅସମ୍ଭବ ଧରଣର ଭିଡ଼ ହେଲାଣି । ଷ୍ଟେସନଟା ନୂଆ ହୋଇ ତିଆରି ହେଲାଣି । ଖାଲି ସୁର ନୁହେଁ – ଆଉ କେତେ ତା’ର ସାଙ୍ଗସାଥୀ, ଚିହ୍ନା ଆଉ ଅଚିହ୍ନା ଲୋକ ଷ୍ଟେସନ ଆଡ଼େ ବୁଲି ଆସନ୍ତି । ଅଫିସ କାମ ସାରି ଲୋକେ ସଂଜ ଲାଗୁ ଲାଗୁ ନିଜ ନିଜ କ୍ୱାଟରରେ ମୁଣ୍ଡ ଗୁଂଜିବା କଥା । ରାସ୍ତା ଘାଟରେ ଯା’ ଆସ ନ ଥାଏ । ଦି’ ଚାରିଟା ଛକ ଜାଗାରେ ଯାହା ଅଳ୍ପ ଲୋକ ଗହଳି । ସେଇଥିପାଇଁ ଯୋଉମାନେ ସୁରି ଭଳି ବୟସର ହେବେ ସେମାନେ ଭୁବନେଶ୍ୱରର ନିଃସଙ୍ଗ ଜୀବନକୁ ଅଳ୍ପ ସମୟ ଯାଏ ଭୁଲି ଯିବାକୁ ଷ୍ଟେସନ ଆଡ଼େ ବୁଲି ଆସନ୍ତି ।

 

ଭୁବନେଶ୍ୱରର ଆଗ ଅବସ୍ଥା ଏବେ ଆଉ ନାହିଁ । ରାଜଧାନୀଟା ବେଳକୁ ବେଳ ରୂପ ବଦଳାଇବାରେ ଲାଗିଛି । ମାଳ ମାଳ କ୍ୱାଟର, ଅଫିସ, ଦୋକାନ ବଜାର, ସରକାରୀ ବସ, ସ୍କୁଲ କଲେଜ ଓ ନାନା ପ୍ରକାର ଆମୋଦ ପ୍ରମୋଦ ଭିତରେ ଚେହେରା ବଦଳି ଯିବାକୁ ବସିଲାଣି । ଯୋଉମାନେ ଭୁବନେଶ୍ୱରକୁ ଆଗ ଶୁଖିଲା ମରୁଭୂମି ବୋଲି ଭାବୁଥିଲେ, କ୍ୱାଟରଟିଏ ପାଇଗଲେ ଏବେ ନିଜକୁ ଭାଗ୍ୟବାନ ବୋଲି ମନେ କରନ୍ତି ।

 

ବସଷ୍ଟାଣ୍ଡ ପାଖରେ ଘେରାଟିଏ ମାରି ସୁର ପାନ ଦୋକାନରୁ ସିଗାରେଟ୍‌ରେ ନିଆଁ ଧରେଇଲା । ତା’ପରେ ସିଧା ଚାଲିଲା – ଷ୍ଟେସନ ଆଡ଼େ । ପିଚୁ ରାସ୍ତାର କରେ କରେ । ଯୋଉଟା ରେଲ ଲାଇନ ଉପର ଦେଇ ଷ୍ଟେସନ ଆଡ଼େ ବଙ୍କେଇ ଯାଇଛି । ସେଥିରୁ ଗୋଟିଏ ଶାଖା ଘୂରି ଯାଇଛି ମନ୍ଦିର ଆଡ଼େ । ମଝିରେ ହେଲା ବେଳକୁ ସେ ଦେଖିବାକୁ ପାଇଲା– ଗୋଟିଏ ମାଲ୍‌ଗାଡ଼ି ଷ୍ଟେସନ ଆଡ଼ୁ ଖୋର୍ଦ୍ଧାରୋଡ଼ ଆଡ଼େ ଧାଇଁଛି । ରାସ୍ତା ତଳେ ଲମ୍ବି ଯାଇଥିବା ରେଲଲାଇନ ଉପରେ ଗାଡ଼ିଟା ଗର୍ଜ୍ଜନ କରି ଧାଉଁଥିଲା ବେଳେ ପୋଲ ଉପରୁ ଗାଡ଼ିର ଛାତ ସବୁକୁ ଲକ୍ଷ୍ୟ କରିବାକୁ ଭାରି ଭଲ ଲାଗେ।

 

ସୁର ଷ୍ଟେସନ ଆଡ଼େ ଅନେଇଛି– ହଠାତ୍‌ ନୂଆରାଜଧାନୀର ଅସଂଖ୍ୟ ବିଜୁଳି ଆଲୁଅ ସବୁ ଜଳି ଉଠିଲା । ସଫା ସୁତୁରା ଚଟାଣ ଉପରେ ଟୋକେଇଏ ହବ ତରାଟ ଫୁଲ ଏଣେ ତେଣେ ବିଞ୍ଚି ଦେଲା ଭଳି । ରାସ୍ତା କରର ଧାଡ଼ି ଧାଡ଼ି ବିଜୁଳିବତୀ ସତେ ଅବା ତରାଟ ଫୁଲର ମାଳା । ପୋଲ ତଳେ ଘିରି ଘିରି ହୋଇ ଗଡ଼ିଯାଉଥିବା ମାଲଗାଡ଼ିକି ଲକ୍ଷ୍ୟ କରୁ କରୁ ରାଜଧାନୀର କୋଠାବାଡ଼ି ଆଡ଼େ ସେ ଆଖି ପକେଇଲା । କେଇଟା ବର୍ଷ ଭିତରେ ଏତେବଡ଼ ସହରଟିଏ ଠିଆ ହେଲାଣି । ଅସଂଖ୍ୟ ଚାକିରିଆଙ୍କୁ ନେଇ ଗଢ଼ି ଉଠୁଛି ନୂଆ ରାଜଧାନୀ । ତା’ ଭିତରେ ସେ ଗୋଟିଏ ଲୋଅର ଡିଭିଜନ କିରାନୀ । ତଳ ଚାକିରିଆ । ଏତେବଡ଼ ସହର ଆଗରେ ସେ କେଡ଼େ ଛୋଟିଆ ମଣିଷଟିଏ ? ଭବିଷ୍ୟତକୁ ଅନେଇଲେ– ଆଖି ପାଉନି । ପେଟ ପୋଷିବା ପାଇଁ ବାଧ୍ୟ ହୋଇ ସେ ଚାକିରୀର ଆଶ୍ରା ନେଇଛି । ପାଠ ପଢ଼ା ଛାଡ଼ି ଧରିଛି ତିନିଶ ଟଙ୍କିଆ ଖଣ୍ଡେ କିରାନୀ ଚାକିରୀ । ସେ ନିଜେ ଚଳିବ ଗାଁକୁ ପୁଣି ଟଙ୍କା ପଠେଇବ । ତା’ ସାଙ୍ଗକୁ ପୋଷାକପତ୍ର ବି ଅଛି । ସବୁ ସେଇ ଟଙ୍କା ଭିତରୁ । ସେ ପୁଣି ବି: ଏ ପାଶ୍‌ କରିଛି । ନିଜର ଡିଗ୍ରୀଟାକୁ ବଜାୟ ରଖିବା ପାଇଁ କେତେ ଚାକ୍‌ ଚିକ୍‌କଣର ଦରକାର ଅଛି । ରାଜଧାନୀର କୋଠାବାଡ଼ିକି ଚାହିଁ ସୁର ନିଜକୁ ଅସହାୟ ବୋଧ କଲା । ନିଜେ ସେ କେତେ ଛୋଟ ଓ ତା’ର ଜୀବନର ପରିଧି କେତେ ଯେ ସୀମାବଦ୍ଧ ଏଇ କଥା ଭାବି ଭାବି ସେ ରେଲ ଷ୍ଟେସନ ଆଡ଼େ କେବଳ ଚାଲିବାରେ ଲାଗିଲା ।

 

ଆଖି ଆଗରେ ନାଚିଲା ଆସି ମନି । ଲାଜ ସୁଡ଼ୁବୁଡ଼ୁ ଝିଅଟିଏ । ଏତେଦିନ ହେଲା ତାଙ୍କ ଘର ପାଖେ ସେ ରହିଲାଣି ଅଥଚ କେବେହେଲେ ତାକୁ ମୁହଁ ଟେକି ବାଟ ଚାଲିବାର ସେ ଦେଖିନି । କେତେ କେତେ ଆଶାର ସୌଧ ମନି ବିଚାରୀଟି ଗଢ଼ିଥିବ ! ଭବିଷ୍ୟତର ସୁରୁଖୁରିଆ ସଂସାର ପିଲାଛୁଆ, ସ୍ୱାମୀର ବଡ଼ ଚାକିରୀ ଓ କେତେ ରଙ୍ଗୀନ୍‌ ସ୍ୱପ୍ନ । ଗୋପାଳବାବୁଙ୍କ କଥାବାର୍ତ୍ତା, ତାଙ୍କର ଜଳଖିଆ ଖାଇବାକୁ ଦବା, ବାପାଙ୍କ ପାଖକୁ ଚିଠି ଦେବାକୁ ଠିକଣା ନେବା ଆଦି ଗୋଟି ଗୋଟି ହୋଇ ତା’ ମନ ଭିତରେ ଲହଡ଼ା ଭାଙ୍ଗିବାରେ ଲାଗିଗଲା । ନିଜ ଭାବନା ଭିତରେ ବୁଡ଼ି ରହିଥିଲା ବେଳେ ଆଗଆଡ଼ୁ ଛୁଟି ଆସିଲା ଗୋଟିଏ କାର୍‌ । କାର୍‌ ପଛେ ପଛେ ସରକାରୀ ବସ୍‌ । ଗୋଟିଏ ନୁହେଁ–ଦି’ଟା – ତିନିଟା; ଚାରିଟା ପଛକୁ ପଛ । କିଏ କଟକ ଆଡ଼େ ତ କିଏ ପୁରୀ କିଏ ଖୋର୍ଦ୍ଧା ଆଡ଼େ । ତା’ ସାଙ୍ଗକୁ ଧାଡ଼ି ଲଗା କାର୍‌ । ଗଣି ହବନି । ଅଧିକାଂଶ ଧାଇଁ ଥାଆନ୍ତି କଟକ ଆଡ଼େ । ଅଫିସ କାମ ସାରି ବଡ଼ ବଡ଼ ଅଫିସରମାନେ ଛୁଟି ଥାଆନ୍ତି କଟକ । ସେଠି ଜୀବନ ଅଛି ମଉଜ ମଜଲିସ୍‌ ଅଛି, ସୁବିଧା ଅଛି, ସୁଖ ସ୍ୱାଚ୍ଛନ୍ଦ୍ୟ ଅଛି, ସବୁ କିଛି ଅଛି ।

 

ସୁର ବିଚାରା ଚାଲିଥିଲା ଷ୍ଟେସନ ଆଡ଼େ– ସାରା ରାଜଧାନୀରେ ମନ ବଦଳେଇବାକୁ ଗୋଟିଏ ବୋଲି ଜାଗା । ଏକଲା ଜୀବନର ଗୋଟିଏ ବୋଲି ସାଥୀ ରେଲ ଷ୍ଟେସନ ।

 

ପ୍ଲାଟଫର୍ମ ଭିତରକୁ ଆସି ସୁର ଏପଟୁ ସେପଟ ଯାଏ କେବଳ ପଦଚାରଣ କରିବାରେ ଲାଗି ପଡ଼ିଲା । ସେତେବେଳେ ଲୋକାଲ ଗାଡ଼ି ଆସିବାର ସମୟ । ଗାଡ଼ି ଆସି ଚାଲିଯିବାର କଥା-। ଦେଖିଲା ବେଳକୁ ସେଦିନ ଘଣ୍ଟାଏ ଡେରି । ଯୋଉମାନେ ଭୁବନେଶ୍ୱରରେ କ୍ୱାଟର ପାଇ ନ ଥାଆନ୍ତି ସେମାନେ ସବୁଦିନ ଗାଡ଼ିରେ ଆସି ଗାଡ଼ିରେ କଟକ ଫେରିଯିବା କଥା । ଅନେକ ଲୋକ ସରକାରୀ ବସରେ କଟକରୁ ଭୁବନେଶ୍ୱର ଯା’ ଆସ କରନ୍ତି । ଗାଡ଼ି ମଟରରେ ମାସିକିଆ ପାଶ । ଏଇ କେତେ ମାସ ହେଲା ଗାଡ଼ିଟା ଡେରିରେ ଆସି ପହଂଛୁଛି । ସମସ୍ତେ ହଇରାଣ । ଯେତେ ପାଟିତୁଣ୍ଡ କଲେ ଆଉ ଚେଷ୍ଟା କଲେ ଗାଡ଼ିଟା ଠିକ୍‌ ବେଳାରେ ଆସି ପାରୁନି । ନାନା ଅବ୍ୟବସ୍ଥା ଭଳି ନିୟମ ମାନି ଠିକ୍‌ ସମୟରେ ନ ଆସିବା ରେଲବାଇର ଅବା ଅଭ୍ୟାସରେ ପରିଣତ ହେଲାଣି-

 

ସୁର ପ୍ଲାଟଫର୍ମରେ ଏପଟ ସେପଟ ହେଲାବେଳେ ଜମିଥିବା ଲୋକମାନଙ୍କ ଆଡ଼ିକି ଲକ୍ଷ୍ୟ କରିବାରେ ଲାଗିଥାଏ । ହଠାତ୍‌ ଦେଖିବାକୁ ପାଇଲା– ପ୍ଲାଟଫର୍ମରେ ପଡ଼ିଥିବା ସିମେଣ୍ଟ ବେଞ୍ଚ ଉପରେ ଅଜଣା ଝିଅଟିଏ ବସି ରହିଛି । ଏକାକୀ । କ୍ୟାପିଟାଲର କୋଉ ଅଫିସରେ କାମ କରେ । କଟକ ଫେରୁଛି । ସୁର ମନେ ପକେଇଲା– ତାକୁ କେବେ ଦେଖିଥିବାର ତା’ର ମନେ ପଡ଼ିଲାନି । ନୂଆ ହୋଇ କାଳେ କାମରେ ଆସି ଯୋଗ ଦେଇଥିବ ? କିଏ ଅବା ସମସ୍ତିଙ୍କି ଜାଣୁଛି ନା ଦେଖିଛି ? ନିରୁଦ୍ଦେଶ ଭାବରେ ସିଗାରେଟ୍‌ ଟାଣି ପଦଚାରଣ କରୁ କରୁ ତା’ ଉପରେ ବେଳେବେଳେ ସେ ଦୃଷ୍ଟି ନିକ୍ଷେପ କରୁଥିଲା । କିନ୍ତୁ ସତେ ଯେମିତି ପାଖ ଲୋକଙ୍କ ମନରେ ଧାରଣା ଦଉଥିଲା– ସେ ଅନେଇଛି ଅନ୍ୟଆଡ଼େ । ଝିଅଟି ଆଡ଼େ ନୁହେଁ । ମନରେ ବି ତା’ର ଭୟ ଥିଲା– କାଳେ କେହି ଚିହ୍ନା ଲୋକ ଆସି ପ୍ଲାଟଫର୍ମରେ ଜୁଟି ଯାଆନ୍ତି ? ସେ କାହାରି ନଜରରେ ଆସିବାକୁ ଚାହେଁନି । ସମସ୍ତଙ୍କ ଆଖି ଆଗରୁ ନିଜକୁ ଲୁଚେଇ ରଖିବାକୁ ସୁର ଚେଷ୍ଟା କରୁଥିଲା ।

 

ଷ୍ଟେସନର ଆଗଆଡ଼େ ସିଗ୍‌ନାଲର ଲାଲ୍‌ ଆଲୁଅ ମିଂଜି ମିଂଜି ଦୀପ ଜାଳୁଥିଲା । ପ୍ଲାଟଫର୍ମର ଆଲୁଅ ଓ ଗଛର ଅଧା ଛାଇତଳେ ପଡ଼ିଥିବା ବେଞ୍ଚ ଉପରେ ଝିଅଟି ବସି ରହିଥିଲା । ସମାନ୍ତରାଳ ଭାବରେ ଯୋଡ଼ା ରେଲ ଲାଇନ ଶୋଇଥିଲା– ମଣିଷ ମନର ଅଗଣିତ ଭାବନା ଭଳି-

 

ଝିଅଟିର ଶରୀର ଭିତରୁ ନୂଆ ରୂପ ନେଇ ଶଇଳ ଅବା ବାହାରି ଆସିଲା । ମନ ଭିତରେ ଧକ୍‌କା ଖାଇ ଖାଇ ଶଇଳ ଅବା ଯାଇ ବୁଲୁଥିଲା ସିଗ୍‌ନାଲ ଲାଲ୍‌ ଆଲୁଅର ପାଖେ ପାଖେ । ଆଲୁଅ ଅନ୍ଧାରର ଛପିଲା ଜାଗାରେ । ବେଞ୍ଚ ଉପରେ ବସି ରହିଥିବା ଝିଅଟା ସତେ ଯେପରି ତାକୁ ଟାଣି ଆଣିଲା । ଅଶରିକୁ ଭାବନା ଭିତରେ ସୁର ରୂପ ଦେଉଥିଲା ।

 

ଶଇଳଟି ବିଚାରୀ କେଡ଼େ ଶାନ୍ତ ଅଥଚ ସରଳ । ଅଫିସରେ ଅଛନ୍ତି ମିଃ ମହାନ୍ତି, ଅଛନ୍ତି ରମେଶବାବୁ । କାହିଁ ବୋଲି କେତେ । ତା’ ମୁହଁର ହସ ଟିକିଏ ଦେଖିବାକୁ ସଭିଏଁ ତକେଇ ବସି ଥାଆନ୍ତି । ଅଫିସ କାମର ମାମୁଲି କଥା ଛାଡ଼ି ଦେଲେ ଶଇଳ ସାଙ୍ଗେ ସୁଖଦୁଃଖ ହେବା କମ୍‌ ଲୋକଙ୍କ ଭାଗ୍ୟରେ ଜୁଟିଛି ।

 

ସୁର ଭାବି ଭାବି ବେଦମ୍‌ ହୋଇଗଲା । ଅଫିସରୁ ଫେରିଲା ବେଳେ ଦିନେ ଦିନେ ସାଙ୍ଗ ହୋଇ ଫେରିବା, ସମୟ ସମୟରେ ଶଇଳ ତା’ କ୍ୱାଟରକୁ ବୁଲି ଆସିବା ଓ ଚା’ ଜଳଖିଆର ନିମନ୍ତ୍ରଣ କରିବା ଆଦି କାରଣର ମୂଳ ମଞ୍ଜିଟା ଯାଇ କୋଉଠି ସୁର ତାକୁ ମନ ଭିତରୁ ଖୋଜି ଖୋଜି ବାହାର କରିବାକୁ ଚେଷ୍ଟା କରୁଥିଲା । ଏ ସବୁ ସତ୍ୱେ ଶଇଳ ତ କେବେହେଲେ ତାକୁ ପାଟି ଖୋଲି କିଛି କହିନି ? ତଥାପି ସୁର ତାକୁ ଭଲଭାବରେ ଚିହ୍ନିନେଇଥିଲା । କେବଳ ତା’ର ବାହାରଟାକୁ ନୁହେଁ । ଶଇଳକୁ ବୁଝିବା ପାଇଁ ଆଉ କିଛି ବାକୀ ନଥିଲା ।

 

ବୁକିଂ ଅଫିସ ପାଖକୁ ଯାଇ ସୁର ଦେଖିବାକୁ ପାଇଲା...ଘଣ୍ଟାଟିଏ ଯାହା ଡ଼େରି ଥିଲା, ଲୋକାଲ ଗାଡ଼ି ଆସିବାକୁ ତାହା ପୁଣି ଘଣ୍ଟାଏ ଡେରି । ବୋର୍ଡ଼ରେ ଦି’ ଘଣ୍ଟା ବୋଲି ଲେଖା ହେଲାଣି । ଷ୍ଟେସନ ପ୍ଲାଟଫର୍ମରେ ଅପେକ୍ଷା କରି ପଡ଼ି ରହିଥିବା କଟକ ଫେରନ୍ତା ଲୋକମାନଙ୍କ ପାଇଁ ମନେ ମନେ ସେ ବ୍ୟଥିତ ହେଲା । ସକାଳୁ କୋଉପହୁରୁ ସେମାନେ ଘରୁ ଆସିଲେଣି ?

 

ଶଇଳକୁ ଆଖି ଆଗରେ ଗଡ଼େଇ ଗଡ଼େଇ ସୁର ଚାଲିଲା– ତା’ କ୍ୱାଟର ଆଡ଼େ । ହୋଟେଲରେ ଖିଆପିଆ ସାରି ଘରେ ପହଞ୍ଚିଲା ବେଳକୁ ସେଦିନ ନ’ଟା ପାଖାପାଖି ।

 

ସକାଳୁ ସକାଳୁ ଶଇଳ ଆସି ଆଖି ଆଗରେ ଠିଆ । ନିଦରୁ ଉଠୁ ନ ଉଠୁ ଘରର କାନ୍ଥଯାକ ଖାଲି ଶଇଳର ଛବି । ତା’ର କଥାବାର୍ତ୍ତା ଆବଭାବ ଓ ଭଲମନ୍ଦ ବୁଝିବାର ଆଗ୍ରହ ଆଦି ସବୁ କିଛି ମନ ଭିତରେ ଆସି ଜୁଆର ଭାଙ୍ଗିଲା । ଫାଇଲକୁ ଅନେଇ ସେ ଅଫିସରେ ଯେତେବେଳେ ମୁହଁ ପୋତି କାମ କରିବାରେ ଲାଗିଥାଏ ସୁର ସମସ୍ତଙ୍କ ଆଖିରୁ ନିଜକୁ ଲୁଚେଇ ରଖି ତା ଆଡ଼ିକି ଅନାଏ । ନିମିଷକ ଭିତରେ ତା ଆଡ଼ୁ ଆଖି ଫେରାଇ ଆଣି ସେ କାମରେ ମନ ଦିଏ । ଶଇଳ ବିଷୟରେ ଗୁଡ଼ିଆ ତୁଡ଼ିଆ ଭାବ ନାହିଁ । ତା’ ମନରେ ବଳ ଆଣେ । ଅଫିସ୍‌ ସମୟ କେତେବେଳେ ଯେ ବିତି ଯାଏ ସୁରକୁ ଜଣା ପଡ଼େନି ।

 

ବିଚାରୀଟି କ୍ୱାଟରରେ ଏକେଲା । ଗାଁରେ ବାପା ମା ଆଉ ଭାଇ । ଏତେ ମରଦ ଲୋକ ଭିତରେ ଚାକିରୀ କରି ଓ ସେମାନଙ୍କ ଆଖିରୁ ବାହାରି ଆସୁଥିବା ପିଚିପିଚି ତୀର ସବୁ ଦିହରେ ଆସି ଗଳି ଯାଉଥିବା ବେଳେ ନିଜକୁ ତା’ ଭିତରୁ ଅଲଗା ରଖି, ସେମାନଙ୍କ ସାଙ୍ଗେ ହସି ଖେଳି ଅଫିସ୍‌ କାମକୁ ବଜାୟ ରଖିବା କାଠିକର ପାଠ । ତଥାପି ସେ ସବୁଠାରୁ ଦୂରରେ ରହି ଏତେ ବାଟ ସେ ଆସିଲାଣି । ଚାରିବର୍ଷ ହେଲା କ୍ୟାପିଟାଲରେ ଚାକିରୀ କଲାଣି । ଅଥଚ ଜଣେ ହେଲେ କେହି କହି ପାରିବେନି ଯେ ଶଇଳ ଅମୁକା ନା ସମୁକ କରୁଥିଲା, କାହା ପାଖକୁ ଚିଠି ଦେଉଥିଲା କି କୋଉ ଜାଗାରେ ତା’ର ଗୋଡ଼ ଖସି ଯାଇଥିଲା । ଏଇ ସବୁ ଅପବାଦ କେତେ କେତେ ଝିଅଙ୍କ ଭାଗ୍ୟରେ ଆସି ଜୁଟେ । କେତେ ଲୋକ ଅଛନ୍ତି ଯୋଉମାନେ କି ଏ ସବୁ ଚର୍ଚ୍ଚା କରିବାକୁ ବଡ଼ ସୁଖ ପାଆନ୍ତି । କିନ୍ତୁ କାହା ଜିଭରେ ହାଡ଼ ଅଛି – ଶଇଳ ବିଷୟରେ ଏ ସବୁ କହି ପାରିବ ? ଆଉଟା ସୁନା ଭଳି ସେ ନିଷ୍କଳଙ୍କ । ତା ସାଙ୍ଗେ କଥାବର୍ତ୍ତା କଲେ ଓ ଚଳପ୍ରଚଳ ହେଲେହିଁ ଶଇଳକୁ ବୁଝିହୁଏ ।

 

ବିବାହ କରିଥିଲେ ବିଚାରୀ କେଡ଼େ ଆନନ୍ଦରେ ଚଳୁ ନ ଥାଆନ୍ତା । ନିଜର ପୁଅଝିଅ, ସ୍ୱାମୀ, ଘରଦ୍ୱାର ଓ ସଂସାର ଆଦି ଭିତରେ ନିଜକୁ ହଜେଇ ଦେଇଥାଆନ୍ତା । କେତେଟା ଛୁଆର ମା’ବି ହୋଇ ସାରନ୍ତାଣି । କିନ୍ତୁ କ’ଣ କରାଯାଏ ? ସବୁ ଜିନିଷ କଣ ସମସ୍ତଙ୍କ ଭାଗ୍ୟରେ ଜୁଟେ ? ଶଇଳ ଭଳି ଝିଅମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଚାକିରୀ ବାକିରୀ କରି ନିଃସଙ୍ଗରେ ଜୀବନ କଟେଇ ଦେବା ଭଲ ନା ଅଳ୍ପ ବୟସରୁ ଚାରି ଛ’ଟାର ମା’ ହୋଇ, ପିଲାମାନଙ୍କୁ ମଣିଷ କରି ନପାରି ଘାଣ୍ଟି ହେଉଥିବା ଭଲ ? ଏଥିରୁ କିଏ ଭଲ କିଏ ମନ୍ଦ ସୁର ଏଇ ବିଷୟରେ ଖାଲି ଭାବିବାରେ ଲାଗିଗଲା । କିଛି ଗୋଟିଏ ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରିଲାନି । ତା’ ମନ ଭିତରେ ହଠାତ୍‌ ଆସି ପଶିଗଲା– ଶଇଳ ଯେବେ ବାହାଚୁଡ଼ା ହୁଅନ୍ତା, ଛୁଆପିଲାର ମା’ ହୁଅନ୍ତା ଓ ସୁରୁଖୁରୁଆ ସାଂସାରିକ ଜୀବନ କଟାନ୍ତା ତା’ ହେଲେ ତାକୁ ଭଲ ଲାଗନ୍ତା ଓ ସେ ଖୁସି ହୋଇପାରନ୍ତା । କିନ୍ତୁ ତା’ ବିଷୟରେ ଏତେ ଭାବିବା ଦରକାର କ’ଣ ଅଛି ? ଶଇଳ ତ ନିଜର ଲୋକ ନୁହେଁ ପରପୂରା । ଅନ୍ୟ ଲୋକର ଭଲମନ୍ଦ ଭାବି ଲାଭ କ’ଣ ?

 

ସୁର ଦେହରୁ ଚାଦର କାଢ଼ି ବିଛଣାରୁ ଉଠିଗଲା ବେଳେ ଶଇଳର ଭାବନାକୁ ତା ମନ ଭିତରୁ ଫିଙ୍ଗି ଦେବାକୁ ଅବା ଚେଷ୍ଟା କରୁଥିଲା । ଦାଣ୍ଡଦୁଆର ଖୋଲି ଦେଇ ସେ ଚାଲିଗଲା ଝରକା ପାଖକୁ । ଦେଖିଲା–ଗୋପାଳବାବୁଙ୍କର ସେଇ କୁକୁଡ଼ା ହଳକ ମନ ଆନନ୍ଦରେ ବୁଲାଚଲା କରୁଛନ୍ତି-। ପଡ଼ିଆରୁ ପୋକ ଟୁଙ୍କି ଖାଉଥିଲା ବେଳେ ସେମାନେ ପରସ୍ପରକୁ ପ୍ରେମ ନିବେଦନ କରୁଥିଲେ । ଡାକହାକରେ, ଦଉଡ଼ିଲାବେଳେ ଓ ଗୋଡ଼ ଟେକି ଖାଦ୍ୟ ଅନ୍ୱେଷଣ ସମୟରେ ।

 

ହଠାତ୍‌ ଆଖି ଆଗରେ ଆସି ପଡ଼ିଗଲା– ମନି । ଘର ଓଳାଉଥିଲା ନା କିଛି ଗୋଟେ କାମରେ ବୋଧେ ବ୍ୟସ୍ତ ଥିଲା, ସୁର ଠିକ୍‌ ରୂପେ ଦେଖି ପାରିଲାନାହିଁ । ଚଞ୍ଚଳ ଅଥଚ ତରଙ୍ଗ ତରଙ୍ଗ ଆଖିରେ ମନି ବାହାରକୁ ଅନେଇ ଦେଲା ବେଳେ ସୁରକୁ ଦେଖିବାକୁ ପାଇଲା । ଠିଆରେ ଠିଆରେ ନ ଯାଇ ସେଇଠି ବୋଧେ ବସିପଡ଼ିଲା । ତା’ପରେ ସେ କୁଆଡ଼େ ଅଦୃଶ୍ୟ ହେଲା । ସୁର ଆଖିରୁ ନିଜକୁ ଲୁଚେଇ ରଖିବା ବେଳେ ଝରକା ତଳୁଆ ନଇଁ ନଇଁ ସେ ବୋଧେ ଆର ଘର ଆଡ଼େ ଚାଲିଗଲା ।

 

ସୁର ଦାଣ୍ଡଦୁଆର ଆଡ଼େ ଗଲାବେଳେ କାନ୍ଥ ଆଲମାରୀରୁ ଦାନ୍ତକାଠି ଖଣ୍ଡେ ଧରି ଖାଲି ଏପଟ ସେପଟ ହେବାରେ ଲାଗିଲା । କିନ୍ତୁ ମନ ଭିତରେ ଲହଡ଼ା ଭାଙ୍ଗୁଥିଲା ଭାବନାର ଜୁଆର । ଗୋପାଳବାବୁଙ୍କ କ୍ୱାଟରର ଝରକା ଦେଇ ଓ ଘର ଭିତରକୁ ଉବୁକେଇ ମନି ପାଖକୁ ଅବା ଧାଇଁ ଯାଉଥିଲା । ତାଙ୍କ ବଗିଚାରେ କଦଳୀଗଛ, ଅମୃତଭଣ୍ଡାଗଛ ଓ ଶାଗକିଆରୀ ଆଦିରେ ରହି ରହି ସେ ଆଖି ପକଉ ଥିଲାବେଳେ ସବୁ ଭିତରେ ଅବା ସୁର ମନିକି କେବଳ ଖୋଜୁଥିଲା । ପତ୍ରର ସବୁଜିମା, ନୀଳ ଆକାଶର ପୁଟ କମଳା ରଙ୍ଗର ସୂର୍ଯ୍ୟକିରଣ ଭିତରେ ।

 

ସୁର କ୍ୱାଟର ଆଗରେ ଫାଙ୍କା ପଡ଼ିଆଟା ଉପରେ ଠିଆ ହୋଇ ଅଫିସ କୋଠାଆଡ଼େ ଅନେଇଲା । ଚାହୁଁ ଚାହୁଁ ବର୍ଷକ ଭିତରେ ସେ ବିରାଟ କୋଠାଟା ଠିଆ ହେଲାଣି । କ୍ୱାଟର ତୋଳା ଅବିରାମ ଗତିରେ ଚାଲିଛି । କେତେ କେତେ ଘରଦ୍ୱାର ବି ତୋଳା ସରିଲାଣି । ଦିନକୁ ଦିନ ଭୁବନେଶ୍ୱରର ରୂପ ବଦଳିବାରେ ଲାଗିଛି । ନୂଆଲୋକ ସବୁ ବାରଆଡ଼ୁ ଆସି ଏଠାରେ ଆସ୍ଥାନ ଜମେଇ ଦେଲେଣି । ଜାଗାଟା ଏବେ ସହର ଭଳି ଜଣା ପଡ଼ିଲାଣି, ହେଲେ ଖଣ୍ଡିଏ ନିର୍ଦିଷ୍ଟ କ୍ୱାଟର, ହୋଟେଲ କି ମେସ୍‌ରେ ଖିଆପିଆ କୋଉ ଆଡ଼ିକି କେହି ସାହା ଭରସା ନାହାନ୍ତି । ନିଜର ଭଲ ମନ୍ଦ ବୁଝିବାକୁ କେବଳ ନିଜେ । କିଛି ଗୋଟିଏ ଅଭାବ ଅସୁବିଧା ପଡ଼ିଲେ ଟଙ୍କା ପାଞ୍ଚଟା ଧାର ମିଳିବା କଷ୍ଟକର । ଯିଏ ଯାହାର ଦୁଃଖ ନେଇ ପଡ଼ି ରହିଛି । ବାହାରକୁ ଇସ୍ତ୍ରୀ ଦିଆ ପ୍ୟାଣ୍ଟସାର୍ଟ ଓ ଚାକଚିକ୍‌କଣ, ଭିତରଟା କିନ୍ତୁ ଫମ୍ପା । ତଳିଆ କିରାନୀମାନେ ଯୋଉମାନଙ୍କର ପିଲାଛୁଆ ଅଛନ୍ତି, ପଢ଼ିବାକୁ ପୁଅଝିଅ କି ଭାଇଭଉଣୀ ଅଛନ୍ତି, ବିବାହ ହେବାକୁ ଝିଅ କି ଭଉଣୀ ଅଛନ୍ତି, ସେମାନଙ୍କର ଅବସ୍ଥା ଯେ ଏଠି କାହାଣୀ ଗାଇଲେ ସରେନି । ସୁର ସେ ସବୁ ଅଙ୍ଗେ ଲିଭେଇ ନ ଥିଲେ ବି ଅନ୍ୟମାନଙ୍କର ଦେଖିଛି । ଅନୁଭବ କରିଛି ଓ ଭଲଭାବରେ ଜାଣେ ପିଲାଛୁଆ ନେଇ ଅଳ୍ପ ଦରମାରେ ଚଳିବା ଏଠି କିପରି ଦୁର୍ବିସହ । କେବଳ ଘାଣ୍ଟି ହେବା ଛଡ଼ା ଉପାୟ ନାହିଁ । ଏକମାତ୍ର ଆଶା ପ୍ରମୋଶନ । କେଇଟା ବର୍ଷ ଭିତରେ ପ୍ରମୋଶନ ହୋଇଗଲେ ତେଣିକି ଆଉ ଚିନ୍ତା ନାହିଁ । ଦରମା ବଢ଼ିବା ସାଙ୍ଗେ ସାଙ୍ଗେ ଅଫିସ ଭିତରେ ବାହାରେ ଲୋକଙ୍କର ଖାତିରୀ ବଢ଼ିବ । ତା’ପରେ କେବଳ ବୁଦ୍ଧ ବୃତ୍ତିର ଚାଳନା ଓ ସମୟ ଅନୁସାରେ ଲୁହାରେ ପାଣି ଦେବା କଥା । ଉପାୟଟା ନିଜେ ଠିକ୍‌ କରିବାକୁ ପଡ଼େ । ଲକ୍ଷ୍ୟ ହେଲା ଗୋଟିଏ । ନିଜର ଲକ୍ଷ୍ୟ ହାସଲ କରିବାକୁ ନାନାଆଡ଼ୁ ବାଟ ପଡ଼ିଛି । ଜୀବନ ସଂଗ୍ରାମ ପାଇଁ ଘୋଡ଼ା ଦଉଡ଼ । ଅଫିସ୍‌ କାମ ଯେତିକି ଜଣାଥିବ ତା’ଠୁ ବେଶି ଦେଖେଇ ହେବାକୁ ପଡ଼ିବ । ସବୁ ନିୟମ କାନୁନ୍‌ରେ ପାରଙ୍ଗମ ବୋଲି ଅନ୍ୟ ତୁଣ୍ଡରେ ନିଜର କୃତିତ୍ୱକୁ ସ୍ୱୀକାର କରେଇବା ପୁଣି ଦରକାର । ଅଫିସ ସମୟ ଭିତରେ ବସିରହି କି ଅନ୍ୟ ଆଡ଼େ ବୁଲାଚଲା ଓ କଥାବାର୍ତ୍ତା ଆଦି କରି ରାତି ଯାଏ ବସି କାମ କରିବା କେତେ ଜଣଙ୍କର ନିତିଦିନିଆ ଅଭ୍ୟାସ। ତା’ଛଡ଼ା କଥା ଛଳରେ ଉପର ହାକିମମାନଙ୍କୁ ହାଁ–ଜି, ହାଁ–ଜି କରିବା, ଯିଏ ଯାହା ଭଲପାଏ ତା’ ଆଗରେ ସେଇ ସବୁ କଥା କହି ମନ ନେବା ଇତ୍ୟାଦି ଅନେକ ଅନେକ ବାଟ ଅଛି । ସେଥିରୁ ଗୋଟିଏ ବାଛି ନେଇ ଆଗେଇ ଯିବା କଥା । ସୁର କେତେ ଜଣଙ୍କୁ ଦେଖିଛି– ଯୋଉମାନେ ମନ୍ଦକାମ କରନ୍ତିନି, ବେଶ୍‌ ମେଳାପୀ ଓ ଲୋକ ହିସାବରେ ବେଶ୍‌ ଭଲ ଅଥଚ ଜୀବନରେ ସେମାନେ ବେଶି ବାଟ ଆଗେଇ ପାରି ନାହାନ୍ତି । ବୟସ ତୁଳନାରେ ସେମାନେ ଯାହା ପାଇବାର କଥା ତା’ଠୁ ବହୁତ ପଛରେ ଅଛନ୍ତି । ଫଳରେ କାମଦାମରେ ଆଉ ସେମାନେ ମନ ଦିଅନ୍ତିନି । ଯେ କୌଣସି ହିସାବରେ ସମୟଟା କଟେଇ ଦେଲେ ଗଲା । ଅନ୍ୟ ଉପାୟ ନାହିଁ ବୋଲି ଚାକିରିଟା ନେଇ ପଡ଼ିରହିବା କଥା !

 

ତା ସାଙ୍ଗକୁ ପୁଣି ମନି–

 

ସୁର ମନେ ମନେ ହସି ଉଠିଲା । ତିନିଶ ଟଙ୍କାର ଜଣେ ଚାକିରିଆ । ଭଦ୍ର ପୋଷାକ ତଳେ ଗୋଟିଏ ପେଟକୁ ସଂଭାଳିବା ମୁସ୍କିଲ । ତା ସହିତ ସେ ଆଉ ଗୋଟିଏ ଆଣି ପୁଣି କାନିରେ ବାନ୍ଧିବ ? ଗାଁରେ ତେଣେ ବାପ ମା’ ଅଛନ୍ତି । ଭାଇ ଭଉଣୀ ଅଛନ୍ତି । ପରିବାର ଅଛି । ସୁର ପାଟିରୁ ଖୁବ୍‌ ଆସ୍ତେ ବାହାରି ଆସିଲା– ଅନ୍ତତଃ ଦଶବର୍ଷ ଆଗରୁ ନୁହେଁ ।

 

ସକାଳର କଅଁଳ ସୂର୍ଯ୍ୟ କିରଣ ସୁରର ଭାବନାରେ ପୁଟ ବୋଳି ବୋଳି ଟାଣ ହବାରେ ଲାଗିଥାଏ । ଯିଏ ଯାହାର ସାଇକେଲ ଖଣ୍ଡିଏ ଖଣ୍ଡିଏ ଧରି, କିଏ ବା ଚାଲି ଚାଲି ବଜାର ଆଡ଼ୁ ଫେରୁଥିଲେ । ରନ୍ଧାବଢ଼ା ସରିଗଲେ ଚାଲିବେ ଅଫିସ । ଫେରୁ ଫେରୁ ସନ୍ଧ୍ୟା ।

 

ଅଫିସରେ ସୁରର ବେଶି କାମଦାମ ନ ଥାଏ । ଯାହା କିଛି କାମ ପଡ଼େ ସେ ମନଧ୍ୟାନ ଲଗେଇ ସେତକ ସାରିଦିଏ । ଦରକାର ପଡ଼ିଲେ ଅଫିସ୍‌ ସମୟ ପରେ ମୁଣ୍ଡପୋତି ସେ ବସିରହେ-। କାହା ସାଙ୍ଗେ କଳି କଜିଆ କରିବା କି କାହା କଥାରୁ ବାହାର ହେବା ସୁରର ଜାତକରେ ନାହିଁ । ତେଣୁ ସମସ୍ତେ ତାକୁ ଭଲ ପାଆନ୍ତି । ବେଳେ ବେଳେ ବେଶି କାମ ବି ତା’ ଉପରେ ଲାଦି ହୋଇପଡ଼େ । ଯିଏ ଫୁଲାଫାଙ୍କିଆ ହୋଇ ବୁଲିଲା, କଥା କହୁ କହୁ ଜବାବ୍‌ ଦେଲା ତାକୁ ବେଶି ଖାଟିବାକୁ ପଡ଼େନି । କଥାକୁ ଯିଏ ମାନି ନେଲା, ନିଜର ଅସୁବିଧା ସୁବିଧା କହିଲାନି, ତାକୁହିଁ ବେଶି ଖାଟିବାକୁ ପଡ଼େ । ସମସ୍ତେ ତା’ ଉପରେ ଘୋଡ଼ା ଚଢ଼ନ୍ତି । କିନ୍ତୁ ସୁର ଭଲ ଭାବରେ ଜାଣେ– ସବୁ କିଛି କାମରେ ସୁଫଳ ଅଛି । ପ୍ରଥମରୁ ପ୍ରଥମରୁ ଅଳ୍ପ ଅସୁବିଧା ହେଲେ ବି ଭବିଷ୍ୟତ ଅଛି ସେଇ ଲୋକଙ୍କର ଯିଏ କାହାକୁ କିଛି ନକହି ନିଜର ଜୀବନକୁ ମାନି ନିଏ ।

 

ଗାଧୁଆ ପାଧୁଆ ସାରି ସୁର ପ୍ୟାଣ୍ଟଟା ପିନ୍ଧୁଥିଲା ବେଳେ କିଏ ଜଣେ ଦୁଆରେ ଆସି ଖଡ଼୍‌ ଖୁଡ଼୍‌ କଲା । ଏତେବେଳେ କିଏ ? ଦୁଆର ଖୋଲିଲା ବେଳକୁ ରବିବାବୁ–

 

ଓ– ଆପଣ, ଆସନ୍ତୁ ଆସନ୍ତୁ କହି ସୁର ବସିବାକୁ ଚଉକି ଖଣ୍ଡିଏ ବାହାର ଅଗଣାରୁ ଆଣି ପକେଇ ଦେଲା ।

 

ରବିବାବୁ ଦେଖିବାକୁ ଗୋରା ଓ ସ୍ୱାସ୍ଥ୍ୟବାନ୍‌ । ସୁନା ଖଡ଼ିକା ଭଳି ଦେହ । ଚନ୍ଦା ମୁଣ୍ଡ । କାନ ଉପରେ ମେଞ୍ଚେ ମେଞ୍ଚେ ବାଳ । ହାତ ଗୋଡ଼ ଡାଙ୍ଗ ଭଳି ଅଥଚ ପୂରିଲା ମୁହଁ । ଚାକିରୀ କରିବା ଦଶବର୍ଷ ଆସି ହେଲାଣି । ପ୍ରମୋଶନ ପାଇ ଉପରକୁ ଉଠିଲେଣି । ତାଙ୍କର ଦି’ଟି ପୁଅ ଓ ଝିଅଟିଏ । ସ୍ତ୍ରୀଙ୍କ ସହିତ ପିଲାମାନେ ଯାଇ ଗାଁରେ । କ୍ୱାଟରରେ ସେ ଏକାକୀ । ସୁର ଯୋଉ ହୋଟେଲରେ ଖାଏ ରବିବାବୁ ବି ସେଇଠି ଖାଆନ୍ତି । ହୋଟେଲ ଯିବା ବାଟରେ ସୁର କ୍ୱାଟର ।

 

ରବିବାବୁଙ୍କର ସାଇକେଲ ଅଛି । ସେ ଚାଲି ଚାଲି କାହିଁକି ଅବା ହୋଟେଲ ଯିବେ ଓ ପୁଣି ସେଠୁ ଯିବେ ଆସିବେ ? ସୁର ଏ ବିଷୟ ଭାବୁଥିଲା ବେଳେ ରବିବାବୁ ଆପେ ଆପେ କହିଲେ–

 

ସାଇକେଲଟା ଦୋକାନରେ ତିଆରି କରିବାକୁ ଦେଇଛି । ଦି’ଦିନ ହେଲାଣି ଏ ଯାଏ ଫେରେଇନି ।

 

ତା’ ପାଖକୁ ଆସିବାର କାରଣଟା ସୁର ଏଥର ବୁଝିପାରିଲା । ଲୁଗାପଟା ପିନ୍ଧି ଓ ଘରେ ଚାବି ଦେଇ ରବିବାବୁଙ୍କ ସାଙ୍ଗରେ ସେ ଚାଲିଲା ହୋଟେଲ ଆଡ଼େ ।

 

ରବିବାବୁଙ୍କ ସାଙ୍ଗେ ସୁର ସେଦିନ ଅଫିସରେ ଆସି ପହଞ୍ଚିଲା ବେଳକୁ ଦଶଟା ବାଜି ପଞ୍ଚଚାଳିଶ ମିନିଟ୍‌ । ମନ ଭିତରେ ଭୟ ଓ ଆଶଙ୍କାକୁ ଚାପି ରଖି ନିଜ ନିଜ ଚୌକିରେ ଆସି ବସୁ ନ ବସୁ ସେକ୍‌ସନର ବଡ଼ବାବୁ ଚଷମା ଭିତରୁ ସେମାନଙ୍କୁ ଲକ୍ଷ୍ୟ କରୁଥିବା ସୁର ଦେଖିବାକୁ ପାଇଲା । ହାଜରା ଖାତାଟା ଅନେକ ବେଳୁ ଅଫିସରଙ୍କ ପାଖକୁ ଚାଲି ଯାଇଥିଲା । ବଡ଼ବାବୁ ହାଜିରା ବିଷୟରେ ବଡ଼ ହୁସିଆର । ନିଜେ ଯେ ଠିକ୍‌ ସମୟରେ ଅଫିସ ଆସନ୍ତି ଏମିତି ନୁହେଁ । ଦିନେ ଦିନେ ଏଗାରଟା ତ ଦିନେ ଦିନେ ସାଢ଼େ ଏଗାର କି ବାର୍‌ । କିନ୍ତୁ ଯୋଉ କେତେ ଦିନ ସେ ଦଶ ବେଳକୁ ଆସନ୍ତି ସେଦିନ ଅନ୍ୟମାନଙ୍କର ଡେରିରେ ଆସିବାକୁ ସହି ପାରନ୍ତିନି । କିଛି ନ କହିଲେ ବି ତାଙ୍କ ମନ କଥାଟା ବୁଝିହୁଏ । ପାଟି, ଫାଇଲ ଫିଙ୍ଗା ଓ ପିଅନ ଉପରେ ଗାଳି ବର୍ଷଣରୁ ଜଣାଯାଏ ।

 

ରବିବାବୁ ସେଦିନ ନିଜ ଚଉକିରେ ଆଗ ବସି ନ ଯାଇ ଗୋଟିଏ ଫାଇଲ ଧରି ନିମେଇଁବାବୁଙ୍କ ସାଙ୍ଗେ କ’ଣ ଆଲୋଚନା କରିବାରେ ଲାଗିଗଲେ । ନିମେଇଁବାବୁ ତାଙ୍କ ପାଖକୁ ଲାଗି ବସନ୍ତି । ବଡ଼ବାବୁଙ୍କର ସେ ତଳ ପାହିଆ ଲୋକ । କୋଡ଼ିଏ, ବାଇଶ ବର୍ଷ ହେଲା ଚାକିରୀ କଲେଣି । ବଡ଼ବାବୁ କେବଳ ନାଁକୁ ମାତ୍ର ସେକ୍‌ସନର ମୁଖ୍ୟ । କିନ୍ତୁ ନିମେଇଁବାବୁ ନ ଲାଗିଲେ ଫାଇଲ ଅଚଳ ହୁଏ ।

 

ସୁର ନିଜ ଚଉକିରେ ବସି ଫାଇଲ ମେଳଉ ମେଳଉ ବଡ଼ବାବୁ ହଠାତ୍‌ ଗର୍ଜିଉଠିଲେ– ଚାକିରୀ କରିବାକୁ ମନ ଥିଲେ ଅନ୍ତତଃ ଠିକ୍‌ ସମୟରେ ଅଫିସ ଆସିବା ଦରକାର । ବଡ଼ବାବୁ ପାଟି କଲାବେଳେ ସୁର ଆଡ଼କୁ ଚାହୁଁ ନଥିଲେ । ନଜର ଥିଲା– ବାଁ ପଟରେ ଥିବା ଗୋଟିଏ ଝରକା ଆଡ଼େ । ତା ଭିତର ଦେଇ ସେ ଖୋଲା ଆକାଶ ଆଡ଼କୁ ଲକ୍ଷ୍ୟ କରୁଥିଲେ ।

 

ତାଙ୍କ କଥା ଗୁଡ଼ାକ ଯେ କେବଳ ସୁର ପାଇଁ ଉଦ୍ଦିଷ୍ଟ ଏ କଥା ଜାଣିବାକୁ ଆଉ ବାକି ନଥିଲା । ଅଥଚ କାହାକୁ ବ୍ୟକ୍ତିଗତ ଭାବରେ ସେ କିଛି ହେଲେ କହିନାହାନ୍ତି ।

 

ସୁର ଝରକା ଭିତର ଦେଇ, ବାହାରକୁ ଅଳ୍ପ ଅନେଇ ଦେଲା । ନାଲି, ନେଳି ଓ କମଳା ଆଦି ବିଭିନ୍ନ ରଙ୍ଗର ମଟର ପଛକୁ ପଛ ଦଉଡ଼ି ଲାଗିଛନ୍ତି । ଅଫିସ ଆଗରେ ସବୁଜ ଘାସର ଗାଲିଚା କରେ କରେ ରାସ୍ତା ସବୁ ଠଅ ଭଳି ବୁଲି ଯାଇଛି । ଧାଡ଼ି ଧାଡ଼ି ଫୁଲଗଛର ସଂଭାର ନେଇ ସତେ ଅବା ହସି ଉଠୁଛି ଅଫିସ କୋଠା । ଚିତ୍ର କରି ଦେଲା ପରି । ରଙ୍ଗ ବେରଙ୍ଗ । ଫାଟକ ଡେଇଁ ଭିତରକୁ ପଶି ଆସିଲେ କେତେ କେତେ ସ୍ୱପ୍ନ ମନ ଭିତରକୁ ଉବୁକେଇ ଆସେ । ଛାଇ ଭଳି ଦିଶିଯାଏ– ଏଇ ଜାଗାଟା ଯୋଉଠି ଦିନେ ଭୟ ଲାଗୁଥିଲା । ବୁଦୁବୁଦିଆ ଘାସ ଓ ଗଛ ପତ୍ରରେ ଭରା ଥିଲା । ଜଙ୍ଗଲ ଆଉ ଟାଙ୍ଗେରା ଭୂଇଁ । କେଇ ବର୍ଷ ହେଲା ପଥର କାଟି ଓ ଜଙ୍ଗଲ ସଫା କରି କୋଠାବାଡ଼ି ଭରା ଛୋଟିଆ ସହରଟିଏ ଆସ୍ଥାନ ଜମେଇଲାଣି । ଛୋଟରୁ ଆସ୍ତେ ଆସ୍ତେ ବଡ଼ ହେବାର ଲାଗିଛି । ଏଇ ମାଟି ଉପରେ । ଅଳ୍ପ ଖୋଲି ଦେଲେ ଏଠି ହୁଏତ ବାହାରିବ କେତେ କେତେ ଲକ୍ଷ ଲକ୍ଷ ଓଡ଼ିଆ ପାଇକର ଅସ୍ଥି, ରକ୍ତ ଓ ମାଂସ । ଖାରବେଳଙ୍କଠୁ ଆରମ୍ଭ କରି ଅଶୋକ, ଯଯାତି କେଶରୀ ଆଦି ଇତିହାସର କେତେ କେତେ ଛିନ୍ନ ପୃଷ୍ଠା । ଅତୀତର ସେଇ ଗୌରବ ଯୋଗୁହିଁ ଏଇ ମାଟି ଅବା ଏତେ ଉର୍ବର ହୋଇ ଉଠିଛି । ଇତିହାସ ଖାଲି ବଦଳେଇ ଲାଗିଛି ରୂପ । ଯୁଗ ଯୁଗର ଗୌରବ ନେଇ ଓ ଅତୀତ ସଂଭାର ନେଇ ।

 

ସୁରର ଏଇ ତିନିଶ ଟଙ୍କିଆ ଚାକିରୀରେ ସେ ଗୌରବ କି ସଂଭାର କିଛି ହେଲେ ନଥିଲା । ପେଟ ପୋଷିବାକୁ କୁଆଡ଼େ କିଛି ସୁବିଧା ସୁଯୋଗ ନ ଥିଲେ ଲୋକ ହୋମିଓପାଥିକି ଆଶ୍ରା କଲା ଭଳି କିଛି କୁଆଡ଼େ ଆଶ୍ରା ନ ପାଇଲେ ଜୀବନର ପ୍ରଥମ ସୋପାନରୁ କିରାନୀ ଚାକିରୀଟିଏ ଧରି ନେବାକୁ ପଡ଼େ । ବଡ଼ବାବୁ କିଛି ହେଲେ ତାକୁ କହିଥିଲେ ସେ ହୁଏତ କିଛି ନା କିଛି କଇଫଇତ୍‌ ଦେଇପାରିଥାନ୍ତା । କିନ୍ତୁ ଦେଖେଇ ଶିଖେଇ ତାଙ୍କର ଏଇ ପ୍ରକାରର ପାଟିତୁଣ୍ଡ ସୁରକୁ ଭଲ ଲାଗିଲାନି । ଦେଖିଲା– ଆଉ ସଭିଏଁ ମୁଣ୍ଡ ପୋତି ଯିଏ ଯାହା କାମରେ ବ୍ୟସ୍ତ । ଶଇଳ ବି କାମରେ ମନ ଦେଇଛି । ଅଥଚ ତା’ର ପୋତିଲା ଆଖି ବେଳେ ବେଳେ ଲମ୍ବି ଆସୁଛି । ସୁରର ଆଖି ସାଙ୍ଗେ ସାଙ୍ଗେ ହଠାତ୍‌ ଆଖି ହଳକ ତା’ର ମିଳିଗଲା । ରବିବାବୁ ସେତେବେଳେ କିଛି ଗୋଟେ କାମରେ ବୋଧେ ବ୍ୟସ୍ତ ଥିଲେ । ବଡ଼ବାବୁଙ୍କ କଥା ତାଙ୍କ କାନରେ ବାଜି ନ ବାଜି ଚାଲିଯାଇଛି ।

 

ବଡ଼ବାବୁଙ୍କ କଥାରେ ଉତ୍ତର ଦେବ ବୋଲି ସୁର କିଛି ଗୋଟେ କହିବାକୁ ଗଲାବେଳେ ତୋଟି ପାଖରେ କିଏ ଜଣେ ଅବା ତାକୁ ଚିପି ଧରିଲା । କେଇ ମିନିଟ୍‌ ଡେରି ହେବାଟା କିଛି ବଡ଼ କଥା ନୁହେଁ । ନୂଆ ବି ନୁହେଁ । ଅଫିସରମାନେ ବାରଟା ବେଳକୁ ଅଫିସ ଆସି ଗୋଟେ ବେଳକୁ ଲଞ୍ଚକୁ ଚାଲି ଯାଆନ୍ତି । ଫେରୁ ଫେରୁ ତିନ୍‌ କିମ୍ବା ସାଢ଼େ ତିନ୍‌ ସେମାନଙ୍କୁ କହିବାକୁ କାହାର କ୍ଷମତା ନାହିଁ । ସେମାନେ ଘରେ ବି ଅଫିସ କରି ପାରିବେ ବୋଲି ନିୟମ ଅଛି । ନିଜ ବଙ୍ଗଳାରେ-। ସରଗକୁ ନିଶୁଣି ନାହିଁକି ବଡ଼ ଲୋକକୁ ଉତ୍ତର ନାହିଁ । ଖାଲି ଜବାବ୍‌ ଦେବାଟା ବଡ଼ କଥା ନୁହେଁ । ତା’ ସହିତ ନିଜ ଜୀବନର ଭବିଷ୍ୟତ ନିହିତ ଅଛି ଚାକିରୀ ଜୀବନର ଆରମ୍ଭରୁ ସେ ସବୁକୁ ନ ଜଗିଲେ ପରେ ଅସୁବିଧା ଭୋଗିବାକୁ ପଡ଼େ । ଥରେ ବଦ୍‌ନାମ ହୋଇଗଲେ କି ଉପର ହାକିମ ମାନଙ୍କର ବିଷଦୃଷ୍ଟି ପଡ଼ିଲେ ନିଜକୁ କାମିକା ଓ ଦକ୍ଷ କିରାନୀ ଭାବରେ ପ୍ରମାଣ କରିବାକୁ ଅସାଧ୍ୟ ସାଧନ କରିବା ଦରକାର । ଏମିତି ଅନେକ ଅନେକ କଥା ସୁର କେତେଜଣ ପୋଖତ ଲୋକଙ୍କଠୁ ଶୁଣିବାକୁ ପାଇଥିଲା । ପ୍ରଥମ ଅବସ୍ଥାରୁ ସମସ୍ତଙ୍କର ମନ ଜଗି କେତେବେଳ କାମ କରିଗଲେ ତା’ର ସୁଫଳ ଜୀବନସାରା ଭୋଗିବାକୁ ପଡ଼େ । ତାକୁଇ ସବୁ ପୁଞ୍ଜିକରି ଭବିଷ୍ୟତ ଜୀବନରେ ମୂଳଦୁଆ ପକେଇବାକୁ ହୁଏ । ଲୋଅର ଡିଭିଜନରୁ ଅପର ଡିଭିଜନ ହେଡ଼୍‌ ଆସିଷ୍ଟାଣ୍ଡରୁ ବଡ଼ବାବୁ, ବଡ଼ବାବୁର ତା’ପରେ ଅଫିସର ଅଫିସରରୁ ପୁଣି ସେକ୍ରେଟେରୀ ପାହିଆ ଆଦି କେତେ କଣ–

 

ଭବିଷ୍ୟତ ଉପରେ ଆଖି ରଖି ସୁର ବଡ଼ବାବୁଙ୍କ କଥାରେ ଜବାବ୍‌ ଦେଲାନି । ତାଙ୍କର ଗର୍ଜନ ଅପେକ୍ଷା ଆହୁରି ଜୋରରେ ସେ ପାଟି କରି ପାରିଥାଆନ୍ତା । କିନ୍ତୁ ମୁଣ୍ଡ ପୋତି ସେ କାମରେ ମନ ଦେଲା । ବଡ଼ବାବୁଙ୍କ କଥାକୁ ହଜମ କରି ସେ ଚଉକିରେ ଲାଙ୍ଗୁଡ଼ ଜାକି ବସି ରହିଲା ।

 

ରବିବାବୁ ନିମେଇଁବାବୁଙ୍କ ସାଙ୍ଗେ କଥାବାର୍ତ୍ତା ସାରି ସୁର ପାଖକୁ ଆସିଲେ । ସେମିତି କିଛି ଜରୁରୀ କି ଦରକାରୀ କାମ ତାଙ୍କର ନ ଥିଲେ କଥାଛଳରେ ସେ ବଡ଼ବାବୁଙ୍କୁ ଦେଖେଇ ଦଉଥିଲେ–ତାଙ୍କ ରାଗ ହେବାର କୌଣସି ମୂଲ୍ୟ ନାହିଁ । ତାଙ୍କ ପାଟି ବନ୍ଦ କରିବାକୁ ଉପରେ ଉପରେ ଥିଲା ଅଫିସ କଥା । ଏଣେ ସୁରବାବୁଙ୍କ ସାଙ୍ଗେ ଭିତରେ ଭିତରେ ଆଳାପ ଆଲୋଚନା । ଆଖି ଦେଖେଇଲେ କାମ ଆଦାୟ କରି ହୁଏନି । ତୁଚ୍ଛାଟାରେ ପାଟିତୁଣ୍ଡ କଲେ ତା’ର କୌଣସି ହେଲେ ମୂଲ୍ୟ ନାହିଁ । ପିଠିରେ ହାତ ମାରି, କଅଁଳ କଥା କହି, ନିଜର କରି ଆଉ ସମସ୍ତଙ୍କ ସାଙ୍ଗେ ମିଳିମିଶି ଏ ଯୁଗରେ ନିଜର ତଳିଆ ଲୋକଙ୍କଠୁ କାମ ଆଦାୟ କରିବାକୁ ପଡ଼ିବ ।

 

କିନ୍ତୁ ବଡ଼ବାବୁ ହେଲେ ଭିନ୍ନ ଧରଣର ଲୋକ । ତାଙ୍କ ନାଁ ଶୁଣିଲେ ସମସ୍ତେ ହାତେ ହାତେ ଡରନ୍ତି । ବାସୁବାବୁ ଦୀର୍ଘ ଦଶବର୍ଷ ହେଲା ବଡ଼ବାବୁ ହେଲେଣି । ତାଙ୍କରି ସାଙ୍ଗ ସାଥିମାନେ କିଏ କୋଉ ଉଚ୍ଚ ପାହ୍ୟାକୁ ଉଠିଗଲେଣି । ବାସୁବାବୁଙ୍କର ଗୋଟିଏ ଗୁଣ ହେଲା–ସେମିତି କାମଦାମ ସେ ଜାଣନ୍ତିନି କିନ୍ତୁ ଯେତିକି ଜାଣନ୍ତି, ତା’ଠୁ ବେଶି ଦେଖେଇ ହୁଅନ୍ତି । ତାଙ୍କର ଦୁର୍ବଳତା କାହା ଆଖିରେ ପଡ଼ିବା ଆଗରୁ ସେ ଗୁଡ଼େ ଅଫିସ ବହି ମିଛଟାରେ ଏପଟ ସେପଟ ଖେଳେଇ ଅନ୍ୟର ଆଖି ଜଳକା କରି ଦିଅନ୍ତି । ତା’ ଛଡ଼ା ଆଉ ଗୋଟିଏ ତାଙ୍କର ବଦ୍‌ଗୁଣ ଅଛି । ଯୋଉ ସେକସନକୁ ସେ ବଦଳି ହୋଇଆସନ୍ତି କେତେଜଣଙ୍କୁ ବାଛି ବାଛି ସେ ଆଗ ନିଜର କରିନିଅନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେଇ ଲୋକମାନଙ୍କୁ ସୁବିଧା ସୁଯୋଗ ଦିଅନ୍ତି । ଆଉ ସମସ୍ତେ ଅଫିସରୁ ଚାଲିଗଲେ ସେମାନଙ୍କ ସାଙ୍ଗେ ବଡ଼ବାବୁଙ୍କର ଗୁପ୍ତ ଆଲୋଚନା ଚାଲେ । ବେଳେ ବେଳେ ସେମାନଙ୍କୁ ଘରକୁ ନିମନ୍ତ୍ରଣ କରନ୍ତି ଓ ଅତି ଆପଣାର ଲୋକ ଭଳି ହସ ଖୁସି ସାଙ୍ଗରେ ନାନା ଆଡ଼ୁ ନାନା କଥା ପକେଇ ସମୟ କଟାନ୍ତି ତା’ ସାଙ୍ଗେ ସାଙ୍ଗେ ସେମାନଙ୍କ ମନରେ ଅନ୍ୟମାନଙ୍କ ପ୍ରତି ବିଷ ବୁଣି ଦେବାକୁ ସଦାବେଳେ ସୁଯୋଗ ଉଣ୍ଡୁଥାଆନ୍ତି । ବୟସ ତାଙ୍କର ଆସି ପଚାଶ ଉପରେ ହେଲାଣି । ଛୋଟରୁ ଉଠି ଉଠି ଏତେବାଟ ସେ ଆସିଲେଣି ପେନ୍‌ସନ୍‌ ନେବାକୁ ଅଳ୍ପ କେଇ ବର୍ଷ ବାକୀ ଅଛି । ମନରେ ଆଶା ବାନ୍ଧି ବସିଛନ୍ତି– ଏଇ ଅଳ୍ପ ସମୟ ଭିତରେ ସେ କିଛି ନା କିଛି ପ୍ରମୋଶନ ପାଇଯିବେ । ସେ କଥା ଏବେ ନୋହିଲା– ରିଟାୟାର୍ଡ଼ ହୋଇସାରିଲା ପରେ ସେ ଅତି କମ୍‌ରେ ପାଞ୍ଚବର୍ଷ ଖଣ୍ଡେ ଏକ୍‌ସଟେନ୍‌ସନ୍‌ ପାଇବାର ଆଶା ମନରୁ ପୋଛି ଦେଇ ନାହାନ୍ତି । ସେ ଯାହା କିଛି ହେଉ ବାସୁବାବୁଙ୍କର ପାରିବାରିକ ଜୀବନଟା ସେତେ ଭଲ ନୁହେଁ । ଘରେ ତାଙ୍କର ଚାରୋଟି ବଡ଼ ବଡ଼ ଝିଅ । ବଡ଼ଟିକି ତିରିଶି ଉପରେ । ସଭା ସାନଟି କଲେଜରେ ପଢ଼ୁଚି । ଅନ୍ୟମାନେ ଚାକିରି ବାକିରି କରୁଥିଲେ ଚିନ୍ତା ନ ଥିଲା । ସେମାନଙ୍କୁ ବାହାରକୁ ଛାଡ଼ି ଦେଇ ହେଉନି ଏଣେ ଘରେ ବି ରଖି ପାରିବା ମୁସ୍କିଲ । ଝିଅଟିଏ ପାଠ ଶାଠ ପଢ଼ି ନ ଥିଲେ ସେ ଘର ଭିତରେ ବାନ୍ଧି ହୋଇ ରହେ, କିନ୍ତୁ ପାଠ ପଢ଼ୁଆ ଝିଅମାନଙ୍କୁ ଦାଣ୍ଡଘାଟରେ ଏଣେ ତେଣେ ଛାଡ଼ି ନ ଦେଲେ ସୁବିଧା ଯେତିକି ଅସୁବିଧା ବି ସେତିକି । ଫଳରେ ବାସୁ ବାବୁଙ୍କର ଝିଅମାନେ କିଛି ନା କିଛି ରୋଗରେ ପଡ଼ୁ ଥାଆନ୍ତି । ମୁଣ୍ଡବୁଲା, ବେଳେବେଳେ ମୂର୍ଚ୍ଛାଯିବା । ଦେହ ଅଳସ ଲାଗିବା ଆଦି । ସଦାବେଳେ ଖାଲି ରୋଗ ଆଉ ରୋଗ । ପୁଅଟିଏ ଥିଲେ ବାସୁବାବୁଙ୍କର ଚିନ୍ତା ନ ଥିଲା । ସାନ ଝିଅଟି ଉପରେ ତାଙ୍କର ଚିନ୍ତା ଯାହା କିଛି ଆଶା ଭରସା । ପାଞ୍ଚବର୍ଷ ତଳେ ସ୍ତ୍ରୀ ହରେଇଛନ୍ତି । ସବୁ ବିଷୟରେ ଝିଅମାନଙ୍କ ଉପରେ ତାଙ୍କର ପୁରା ନିର୍ଭର । ସେମାନେ ସଦାବେଳେ ଯେବେ ଘରେ ରହୁ ଥାଆନ୍ତେ ତା’ ହେଲେ କଥା ନଥିଲା । କିନ୍ତୁ ସେମାନଙ୍କ ଭିତରୁ ଜଣେ ଜଣେ ସମୟ ସମୟରେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ବାସୁବାବୁ ଜାଣିବାକୁ– ଝିଅ ମାମୁଁ ଘରକୁ ଯାଇଛି କି ଲେଖା ଯୋଖା କୋଉ ମଉସା ଘର ଡାକି ନେଇଛନ୍ତି । ବାହାରେ କିନ୍ତୁ ସେମାନଙ୍କ ନାଁରେ ବଦନାମର ବାନା ଉଡ଼େ । ବାସୁ ବାବୁ ପ୍ରଥମେ ପ୍ରଥମେ ମାମୁଁ ଘର କି ମଉସା, ପିଇସା ଘର ଯାଇ ଖୋଜାଖୋଜି କରୁଥିଲେ । ଏବେ ଆଉ ସେ ଖୋଜ ଖବର ନିଅନ୍ତିନି । ମାସେ ପନ୍ଦର ଦିନ ପରେ ସେମାନେ ଆପେ ଆପେ ଘରକୁ ଫେରି ଆସନ୍ତି । ଛୋଟ ପିଲା ହୋଇ ନାହାନ୍ତି ଯେ ଗାଳି ମନ୍ଦ ଦେବେ କି ମାଡ଼ ଚଢ଼େଇବେ । ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ଶାଶୁ ଘରକୁ ଛାଡ଼ିଦେବାର ସମ୍ବଳ ନାହିଁ । ସ୍ତ୍ରୀ ଥିଲେ, ସେ ବିଷୟରେ କିଛି କରିନପାରିଲେ ବି ପଚରା ଉଚରା କରୁଥିଲେ । ସେ ଆଖି ବୁଜିଲା ଦିନୁ ସେତକ ବି ଗଲାଣି । ବାସୁବାବୁ ଯୋଉ ଦିନ ଆସି ଅଫିସରେ ଚିଡ଼ି ଚିଡ଼ି ହୁଅନ୍ତି । ସେଥିରୁ ସମସ୍ତେ ଧରି ନିଅନ୍ତି ଯେ ଝିଅ ମାନଙ୍କ ଯୋଗୁ ବୁଢ଼ାର ବୋଧେ ମନ ଖରାପ ଅଛି । ନିଜର ମନସ୍ତାପ ଆଉ କାହା ଆଗରେ କହି ନ ପାରିଲେ ସେ ଅଫିସ୍‌ ଲୋକଙ୍କ ଉପରେ ଝଡ଼େଇ ହୁଅନ୍ତି ।

 

ନା’ ଛଡ଼ା ବାସୁବାବୁଙ୍କର ଆଉ ଗୋଟିଏ ଖରାପ ଗୁଣ ଅଛି ବୋଲି ଲୋକେ କଥାବାର୍ତ୍ତା ହୁଅନ୍ତି । ଅଫିସରୁ ଫେରି ସବୁଦିନ ରାତି ଅଧ ବେଳକୁ ଦି’ ତିନି ପେଗ୍‌ ବ୍ରାଣ୍ଡି ତାଙ୍କର ଧରାବନ୍ଧା କଥା । ଦୁଆର କିଳି, କେହି ନଥିଲା ବେଳେ । ବିଶେଷତଃ ଝିଅମାନେ ଶୋଇପଡ଼ିଲା ପରେ । ସେମାନେ ଯେ ଏ ବିଷୟ ନ ଜାଣନ୍ତି ଏମିତି ନୁହେଁ । ଜାଣି ନ ଜାଣିବାର ଛଳନା କରନ୍ତି । ବାସୁବାବୁ ଅଫିସରୁ ଫେରିଲେ ପୁଣି ଗୁଡ଼ାଏ ଫାଇଲ୍‌ପତ୍ର ନେଇ ଫେରନ୍ତି । ସଦାବେଳେ ଖାଲି କାମ ଆଉ କାମ । ଯାହା କିଛି ଅଳ୍ପ କଥାବାର୍ତ୍ତା ଖାଇଲାବେଳେ । ଖାଇ ସାରିଲା ପରେ ଦୁଆର କିଳି ବୋତଲର ଆଶ୍ରୟ ନିଅନ୍ତି ।

 

କିନ୍ତୁ ଅଫିସରେ ସେ ଜଣେ ଭିନ୍ନ ଧରଣର ମଣିଷ । ବାଘର ମୁଖା ପିନ୍ଧି ନାଟ କଲା ଭଳି । ଏଇ ଅଫିସ୍‌ରେ ତାଙ୍କର ତିରିଶ ବର୍ଷ ଆସି କଟି ଗଲାଣି । ଅଫିସର ଫାଇଲପତ୍ର ଏପରିକି ଟେବୁଲ ଚଉକି ଭିତରେ ସେ ନିଜର ସତ୍ତା ଅନୁଭବ କରନ୍ତି । ମୁଣ୍ଡରୁ ବାଳ ତକ ଉପଡ଼ିଯାଇ ସେ ଚନ୍ଦା ହୋଇ ସାରିଲେଣି । ଖାଲି ଦି’ କାନ ମୁଣ୍ଡାରେ ଦି’ ମେଞ୍ଚା ଧଳା ବାଳ । ବେଶ ବାସରେ ଠିକ୍‌ ନଥାଏ । କିନ୍ତୁ କି ଶୀତ କି ଖରା କେବେ ହେଲେ କୋଟ ନ ପିନ୍ଧିଲେ ଅଫିସ୍‌ ଆସନ୍ତିନି । ଏମିତି ଗୋଟିଏ ଦିନ ନାହିଁ ଯୋଉଦିନ କି ବାସୁବାବୁ ଅଫିସ୍‌ ନ ଆସନ୍ତି । ରବିବାର କି ଛୁଟିଦିନ ଆଦି ବି ଛାଡ଼ ନାହିଁ । ସକାଳୁ ଖାଇ ସାରିଲାପରେ ଅଫିସ୍‌ ନ ଆସିଲେ ଦିନଟା ତାଙ୍କୁ ଅସରା ଜଣାପଡ଼େ । ଅଫିସରେ କିଛିହେଲେ କରନ୍ତୁ ବା ନ କରନ୍ତୁ ଘରେ ବସି ରହିବା ତାଙ୍କ ପକ୍ଷରେ ଗୋଟିଏ ବିପଦ । ଘରକୁ ଫେରୁ ଫେରୁ ରାତି ଆଠ କି ନଅ । ସେ ଏକଲା ରହୁଥିଲେ କଥା ନଥିଲା । କିନ୍ତୁ ସେ ଆଶା କରନ୍ତି ଯେ ଆଉ ସମସ୍ତେ ବି ତାଙ୍କ ଭଳି ଅଫିସରେ ସେମିତି ରହନ୍ତୁ । ପୁରୁଣା ଲୋକଙ୍କୁ ତ ବାଧ୍ୟ କରିହେବନି । ଯେତକ ଦାଉ ସବୁ ନୂଆ ଲୋକଙ୍କ ଉପରେ । ତା’ ସାଙ୍ଗେ ସେ ଭୁଲି ଯାଆନ୍ତି– ପୁରୁଣା କାଳିଆ କଥା ଓ ନୂଆ ସମୟ, ସେବର ମଣିଷ ଓ ଏବକାଳର ଟୋକାଟାକେଳିଆଙ୍କର ଚାଲିଚଳଣ, ସେବର ବ୍ରିଟିଶ୍ ଶାସକ ଓ ଏବକାର ପରିବର୍ତ୍ତନ । ତେଣୁ ବେଳେ ବେଳେ ତାଙ୍କୁ ଅପଦସ୍ଥ ହେବାକୁ ପଡ଼େ । ନୂଆ ଲୋକେ ହିଁ ତାଙ୍କୁ କଥା କଥାକେ ଜବାବ୍‌ ଦିଅନ୍ତି । ଧମକ ଆଦି କିଛି ହେଲେ କାମ ଦିଏନି । ବାସୁବାବୁଙ୍କର ଗୋଟିଏ ଭଲଗୁଣ ହେଲା– କାହା କଥାରେ ସେ ଛଳ କରନ୍ତିନି କି ଚାକିରୀରେ ଆଘାତ ହେଲା ଭଳି କିଛି ହେଲେ କରନ୍ତିନି । କାହା ଦାନାପାଣିରେ ଧୂଳି ଦେବାକୁ ତାଙ୍କର ହାତେ ହାତେ ଡର । ବାସୁବାବୁ ଭାରି ଈଶ୍ୱର ବିଶ୍ୱାସୀ । ସବୁଦିନ ସକାଳୁ ଯୋଡ଼ିଏ ଘଣ୍ଟା ଖାଲି ପୂଜା କରିବାରେ ବିତେ । ତା’ ଛଡ଼ା କିଏ ଜଣେ ତାଙ୍କୁ ଅଳ୍ପ ଟେକାଟେକି କରି କହିଦେଲେ କି ତାଙ୍କ କାମରେ ତାରିଫ୍‌ କଲେ ରାଗଯାକ ତାଙ୍କର ପାଣି ଫାଟିଯାଏ । ପାଞ୍ଚ ଦଶ ମିନିଟ୍‌ ଆଗେ କାହା ଉପରେ ପାଟିତୁଣ୍ଡ କରିବା କଥା ତାଙ୍କ ମନରୁ ପାସୋରି ଯାଏ । ସେଇଥିପାଇଁ ଯିଏ ଯାହାର କାମ କରିବା କଥା କରୁଥାଆନ୍ତି । ବୁଢ଼ା ଶୁଆ ଭଳି କଟର କଟର ହବା କଥା । ନିଜ ନିଜର କର୍ତ୍ତବ୍ୟ କରିଯାଉଥିଲା ବେଳେ ତାଙ୍କ କଥାକୁ କାନ ଦେଲେ କାମ କରି ହୁଏନି-

 

ସୁର, ବାସୁବାବୁଙ୍କ କଥା ଯେ ନ ଜାଣିଛି ଏମିତି ନୁହେଁ । ତଥାପି ତାଙ୍କ କଥାବାର୍ତ୍ତାଟା ସେଦିନ ତାକୁ ଭଲ ଲାଗିଲାନି ।

 

ନିମେଇଁବାବୁ ସେତେବେଳେ କି ଗୋଟିଏ କାମରେ ବ୍ୟସ୍ତ ଥାଆନ୍ତି ବାସୁବାବୁ ପାଟି କଲାବେଳେ ସେ ଫାଇଲ୍‌କୁ ଅନେଇ ଦାନ୍ତ ଚିପି ଚିପି ହସୁଥାଆନ୍ତି । କିନ୍ତୁ ଦେଖିଲେ ତାଙ୍କୁ ଜଣା ପଡ଼ୁଥାଏ ସେ ଯେପରି ଆଉ ଗୋଟେ କିଛି ଘଟଣାକୁ ମନେ ପକେଇ ହସୁଛନ୍ତି । ବୋଧେ କୌଣସି କେସ୍‌ ବିଷୟରେ ହେବ । ନିମେଇଁବାବୁ ଦେଖିବାକୁ ନହଇ ବତାଫାଳିଆ ଭଳି । ଉପର ଓଠ ଉପରେ ଦିଆଡ଼ିକି ଗାରକାଟି ଦେଲା ଭଳି ସରୁ ନିଶ । ସେଥିରୁ ଅଧେ ହବ ପାଚିଗଲାଣି । ମୁଣ୍ଡରେ ଧଳାବାଳ ଅପେକ୍ଷା କଳା ବାଳର ସଂଖ୍ୟା କମ୍‌ । ଅଫିସ୍‌ କାମକୁ ସେ ଧୁରନ୍ଧର । ସେକ୍‌ସନରେ ଏମିତି କିଏ ଲୋକ ନାହିଁ ଯେ କି ନିଜ ନିଜର ଅସୁବିଧା ତାଙ୍କ ଆଗରେ ନକହେ । କିଛି ଗୋଟିଏ ଜରୁରୀ କାମ କି ଅତି କଷ୍ଟ ଅଫିସ୍‌ କାମ ପଡ଼ିଲେ ସମସ୍ତେ ଆସନ୍ତି ନିମେଇଁବାବୁଙ୍କ ପାଖକୁ । ଲୋକଟି ସିନା ଦେଖିବାକୁ ପାତେଳା, କିନ୍ତୁ ଦିହରେ ତାଙ୍କର ଅକଳନା ବଳ । ବୟସ ଆସି ପଞ୍ଚାଳିଶ ହେଲେ ବି ସେ ଥକି ଯିବାର ଲୋକ ନୁହଁନ୍ତି । ବଡ଼ ଚା’ ଖୋର । ଘଣ୍ଟାକୁ କପେ ଲେଖେ ଚା’ ଦରକାର । ତା’ ସାଙ୍ଗକୁ ପୁଣି ବିଡ଼ି । ସିଗାରେଟ୍‌କୁ ନିମେଇଁବାବୁ ଭଲ ପାଆନ୍ତିନି । ଅନ୍ୟମାନଙ୍କୁ ଦିଅନ୍ତି ସିଗାରେଟ୍‌ କିନ୍ତୁ ସେ ଆପେ ବିଡ଼ି ଟାଣନ୍ତି । ନିମେଇଁବାବୁଙ୍କ ପଛରେ ତାଙ୍କ ପାଖରେ ଖାଲି ଚା’ ଆଉ ବିଡ଼ି ଥିଲେ ସେ ଏକାକୀ ଅଫିସ ଗୋଟାକର କାମ ଚଳେଇ ଦେବେ । ତାଙ୍କର ନିତିଦିନିଆ ପୋଷାକ ହେଲା ଫୁଲପ୍ୟାଣ୍ଟ ଓ ପୁରା ହାଓ୍ୱାଇ । ଆଖିରେ ରୋଲୁଗୋଲୁଡ଼ଫ୍ରେମର ଚଷମା । ଇଆ ଛଡ଼ା ଅନ୍ୟ କୌଣସି ପୋଷାକରେ କେହି କେବେ ତାଙ୍କୁ ଦେଖି ନ ଥିବେ । ଅଫିସ୍‌ରେ ଓ ବାହାରଘାଟରେ । ନିମେଇଁବାବୁଙ୍କର ବଦ୍‌ଗୁଣ ହେଲା– ତାଙ୍କ କାମକୁ କେହି ଯେବେ ସମାଲୋଚନା କଲା ସେ ସହ୍ୟ କରିପାରନ୍ତିନି । ଫଁ କରି ଗର୍ଜି ଉଠନ୍ତି । ବଡ଼ ବଦ୍‌ରାଗୀ । କିନ୍ତୁ ସଦାବେଳେ ମଉଜମଜଲିସ୍‌ ପ୍ରିୟ । ସପ୍ତାହକେ ଥରେ ଅଧେ କିଛି ଗୋଟେ ଖିଆପିଆ ନ ହେଲେ ତାଙ୍କୁ ଭଲ ଲାଗେନି । କେହି କୁଆଡ଼େ ଏକାଠି ନ ହେଲେ ତାଙ୍କୁ ଭଲ ଲାଗେନି । କେହି କୁଆଡ଼େ ଏକାଠି ନ ହେଲେ ସେ ଅଫିସର ଦି’ ଚାରିଜଣଙ୍କୁ ଠିକ୍‌ କରି ଦେଇ ନିଜଘରେ ରୋଷେଇ ବସାନ୍ତି । ମାସକେ ଯେମିତି ହେଲେ ଥରେ ବାହାରକୁ ଯିବାର କଥା । ବଣଭୋଜି କିମ୍ବା ଅନ୍ୟକୌଣସି ଜାଗାର ହୋଟେଲ୍‌କୁ ଯାଇ ବୁଲି ନ ଆସିଲେ ତାଙ୍କୁ ଅରୁଚିକର ଲାଗେ । ସ୍ତ୍ରୀ ତାଙ୍କୁ ସଦାବେଳେ ସେଇଥିପାଇଁ କୁହନ୍ତି– ଉଡ଼ାବୁଡ଼ା । ତିନି ତିନିଟା ଛୁଆ । ପ୍ରୋଭିଡ଼େଣ୍ଟ ଫଣ୍ଡରେ କୋଡ଼ିଏଟା ଟଙ୍କା ମାସକୁ ମାସ ଜମେଇବା ଛଡ଼ା ଅନ୍ୟ କୌଣସି ସଞ୍ଚୟ ନାହିଁ । ସେଥିରୁ ପୁଣି ବର୍ଷେ ଦି’ବର୍ଷରେ ଥରେ ନିମେଇଁବାବୁ ଧାର ଆଣନ୍ତି । ବଡ଼ ମଉଜିଆ ଲୋକ-। ବଞ୍ଚିଥିଲାଯାଏଁ ଲୋକ ମଉଜମଜଲିସ୍‌ କରି କଟେଇ ଦେବା ଦରକାର । ସ୍ତ୍ରୀଙ୍କ ସହିତ ଏଇ ହେଲା ମତାନ୍ତରର କାରଣ । କୋଡ଼ିଏ ବର୍ଷ ହେଲା ଚାକିରୀ କଲେଣି ଅଥଚ ବେଳ ପଡ଼ିଲେ ଟଙ୍କା ଶହେଟା ବି ସେ ବାହାର କରିପାରିବେନି ।

 

ନିମେଇଁବାବୁଙ୍କ ଆଡ଼ିକି ଚାହିଁବାର ଅନ୍ୟ କାରଣ ଅଛି । କାହାର କିଛି ଅସୁବିଧା ହେଲା, କୋଉ ଅଫିସର ଦିନ ରାତି ଚପରାଶୀମାନଙ୍କୁ ନେଇ ଘର କାମରେ ଖଟେଇଲା, କାହାର ଚାକିରୀ ଉପରେ ଆଘାତ ଆସିଲା କାହାକୁ ନିର୍ଦ୍ଦୋଷରେ ଦଣ୍ଡ ଦିଆଗଲା, ଆପତ୍ତି ଅଭିଯୋଗ ଅଛି କାହାପାଇଁ ବାଗେଇ ଚୁନେଇ ଦରଖାସ୍ତ ଲେଖିଦବାକୁ ପଡ଼ିବ, କିଛି ହେଲେ ପାଖରେ ନାହିଁ ଟଙ୍କାର ବନ୍ଦୋବସ୍ତ କରିବା ଆଦି ହରେକ୍‌ ରକମର କାମ ତାଙ୍କ ପାଖରେ ଆସି ଜମା ହୁଏ । ଅଫିସ୍‌ ସମୟ ଭିତରେ କାହାରି କଥା ସେ ଶୁଣନ୍ତିନି ପାଞ୍ଚ ବାଜିଲା ତ ଅଫିସ୍‌ ଛାଡ଼ିଲେ । ସେମିତି ଜରୁରୀ କାମ ଥିଲେ ଅଲଗା କଥା । ସେଇଥିପାଇଁ ସକାଳେ ସଞ୍ଜେ ନିମେଇଁବାବୁଙ୍କ କ୍ୱାଟରରେ ଲୋକ ଭିଡ଼ । ଯେ କେହି ଗଲେ ଚା’ କପେ କି ପାନ ସିଗାରେଟ୍‌ ନ ଖାଇ ଫେରନ୍ତିନି । ଲୋକ ଗୁଣରେ ତାଙ୍କର ଭୂରି ଭୂରି ପ୍ରଶଂସା । ତଳ ମହଲରୁ ଉପର ମହଲ ଯାଏ ସମସ୍ତେ ନିମେଇଁବାବୁଙ୍କ କଥା ଊଣା ଅଧିକ ଜାଣନ୍ତି । ତେଣୁ ଅଫିସରେ ତାଙ୍କର ବିପୁଳ ପ୍ରତିପ୍ରତ୍ତି । ସୁର ନିମେଇଁବାବୁଙ୍କ ଆଡ଼ିକି ଚାହିଁ ଜଣେଇ ଦେଉଥିଲା– ତା’ର କିଛି କହିବାର ଅଛି ।

 

ନିମେଇଁବାବୁଙ୍କ ପଛକୁ କରି ବସନ୍ତି ସେନଗୁପ୍ତ ବାବୁ । ସିଝିଲା ମୁହଁ ଅଥଚ ଚିକ୍‌କଣ ଭାବରେ ଖିଅର ହୋଇଥାଆନ୍ତି । ବାଳ ଗୁଡ଼ିକ ମୁଣ୍ଡ ପଛକୁ ଛଟା । ତାଙ୍କର ପୋଷାକ ପତ୍ର ହେଲା କଳା ବର୍ଡ଼ର ଦିଆ ସୁପରଫାଇନ୍‌ ଧୋତି ଆଉ ଚୁଡ଼ିଦାର ପଞ୍ଜାବୀ । ଏହା ଭିନ୍ନ ଅନ୍ୟ କୌଣସି ପୋଷାକରେ କେହି କେବେ ତାଙ୍କୁ ଦେଖି ନ ଥିବେ । ଲୁଗା ଖୋଲିଦେଲେ ହାଡ଼ ଯାକ ତାଙ୍କର ଗଣି ହେଇଯାଏ । ହାଡ଼ୁଆ ମୁହଁ ମେଢ଼ା ଚେହେରାକୁ ପୋଷାକ ଭିତରେ ସେ ଘୋଡ଼େଇ ରଖି ଥାଆନ୍ତି । ଦଶବର୍ଷ ହେଲା ସେ ଚାକିରୀ କଲେଣି । ଏଇ ପାଣି ପବନରେ ବଢ଼ୁଛନ୍ତି । ଘର ତାଙ୍କର କଟକ ସହରରେ । କିନ୍ତୁ ବଙ୍ଗଳା ଛଡ଼ା ଓଡ଼ିଆ ସେ କେବେ ହେଲେ କହନ୍ତିନି । ବଙ୍ଗଳା ନୋହିଲେ ଇଂଲିଶ୍‌ । ହିନ୍ଦୀକୁ ତ ସେ ଗୋଟିଏ ଭାଷା ବୋଲି ସ୍ୱୀକାର କରନ୍ତିନି । କହନ୍ତି– ସେଥିରେ ଭଲ ଭଲ ଲେଖା କାହିଁ ? ଲେଖକ କାହାନ୍ତି ? ତୁଣ୍ଡେ ତୁଣ୍ଡେ ତାଙ୍କର ରବୀନ୍ଦ୍ରନାଥଙ୍କ କବିତା । ଗଲା ଆଇଲାବେଳେ ଯେମିତି ହେଲେ ଖଣ୍ଡେ ବଙ୍ଗଳା ଉପନ୍ୟାସ ତାଙ୍କ ହାତରେ ଥାଏ । ଅଧିକାଂଶ ବହି ଓ ଲେଖକଙ୍କର ନାଁ ତାଙ୍କର ମନେ ଅଛି ଅଥଚ କୌଣସି ଗୋଟିଏ କଥାବସ୍ତୁ ନେଇ ପ୍ରଶ୍ନ କରିଦେଲେ ସେ ଇଆଡ଼ୁ ସିଆଡ଼ୁ ଗୁଡ଼ାଏ କେବଳ ଗଫ କରନ୍ତି । ଅସଲ ପ୍ରଶ୍ନଟାକୁ ସେ ଆଡ଼େଇ ଦିଅନ୍ତି । ଅଫିସ୍‌ କାମରେ ବି ଠିକ୍‌ ସେମିତି । ସେନଗୁପ୍ତ ବାବୁ ଜଣେ ମାତ୍ର ଲୋକ ଯେ କି ଅଫିସକୁ ଆସି ଫେରିଲା ଯାଏ କେବଳ ଦି’ ତିନିଥର ଚଉକି ଛାଡ଼ନ୍ତି । ସଦାବେଳେ ସେ ଚଉକି ଉପରେ । ଅସୀମ ତାଙ୍କର ଧୈର୍ଯ୍ୟ । ସଦାବେଳେ ଫାଇଲ୍‌ ଉପରେ ଆଖି । କିଛି ନା କିଛି ଲେଖୁଥିବେ ନୋହିଲେ ପଢ଼ୁଥିବେ । କିନ୍ତୁ ଏଇଟା ଗୋଟେ ଧରାବନ୍ଧା କଥା ଯେ ଅନ୍ୟମାନେ ଯେଉଁ କାମକୁ ଘଣ୍ଟାକରେ ସାରିଦେବେ ସେନଗୁପ୍ତଙ୍କୁ ସେ ଲାଗେ ବଜରା ଯୋଡ଼ିଏ ଦିନ । କୌଣସି କାମକୁ ଅଧାପନ୍ତରିଆ ଭାବରେ ନ କରିବା ହେଲା ତାଙ୍କରି ଯୁକ୍ତି । ସମସ୍ତଙ୍କ ସାଙ୍ଗେ ମିଳାମିଶା କରନ୍ତି । ଅଭାବ ଅସୁବିଧା ହେଲେ ଧାର ଉଧାର ନିଅନ୍ତି । କିନ୍ତୁ ତାଙ୍କ ଚାଲିଚଳଣ ଓ କଥାବାର୍ତ୍ତାରୁ ଜଣାପଡ଼େ– ସେ ଅବା ଜଣେ ଉଚ୍ଚସ୍ତରର ଲୋକ । ନିଜର ବଡ଼ପଣିଆକୁ ସଦାବେଳେ ଅନ୍ୟମାନଙ୍କ ଉପରେ ଚପେଇଦବାକୁ ସେ ବ୍ୟସ୍ତ । ଅଥଚ କୌଣସି ଗୋଟିଏ ଗୁଣରେ ଅନ୍ୟମାନଙ୍କ ତୁଳନାରେ ବଡ଼ ନୁହଁନ୍ତି । ତାଙ୍କ ଉପରେ ଅଫିସ୍‌ରେ ସମସ୍ତେ ଚିଡ଼ିଚିଡ଼ି । କିନ୍ତୁ ତାଙ୍କର ଗୋଟିଏ ସ୍ୱଭାବ ହେଲା – ସେ କଥା କହି ଅନ୍ୟକୁ ବଶ କରି ଜାଣନ୍ତି । ବଡ଼ବଡ଼ିଆଙ୍କୁ ଖୁସାମତ୍‌ କରି, କାହା କାହା କାମଦାମକୁ ତାରିଫ୍‌ କରି, ଇଆ ନାଁ ତା ନାଁରେ ସତ ମିଛ କହି, କିଛି ନ ହେଲେ କେଇଜଣଙ୍କୁ ଘରେ କପେ ଚା’ରେ ନିମନ୍ତ୍ରଣ କରି ମନେଇ ନେଇ ପାରନ୍ତି । ଦରମା ଏଯାଏ ଚାରି ଶ’ରୁ ଟପିନି । କିନ୍ତୁ ସଞ୍ଜହେଲେ ସେନଗୁପ୍ତ ବାବୁ ତାଙ୍କ ପିଲାପିଲିଙ୍କି ନେଇ କ୍ୟାପିଟାଲ ରାସ୍ତାରେ ପଦଚାରଣ କରୁଥାଆନ୍ତି, ସେତେବେଳେ ତାଙ୍କର ଦରମା କଥାଟା ଆମକୁ ଭୁଲିଯିବାକୁ ପଡ଼େ । ତାଙ୍କ ସ୍ତ୍ରୀଙ୍କର ଗୋଟିଏ ଗୋଟିଏ ଶାଢ଼ୀର ଦାମ ଟଙ୍କା ଶହେରୁ କମ୍‌ ହେବନି-। ତା’ ଛଡ଼ା ଦିହସାରା ସୁନା ଅଳଙ୍କାରରେ ଭରା । ସବୁଆଡ଼େ କହି ବୁଲନ୍ତି– ତାଙ୍କର ଜମିବାରୀ ଚାଲିଯିବାରୁ ସେ କେବଳ ଚାକିରୀରେ ଆଶ୍ରୟ ନେଇଛନ୍ତି । ଦଶ ପନ୍ଦର ଜଣ ଲୋକଙ୍କୁ ଚାକିରୀ ଦେବାକୁ ଆଗ ତାଙ୍କର କ୍ଷମତା ଥିଲା । ତଥାପି ସେ ସବୁ ଏଯାଏ ଯାଇନି । କିନ୍ତୁ ସେନଗୁପ୍ତ ବାବୁ ଥିବା ଭଙ୍ଗା ଦଦରା ଏକମହଲା ଦି’ ତିନୋଟି ବଖରା ଯେ ଥରେ ଦେଖିଚି ସେ ଅତି ସହଜରେ ଧାରଣା କରି ନେବ ଯେ ଏ ସବୁ ସୁନା ଅଳଙ୍କାର ଓ ପୋଷାକ ପରିଚ୍ଛଦ ଚାକିରୀରୁ ସମ୍ଭବ ନୁହେଁ କି ତାଙ୍କର ଭଙ୍ଗା କଟକ ଘରୁ ଏ ସବୁର ଜନ୍ମ ନୁହେଁ ।

 

ସୁର ବର୍ଷେ ହେଲା ଏଠି ଚାକିରୀ କଲାଣି କେତେକଟା ମାମୁଲି ଧରଣର ଅଫିସ୍‌ କାମ ଛଡ଼ା ଯୋଉ ଯୋଉ କେସ୍‌ରେ ଜଟିଳ ସମସ୍ୟା ସବୁ ଅଛି କିମ୍ବା ଯୋଉଥିରେ ନିଜର ସ୍ୱାଧୀନ ମତାମତ ଦେବାକୁ ପଡ଼େ ସେ ସବୁ ଏଯାଏ ସେ ହାସଲ କରିପାରିନି । ତାକୁ ବି ସୁଯୋଗ ଦିଆଯାଇନି । ଲୋଅର ଡିଭିଜନରୁ ପ୍ରମୋଶନ ପାଇଲେ ଯାଇ ସେ ସବୁ କଥା । କିନ୍ତୁ ଅଫିସ୍‌ର ଅନ୍ଦିକନ୍ଦି, ସାଙ୍ଗ ହୋଇ କାମ କରୁଥିବା ଲୋକଙ୍କର ଆଚାର ବ୍ୟବହାର, ଉପରିସ୍ଥ ଲୋକଙ୍କର ହାକିମୀ, ତଳିଆ ମାନଙ୍କର ଲାଙ୍ଗୁଡ଼ଜକା ପଳାୟନ, ଭିନ୍ନ ଭିନ୍ନ ଫନ୍ଦିରେ ଅଫିସ୍‌ରମାନଙ୍କୁ ଖୁସି କରିବା ଓ ନିଜ ନିଜର ଦାନାକନା ପାଇଁ ବିଭିନ୍ନ ଅବତାର ନେଇ ଅଫିସରେ ଦେଖାଦେବା, କାମଦାମ ନକରି କାମିକା ବୋଲି ଦେଖେଇ ହେବା ଆଦି ନାନା ରକମର କଳା ନେଇ ଲୋକେ ଯେପରି ରଙ୍ଗ ବଦଳେଇ ସେଠି ଅବତୀର୍ଣ୍ଣ ହୁଅନ୍ତି ସେ ସବୁ ଦେଖିବାକୁ ସୁରର ଆଉ ବାକୀ ନାହିଁ । ସେ ଭଲ ଭାବରେ ଜାଣି ସାରିଲଣି ଯେ– ଖାଲି କାମ କରିବା ଅଫିସ୍‌ରେ ଏକମାତ୍ର କର୍ତ୍ତବ୍ୟ ନୁହେଁ-। ଜୀବନରେ ଉନ୍ନତି କରିବାକୁ ଗଲେ କେତେ କେତେ ଉପାୟ ଅବଲମ୍ବନ କରିବାକୁ ପଡ଼ିବ-। ଲକ୍ଷ୍ୟ ହେଲା ଗୋଟିଏ । ତାକୁ ହାସଲ କରିବାପାଇଁ ଚାରିଆଡ଼ୁ ରାସ୍ତା ପଡ଼ିଛି । ଯିଏ ଯୋଉ ବାଟରେ ଯାଇପାରିଲା ।

 

କାମରେ ମନ ଦେଲାବେଳେ ସୁର ଅନେଇଲା ପଦବାବୁଙ୍କ ଆଡ଼େ । ସମସ୍ତେ ତାଙ୍କୁ ଭାଇନା ବୋଲି ଡାକନ୍ତି । କେବଳ ତାଙ୍କ ସେକ୍‌ସନରେ ନୁହଁନ୍ତି ଅଫିସ୍‌ ସାରା ସମସ୍ତଙ୍କର ସେ ହେଲେ ପଦିଆ ଭାଇନା । ଓସାରିଆ କପାଳରେ ତିନିଧାର ଭସ୍ମ ଉପରେ ଚନ୍ଦନର ଗୋଟିଏ ଟୋପି ଚିତ୍ରିତ କରି ସେ ସବୁଦିନ ଅଫିସ୍‌ ଆସନ୍ତି । ବେଶବାସ ତାଙ୍କର ନିହାତି ସାଧାସିଧା । କାହା ସାଙ୍ଗେ କଳିଗୋଳର ଦେଖା ନାହିଁ । ମୁଣ୍ଡ ପୋତି ପୋତି ସବୁ କାମ କରିଯାଆନ୍ତି । କେବେ କେବେ କୌଣସି ଗୋଟିଏ ବିଷୟରେ ଅଳପ ଆଲୋଚନା ହେଲେ ଭାଇନାଙ୍କର କଥା କଥାକେ ସଂସ୍କୃତ ଶ୍ଳୋକ । ଆଲୋଚନା ସହିତ ତାର ସମ୍ବନ୍ଧ ଥାଉ ଅବା ନ ଥାଉ ଦି’ତିନି ପୁଞ୍ଜା ସଂସ୍କୃତ ଶ୍ଳୋକ ତୁଣ୍ଡେ ତୁଣ୍ଡେ ଗାଇ ନ ଗଲେ ତାଙ୍କୁ ଭଲ ଲାଗେନି । ଅନ୍ୟର ଯୁକ୍ତିତର୍କ ଉପରେ ତାଙ୍କର ନଜର ନଥାଏ । ସଂସ୍କୃତ ଶ୍ଳୋକର ବନ୍ୟା ଭିତରେ ସମସ୍ତଙ୍କୁ ସେ ବୁଡ଼େଇ ପକାନ୍ତି ଓ ତା’ରି ଭିତରୁ ଫୁଟି ଉଠେ ତାଙ୍କର ପାଣ୍ଡିତ୍ୟ ଓ ଅନ୍ୟମାନଙ୍କ ଆଳାପ ଆଲୋଚନା ଆପେ ଆପେ ଅସାର ଜଣାପଡ଼େ । ପଦବାବୁଙ୍କୁ ଅଳ୍ପେ ବହୁତେ ଜ୍ୟୋତିଷ ଜଣା ଓ ହାତ ଦେଖି ସେ ଭବିଷ୍ୟତ କହିପାରନ୍ତି । ଅଫିସରେ ଦଶ ପନ୍ଦର ଲୋକଙ୍କର ଜାତକପତ୍ର ଆଦି ତାଙ୍କ ପାଖରେ ପଡ଼ିଥାଏ । କାହାର ଫାଇଲ ହଜି ଯାଇଛି ମିଳୁନି, କିଏ ଡିପାର୍ଟମେଣ୍ଟାଲ ପରୀକ୍ଷା ଦେଇଛି ପାଶ୍‌ କରିବ କି ନାହିଁ, କାହାର ପ୍ରମୋଶନ୍‌ ହେବ କି ନାହିଁ ଓ ନାନା ରକମର ଘରୋଇ ପ୍ରଶ୍ନର ସମାଧାନ କରିବା ତାଙ୍କର ଆଉ ଗୋଟିଏ କାମ । ଉଚ୍ଚପଦସ୍ଥ ଅଫିସର ମାନେବି ତାଙ୍କୁ ଅଫିସ ରୁମ୍‌ ଭିତରକୁ ଡାକି ନେଇ କେତେ ପ୍ରଶ୍ନ କରନ୍ତି । ଅଫିସ୍‌ରେ ସମସ୍ତଙ୍କର ଧାରଣା ଯେ– ପଦବାବୁ କେବେ ମିଛ କହନ୍ତି ନାହିଁ । ସାଧାରଣ ଜ୍ୟୋତିଷଙ୍କ ଭଳି ସେ ଧପାବାଜ ନୁହନ୍ତି । ସେ ବିଷୟରେ ତାଙ୍କର ପଢ଼ାପଢ଼ି ଅଛି । ଅଫିସ୍‌ କାମ ସାଙ୍ଗକୁ ଜାତକ ଗଣନା ତାଙ୍କର ଗୋଟିଏ ଅଲଗା କାମ । ମନ୍ଦ କାମ କରନ୍ତିନି କିନ୍ତୁ ଜଣେ ଦକ୍ଷ କିରାନୀ ଭାବରେ ତାଙ୍କୁ ନିଆଯାଇ ପାରିବନି । ପଦବାବୁଙ୍କର ପ୍ରମୋଶନ କିନ୍ତୁ ଅନ୍ୟମାନଙ୍କ ଅପେକ୍ଷା ସର୍ବପ୍ରଥମ ହୁଏ । ଅଫିସ୍‌ର ଅନେକ ଲୋକଙ୍କୁ ଟପି ସେ ପ୍ରମୋଶନ ପାଇଛନ୍ତି । କେବଳ ତାଙ୍କର ସଂସ୍କୃତ ଶ୍ଳୋକର ଆବୃତ୍ତି ଆଉ ଜ୍ୟୋତିଷ ଗଣନା ଯୋଗୁ ।

 

ନାରାୟଣ ସ୍ୱାମୀ ସେମିତି ଆଉ ଗୋଟିଏ ଧରଣର ଲୋକ । ଘର ତା’ର ଆନ୍ଧ୍ରର ଚିକାକୋଲ୍‌ ଜିଲ୍ଲା । ଅଫିସ୍‌ରେ କାମ କରିବାର ଚାରି ପାଞ୍ଚବର୍ଷ ଆସି ହୋଇଗଲାଣି । ଅଫିସ୍‌ ଆସିଲାଠୁ ଗଲାଯାଏ ସବୁବେଳେ ସେ ଚେହେଁକା । ଏପଟ ସେପଟ ଧାଁ ଧପଡ଼ କରୁଥିବ । କାମ ଦାମରେ ଭାରି ଚଞ୍ଚଳ । ଖାଲିରେ ବସି ରହିଥିବାର କେହି କେବେ ତାକୁ ଦେଖିନି । କୌଣସି ଗୋଟିଏ କାମ ସେ ପକେଇ ରଖେନି । ଯୋଉ ଦିନର କାମ ସେଇ ଦିନ ସାରିବା ତା’ର ଗୋଟିଏ ଭଲ ଗୁଣ । ସଦାବେଳେ ଟିପ୍‌ଟାପ୍‌ ଉପରେ ଥାଏ । ପ୍ୟାଣ୍ଟ ସାର୍ଟ ତା’ର ସବୁ ସମୟରେ ଇସ୍ତ୍ରୀ ଦିଆ । ବେଶି ଦାମ୍‌ର ପୋଷାକ ପତ୍ର ନୁହେଁ । ଅତି ବେଶି ହେଲେ ତିନି ଚାରିହଳ ପୋଷାକ ଥିବ । କିନ୍ତୁ ସେ ସବୁକୁ ନାରାୟଣ ସ୍ୱାମୀ ଭଲ ଭାବରେ ରଖି ଜାଣେ । ସେ ବଦ୍‌ଖର୍ଚ୍ଚୀ ନୁହେ । ସେକ୍‌ସନରେ ସବୁଠୁ ତା’ର ବେଶୀ ପ୍ରୋଭିଡ଼େଣ୍ଟ ଫଣ୍ଡ୍‌ । ବେଶି ଟଙ୍କାର ଲାଇଫ୍‌ ଇନସୁରାନ୍‌ସ । କେବେହେଲେ ସେ କାହାକୁ ଧାର ମାଗେ ନାହିଁ କି ମାଗିଲେ ଦିଏ ନାହିଁ । କାମ ଭଲ ତ ସିଏ ଭଲ-। ଅଫିସ୍‌ ସମୟ ଭିତରେ ଦି’ କପ୍‌ ଚା’ ଖାଇବା ଅପେକ୍ଷା ଅନ୍ୟ କିଛି ବଦ୍‌ଖର୍ଚ୍ଚ ତା’ର ନାହିଁ ବୋଲି କହିଲେ ଚଳେ । ବେଳେବେଳେ ସିଗାରେଟ୍‌ ଫୁଙ୍କେ । ନିଜେ କିଣିକିରି ନୁହେଁ । ଅନ୍ୟ କିଏ ଦେଲେ-। ସମସ୍ତଙ୍କ କ୍ୱାଟର ଅପେକ୍ଷା ନାରାୟଣ ସ୍ୱାମୀର କ୍ୱାଟରଟି ସବୁଠୁ ବେଶି ସଫାସୁତୁରା । ନାଲି ମାଟିରେ ଲିପା ହୋଇ ଦୁଆରେ ମୁରୁଜ ପଡ଼ିଥିବ । ସାମ୍ନାକୁ ହରେକ୍‌ ରକମର ଫସଲ । ପରିବା କିଣା ପଡ଼େନି । ତା’ ସାଙ୍ଗକୁ ଚାଉଳ ତେନ୍ତୁଳି ହେଲେ ଅନ୍ୟ କିଛି ପ୍ରୟୋଜନ ନାହିଁ । ସମସ୍ତଙ୍କ ସାଙ୍ଗେ ହସି ହସି କଥାବାର୍ତ୍ତା କରେ କିନ୍ତୁ କାହା ସାଙ୍ଗରେ ସେ ଘନିଷ୍ଠ ଭାବରେ ସଂପୃକ୍ତ ନୁହେଁ । ବର୍ଣ୍ଣ ଚିକ୍‌କଣକଳା, କୁଞ୍ଚୁକୁଞ୍ଚିଆ ବାଳ, ନାକ ତଳକୁ ପ୍ରଜାପତିଆ ନିଶ, ବେଶ୍‌ ସୁସ୍ଥସବଳ, ଭଳି, ଫୁଟ୍‌ବଲ୍‌ ଓ ବ୍ୟାଡ଼୍‌ମିଣ୍ଟନ ଆଦିରେ ପାରଦର୍ଶିତା ଅଛି । ନାରାୟଣ ସ୍ୱାମୀର ଗୋଟିଏ ବିଶେଷ ଗୁଣ ହେଲା ସେ ଯେତିକି କାମ କରେ ତା’ ସମ୍ବନ୍ଧରେ ଭଲ ଧାରଣା ଉପରିସ୍ଥ ହାକିମ ମାନଙ୍କଠୁ ସାବ୍ୟସ୍ତ କରେଇ ନିଏ । ଅଫିସ୍‌ରେ ସବୁ ଲୋକଙ୍କର ଧାରଣା ନାରାୟଣ ସ୍ୱାମୀର ଭବିଷ୍ୟତ ଚାକିରୀ ଉଜ୍ଜ୍ୱଳମୟ । ଦିନେନା ଦିନେ କିରାନୀରୁ ଉଠି ଉଠି ସେ ବଡ଼ ଅଫିସର ହେବ ।

 

ତା ସାଙ୍ଗକୁ ଚପରାଶୀ ହରିଆ ବୁଢ଼ା ଅଶୀ ହେଲାଣି । ମୁହଁରେ ରୂଢ଼ ଭର୍ତ୍ତି । ସକାଳୁ ଗାଧୋଇ ସାରିଲାପରେ ରାତି ଦଶଟାଯାଏ ତାର ଚାଲିଥାଏ ଘମାଘୋଟ କାମ । ମୋଟା ଖଦଡ଼ ପୋଷାକ ହଳକ ଦିହରୁ ତାର କେବେହେଲେ ବାହାରେନି । ଚମଡ଼ା ଭଳି ଲାଗି ରହିଥାଏ । ସେଇ ହେଲା ହରିଆ ବୁଢ଼ାର ଇଜ୍ଜତ । ପୋଷାକ ପିନ୍ଧି ଯେ କୌଣସି ହାକିମ ହୁକୁମାଙ୍କ ପାଖକୁ ଯାଇପାରେ । ସକାଳୁ ଚା କପେ ଖାଇଦେଇ ଆଗ ସେ ଚାଲିଯାଏ ଅଫିସରଙ୍କ ବଙ୍ଗଳା ଆଡ଼େ । ପିଲା ଧରିବା, ସେମାନଙ୍କୁ ବୁଲେଇ ନେବା, ବଜାରରୁ ସଉଦା ଆଣିବା, ନାନା ବୋଲହାକ ଆଦି ସାରିଦେଇ ସେ ଘରକୁ ଫେରେ ଓ କାନ ନାକରେ ଦି’ ଗୁଣ୍ଡା ପୂରେଇ ଦେଇ ଅଫିସ୍‌ରେ ଯାଇ ଅଧିଆ ପଡ଼େ । ବାବୁମାନଙ୍କୁ ପାଣିପାନ ଯୋଗେଇବା, ଚା’ ଜଳଖିଆ ଆଣିଦେବା, ଅଫିସ୍‌ରଙ୍କ ଘରକୁ ଯା’ ଆସ କରିବା, ଫାଇଲ୍‌ ବୋହିବା, ପୋଷ୍ଟାଫିସ୍‌ ଯିବା ଆଦି ହରିଆର ଏ ନିତି ଦିନିଆ କାମ । ଏ ସବୁ କାମ ନିଃସଙ୍କୋଚରେ ସେ କରିଯାଏ । ଏଇଥିପାଇଁ ତ ଚପରାଶୀ ଗୋଷ୍ଠିର ସୃଷ୍ଟି । ହରିଆ ଏତେ ବାବୁ ଭୟାଙ୍କର ବୋଲହାକ କରେ କିନ୍ତୁ କେହି ହେଲେ ତା’ର ମନ କଥା ବୁଝିବାକୁ ଚେଷ୍ଟା କରନ୍ତିନି । ଘରେ ତା’ର ପାଞ୍ଚପ୍ରାଣୀ କୁଟୁମ୍ବ । ଦି’ଶହ ବୋଲି ଦରମା । କ୍ୱାଟର ଖଣ୍ଡିଏ ମିଳିଛି ବୋଲି ରକ୍ଷା ହୋଇଛି । ବଡ଼ ପୁଅଟି ତାର ଏଇବର୍ଷ ମାଇନର ପାଶ୍‌ କଲା । ବୁଢ଼ାର ଇଚ୍ଛା ପୁଅକୁ ମାଟ୍ରିକ୍‌ ଖଣ୍ଡକ ପଢ଼େଇ ଦେଲେ କୋଉଠି କିରାନୀ କାମ କରନ୍ତା । କିନ୍ତୁ ସୁବିଧା ହେଉଛି କୁଆଡ଼ୁ ! ତା’ ତଳକୁ ଦି’ଟି ସାନ ସାନ ଛୁଆ । ମହରଗିଆ କାଳରେ ସେମାନଙ୍କୁ ମଣିଷ କରି ଗଢ଼ିବା କାଠିକର ପାଠ । ହରିଆ ବୁଢ଼ା ଅନେକଦିନ ହେଲା ଭାବିଲାଣି– ଗୋଟିଏ ଗାଇ ରଖିବ । ତା’ ଭଳି ଆଉ କେତେଜଣ ଚପରାଶୀ ଗାଇ ରଖି, କୁକୁଡ଼ା ପାଳି, ନାନା ଶାକସବାଜି କରି ଓ ନାନା ଉପାୟ ସୁରୁଖୁରୁରେ ଚଳୁଛନ୍ତି । ହରିଆ ବୁଢ଼ା ହେଲେ ବି ସେମାନଙ୍କ ଭଳି କରିପାରନ୍ତା । କିନ୍ତୁ ତାକୁ ସମୟ ନାହିଁ ? ଗାଇ କିଣିବାକୁ ହାତରେ ଟଙ୍କା କାହିଁ ? କ୍ୟାପିଟାଲ୍‌ରେ ପାଞ୍ଚ ପାଞ୍ଚ ଜଣଙ୍କୁ ଚଳେଇବାକୁ ସମ୍ବଳ କାହିଁ ? ତା’ର କିଛି ହେଲେ ନାହିଁ ।

 

ଏଇ ସେକ୍‌ସନର ମିଃ ମହାନ୍ତି ବଡ଼ବାବୁ, ନିମେଇଁବାବୁ, ରବିବାବୁ, ବାସୁବାବୁ ସେନଗୁପ୍ତବାବୁ, ପଦବାବୁ, ନାରାୟଣ ସ୍ୱାମୀ, ଶଇଳ ଓ ହରିଆ ଚପରାଶୀ ସାଙ୍ଗକୁ ଆଉ କେତେଜଣ ସୁର ଭଳି ଏଠି ମୁଣ୍ଡ ଗୁଞ୍ଜିଛନ୍ତି । କାହାର ବର୍ଷେ ଦିବର୍ଷ ଚାକିରୀ ହେଲାଣି ତ କିଏ ଚାରି, ଛ’ମାସ ହେଲା ଏଠି ଆଶ୍ରା ନେଇଛନ୍ତି–କୃଷ୍ଣବାବୁ, ପାଢ଼ୀବାବୁ, ରଘୁବାବୁ, ମୁଖାର୍ଜୀ ବାବୁ, ରାମାରାଓ ଓ ଭେଙ୍କଟ ଚଲ୍‌ପତି । ସୁରର ଆଖି ଆଗରେ ଜଣେ ଦି’ଜଣ ଚାକିରୀରୁ ଇସ୍ତଫା ଦେଇ ଚାଲିଗଲେଣି । ବଡ଼ ଚାକିରୀ ଉଦ୍ଦେଶ୍ୟରେ । ସେକ୍‌ସନର ଗଦା ଗଦା ଫାଇଲ୍‌, ଟେବୁଲ, ଚଉକି, ହ୍ୱାଟ୍‌ନଟ୍‌, ର‍୍ୟାକ୍‌, ପଙ୍ଖା, ବିଜୁଳିବତୀ ଆଦି ସାଙ୍ଗେ ସୁରର ପରିଚୟ ଆସ୍ତେ ଆସ୍ତେ ଜମି ଆସୁଛି । କିନ୍ତୁ ବାସୁବାବୁଙ୍କ ଭଳି ଦିନେ ଅଫିସ୍‌ ନ ଆସିଲେ ସେ ଅସୁସ୍ଥ ବୋଧ କରେନି । ନିଜ କାମତକ ସାରିଦେଇ କେମିତି ସେଠୁ ବାହାରିଗଲେ ତାକୁ ଭାରି ହାଲ୍‌କା ଲାଗେ । ପଞ୍ଜୁରୀ ଭିତରୁ ପକ୍ଷୀଟିଏ ମୁକ୍ତ ଆକାଶକୁ ଉଡ଼ିଗଲା ଭଳି ।

 

ସୁର ସେଦିନ ନିଜର ଫାଇଲପତ୍ର ଆଦିରେ ମନଦେଇ କାମରେ ଲାଗିଗଲା । ତା’ଭଳି ଆଉ ସଭିଏଁ ମୁଣ୍ଡ ପୋତି ନିଜ ନିଜର କାମ କରିବାରେ ଲାଗିଛନ୍ତି । ଶଇଳ ବି କାମ କରି ଚାଲିଛି । ତା’ ସାଙ୍ଗେ ସାଙ୍ଗେ ଘୂରି ଲାଗିଛି–ସେକ୍‌ସନ ଭିତରେ ଝୁଲା ପଙ୍ଖା ଦିଇଟି । ଘର ଭିତରେ ନୀରବତାକୁ ଭାଙ୍ଗି ଘଣ୍ଟାଟା ଟିକ୍‌ ଟିକ୍‌ କରୁଛି । ସୁର ମନେ ମନେ ଭାବୁଥିଲା– ଏଇ ଚାରିକାନ୍ଥ ଭିତରେ ତାକୁ ତିରିଶ ପଞ୍ଚତିରିଶି ବର୍ଷ କଟେଇ ଦବାକୁ ପଡ଼ିବ । ଏଇ ତା’ର ଜୀବନ ଓ ଅଫିସ୍‌ କାମ ତାର’ ହେବ ଭାତ ହାଣ୍ଡି । ତା ସାଙ୍ଗକୁ ଆଖି ପାଉ ନଥିବା ଭବିଷ୍ୟତ–

 

କାମ କରି ଯାଉଥିଲାବେଳେ ସୁରର ଆଖି ଦିଇଟି ଯନ୍ତ୍ରଚାଳିତ ଭଳି ଚିଠିପତ୍ର ଆଦି ପଢ଼ି ଯାଉଥିଲା । ମନର ଆଖି ଆଗରେ ନାଚି ନାଚି ଉଡ଼ି ଯାଉଥିଲା– କେତେ କେତେ କଳ୍ପନା– ତା’ ଜୀବନର ଶତ ଶତ ସବୁଜ ସ୍ୱପ୍ନ । କଅଁଳିଆ ଫୁଲର ପାଖୁଡ଼ା ଗୁଡ଼ିକ ନିଆଁ ବାଜିଲେ ଯେମିତି କଳା ପଡ଼ି ଛିଣ୍ଡି ଉଡ଼ି ଯାଇଥାଏ ଓ ପାଉଁଶ ହେଇଯାଇ ଫୁଲ ତାର ସତ୍ତା ହଜେଇ ବସେ, ଠିକ୍‌ ସେହିପରି ସୁରର ଭବିଷ୍ୟତ ଆଶା ଭରସା, ତାର ଲକ୍ଷ୍ୟ, ଜୀବନକୁ ସରସ ସୁନ୍ଦର କରିବାପାଇଁ ଶତ ଶତ ପ୍ରଚେଷ୍ଟା, ଛାତ୍ର ଜୀବନର ସୁନେଲି ସ୍ୱପ୍ନ ଆଦି ଗୋଟି ଗୋଟି ହୋଇ ମନ ଭିତରୁ ତାର ଝଡ଼ିପଡ଼ୁଥିଲା । ଦିନେ ସେ ଭାବି ନେଇଥିଲା – ପାଠ ପଢ଼ି ସାରିଲାପରେ ସେ ମୋଟା ଦରମା ମିଳିଲା ଭଳି ଚାକିରୀ ଖଣ୍ଡିଏ ବାଛିନେବ । ଲୋକଙ୍କ ଭିତରେ ଜଣେ ବୋଲି ଗଣତି ହେବ । ବନେଇବ ଖଣ୍ଡିଏ ସିମେଣ୍ଟ ରଙ୍ଗର କୋଠା । ବମ୍ବେ ପାଟର୍ଣ୍ଣର । ଘର ଆଗରେ ଫୁଲ ବଗିଚା । ତା ସାଙ୍ଗକୁ କାର୍‌, ରେଡ଼ିଓ, ବ୍ୟାଙ୍କ ବାଲାନ୍‌ସ, କ୍ଷମତା ଓ ତାର ଭବିଷ୍ୟତ ଜୀବନର ସାଥି । ଗୋଟିଏ ଅରୁଆ ଚାଉଳରେ ଗଢ଼ା ତାର ସ୍ତ୍ରୀ । ଯେପରି ଅବା ପରୀଟିଏ–

 

ଚାହିଁଦେଲା ବେଳକୁ ଶଇଳ କାମ କରି ଚାଲିଛି । ତା କ୍ୱାଟରକୁ ଗଲାବେଳେ ସେ ନାନା ଆଡ଼ୁ ନାନା କଥା କୁହେ । ମିଛଟାରେ ଖାଲି ଦାଣ୍ଡଦୁଆରୁ ଘର ଭିତର ଯାଏ ଦଉଡ଼ାଦଉଡ଼ି କରେ । ଶଇଳଟା ଭାରି ଗଫୁଡ଼ି । ଚା’ କରୁଥିଲାବେଳେ ରୋଷେଇ ଘରୁ ପାଟି କରୁଥାଏ–ସୁରବାବୁ ବସନ୍ତୁ, ବସନ୍ତୁ । ଏକୁଟିଆ ଲାଗୁଥିଲେ ଭିତରକୁ ଆସନ୍ତୁ । କ୍ୱାଟରରେ ଥାଏ ତାର ସେଇ ବୁଢ଼ୀ ଚାକିରାଣୀଟି । ତାକୁ କିଛି କରିବାକୁ ଦିଏନି । ଚା ଜଳଖିଆ କରି ପକାଏ ହାତେ ହାତେ । ସୁର ଲକ୍ଷ୍ୟ କରିଛି– ଶଇଳ ସେତେବେଳେ ପନ୍ଦର ଷୋଳ ବର୍ଷର ଗୋଟିଏ କିଶୋରୀ ଭଳି ଜଣାପଡ଼େ-। ନଈ ଭଳି ଚଞ୍ଚଳ ତାର ଗତି । କଥାରେ ଭରି ରହିଥାଏ କୋଇଲିର କୁହୁତାନ । ଚଳପ୍ରଚଳ ହେଲାବେଳେ ବହି ଆସେ ଅବା ମଳୟ ଆଖି କଣରୁ ଉଇଁ ଆସେ ଅବା ଚନ୍ଦ୍ର ।

 

ଅଫିସ୍‌ରେ କିନ୍ତୁ ସେ ବୁଢ଼ୀ ଭଳି ଦେଖାଯାଉଥିଲା । ଗମ୍ଭୀର ମୁହଁରେ ବସି ରହିଛି । ଫାଇଲ ଉପରେ ମୁହଁ ପୋତି । ହଲ୍‌ଚଲ୍‌ ନାହିଁ କି କଥାବାର୍ତ୍ତା ନାହିଁ । ଅଫିସ୍‌ରେ ଆଉ କେତେ ଝିଅପିଲା ବି କାମ କରନ୍ତି । କିନ୍ତୁ ଅନ୍ୟମାନଙ୍କ ଭଳି ସେ ଫର୍‌ଫରି ନୁହେଁ । ମାପିବା ଚୁପିଲା ଭଳି ଚାଲି ଚଲଣ । କଥାବାର୍ତ୍ତା ଯେତିକି ଦରକାର ସେତିକି କାମ ସାରି ଅଫିସ୍‌ ହତା ଡେଇଁଲେ ଶଇଳ ଭିନ୍ନ ରୂପରେ ଦେଖାଦିଏ କ୍ୱାଟରକୁ ଗଲେ ତାକୁ ଚିହ୍ନି ହୁଏନି । ଜଣାପଡ଼େ–ସେ ଅବା ଜଣେ ଅଲଗା ଧରଣର ଝିଅ । କେବଳ ସେଇଥିପାଇଁ ସବୁଆଡ଼େ ତାର ସୁନାମ ସହଜେ ତାର କେହି ପାଖ ମାଡ଼ନ୍ତିନି । ଏତେ ବର୍ଷ ହେଲା କାପିଟାଲ୍‌ରେ ଚାକିରୀ କଲାଣି । କେବେ କିଛି ତା ନାଁରେ ଶୁଣାନାହିଁ ।

 

ଶଇଳକୁ ସେଇ ଅବସ୍ଥାରେ ଦେଖି ସୁରକୁ କାଇଁ ସେଦିନ ଭଲ ଲାଗିଲାନି । ଅଫିସ୍‌ କାମ ଓ ନାନା ପ୍ରକାରର ଆଦାବ୍‌ କାଇଦା ତା ଭିତର ସରସତା ଯାକ ଶୋଷିନେଇ ତାକୁ ବୁଢ଼ୀ କରିବାରେ ଲାଗିଛି । ବାପ ମା’ଙ୍କୁ ପୋଷିବା, ଭାଇକି ପଢ଼େଇ ମଣିଷ କରିବା ଓ ନିଜ ଜୀବନକୁ ନିଜ ହାତରେ ଗଢ଼ିବାପାଇଁ ଶଇଳ ଚାକିରୀ ଖଣ୍ଡକ ବାଛି ନେଇଛି । ତା ସାଙ୍ଗର କେତେ କେତେ ଝିଅ ପିଲା ଛୁଆ ଜନ୍ମ କରି ବୁଢ଼ୀ ଭଳି ଦେଖା ଗଲେଣି । ଦେଖିଲେ ଜଣାପଡ଼େ– ଶଇଳର ଜୀବନ ଆଡ଼େ ଅବା ନଜର ନାହିଁ ।

 

ଅଫିସ୍‌ କାମ ମନ ଲଗେଇ କରି ଯାଉଥିଲାବେଳେ ସୁର କେବଳ ଶଇଳ କଥାକୁ ଭାବୁଥିଲା ।

 

ଚାରିଟା ବାଜି ସାରିଲାଣି । ପାଞ୍ଚ ବାଜିନି । ସୁର ସେତେବେଳେ ସେକ୍‌ସନରେ ନଥିଲା-। ରବିବାବୁ ସାଙ୍ଗେ କଥା ହୋଇ ସେମାନେ ଅଫିସ ବାରେଣ୍ଡା ଉପରୁ ରାଜଭବନ କୋଠା ଆଡ଼କୁ ଲକ୍ଷ୍ୟ କରୁଥିଲେ । ଧାଡ଼ି ଧାଡ଼ି କ୍ୱାଟର ଓ କେତେ ନୂଆ ନୂଆ କୋଠାବାଡ଼ି ଚାହୁଁ ଚାହୁଁ ଠିଆ ହବାରେ ଲାଗିଛି । ଖାଲି ଯାଗା ଏବେ ବି ଅନେକ ପଡ଼ି ରହିଛି । କୋଉଠି ନିଅଁ ଖୋଳା ଚାଲିଛିତ କୋଉଠି ଇଟା ଗଦା ହବାରେ ଲାଗିଛି, ଗୋଡ଼ି ଆଦି ଟ୍ରକ୍‌ ପରେ ଟ୍ରକ୍‌ । ଖାଲି ମୂଲିଆଣୀଙ୍କ ମେଳା-। ବର୍ଷ ବର୍ଷ ଧରି ଦିନରାତି କେବଳ କାମ । କ୍ୟାପିଟାଲରେ ଆଗ ଭଳି ସେ ବଣବୁଦା କି ଖାଲ ଢିପ ଆଉ ଦେଖାଯାଏନି । ଟାଙ୍ଗରା ଭୂଇଁ ଏବେ ହସି ଉଠିଲାଣି । ଧାଡ଼ି ଧାଡ଼ି ପିଚୁ ରାସ୍ତା ଇଆଡ଼େ ସିଆଡ଼େ ଗୁଡ଼େଇ ତୁଡ଼େଇ ହୋଇ ଅଜଗର ସାପ ଭଳି କ୍ୟାପିଟ୍ୟାଲଟାକୁ ଅବା ଛନ୍ଦି ଧରିଛି ।

 

ସେକ୍‌ସନକୁ ଆସି ସୁର ଶୁଣିବାକୁ ପାଇଲା– ଶଇଳର ଗୋଟେ ଟେଲିଗ୍ରାମ୍‌ ଆସିଛି । ରବିବାବୁ ଏ ଖବରଟା ତାକୁ ଆଗ ଦେଲେ । ତା’ପରେ କଥା ପ୍ରସଙ୍ଗରେ ନିମେଇଁବାବୁଙ୍କଠୁ ସେ ଶୁଣିବାକୁ ପାଇଲା । ବାସୁବାବୁ ଓ ନିମେଇଁବାବୁ ସେଇ ଟେଲିଗ୍ରାମ ବିଷୟରେ କଥା ହେଉଥିଲେ । ଶଇଳ ସେତେବେଳେ ତା ଜାଗାରେ ନଥିଲା । ମିଃ ମହାନ୍ତି ଡକେଇ ଥିଲେ । ଛୁଟି ବିଷୟରେ । ଗାଁରେ ବାପା ତାର ଭୀଷଣ ବେମାର । ମରିବେ କି ବଞ୍ଚିବେ କିଛି ଠିକ୍‌ ନାହିଁ । ଜରୁରୀ ତାର ଦେଇ ଝିଅକୁ ଡକେଇଛନ୍ତି । ସୁର ଓ ରବିବାବୁ ବାରଣ୍ଡାରେ ଅଳ୍ପ ସମୟ ଯାଇ ଠିଆ ହୋଇଥିଲା ବେଳେ ଏ ସବୁ ଘଟିଗଲାଣି ।

 

ପାଞ୍ଚଟା ପରେ ସମସ୍ତେ ଗୋଟି ଗୋଟି ହୋଇ ବାହାରି ଯିବାକୁ ଲାଗିଲେ । ସରିଗଲା ଦିନକର ଖଟଣି । ସାଇକେଲ ଷ୍ଟାଣ୍ଡରୁ ନିଜ ନିଜର ସାଇକେଲ ଆଣି କିଏବା ଚାଲି ଚାଲି । ବନ୍ଧପକା କେନାଲ ପାଣିକି ଖୋଲିଦେଲେ ସୁଅ ଯେପରି ବାହାରକୁ ଧସେଇ ଆସି ପୁଣି ନିଜ ଧାରରେ ବହିଚାଲେ ।

 

ସୁର ଝରକା ଦେଇ ଲକ୍ଷ୍ୟ କରୁଥିଲା– ଲୋକେ ଦଳ ଦଳ ହୋଇ ଫାଟକ ପାଖରେ ଯାଇ ହେଲେଣି । ରାସ୍ତା କଡ଼ରେ ଫୁଲ ବଗିଚା ଆଡ଼ିକି କାହାର ନଜର ନାହିଁ । ସମସ୍ତେ ଘର ମୁହାଁ-। ଦିନ ଯାକର କଲମ ଚାଷ ପରେ ମଣିଷ ନିଜକୁ ବି ଭୁଲିଯିବାକୁ ପଡ଼େ । ବାହାର କଥା ଭାବିବାକୁ ସମୟ କାହିଁ ? ଫୁରସତ୍‌ କାହିଁ ?

 

ଅଫିସ୍ ଫେରନ୍ତା ଶହ ଶହ, ହଜାର ହଜାର ଲୋକଙ୍କୁ ଦେଖିବାକୁ ଭାରି ଭଲ ଲାଗେ । ଜଣାପଡ଼େ– ସେଇ ଲୋକ ରଥ ଦଉଡ଼ି ଭଳି ଶାସନକୁ ଟାଣି ଟାଣି ଆଗକୁ ଅବା ନେଉଥିଲେ । ରଥର ଦଉଡ଼ି ହୁଗୁଳି ଯାଇଛି । ପୁଣି ଯାଇ ଆର ଦିନ ସକାଳେ । ସାଢ଼େ ଦଶଟା ବେଳେ । ପୁଣି ଚାଲିବ ରଥ । ପୁଣି ଚାଲିବ ହଜାର ହଜାର କଲମ ଓ ତା ସାଙ୍ଗେ ଘୂରି ଘୂରି ଚାଲିବ ଶାସନର ଚକ-। ଏଇ ଚକରେ ବନ୍ଧା କେତେ କେତେ ଲୋକଙ୍କର ଜୀବନ । ସେମାନଙ୍କ ଭିତରେ ସିଏ ବି ଜଣେ । ଗଭୀର ସମୁଦ୍ର ଭିତରେ ବିନ୍ଦୁଏ ପାଣି ଭଳି ।

 

ସୁରର ଇଚ୍ଛା ହେଉଥିଲା– ସିଏ ବି ପାଞ୍ଚ ବେଳକୁ ପିଞ୍ଜରା ଭିତରୁ ବାହାରି ଆସିବ । ପକ୍ଷୀଟିଏ ଭଳି ସ୍ୱାଧୀନ ମନରେ ଘୂରି ବୁଲିବ । ବେଶି କିଛି ତାର କାମ ନାହିଁ । ଯାହା କିଛି ସବୁ ତକ ସେ ସାରି ଦେଇଛି । କିନ୍ତୁ ଅଫିସକୁ ଆସି ସୁରର ଗୋଟିଏ ନୂଆ ଅଭିଜ୍ଞତା ହେଲାଣି । କାମ କମ ଥିଲେ ବି ସବୁଯାକ କାମ କେବେହେଲେ ସାରିଦେବା ଉଚିତ ନୁହେଁ କି ନିଜର କାମକୁ ଅନ୍ୟ ଆଗରେ ହାଲ୍‌କା ବୋଲି କହିଲେ ପଦେ ପଦେ ବିପଦ । ପାଖରେ ବେଶିଗୁଡ଼େ କାମ ଅଛି ବୋଲି ସଦାବେଳେ ଅନ୍ୟକୁ ଧାରଣା ଦଉଥିବା ଉଚିତ । ଛଳନା କରି ଅଫିସ୍‌ ସମୟ ବାଦ ନିଜ ଜାଗାରେ ବସି ରହିଥିଲେ ଚାକିରୀ ଜୀବନରେ ଭବିଷ୍ୟତ ଅଛି । ତା ଛଡ଼ା ବାସୁବାବୁଙ୍କର ଇଚ୍ଛା ହେଲା ସେଇଆ । ଚାକିରୀ କରିବାର ବର୍ଷେ ମାତ୍ର ହେଲା । ଏତିକି ବେଳୁ ଅନ୍ୟମାନଙ୍କର ମନରେ ଭଲ ଧାରଣା ଦେଇଥିବା ଦରକାର । ସୁର ସେଇଥିପାଇଁ ଅଫିସ୍‌ ଛାଡ଼ିଲାନି । କିଛି ତା’ର କାମ ନଥିଲା । ଫାଇଲ୍‌ ମେଲେଇ କାମରେ ମନ ଦେଲା । ପାଞ୍ଚ ଡେଇଁ ଛ’ ବାଜିଲା । ତେବେ ବି ସୁର ଅଫିସରୁ ଫେରିଲାନି ।

 

ପାଞ୍ଚ ସୁଦ୍ଧା ବି ଶଇଳ ମିଃ ମହାନ୍ତିଙ୍କ ରୁମରୁ ଫେରି ନ ଥିଲା । ସାଧାରଣ ଖଣ୍ଡେ ଛୁଟି ଦରଖାସ୍ତ । ଏତେ ଡେରି ହେବାର କାରଣଟା ଯେ କ’ଣ ହୋଇପାରେ ସୁର ସେଇ କଥା କେବଳ ବସିରହି ଚିନ୍ତା କରୁଥିଲା । ତାଛଡ଼ା ଦଶ ପନ୍ଦର ମିନିଟ ହେଲା ନିମେଇଁ ବାବୁ ବି ମିଃ ମହାନ୍ତିଙ୍କ ପାଖକୁ ଗଲେଣି । କେହିହେଲେ ଫେରୁ ନାହାନ୍ତି । କଥା କ’ଣ ?

 

ସୁର ଫାଇଲ୍‌ ଉପରେ ଆଖି ପକେଇ ବେଳେବେଳେ ବାସୁ ବାବୁଙ୍କ ଆଡ଼କୁ ଲକ୍ଷ୍ୟ କରୁଥିଲା । ସେତେବେଳେ ତାଙ୍କର ଜଳଖିଆ ଖାଇବାର ସମୟ । ସମସ୍ତେ ଘରକୁ ଫେରିଲା ବେଳ । ସିନେମାର ଇଣ୍ଟରଭାଲ୍‌ ଭଳି । ସୁର ମନେ ମନେ ହସି ଉଠିଲା ତା’ର ତୋଟି ପାଖରେ । କି ଏକ ଅଦ୍ଭୁତ ଲୋକ ଏଇ ବାସୁ ବାବୁ । ଅଫିସରୁ ବାହାରି ଆସିବାକୁ ୟାଙ୍କର କ’ଣ ଇଚ୍ଛା ହେଉନି ? ସତେ ଅବା ଅଫିସ୍‌ଟାକୁ ମଲାବେଳେ ମୁଣ୍ଡେଇ ନେବେ ? ତା ସାଙ୍ଗେ ସାଙ୍ଗେ ସୁରର ମନେ ପଡ଼ିଗଲା– ବାସୁବାବୁଙ୍କର ଘର କଥା ? ସେ ମନେ ମନେ ଠିକ୍‌ କରିନେଲା–ଯୋଉମାନେ ବେଶି ସମୟ ଅଫିସ୍‌ରେ କଟାନ୍ତି, ବାହାରେ ନିଜର ନିଜର ଜୀବନ ବିତେଇ ନିଅନ୍ତି ଓ ଘରକୁ ମାଡ଼ିବାକୁ ଇଚ୍ଛା କରନ୍ତିନି ସେ ସମସ୍ତଙ୍କର ବାସୁବାବୁଙ୍କ ଭଳି କିଛି ନା କିଛି ବୋଧେ ଅସୁବିଧା ଥାଏ-। ଘର ଭିତରେ ଅବା ମନ ଭିତରେ ।

 

ଫାଇଲ ଉପରେ ଆଖି ପକେଇ କେତେ କ’ଣ ଏମିତି ଭାବୁ ଭାବୁ ଶଇଳ ଆସି ପହଞ୍ଚିଗଲା । ତା’ ପଛେ ପଛେ ନିମେଇଁ ବାବୁ ।

 

ଶଇଳର ମୁହଁ ସେତେବେଳେ କଳାକାଠ ପଡ଼ିଯାଇଥିଲା । ଜଣା ପଡ଼ୁଥିଲା– ଲୁହଯାକ ତା’ ଆଖି କଣରେ ଅବା ଅତଡ଼ା ଭାଙ୍ଗୁଛି । ଓଠ ଦି’ଟି ଶୁଖିଲା ଆଉ ଅଠା ଅଠା । ଶଇଳ ଆଡ଼ିକି ଚାହିଁ ଦେଇ ସୁର ଆଶ୍ଚର୍ଯ୍ୟ ହେଲା– ସେ ଅଭିଆଡ଼ୀ ଝିଅ ଭଳି ଦେଖା ଯାଉନି । ଦି’ ତିନିଟା ଜନ୍ମ କରି ଦେଲେ ମାଇପେ ଯେମିତି ଶେତା ପଡ଼ିଯାଆନ୍ତି ଓ ଆଖି ଯାଇ କୋରଡ଼ରେ ପଶେ ସିମିତି ଶଇଳ ଠିକ୍‌ ବୁଢ଼ୀଟିଏ ଭଳି ଦେଖାଯାଉଥିଲା ।

 

ନିଜର ଫାଇଲ୍‌ ପତ୍ର ବନ୍ଧାବନ୍ଧି କରି ଶଇଳ ଟେବୁଲ୍‌ଟା ଆଗ ବାଗେଇ ନେଲା । ପନ୍ଦର ଦିନ ଛୁଟି ମଞ୍ଜୁର ହୋଇଯାଉଛି । ଶିଘ୍ର ଯାଇ ଗାଡ଼ି ଧରିବା ଦରକାର । ତେବେ ରାତିରେ ତ କୌଣସି ମଟର ନାହିଁ ? ସକାଳୁ ସକାଳୁ ମଟର ଧରି ଚାଲିଯିବାକୁ ପଡ଼ିବ– କଟକ ରେଲଉଏ ଷ୍ଟେସନ । ସେଇଠୁ ପ୍ରାଇଭେଟ୍‌ ବସ୍‌ସବୁ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯା ଆସ କରେ । କଟକ– କୁଜଙ୍ଗ ରାସ୍ତାରେ ଗାଁ ତାଙ୍କର । କଟକ ସହରଠୁ ପନ୍ଦର କୋଶ ବାଟ ।

 

ମିଃ ମହାନ୍ତି ନିଜ ଅଫିସ୍‌ ରୁମରୁ ଆସି ସେକ୍‌ସନ ଭିତର ଦେଇ ବାହାରକୁ ଚାଲିଗଲେ । ସବୁ ଦିନ ସେ ସିଧା ତଳକୁ ଓହ୍ଲାଇ ମଟର ଗ୍ୟାରେଜ୍‌ ଆଡ଼େ ଯାଆନ୍ତି । ଗ୍ୟାରେଜ୍‌ରୁ ମଟର ଧରି ଛୁଟନ୍ତି ତାଙ୍କର କ୍ୱାଟର ଆଡ଼େ । ସେଦିନ ସେ ଯେ କାହିଁକି ସେକ୍‌ସନ ବାଟ ଦେଇ ଗଲେ ତାର ଅସଲ କାରଣଟା ବୁଝିହେଲାନି ।

 

ସାଙ୍ଗେ ସାଙ୍ଗେ ଚଉକି ଛାଡ଼ି ଠିଆ ହୋଇ ପଡ଼ିଲେ ବାସୁବାବୁ । ଭାବୁଥିଲେ– କାମ ବିଷୟରେ ବୋଧେ ତଦାରଖ୍‌ କରିବାକୁ ଆସିଥିଲେ । ସେକ୍‌ସନରେ ସେତେବେଳେ ଥିଲେ ଚାରିଜଣ ଲୋକ– ବାସୁବାବୁ, ନିମେଇଁ ବାବୁ, ଶଇଳ ଓ ସୁର । ସମସ୍ତେ ମନେ ମନେ ଭାବିନେଲେ– ଅଫିସ୍‌ ସମୟ ପରେ କେତେଜଣ ରାତିଯାଏ ରହି କାମ କରୁଛନ୍ତି ତାକୁଇ ବୋଧେ ଦେଖିବା ଥିଲା ମିଃ ମହାନ୍ତିଙ୍କର ଇଚ୍ଛା ।

 

ମିଃ ମହାନ୍ତି ଶଇଳ ଛଡ଼ା ଆଉ କାହାକୁ ବୋଧେ ଦେଖି ନାହାନ୍ତି । ତା’ରି ଉପରେ ଥରୁଟିଏ ଆଖି ପକେଇ, ଜୋତା ମଚ ମଚ କରି; ତରତରରେ ସେ ସେକ୍‌ସନରୁ ବାହାରି ଗଲେ ।

 

ବେଶି ସମୟ ଅପେକ୍ଷା କରିବାକୁ ସୁରର ବି ଆଉ ଇଚ୍ଛା ନଥିଲା । ଶଇଳକୁ କେତେ କ’ଣ ପଚାରି ଦେବ ବୋଲି ଯାଉଥିଲା । କହି ପାରିଲାନି । ଭାବିଥିଲା– ଶଇଳ ଓ ସେ ସାଙ୍ଗହୋଇ ନିଜ ନିଜର କ୍ୱାଟରକୁ ଯିବେ । ଗଲା ବେଳେ ସେମାନେ ସୁଖ ଦୁଃଖ ହେବେ– ବାପାଙ୍କ ଦେହ ବ୍ୟସ୍ତ କଥା, ଭଲରେ ସେ କେମିତି ଫେରି ଆସୁ, ବ୍ୟସ୍ତହେବା ଦରକାର ନାହିଁ ଏମିତି ନାନା ପ୍ରକାର କଥାବାର୍ତ୍ତା । କିନ୍ତୁ ସୁରକୁ କାଇଁ ଭଲ ଲାଗିଲାନି । ଦୁଃଖ ବେଳେ ଦୁଃଖୀ ଲୋକଟିକି ପାଖକୁ ଡାକି ସବୁକିଛି ପଚାରିଲେ ତାର ପରିଣାମ କିଛି ଭଲ ହୁଏନି । ଅନ୍ୟର ସାହାଯ୍ୟ ଓ ସହାନୁଭୂତି ପାଇଲେ ମନ ଭିତରର କୋହଯାକ ଫଣା ଟେକି ଉଠେ । ସମବେଦନା ଦୁଃଖକୁ ବଢ଼େଇବାରେ ହିଁ ସାହାଯ୍ୟ କରେ । ସୁର ସେଇଥିପାଇଁ ଚାଲିଲା ଆଗୁଆ । ତା’ ଛଡ଼ା ବାସୁ ବାବୁ ଓ ନିମେଇଁ ବାବୁଙ୍କ ସାମ୍ନାରେ ଶଇଳ ସାଙ୍ଗେ ଅଫିସରୁ ଫେରିବାକୁ ତାକୁ ଭଲ ଲାଗିଲାନି । ମିଃ ମହାନ୍ତିଙ୍କ ପଛେ ପଛେ ମନ ତା’ର ବାରବୁଲା କୁକୁର ଭଳି କେବଳ ଭୁକି ଲାଗିଲା । ବିନା କାରଣରେ କୁକୁରଟିଏ ଯେପରି ପଛରେ ଭୁକି ଉଠେ । ସୁରର ଅବଚେତନ ମନରେ ମିଃ ମହାନ୍ତିଙ୍କର ଚାଲିଚଳଣ ତାକୁ ଭଲ ଲାଗୁନଥିଲା । ସାଧାରଣ ଛୁଟି ଦରଖାସ୍ତଟିଏ ମଞ୍ଜୁର କରିବା ପାଇଁ ଅଧଘଣ୍ଟେ କାଳ ତାକୁ ଅଟକେଇ ରଖିଲା ଓ ସେକ୍‌ସନ ଦେଇ ଗଲାବେଳେ ଶଇଳ ଉପରେ ଆଖି ଲହରେଇ ଚାଲିଯିବା କିଛି ଭଲକଥା ନୁହେଁ ।

 

ସୁର ତିନିତାଲା ଉପରୁ ପାହାଚ ଦେଇ ଓହ୍ଲାଇ ଆସିଲାବେଳେ ଅନୁଭବ କରୁଥିଲା– ତା’ ମନଟି ଅବା ଶଇଳ ଚାରିପାଖେ ଯାଇ ଘୂରି ବୁଲୁଛି । ଗାଁକୁ ଯିବା ଆଗରୁ ତା’ ସାଙ୍ଗେ ଆଉଥରେ ଦେଖା କରିବାକୁ ଇଚ୍ଛାଥିଲା । ସମୟ ହେଲେ ତ ? ତଥାପି ରାତିରେ ତା’ କ୍ୱାଟରକୁ ଯିବାକୁ ସେ ପସନ୍ଦ କଲାନି । ସକାଳୁ ସକାଳୁ ସେ ଆସିବ ବସ୍‌ଷ୍ଟାଣ୍ଡ । ଶଇଳ ସେତେବେଳେ ଗାଁକୁ ବାହାରିଥିବ । ଗଲାବେଳେ କହିବ– ଗାଁରୁ ଯାଇ ଚିଠି ଦେବାକୁ । ବାପାଙ୍କର ଦେହବ୍ୟସ୍ତ କଥା । ଘରର ହାନିଲାଭ । କେବେଯାଇଁ ଫେରିବ ? ପନ୍ଦରଦିନ ଛୁଟି ହେଲେ ଚଳିଯିବ ନା ପରେ ଛୁଟି ବଢ଼େଇବାକୁ ପଡ଼ିବ ?

 

ଫାଟକ ଡେଇଁ ରାସ୍ତା ଉପରେ ହେଲା ବେଳେ ସୁର ଦେଖିବାକୁ ପାଇଲା– କାର୍‌ ପରେ କାର୍‌ ଛୁଟି ଚାଲିଛି । ଅଫିସରମାନେ କାମ ସାରି ନିଜ ନିଜ କ୍ୱାଟର ଆଡ଼େ ବାହାରିଲେଣି । କେତେଜଣ କାର ଛୁଟେଇ ଥାଆନ୍ତି କଟକ ଆଡ଼େ । କାର୍‌ ସାଙ୍ଗକୁ ସରକାରୀ ବସ୍‌ । ଗୋଟିକ ପରେ ଗୋଟିଏ । ଚାରିଆଡ଼ୁ କ୍ୟାପିଟାଲରେ ଆସି ଜମା ହେବାରେ ଲାଗିଛି । ପ୍ରତି ପାଞ୍ଚ ମିନିଟ୍‌ରେ ବସ୍‌ ସବୁ କାହିଁକ କେତେ ଦୂରରୁ ଏଠି ଆସି ପହଞ୍ଚୁଛି ଓ ସାଙ୍ଗେ ସାଙ୍ଗେ ପୁଣି ଲୋକ ଧରି ଧାଇଁ ଯାଉଛି । ବସ୍‌ରେ ଅସମ୍ଭବ ଧରଣର ଭିଡ଼ । ଆଗ ଅପେକ୍ଷା ବସ୍‌ ସଂଖ୍ୟା ଏବେ ବଢ଼ି ଗଲାଣି । କିନ୍ତୁ ଭିଡ଼ କମୁନି । ଲୋକେ ରେଲ୍‌ ବଦଳରେ ଏବେ ବସ୍‌କୁ ବେଶି ଆଶ୍ରା କଲେଣି । ସୁବିଧାରେ ଆଉ ଅଳ୍ପ ସମୟ ଭିତରେ ନିଜର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାକୁ ଭଲ । କିଏ କଳ୍ପନା ବାଟେ ତ କିଏ ରୂପାଲି ଛକ ଦେଇ ବାଣୀବିହାର ବାଟେ । ପୁରୀ ଆଡ଼ିକି ମ୍ୟୁଜିୟମ୍‌ ରାସ୍ତାରେ ଖଣ୍ଡଗିରି ରାସ୍ତାରେ ଖୋର୍ଦ୍ଧାଆଡ଼େ ।

Unknown

 

ରାସ୍ତାଘାଟରେ ଲୋକ ସମାଗମ । ସାଇକେଲ୍‌ରେ ବ୍ୟାଗ୍‌ ଖଣ୍ତେ ଖଣ୍ଡେ ଝୁଲେଇ ସମସ୍ତେ ଚାଲିଥାଆନ୍ତି ମାର୍କେଟ୍ । ଅଫିସ ଫେରନ୍ତା । ପନିପରିବା ଆଦି ବେଳ ଥାଉ ଥାଉ ସାଇତି ରଖିବାକୁ ପଡ଼େ । କ୍ୟାପିଟାଲ ହାଟ । ପ୍ରଥମେ ପ୍ରଥମେ ସପ୍ତାହରେ ଏଇ ହାଟ ଥରେ ବସୁଥିଲା । ତାପରେ ହେଲା ଦି’ଥର । ଏବେ ତିନିଥର ହେଲାଣି । ସରକାରୀ ଚାକିରୀଆଙ୍କର ପାଟି ତୁଣ୍ଡରେ ରାତି ଆଠଟାଯାଏ ହାଟ ଭିତରଟା ମୁଖରିତ ହୁଏ । ଯିଏ ଯାହାର ସଉଦାପତ୍ର କିଣି ଆଗାମୀ ଦିନ ପାଇଁ ସାଇତି ରଖନ୍ତି ।

 

ସୁରର କିଛି ହେଲେ କିଣିବାକୁ ନଥିଲା । ଚକୁଳି ଖାଇବା ଲୋକ ତା’ର ବିନ୍ଧଗଣିବା କି ଦରକାର ଅଛି ? କିନ୍ତୁ ହୋଟେଲ୍‌ ମେସ୍‌ ଆଦିରେ ଖାଇ ଖାଇ ତାକୁ ବଡ଼ ଖରାପ ଲାଗିଲାଣି । ଖାଦ୍ୟ ମନ ମୁତାବକ ନୁହେଁ । ଦରମା ଗଣ୍ଡାକ ଯାହା ମିଳେ ସବୁ ନେଇ ହୋଟେଲରେ ଦେଇ ଦେବାକୁ ପଡ଼େ । ଯୋଉମାନେ ପିଲା କବିଲା ନେଇଅଛନ୍ତି ସେମାନେ ବଡ଼ ସୁବିଧାରେ ଚଳନ୍ତି । ନିଜର କ୍ୱାଟର, ପିଲା ଛୁଆ ଓ ପାରିବାରିକ ଜୀବନର ସୁବିଧା ସୁଯୋଗ । ସୁର ମନେ ମନେ ହସିଉଠିଲା– ବିବାହ କରିସାରିଲା ପରେ ତାକୁ ବି ଏମିତି ବ୍ୟାଗ୍‌ ଧରି ମାର୍କେଟ ଦଉଡ଼ିବାକୁ ପଡ଼ିବ-

 

କିଛି କାମ ନ ଥାଇ ବି ସେ ମାର୍କେଟ ଭିତରକୁ ଗଲା । କେତେ କେତେ ଚିହ୍ନା, ଅଚିହ୍ନା ମୁହଁ । କାହା ସାଙ୍ଗେ ପଦେ ଅଧେ କଥାବାର୍ତ୍ତା କରି, କାହାକୁ ଚାହିଁ ଅଳ୍ପ ହସି ଦେଇ ସେ ମାର୍କେଟଯାକ ଥରୁଟିଏ ଘୂରି ଆସିଲା । ବାହାରି ଆସିଲା ବେଳକୁ ଦେଖିବାକୁ ପାଇଲା– ଗୋପାଳ ବାବୁଙ୍କୁ । ଦି ହାତରେ ବଡ଼ ବଡ଼ ବ୍ୟାଗ୍‌ ଝୁଲେଇ ଫେରୁ ଥାଆନ୍ତି । ସାଇକେଲ୍‌ଟା ବାହାରେ । ସୁର ବ୍ୟାଗ୍‌ଟେ ଧରିନବ ବୋଲି ଗୋପାଳ ବାବୁଙ୍କୁ ମାଗିଲା ।

 

ସେ ମନା କଲେ । ସିଧା ଚାଲିଲେ ସାଇକେଲ୍‌ ପାଖକୁ । ଗୋପାଳବାବୁ ଡାକିବାରୁ ସୁର ତାଙ୍କ ପଛେ ପଛେ ଚାଲିଲା । ତା’ପରେ ଗୋପାଳ ବାବୁଙ୍କର ନିମନ୍ତ୍ରଣ– ଚାଲନ୍ତୁ ସାଙ୍ଗ ହୋଇ ଖାଇବା ।

 

ସୁର ମନା କରିଦେଲା । ଭାବୁଥିଲା–ପୁଣି କହିବେ ବାପାଙ୍କ ପାଖକୁ ଚିଠି ଦେଇଛନ୍ତି ।

 

ଗୋପାଳବାବୁ କିନ୍ତୁ ନଛୋଡ଼ବନ୍ଧା । ସୁରର ହାତ ଧରି ସେ ଭିଡ଼ି ଲାଗିଲେ । ସୁରର ଚାରା ନଥିଲା । ଚାଲି ଚାଲି ଦୁହେଁ ଆଗେଇଲେ କ୍ୱାଟର ଆଡ଼େ ।

 

ଘର ପାଖରେ ହେଲା ବେଳକୁ ମନି ଦାଣ୍ଡଦୁଆର ମୁହଁରେ ଠିଆ ହୋଇ ରାସ୍ତାକୁ ଅନେଇଥିଲା । ସୁରକୁ ଦେଖି ଭିତରକୁ ଚାଲିଗଲା ।

 

‘‘ଚା’ ବସାନ୍ତୁ ମୁଁ ଯାଉଛି’’ ବୋଲି କହି ଦେଇ ସୁର ନିଜ କ୍ୱାଟରର ଚାବି ଖୋଲିଲା । ତା’ ପରେ ଘର ଭିତରେ ସିସିରି ବନେଇ ପଦଚାରଣ କରିବାରେ ଲାଗିଗଲା ।

 

ଗୋପାଳବାବୁଙ୍କ ଘର ସାମ୍ନା ଝରକାଟା ଦରଆଉଜା । ଅଳ୍ପ ଟିକିଏ ଫାଙ୍କ ଦେଇ କମଳା ରଙ୍ଗର ସୂର୍ଯ୍ୟ କିରଣ ଗାର କାଟି ଲମ୍ବି ଯାଇଥିଲା ଅଗଣା ଆଡ଼େ । ମନ ଭିତରେ ଭାବନାର ବିଜାଣୁ ବେଳେ ବେଳେ ସାଲୁବାଲୁ ହେଲା ଭଳି ସଞ୍ଜବେଳର ଗୋଲାପୀରଙ୍ଗର ଧୂଳିକଣା ସେଇ ଆଲୁଅ ଗାର ଭିତରେ ଘେର ଖାଉଥିଲା । ଘର ଭିତରେ ପଦଚାରଣ କରୁ କରୁ ସେଇ ଗାରଟି ଲିଭି ଲିଭି ଆସିଲା । ସୁର ଝରକାର ଫାଙ୍କ ଦେଇ ଗୋପାଳବାବୁଙ୍କ କ୍ୱାଟର ଆଡ଼ିକି ଲକ୍ଷ୍ୟ କଲା । ଦେଖିଲା– ଝରକା ପାଖକୁ କରି ଠିଆ ହୋଇଛି ମନି । ତାକୁ ଆଖି ପୁରେଇ ଥରେ ଦେଖିଦେବାର ଲୋଭକୁ ଚପେଇ ପାରିଲାନି । ଗୋପାଳବାବୁ ତା’ ପାଇଁ ବିଭାଘର ପକେଇଛନ୍ତି । ବାପାଙ୍କ ପାଖକୁ ଚିଠି ଲେଖିବେ ବୋଲି କହୁଥିଲେ ।

 

ସେଇଥିପାଇଁ ଏତେଥର ଘରକୁ ତାଙ୍କର ଡକରା, ଚା’ ଜଳଖିଆ, ଆଳାପ ଆଲୋଚନା, ବନ୍ଧୁତ୍ୱ ଓ ସୁଖ ଦୁଃଖ ପରି କେତେ କ’ଣ । ମନେ ମନେ ହସି ଉଠିଲା ସୁର । ତା’ର ପୁଣି ବିଭାଘର-? ତିନିଶ ଟଙ୍କିଆ ଖଣ୍ଡେ ଚାକିରୀ । ନିଜେ ପୋଷିହେବାକୁ ନିଅଣ୍ଟ ! ସିଏ ପୁଣି ଆଉ ଜଣଙ୍କୁ ଆଣି ହଇରାଣ ହରକତ କରିବ ? ଘରେ ତେଣେ ବାପ ମା’ ଅପେକ୍ଷା କରିଛନ୍ତି ବସିରହି ପୁଅ ଟଙ୍କା ପଠେଇବ । ତା’ ସାଙ୍ଗକୁ ଭାଇ ଭଉଣୀମାନଙ୍କର କେତେ କେତେ ଫରମାସ୍‌ ରହିଛି । ଚାକିରୀ ନ କରିବା ଆଗରୁ ସମସ୍ତଙ୍କ ମନ ଭିତରେ ସେ ସବୁ ଚାପାପଡ଼ି ସେମିତି ରହିଥାଏ । ଥରେ ଟଙ୍କା ଆସିଲେ ବାହାରି ଆସେ କେତେ କେତେ ରୁଷା ଅଭିମାନ, ଦେଲା ନଦେଲା । ଆଉ ନାନା ଜାତି ଦୋଷାରୋପ ।

 

ତା’ ମନ ଭିତରର ଏତିକି ଟିକିଏ ଅଂଶ ମନି ଚାରିପାଖେ ଯାଇ ଘୁରି ବୁଲିଲା । ବାକୀତକ ଆଖି ଦେଇ ତା’ ଦିହରେ ଯାଇ ବିଦ୍ଧହେବାରେ ଲାଗିଥିଲା । ମନିକି ବେଶି ହେଲେ ସତର ଅଠର ହେବ । ପିଲାଳିଆ ଢଙ୍ଗ ତା’ର ଛାଡ଼ିନି । ଘର କାମରେ ଖୁଣି ଦେବାକୁ ନାହିଁ । ଘର ଗୋଟାକର କାମ ମନି ଏକାକୀ କରିଯାଏ । ସୁର କେବେହେଲେ ଦେଖିନି । କିନ୍ତୁ ଏମିତି ଅନେକ ଜିନିଷ ଅଛି ନ ଦେଖିଲେ ବି ସହଜରେ ଜାଣିହୁଏ । ତାଙ୍କ କ୍ୱାଟର ପାଖେ ରହିବା ବର୍ଷେ ଆସି ହେଲାଣି । ଏତେ ଦିନେ ମନିକି ସେ ମନପୁରେଇ ଦେଖିବାକୁ ପାଉଛି । ଦେଖିବାର କୌଣସି ଅବକାଶ ନ ଥିଲା । କାରଣ ବି ନଥିଲା । ଗୋପାଳ ବାବୁ ପ୍ରକାରାନ୍ତରରେ ବିଭାଘର ପ୍ରସ୍ତାବ ନ ପକାନ୍ତି କି ସେ ନ ଦେଖେ । ବିଭାଘରଟା ହୋଇପାରେ ନ ହେଇ ବି ପାରେ । ନହେବାର ଆଶା ତ ବହୁତ । ତଥାପି ମନକୁ ବାଡ଼ ଦେଇ ବାନ୍ଧି ରଖିବା ମଣିଷ ହାତରେ ନାହିଁ । କିଛି ଗୋଟିଏ କରି ଯାଉଥିଲା ବେଳେ ମନ ଯାଇଁ ଘୂରି ବୁଲେ ଅନ୍ୟ ଆଡ଼େ । ଆଖି ପିଛୁଳାକେ ଆକାଶ ପାତାଳ ବୁଲି ଆସେ ।

 

ଗୋପାଳବାବୁଙ୍କ କ୍ୱାଟରରେ ଥିବା କଦଳୀ ଗଛର ପତ୍ର, ପବନରେ ସେତେବେଳେ ଦୋହଲି ଉଠୁଥିଲା । ତା’ ସହିତ ସୁରର ମନ ବି ହଲି ହଲି ଭାବନାର ଧାରାକୁ ଦି’ ଆଡ଼େ ପ୍ରବାହିତ କରିବାରେ ଲାଗିଥିଲା । ଦି’ ଆଡ଼େ ଦି’ଟି ଭାବନା– ଦି’ଟି ଧାରା– କାହା ସହିତ କାହାର ସମ୍ପର୍କ ନାହିଁ ।

 

ଗୋଟିଏ ଛେଳି ଛୁଆ ଭଳି ବାଧ୍ୟ ଅଥଚ ନିରୀହ । ଦିଗ୍‌ବଳୟ ତା’ର ସୁଦୂର ପ୍ରସାରୀ ନୁହେଁ । ସେଥିରେ କଳ୍ପନାରୁ ଜୁଆର ଉଠେନି କି ଭବିଷ୍ୟତର ସୁନେଲି ସ୍ୱପ୍ନରେ ସେ ଭିଜି ଯାଇନି । ନିୟମ ବନ୍ଧା ଜୀବନ । ଚାହିଁଦେଲେ ସୀମାଟା ଆଖି ଆଗରେ ପଡ଼େ ।

 

ଆରଟିକି ଚାହିଁଲେ ଆଖି ପାଏନି । ସଦାବେଳେ ପଛରେ ଧାଇଁବାକୁ ଇଚ୍ଛା ହୁଏ । ଯେତେ ଧାଇଁଲେ ବି ସେ ଘୁଞ୍ଚିଯିବାପରି ଲାଗେ । ଅତଳ ସାଗରର ପାଣିଭଳି ତାକୁ କଳି ହୁଏନି । ଅତି ନିକଟରେ ବି ତାକୁ ପାଇଲେ ଜଣାପଡ଼େ– ସେ ଯାଇଁ କାହିଁ ଦୂରରେ । ଧରି ପାରିବା ମୁସ୍କିଲ୍‌ ।

 

ଚଉକି ଖଣ୍ଡକରେ ବସି ରହି ସୁର କେତେ କ’ଣ ଏମିତି ଭାବୁଥିଲା । କିଏ ଜଣେ ବାହାରୁ ଆସି ଦୁଆର ଖଡ଼୍‌ ଖଡ଼୍‌ କଲା । ଭାବନା ଭିତରେ ଗୋପାଳ ବାବୁ ତାକୁ ନିମନ୍ତ୍ରଣ କରିବା କଥା ସେ ଏକବାରେ ଭୁଲି ଯାଇଥିଲା ।

 

ଦୁଆର ଖୋଲି ଦେଲାବେଳେ ସୁର ଆଶ୍ଚର୍ଯ୍ୟ ହେଲା । ଆସନ୍ତୁ ଆସନ୍ତୁ ବୋଲି ଗୋପାଳବାବୁଙ୍କୁ ସେ ଡାକୁଥିଲା । ଦେଖିଲା ବେଳକୁ ଗୋପାଳବାବୁ ନୁହନ୍ତି । ଶଇଳ । ତାକୁ କେମିତି ଆଶ୍ଚର୍ଯ୍ୟ ଲାଗିଲା । ସଂଧ୍ୟା ଆସି ହେଲାଣି । ତା’ ନିଜ କ୍ୱାଟରକୁ ଫେରିଯିବାର କଥା । ସେ ଆସିଲା ଅବା କାହିଁକି ? କ’ଣ କିଛି ଅସୁବିଧା ହେଲା କି ?

 

ଶଇଳକୁ ଘରକୁ ଡାକିବାରୁ ସେ ମନା କଲା । ଠିକ ଏଇ ସମୟରେ ଜଳି ଉଠିଲା– ରାସ୍ତାକରର ବିଜୁଳି ଆଲୁଅ । ସୁରର ଭାବନା ଭିତରେ ଧାଡ଼ିଏ ବତୀ ଅବା ଜଳି ଉଠିଲା ।

 

ଶଇଳ ଡାକିଲା–ଆସନ୍ତୁ ଯିବା ।

 

କୁଆଡ଼େ ?

 

ଆମ କ୍ୱାଟର ଆଡ଼େ ।

 

ଏଇନେ ?

 

ହଁ–ଆସନ୍ତୁ ନା ?

 

ବିଜୁଳି ଆଲୁଅରେ ଶଇଳର ମୁହଁ ସଫେଇତ୍‌ ଧଳା ଦେଖାଗଲା । ଗୋରା ତକ୍ ତକ୍ ଧାରୁଆ ମୁହଁ । ଅଫିସ୍‌ରେ ସେ ବୁଢ଼ୀ ଭଳି ଦିଶୁଥିଲା । ସେଭଳି ଆଉ ଦେଖାଯାଉନି । କପାଳ ଉପରୁ କେରିଏ ହବ ବାଳ ଆଖି ଉପରେ ଆସି ପଡ଼ିଛି । ଡୋଳା ଦୁଇଟି ଆହୁରି କଳା ଦେଖା ଯାଉଛି । ସେଥିରେ ବିଶ୍ୱାସ ଅଛି, ଆତ୍ମପ୍ରତ୍ୟୟ ଅଛି ।

 

ଦୁଆର ଚାବି ଦେଇ ବାହାରି ଆସିଲା ବେଳକୁ ଡାକି ଆସିଲେ ଗୋପାଳ ବାବୁ । ଚା’ ଜଳଖିଆର ନିମନ୍ତ୍ରଣ । ଦାଣ୍ଡଦୁଆରେ ଠିଆ ହୋଇ ରହିଥିଲେ ତାଙ୍କର ସ୍ତ୍ରୀ । ତା ଯିବାକୁ ବୋଧେ ଅପେକ୍ଷା କରିଥିଲେ ।

 

ଶଇଳକୁ ଦେଖି ଗୋପାଳ ବାବୁଙ୍କ ମୁହଁଟା କେମିତି ଫିକା ପଡ଼ିଗଲା । ଅନ୍ୟ କିଛି କହିବାକୁ ଉପାୟ ନାହିଁ ।

 

ସୁରର ଅବସ୍ଥା ମଧ୍ୟ ତଦ୍ରୂପ । ଶଇଳକୁ କହି ହଉନି ଏଣେ ଗୋପାଳ ବାବୁଙ୍କୁ ସେ ମନା କରିବ ଅବା କେମିତି ?

 

ଗୋପାଳ ବାବୁ ପଚାରିଲେ– କୁଆଡ଼େ ତା’ହେଲେ ଯାଉଛନ୍ତି ?

 

ସୁରକୁ କହିବା ପାଇଁ ସୁଯୋଗ ମିଳିଗଲା । ସେ ସଫେଇ ଦେଲା– ଏକା ସେକ୍‌ସନରେ ସେ କାମ କରନ୍ତି । ହଠାତ୍‌ ଟେଲିଗ୍ରାମ ପାଇଲେ ବାପାଙ୍କର ଦେହ ଖରାପ । ପନ୍ଦର ଦିନ ଛୁଟି ନେଇ ଗାଁକୁ ଯାଉଛନ୍ତି ।

 

ଗୋପାଳ ବାବୁଙ୍କ ସ୍ତ୍ରୀ ତରତରରେ ଘର ଭିତରକୁ ଚାଲିଗଲେ । ଚାଲିରୁ ତାଙ୍କର ଜଣାପଡ଼ୁଥିଲା– ଶଇଳ କ୍ୱାଟର ପାଖକୁ ଆସିବା ସେ ବୋଧେ ଭଲପାଉ ନାହାନ୍ତି ।

 

ବାଧ୍ୟ ବାଧ୍ୟକତାରେ ଗୋପାଳ ବାବୁ ଶଇଳକୁ ବି ଘରକୁ ଡାକିଲେ । ସେ କିନ୍ତୁ ଗଲାନି ।

 

ବାପାଙ୍କର ଦିହ ଖରାପ ଶୁଣି ସେ ଭାଙ୍ଗିପଡ଼ିଛି । ଥାଉ ଯିବା ଦରକାର ନାହିଁ ।

 

ତା’ ହେଲେ– ଗୋପାଳବାବୁ ପଚାରିଲେ ।

 

ଏଇ ମୁଁ ସାଙ୍ଗେ ସାଙ୍ଗେ ଆସୁଛି । ଶଇଳ ସାଙ୍ଗେ ସୁର ଚାଲିବାକୁ ଆରମ୍ଭ କଲା । ମନ ତା’ର ଘୂରି ବୁଲୁଥିଲା– ଗୋପାଳବାବୁଙ୍କ ପାଖେ ପାଖେ । ମନି ପାଖେ । କ’ଣ ସେମାନେ ଭାବୁଥିବେ କେଜାଣି ? ସାଂଗେ ସାଂଗେ ପ୍ରଶ୍ନ ସାଂଗକୁ ଉତ୍ତର– ଯା ହା ଭାବିବେ ଭାବୁଥାଆନ୍ତୁ । ଆପେ ଠିକ୍‌ ଥିଲେ ଦୁନିଆ ଠିକ୍‌ । ବିଚାରା ଗୋପାଳବାବୁଙ୍କ ଘର ସରାଗରେ ଜଳଖିଆ ଚା’ ଆଦିର ବନ୍ଦୋବସ୍ତ କରିଥିଲେ । କ’ଣ ବୋଲି ସେମାନେ ଭାବିବେ ? ଯେତେ ସମ୍ଭବ ସେମାନେ ଆଉ କେତେ କଣ ମନ ଭିତରେ କଳ୍ପନା ଜଳ୍ପନା କରିଯିବେ । ଯାହା କିଛି ଭାବୁଥିବେ–ଶଇଳକୁ କେନ୍ଦ୍ର କରି, ଝିଅଟି କିଏସେ ? ସୁରବାବୁଙ୍କ ସାଙ୍ଗେ ଇଆର ସଂପର୍କ ଅବା କ’ଣ ?

 

ଶଇଳକୁ ଅଧାବାଟରେ ଠିଆ କରେଇ ଦେଇ ସୁର ପୁଣି ଫେରି ଆସିଲା । ଗୋପାଳବାବୁ ସେତେବେଳେ ବଗିଚା ଭିତରେ ଥିଲେ ।

 

ଜଳଖିଆ ଖାଇବାକୁ ବେଳ ନାହିଁ । ଖାଲି ଚା’ଟା । ଚା’ବି ସେତେବେଳେ ଥଣ୍ଡା ହୋଇଯାଇଥିଲା । ତା’ ସାଙ୍ଗକୁ ଗୋପାଳବାବୁଙ୍କ ବ୍ୟବହାର କଥାବାର୍ତ୍ତା ଓ ଘର ଭିତରେ ତାଙ୍କ ସ୍ତ୍ରୀଙ୍କର ଭାବନାରେ ଯେ ହିମ କାକର ଆସି ଲାଗିଯାଇଚି ଏକଥା ସୁର ଚା’ ଖାଇଲା ବେଳେ ଅନୁଭବ କରୁଥିଲା । କହିବାକୁ ଉପାୟ ନାହିଁ । ସୁର ଏଣେ ତରତର ହେଉଛି । ଶଇଳଟା ରାସ୍ତା କରକୁ କରି ଠିଆ ହୋଇଛି । କେବଳ ଶିଷ୍ଟାଚାର ଜଗି ସୁର ଆଉ ଥରେ ଫେରି ଆସିଲା । ଚା’ଟା ତରତର ହୋଇ ପିଇଯାଉଥିଲା ବେଳେ ସେ ଭାବୁଥିଲା– ନ ଆସିଥିଲେ ବି ଚଳିଥାନ୍ତ । ଦି’ ଆଡ଼ିକି ଲୋଭ । ପୁଅ ମୁଣ୍ଡକୁ ଏଣେ ତେଲ ଘଡ଼ିକି । ସୁର ଅନୁଭବ କଲା– ଏ ଯେପରି ପିଲାଳିଆ କଥା । ବୟସ ବଢ଼ିଲାଣି । ପଢ଼ାପଢ଼ି ସାରି ସେ ଚାକିରୀ କଲାଣି । ତଥାପି ପିଲାମୀ ଛାଡ଼ିନି । ତା’ର ମନ ଭିତରୁ ଛପି ଛପି ଧାଇଁ ଆସୁଥିଲା–ପିଲା ବେଳର ସୁର । ସ୍କୁଲ ପିଲା । ସବୁ କଥାକୁ ତରତର । ଘରେ, ବାହାରେ ସବୁଆଡ଼େ । କାହା କଥା ଶୁଣେନି । ଯାହା ବୁଝିଥିବ ସେଇଆ । ପବନ ଭଳି ଗତି-। ଏଇଠି ଅଛିତ ଏଇଠି ନାହିଁ । ସବୁବେଳେ ଖାଲି ଖେଳ, ଡିଆଁ ଡେଇଁ ଆଉ ବୁଲାବୁଲି । ଖରାତରା ସେ ମାନେନି । ପାଠପଢ଼ାରେ ମନ ନଥାଏ । ସୁର ଭଲ କରନ୍ତା । ଏମିତିକି ସେ ଫାଷ୍ଟ ବି ହୁଅନ୍ତା– ଯେବେ ତା’ର ଚଂଗଚଂଗିଆ ପଣଟା ଛାଡ଼ି ଦିଅନ୍ତା । ପ୍ରତ୍ୟେକ ଜିନିଷ ଓ ପ୍ରତ୍ୟେକ କଥାରେ ଖାଲି ସେ ତରତର ।

 

ଚା’ ତକ ପିଇସାରିଲା ବେଳେ ତା ମନ ଭିତରେ ପିଲା ଦିନର ତରତରିଆ ସ୍କୁଲ ପିଲା ସୁର ମୁହୂର୍ତ୍ତେ ଉଁକି ମାରି ଦେଇ କୁଆଡ଼େ ଲୁଚିଗଲା । ଗୋପାଳ ବାବୁ ପାନ ଯାଚୁଥିଲେ ସୁରର ନିହାଜ୍‌ ନାହିଁ । ଶଇଳକୁ ସେ ଅଧବାଟରେ ଠିଆ କରେଇ ଦେଇ ଆସିଛି । ବିଚାରୀ ସାଇକେଲ୍‌ଟି ଧରି ଠିଆ ହୋଇଛି । ଏକେଲା । ସଂଧ୍ୟା ନଇଁ ଆସିଲାଣି । ଯେତେ ହେଲେ ଝିଅ ପିଲାତ ? କ’ଣ ଭାବୁଥିବେ କେଜାଣି ?

 

ପାଦ ଦି’ଟି ତାର ଆଗେଇ ଚାଲିଛି । ମନର ଗତି ବିପରୀତ ଦିଗରେ । ଉଡ଼ି ବୁଲୁଛି ଯାଇ ମନି ପାଖରେ । ଗୁଣୁ ଗୁଣୁ କରୁଛି । ଘେର ଖାଉଛି । ମନିର ପୋତିଲା ଆଖି ଓ ପୂରନ୍ତା ଶରୀର ପାଖେ ପାଖେ, ଚାରିପାଖେ । ଝରକା ଦେଇ ସେ ବୋଧେ ତା’ ଆଡ଼ିକି ଲକ୍ଷ୍ୟ କରିଥିବ । କେତେ କ’ଣ ଭାବୁଥିବ । କେତେ କେତେ ସୁନେଲି ସ୍ୱପ୍ନ ତା’ର ଭ୍ରୂଲତା ଉପରେ ଉଁଙ୍କି ମାରି ଲିଭି ଲିଭି ଯାଉଥିବ । ବିଚାରୀ ସରଳ ଆଉ ନିରୀହ ଝିଅଟିଏ । ପାଦ ତା’ର କ୍ଵାଟର ଫାଟକ ଡେଇଁ ରାସ୍ତା ଉପରେ ଚଳିଲା ବେଳେ ମନ ଭିତରେ ଅବା ଆଉ ଜଣେ ରହି ରହି ଡାକ ଛାଡ଼ିଥିଲା–ମନି–ମନି–ଆଉ ମନି

 

ଅଧବାଟରେ ଶଇଳ ସାଙ୍ଗରେ ଯାଇ ମିଶିଲା ବେଳେ ରାସ୍ତାଟା ଅବା ଘୁମେଇଲା ଭଳି ଜଣାପଡ଼ୁଥିଲା । ଲୋକ ସମାଗମ ପରେ ଗହଳି ଆସ୍ତେ ଆସ୍ତେ କମି ଆସୁଥିଲା । ଯିଏ ଯାହାର ସଉଦାପତ୍ର ଧରି ଓ ଅଫିସ୍‌ କାମ ସାରି ନିଜ ନିଜର କ୍ୱାଟରରେ ଆସି ପଶିଗଲେଣି । କ୍ୱାଟର ଆଗର ଗଛପତ୍ର ଗହଳିରୁ ଶୁଭୁଛି ଖସ୍‌ ଖସ୍‌ ଶବ୍ଦ । ସବୁଆଡ଼ ତୁନିତାନ୍‌ । ଦୁଆର ଝରକା ଦେଇ ରାସ୍ତା ଉପରେ ବିଜୁଳି ଆଲୁଅ ଗାରକାଟି ଛିରିକି ଆସୁଛି । ରାସ୍ତା କରର ଗୋଟିଏ ଗୋଟିଏ ଖୁଣ୍ଟି ଛାଡ଼ିଦେଇ ବିଜୁଳି ଆଲୁଅ ଅନ୍ଧାରର ଲୁଚୁକାଳି ଖେଳ ଭିତରେ ଦିହେଁ ଆଗେଇବାରେ ଲାଗି ଥାଆନ୍ତି । ଶଇଳ ଆଉ ସୁର । ଗୋଟିଏ ଲକ୍ଷ୍ୟ ଶଇଳର କ୍ୱାଟର ଆଡ଼େ ।

 

ଦିହିଁଙ୍କ ଭିତରେ କଥାବାର୍ତ୍ତା ନାହିଁ । ଆଳାପ ଆଲୋଚନା ନାହିଁ । ଖାଲି ଚାଲିବା ଓ ଆଗେଇ ଯିବା । ଦିହିଁଙ୍କ ଭିତରେ ଥିଲା ଅଜାଡ଼ି ଦେବା ଓ ଗ୍ରହଣ କରିବାର ଉଦ୍ଦାମ ଉତ୍ସ । ଜୁଆର ଭଳି ଲହଡ଼ି ଭାଙ୍ଗି ଭାଙ୍ଗି ମନ ଭିତରକୁ ଉବୁକେଇ ଆସୁଥିଲା ଭାବନା । ଚୁପ୍‌ଚାପ୍‌ କାହାକୁ କିଛି ନ କହି ଚାଲିବାରେ ସେ ଅବା ଯେପରି ଆତ୍ମପ୍ରକାଶ କରୁଥିଲା । ଅକୁହା କଥା । ଭାଷାର ଶରୀର ନଥିଲେ ବି ଅକୁହା କଥାରେ ଥାଏ ଭାଷାର ଆତ୍ମା । ସେ ସବୁ ଜଣାପଡ଼େ– ଚାଲିରୁ, ଆଖି କଣରୁ ଓ ଭାବ ଭଙ୍ଗିରୁ । ଭାଷା ସେଇ ସବୁ ଭିତରୁ ଅବା ଝରି ଆସେ ଏବଂ କଣ୍ଠରେ କେବଳ ପ୍ରତିଧ୍ୱନିତ ହୁଏ । ତୁନି ରହି ମଣିଷ ଅନେକ କିଛି କହେ । ସହଜରେ ବୁଝି ହୁଏନି । ତାକୁ ବୁଝିବା ଲୋକ କେବଳ ଜଣେ । ସୁର– ଶଇଳର ଚାଲି ଓ ନୀରବତାରୁ ତା’ ମନକୁ ଅବା ଜାଣିବାକୁ ଚେଷ୍ଟା କରୁଥିଲା । କିଛି ହେଲେ କହୁ ନଥିଲା । ପଚାରୁ ବି ନଥିଲା । ଆକାଶ ପାତାଳ କେତେ କ’ଣ ଖାଲି ଭାବୁଥିଲା । ଶଇଳକୁ ବୁଝିବାକୁ ବି ଚେଷ୍ଟା କରୁଥିଲା । ତା’ ମନ ଭିତରର ବେଦନାକୁ ଚାପି ରଖି ।

 

ପାଖ ଦେଇ ଚାଲିଗଲେ ହଳେ ତରୁଣ ତରୁଣୀ । ତରତରରେ ଆଖି ଝଲସେଇ ଓ ଅନ୍ଧାରିଆ ରାସ୍ତାରେ ଫୁଲ ବୁଣି ବୁଣି । ବୋଧେ ସ୍ୱାମୀ ସ୍ତ୍ରୀ ହେବେ । ହସ କୁରୁଡ଼ି ମାରି । କେତେ କ’ଣ ଫୁସ୍‌ଫାସ୍‌ କଥାବାର୍ତ୍ତା କରି । ପାଖକୁ ପାଖ ଦିହେଁ ରାସ୍ତା କରେ କରେ ଚାଲିଥାଆନ୍ତି । ଏମାନଙ୍କୁ ପଛରେ ପକେଇ ସେମାନେ ଚାଲିଗଲେ । ତାଙ୍କ ପଛେ ପଛେ ସୁର ଆଉ ଶଇଳ ।

 

ଖରାରେ ଥୁଆ ଦର୍ପଣର ଝାପ୍‌ସା ଛାଇ ଭଳି ସୁରର ମନ ଭିତରେ ଝାପ୍‌ସା ଭାବନାଟିଏ ଉଁକି ମାରି ଦେଲା । ସିଏ ଆଉ ଶଇଳ । ଗୋଟିଏ କ୍ୱାଟରରେ ଦିହିଁଙ୍କର ବସା । ଦିହିଁଙ୍କର ଚାକିରୀ-। ଅଭାବ ଅସୁବିଧା ନାହିଁ । ବର୍ଷକୁ ବର୍ଷ ଦରମା ବଢ଼ି ଚାଲିଛି । ତା’ ସାଙ୍ଗେ ସାଙ୍ଗେ ପ୍ରମୋଶନ୍‌ । ସାମ୍ନାରେ ଗୋଟିଏ ମାତ୍ର ରାସ୍ତା । ସବୁଜ ଘାସରେ ଘେରା । ଅଣଓସାରିଆ ଗୋଟିଏ ଡାଳରେ ଦୁଇଟି ପକ୍ଷୀ । ଦରମା ତାଙ୍କର କାଠିକୁଟା । ଦୁହେଁ ଏକାଠି ବସା ବାନ୍ଧିଛନ୍ତି ।

 

ଆଗ ଆଡ଼ୁ ଛୁଟି ଆସିଲା ଗୋଟିଏ ସାଇକେଲ ରିକ୍‌ସା । ଘଣ୍ଟି ବଜେଇ ସେମାନଙ୍କ ପାଖ ଦେଇ ସେଇଟା ଧାଇଁଗଲା । କ୍ୟାପିଟାଲ୍‌ର ଧାଡ଼ିବନ୍ଧା କ୍ୱାଟର ଉପରେ ସେ ଦିନର ଜହ୍ନ ନିଷ୍ପ୍ରଭ ପ୍ରଶ୍ନବାଚକ ଚିହ୍ନ ଭଳି ଝୁଲି ରହିଥିଲା । ଚାରିପାଖେ ଅନ୍ଧକାରର ଲହଡ଼ି । ତା’ ସାଙ୍ଗେ ମିଶି ଯାଉଥିଲା ବିଜୁଳି ଆଲୁଅର ଛିଟିକା । ଆଲୁଅ । ଅନ୍ଧାରର ମେଳଣ । ମନର ଅଗଣନ ଉଁକିମରା ଭାବନା ଭଳି ମୁଣ୍ଡ ଉପରେ ଅଗଣନ ତାରା ।

 

ରିକ୍‌ସାଟା ଖାଲି ଯାଉଥିଲା । ସୁରର ଇଚ୍ଛା ହେଲା– ଶଇଳ ଓ ସେ ରିକ୍‌ସାରେ ସାଙ୍ଗହୋଇ ତା କ୍ୱାଟର ଆଡ଼େ ଯାଆନ୍ତେ । ଶଇଳର ବ୍ଲାଉଜ ତଳର ବାହା ସାଙ୍ଗେ ତା’ର ହାଓ୍ୟାଇ ତଳର ବାହା ବାଡ଼େଇ ହେବାରେ ଲାଗିଥାଆନ୍ତା । ପୋଷାକ ତଳେ ଶରୀର । ପୁଣି ଶରୀରର ସ୍ୱପ୍ନ-। ବାହା ସାଙ୍ଗେ ବାହା ବାଡ଼େଇ ହେଲା ବେଳେ କେତେ କେତେ ସ୍ୱପ୍ନ ତା’ର ଉଜାଣି ଉଠନ୍ତା । ଶଇଳ ତା’ ସାଇକେଲଟାକୁ ଯେ ଚଲେଇ ଚଲେଇ ନଉଛି ସୁରର ଏକଥାଟା ଖିଆଲ ନଥିଲା ।

 

ସୁର ତା’ ଭାବନାରୁ ଫେରି ଆସିଲା ବେଳେ ରିକ୍‌ସାଟା ଏମାନଙ୍କୁ ପଛରେ ପକେଇ ଚାଲିଗଲାଣି । ଆଗ ଲାଇଟ୍‌ଖୁଣ୍ଟ ପାଖରେ ତା’ର ପଛପଟଟାକୁ ସୁର ଦେଖିବାକୁ ପାଇଲା ।

 

ଶଇଳ ମୁହଁ ପୋତି ପୋତି ଆଗଭଳି ସେମିତି ଚାଲୁଥିଲା । କଥାବାର୍ତ୍ତା ନାହିଁ । ନୀରବତା । ରାସ୍ତା ଘାଟ, ଦି ପାଖରେ ଧାଡ଼ି ଧାଡ଼ି କ୍ୱାଟର, ଏପରିକି ସମୁଦାୟ କ୍ୟାପିଟାଲଟା ସୁରକୁ ନିର୍ଜୀବ ଜଣା ପଡ଼ୁଥିଲା ।

 

ବାପାଙ୍କ ଦେହବ୍ୟସ୍ତ କଥା, କେବେ ସେ ଫେରି ଆସିବ, ଗାଁକୁ ଯାଇ ସାଙ୍ଗ‌େ ସାଙ୍ଗେ ଚିଠି ଲେଖିବ ଏମିତି କେତେ କ’ଣ ତାକୁ କହିବ କହିବ ବୋଲି ସୁର କଥା ଗୁଡ଼ାକ ତା’ ତୋଟି ପାଖରେ ଜମେଇବାରେ ଲାଗିଥିଲା । ସିଧା ଦେଖିବାକୁ ପାଇଲା– ଆସୁଛନ୍ତି ନିମେଇଁ ବାବୁ । ଦିହିଁଙ୍କି ଏକାଠି ଦେଖି ସେ ଆଡ଼ହୋଇ ଚାଲି ଯାଉଥିଲେ । ଶଇଳର ଆଖି ପ୍ରଥମେ ପଡ଼ିଲା ତାଙ୍କ ଉପରେ । ସୁର ଅନ୍ୟମନସ୍କ ଥିଲା । ପାଉଁଶିଆ ବାଙ୍କୁଲି ଚନ୍ଦ୍ର ଉପରେ ଲାଖି ରହିଥିଲା ତା’ର ଆଖି-। ନିମେଇଁ ବାବୁଙ୍କୁ ସେ ଆଗ ଦେଖିନି । ପ୍ରଥମେ ଦେଖିଛି ଶଇଳ ।

 

କଇଫିୟତ ଦେଲା– ବାପାଙ୍କ ପାଇଁ କିଛି ଫଳ ଓ ଔଷଧ କିଣିନବାକୁ ମାର୍କେଟ ଆସିଥିଲି ଦେଖା ହେଲେ ସୁରବାବୁ ।

 

ଆଚ୍ଛା ! ନିମେଇଁ ବାବୁ ବାଟଭାଙ୍ଗି ଚାଲିଯିବାକୁ ବସିଥିଲେ ।

 

ସୁର ଯେମିତି ଅବା ଚମକି ପଡ଼ିଲା । କିଛି ହେଲେ କହିପାରିଲାନି ।

 

ପଛଆଡ଼ୁ ଡାକିଲା ଶଇଳ– ଚାଲନ୍ତୁ ଯିବା–

 

କୁଆଡ଼େ ?

 

କ’ଣ କାମ ଅଛି ?

 

ନାଇଁ । ତଥାପି–ନିମେଇଁ ବାବୁଙ୍କର ଆପତ୍ତି ନ ଥିଲା ।

 

ଶଇଳ ଆଶା କରିଥିଲା– ନିମେଇଁ ବାବୁ ବୋଧେ ମନା କରିବେ । ତାଙ୍କର ପିଲା ଛୁଆର ସଂସାର । କେତେ ଜଞ୍ଜାଳ । କେତେ ଦାୟିତ୍ୱ । ଏମିତି କେତେ କ’ଣ ତାଙ୍କର–

 

ସିଏ ବି ସାଙ୍ଗହୋଇ ଚାଲିବା ଆରମ୍ଭ କଲେ ।

 

ସୁରର ସ୍ୱପ୍ନ ଯାକ ଗୋଟିଏ ଧକ୍‌କାରେ ଅବା ଚୁର୍‌ମାର୍‌ ହୋଇଗଲା । ମନି ଏବଂ ତା ପରିବାରର ସମସ୍ତ ସ୍ୱପ୍ନକୁ ଉପେକ୍ଷା କରି କିମିତି ଏକ ଅଜଣା ଆକର୍ଷଣର ତାଡ଼ନାରେ ଶଇଳ ସାଙ୍ଗେ ତରତରରେ ସେ ଚାଲି ଆସିଲା ? ବଡ଼ ଅଭଦ୍ରାମୀ ହେଲା । ସୁର ମନେ ମନେ ଲଜ୍ଜିତ ହେଲା । ଗୋପାଳ ବାବୁଙ୍କ ଘର, କଣ ବୋଲି ତାକୁ ଭାବିଥିବେ । କେଜାଣି ? ସେ ବଡ଼ ଭୁଲ କାମ କରିଛି ।

 

ମନି ତା’ ଆଖି ଆଗରେ ଆସି ନାଚିଲା । ପ୍ରଥମ କରି ସେ ଯେତେ ବେଳେ ମନିକି ଦେଖେ, ଝରକା ପାଖରେ ସେ ଠିଆ ରହିଥିଲା । ବିଚାରୀ ପିଲାଟିଏ । ସୁନାର ସଂସାର ତା’ର ଗଢ଼ି ଚାଲିଥିବ । କୁଳର ଲକ୍ଷ୍ମୀ । ପିଲା ଛୁଆର ମା’ । ମନିକି ନେଇ ସଂସାର ଗଢ଼ିହେବ । ପରିବାରର ଭଲମନ୍ଦ ବି ବୁଝିହେବ । ମନିକି ନେଇ ସେ ତା’ର ସଂସାର କରିବ ।

 

ପାଦମିଳେଇ ଚାଲୁଥିଲାବେଳେ ସୁର ତା’ ଛାତି ଭିତରକୁ ଦୀର୍ଘ ନିଃଶ୍ୱାସଟିଏ ନେଇ ତାକୁ ଆସ୍ତେ ଆସ୍ତେ ଛାଡ଼ିବାକୁ ଆରମ୍ଭ କଲା । ମନସ୍ତାପରେ ତା’ର ଭିତରଟା ଅବା ଜଳିପୋଡ଼ି ଯାଉଥିଲା । ଗୋପଳ ବାବୁଙ୍କ ଘରର ସମସ୍ତଙ୍କ ମନରେ କଷ୍ଟ ଦେଇ ସେ ଭୁଲ୍‌ କରିଛି ।

 

କ୍ୟାପିଟାଲ୍‌ର ସର୍ବପ୍ରଧାନ ରାସ୍ତା ରାଜପଥ ଉପରକୁ ସେମାନେ ଆସିଗଲେ । କାର୍‌ ପରେ କାର୍‌ ଧାଡ଼ି ଲାଗିଲା ଭଳି ଦଉଡ଼ିବାରେ ଲାଗିଥାଆନ୍ତି । ରାସ୍ତାଯାକ ମର୍କରୀ ଲାଇଟ୍‌ ଖଞ୍ଜା । ଗୋଟିଏ କରରେ ମାର୍କେଟ ବିଲ୍ଡ଼ିଂ, ବସଷ୍ଟାଣ୍ଡ୍, ପେଟ୍ରୋଲ ଟାଙ୍କି । ଆରକରରେ ଥାନା, ହାଟ ଓ ଧାଡ଼ି ଧାଡ଼ି କ୍ୱାଟର । ସାମ୍ନାକୁ କରି ଗୋଲେଇ ଛକ । ଅଳ୍ପ ଟିକିଏ ଆଗେଇ ଗଲେ ସେକ୍ରେଟରୀଏଟ୍‌ କୋଠା ଓ ଅନ୍ୟାନ୍ୟ ଅଫିସର କୋଠାବାଡ଼ି । ବିଜୁଳି ଆଲୁଅରେ କ୍ୟାପିଟାଲଟା ଭର୍‌ପୁର । ଚାଲିଥାଏ ଲୋକ ସମାଗମ । ତା’ ସାଙ୍ଗକୁ ଶଇଳ, ସୁର ଆଉ ନିମେଇଁ ବାବୁ । ପାଦ ମିଳେଇ ତିନିହେଁ ଚାଲିଥାଆନ୍ତି– ଗୋଲେଇ ଛକ ଆଡ଼େ । ସେଇ ଆଡ଼େ ଶଇଳର କ୍ୱାଟର । ଆଠ ନମ୍ୱରରେ ।

 

ସୁର କହିଲା– ତା’ର କାମ ଅଛି । ଜଣଙ୍କ ସାଂଗରେ ଦେଖା କରିବା କଥା । ଜରୁରୀ କାମ । ନିମେଇଁ ବାବୁଙ୍କୁ ସେ ଅନୁରୋଧ କଲା– ଶଇଲ ସାଂଗେ କଥାବାର୍ତ୍ତା ହୋଇ ଯାଆନ୍ତୁ । ତା’ ସାଂଗେ ସାଂଗେ ଶଇଳକୁ ବି ସେ ପଚାରିଲା– ସକାଳ ବସ୍‌ରେ ଯିବେଟି ?

 

ଶଇଳ ମୁଣ୍ଡଟୁଙ୍ଗାରି ହଁ କଲା । ପାଟିଖୋଲି କିଛି ହେଲେ କହିଲାନି ।

 

ନିମେଇଁ ବାବୁ କହିଲେ ତାଙ୍କର ବି ଘରେ ଅନେକ କାମ ।

 

ଦିହେଁ ଦି ଆଡ଼ିକି ଛୁଟିଲେ । ସୁର ଚାଲିଲା ହୋଟେଲ ଆଡ଼େ । ଖାଇବାଟା ତୁଟେଇ ଦେଲେ ଯାଏ ।

 

ନିମେଇଁ ବାବୁ ବଜାର କରିବାକୁ ଆସିଥିଲେ । ଘରେ ତେଣେ ଚାହିଁ ବସିଥିବେ । ତା’ ସାଙ୍ଗକୁ ପିଲାଛୁଆଙ୍କ କାନ୍ଦ ବୋବା । ସଂସାରୀ ଲୋକର ବିଶ୍ରାମ ଆଉ କାହିଁ ?

 

ଶଇଳ ଦିହିଁଙ୍କି ନମସ୍କାର କରି ତା’ କ୍ୱାଟର ଆଡ଼େ ସାଇକେଲ୍‌ ଛୁଟେଇ ଦେଲା । ସୁତାଖିଅ ଭଳି ସରୁ ବଙ୍କା ଜହ୍ନଟା ଆକାଶରେ ଝୁଲି ଝୁଲି ସେତେବେଳେ ଲୁଚିଯିବାକୁ ବସିଥିଲା ।

 

ଆରଦିନ ସକାଳେ–

 

ଆଖି ଖୋଲିଲାବେଳକୁ ଛ’ଟା ବାଜି ପାଞ୍ଚମିନିଟ୍‌ । କ୍ୟାପିଟାଲର ସର୍ବପ୍ରଥମ ସରକାରୀ ବସ୍‌ ସାଢ଼େ ଛ’ଟା ବାଜି ପାଞ୍ଚମିନିଟ୍‌ । କ୍ୟାପିଟାଲରୁ ଯାଉଥିବା ସରକାରୀ ବସ୍‌ ସାଢ଼େ ଛ’ଟାରେ କଟକକୁ ଛାଡ଼େ । ସକାଳୁ ଉଠି ବସ୍‌ ପାଖକୁ ଯିବ ବୋଲି ସୁର ଏତେ ଶୀଘ୍ର ସେଦିନ ଉଠିପାରିଲା-। ଅନ୍ୟ ଦିନମାନଙ୍କରେ ଶେଯ ଛାଡ଼ିଲା ବେଳକୁ ସାତ ସେପଟେ ପଛେ ଏପଟେ ନୁହେଁ । କିଛି ଗୋଟେ କାମଥିଲେ ନିଦଟା ଚାଉଁକିନି ଠିକ୍‌ ସେତିକିବେଳକୁ ଭାଙ୍ଗିଯାଏ । ମଣିଷର ମନ ଲଗାମ ଧରି ସଦାବେଳେ ତା’ର ଶରୀରକୁ ଅବା ପରିଚାଳିତ କରେ ।

 

ସମୟ ନ ଥିଲା । ସୁର ପ୍ୟାଣ୍ଟ ସାର୍ଟ ହଳକ ତରତରରେ ଦିହରେ ଗଳଉଥିଲା ଏଣେ ଟେବୁଲ ଉପରୁ ବ୍ରସ୍‌ଟା ଆଣି ଦାନ୍ତରେ ବେଢ଼େଇବାରେ ଲାଗିଥିଲା । ବସ୍‌ଷ୍ଟାଣ୍ଡ କାଣ୍ଟିନରେ ଚା’ଟା ଅନ୍ତତଃ ଖାଇ ପାରିବ।

 

ସେଦିନର ସକାଳେ ସୁରକୁ କେମିତି ଭାରି ଭାରି ଲାଗୁଥିଲା । ସଞ୍ଜ ବେଳେ ଶଇଳ କେତେ ସରାଗରେ ତା’ କ୍ୱାଟର ପାଖକୁ ଆସିଥିଲା । ତା’ ମନ ଭିତରେ ଦୁଃଖତକ ହାଲ୍‌କା କରିବ ବୋଲି । କାଇଁ, ଆଉ କାହା ପାଖକୁ ତ ସେ ଯାଇ ନଥିଲା ? ଅଥଚ କାମର ଛଳନା କରି ତା’ ପାଖକୁ ସେ ପଳେଇ ଆସିଥିଲା । ଶଇଳ ବୋଧେ ଖରାପ ଭାବିଥିବ ? ଗଲା ରାତିରେ ଆଖିକି ତା’ର ନିଦ ଆସିବା ଯାଏ ସେ ସେଇ କଥାଇ ଭାବୁଥିଲା । ଆଖି ଖୋଲିଲା ବେଳକୁ ସେଇ ଭାବନାର ଶିଖା । ମଝିରେ କେଇ ଘଣ୍ଟାର ନିଦ କେବଳ ବ୍ୟବଧାନ ମାତ୍ର । ପୋଷାକପତ୍ର ପିନ୍ଧି ଉପରକୁ ଅନେଇ ସୁର ଦେଖେତ– ଆକାଶରେ ମାଛ କାତିଆ ମେଘ । ଚେକି ମାରି ପରସ୍ତ ପରସ୍ତ ହୋଇ ପଡ଼ି ରହିଛି । ମେଘର ଧାରେ ଧାରେ ଗୋଲାପୀ ସୂର୍ଯ୍ୟ କିରଣର ଧଡ଼ି । ଯେପରି ଅବା ଫୁଲପକା ରଙ୍ଗବେରଙ୍ଗ ଶାଢ଼ୀ ଖଣ୍ଡିଏ ଆକାଶରେ କିଏ ଆଣି ଢାଙ୍କି ଦେଇଛି । ସୁର ଅନୁଭବ କରୁଥିଲା– ତା’ର ମନ ଭିତରଟା ଯେମିତି ଅବା ଭାବନାରେ ଢଙ୍କା । କଥା କଥାକେ ସେ ଭୁଲ୍‌ କରୁଛି । ପଦେ ପଦେ । କେବେ ଆଉ ସେ ଶିଖିବ ? ସୁର ମନେ ମନେ ଠିକ କରିଦେଲା– ବସ୍‌ଷ୍ଟାଣ୍ଡରେ ନିଜ ଦୋଷଟାକୁ ମାନିଯାଇ ଶଇଳଠୁ କ୍ଷମା ମାଗିବା । ତାକୁ କହି ଦେଲେ ଅନ୍ତତଃ ସେ ଶାନ୍ତି ପାଇପାରିବ ।

 

ଭାବନା ଭିତରେ ବୁଡ଼ି ରହି ବସ୍‌ଷ୍ଟାଣ୍ଡରେ ହେଲାବେଳକୁ କଟକ ମଟରଟା ଠିଆ ହୋଇଛି । ସେତେ ଲୋକ ଗହଳି ନାହିଁ । ତେବେ ଗାଡ଼ିଭିତରକୁ ଲୋକ ଯିବା ଆସିବା ଚାଲିଛି । ବସ୍‌ ଭିତରେ ଆଖି ବୁଲେଇ ଆଣିଲା ବେଳେ ଶଇଳ ଠିକ୍‌ ସେତିକି ବେଳେ ତା ଆଡ଼ିକି ଚାହିଁ ରହିଥିଲା । ସୁରର ଆଖି ହଳକ ସାଙ୍ଗେ ସାଙ୍ଗେ ତଳକୁ ନଇଁ ପଡ଼ିଲା ।

 

ଶଇଳ ମନଖୁସିରେ ଘରକୁ ଯାଉ ନଥିଲା । ଟେଲିଗ୍ରାମ୍, ପୁଣି ବାପାଙ୍କ ଦେହ ଖରାପ । ସେ ସବୁ ସତ୍ୱେ ମଟର ପାଖରେ ସୁରକୁ ଦେଖି ଆଖି ଦି’ଟି ତା’ର କେମିତି ହସି ଉଠୁଥିଲା । ସୁର ଯେ ଏତେ ସକାଳୁ ଉଠି ବସ୍‌ ପାଖକୁ ଆସି ପାରିବ, ଶଇଳ ସେ ବିଷୟ କଳ୍ପନା କରି ନଥିଲା । କିନ୍ତୁ ମନ ଭିତରେ ଥିଲା କ୍ଷୀଣ ଆଶା ଟିକିଏ । ମଟର ପାଖକୁ ଆସିଲା ବେଳୁ କେବଳ ସୁର କଥାଇ ସେ ଭାବୁଥିଲା ।

 

ମଟର ଭିତରକୁ ପଶିଗଲା ବେଳକୁ ଡ୍ରାଇଭର ଷ୍ଟାଟ୍‌ ଦେଲା । ତଳକୁ ଓହ୍ଲାଇ ଆସି ସୁର ଅନୁରୋଧ କଲା– ବାପାଙ୍କ ଦେହ ବିଷୟ ନେଇ ଚିଠି ଦେବାକୁ । କ୍ୱାଟର୍ ଠିକଣାରେ ।

 

ଶଇଳ ହଁ ଭରିଲା । କହିଲା– ଅନ୍ୟାନ୍ୟ ଅଫିସ୍ ଖବର ଲେଖି ଆପଣ ବି ଚିଠି ଦେବେ-। ତା’ ସାଙ୍ଗକୁ ନମସ୍କାର । ନମସ୍କାର ସାଙ୍ଗକୁ ହସରେ ବୋଳା ସଜଳ ମୁହଁ ।

 

ପ୍ରତିନମସ୍କାର ଜଣେଇଲା ବେଳକୁ ମଟର ଚାଲିବାକୁ ଆରମ୍ଭ କଲାଣି । ରାଜପଥ ଦେଇ ରେଲ୍‌ ଓଭରବ୍ରିଜ୍‌ ଆଗର କଟକ ରାସ୍ତା ଆଡ଼ିକି ବଙ୍କେଇଲା ପର୍ଯ୍ୟନ୍ତ ସୁର ମଟର ଆଡ଼ିକି ଚାହିଁ ରହିଥାଏ । ଆଖିରୁ ଲୁଚିଲା ଯାଏ । କିନ୍ତୁ ସୁରର ଆଖି ଆଗରେ ଚଳନ୍ତା ମଟର ଗାଡ଼ିଟି ଦେଖା ଯାଉନଥିଲା । କେବଳ ଶଇଳର ଅନୁରୋଧ । ତା’ର ହସବୋଳା ମୁହଁ । ଚାରିଆଡ଼େ ଅବା ତାଆରି ଛବି । ଭିତରେ ଆଉ ବାହାରେ ଚଉପାଖରେ ।

 

କାଣ୍ଟିନ୍‌ରେ ଚା’କପେ ଖାଇଦେଇ ସୁର ସିଗାରେଟ୍‌ରେ ଆଗ ନିଆ ଧରେଇଲା । କାଣ୍ଟିନ୍‌ର ମାଲିକ ତା’ର ଚିହ୍ନାଲୋକ । ଆଗେ ସେ ସରକାରୀ ଚାକିରୀ କରୁଥିଲେ । ଚାକିରୀ ଛାଡ଼ି ବ୍ୟବସାୟ ଧରିଛନ୍ତି । ବଡ଼ ମେଳାପି ଆଉ ମିଷ୍ଟଭାଷୀ । ତାଙ୍କର ବ୍ୟବହାର ଯୋଗୁହିଁ ବ୍ୟବସାୟ ଏତେ ଶୀଘ୍ର ଉଠି ପାରିଛି । ଚିହ୍ନା ଲୋକଟିଏ ଦେଖିଲେ ପଦେ ଅଧେ କଥା ନ ହେଲେ ଛାଡ଼ିବେନି-। ସେ ଦେଖି ଦେଇ ପଚାରିଲେ ଏତେ ସକାଳୁ ସକାଳୁ ?

 

ଜଣଙ୍କୁ ଛାଡ଼ିବାକୁ ଆସିଥିଲି– ସୁର କଥାଟାକୁ ଅଳ୍ପକେରେ ଛିଣ୍ଡେଇ ଦେଇ ବାହାରୁଥିଲା ତା’ କ୍ୱାଟର ଆଡ଼େ ।

 

କ୍ୟାଣ୍ଟିନ୍‌ରେ ଚା’ ଜଳଖିଆ ମହଜୁତ୍‌ ରହିଛି । କ୍ୟାପିଟାଲର ଅନ୍ୟସବୁ ଦୋକାନ ଅପେକ୍ଷା ଏଇଟି ବେଶ୍‌ ସଫାସୁତୁରା । ଜିନିଷ ଗୁଡ଼ିକ ବି ଭଲ । ଆହୁରି ଭଲ ସେ ଭଦ୍ରଲୋକଙ୍କ ବ୍ୟବହାର । ସୁର ବେଳେ ବେଳେ ସେ ଦୋକାନରେ ଯାଇ ବସେ । ଚା’ ଜଳଖିଆ ହେଲା ଗୌଣ । ଇଆଡ଼ୁ ସିଆଡ଼ୁ ବୁହେ ଗପିଦେଲେ କେମିତି ହାଲ୍‌କା ଲାଗେ ।

 

ସେଦିନ ସୁରକୁ ଗପସପ କରିବାକୁ ଭଲ ଲାଗିଲାନି । ବସ୍‌ ଚଢ଼ି ଶଇଳ ତା’ଗାଁ ଆଡ଼େ ଚାଲିଲା । ସୁର ଏକାକୀ । ତାକୁ ଜଣାପଡ଼ିଲା ସାରା କ୍ୟାପିଟାଲଟାରେ ଆଉ କିଏ ଅବା ତା’ର ସାହା ଭରସା ନାହାନ୍ତି । ଅନ୍ୟ ଦିନ ହୋଇଥିଲେ ସେ କାଂଟିନ୍‌ରେ ବସି ଗପ ଜମେଇ ଥାଆନ୍ତା । କିନ୍ତୁ ଶଇଳର ଭାବନା ତାକୁ ଏକାକୀ ଚଲେଇଲା କ୍ୱାଟର ଆଡ଼େ । ଗଲା ସଞ୍ଜ ବେଳର କଥା ସେ ଭାବୁଥିଲା ବେଶି । ଦିନର ଆଲୁଅ ରାତ୍ରୀର ଅନ୍ଧକାର ଭିତରେ ବୁଡ଼ିଯିବାକୁ ଗଲା ବେଳେ ସଞ୍ଜ ପହରଟା ଯେମିତି ଦର ଛପିଲା ମୁହଁ ଦେଖେଇ ଆଖିପିଛୁଳାକେ କୁଆଡ଼େ ଲୁଚିଯାଏ । ଶଇଳକୁ ଦେଖି ତାକୁ ପହିଲେ ସେମିତି ଜଣାପଡ଼ୁଥିଲା । ଓଠ ଦି’ଫାଳ ତା’ର ଥରି ଉଠୁଥିଲା । କିନ୍ତୁ ସେଥିରେ ଭାଷା ନ ଥିଲା । ଆଖି କଣରେ ବନ୍ଧପଡ଼ି ରହି ଯାଇଥିଲା ବଢ଼ିପାଣିର ସୁଅ ଅଥଚ ତାକୁ ମାପି ହେଉ ନଥିଲା । ତାର’ ମୁହଁ ପୋତା ପୋତା ଚାଲିରେ ଥିଲା କେତେ କେତେ କାହାଣୀ । କିନ୍ତୁ ଭାଷା ଜରିଆରେ ତାହା ପ୍ରକାଶ ପାଉ ନ ଥିଲା । କ୍ୱାଟର ଆଡ଼କୁ ଗଲାବେଳେ ସୁର ଗଲା ସଞ୍ଜର ଶଇଳ କଥାହିଁ ଭାବୁଥିଲା ।

 

କ୍ୱାଟର ପାଖରେ ଆସି ପହଞ୍ଚିଲା ବେଳକୁ ଦେଖେତ– କିଏ ଜଣେ, ଆଣ୍ଠୁ ସନ୍ଧିରେ ମୁହଁ ପୋତି ବସି ରହିଛି । ଗଲା ବେଳେତ କେହି ହେଲେ ନ ଥିଲେ ? ଇଆଭିତରେ କିଏ ଜଣେ ଆସି ବସିଗଲାଣି ? କିଏ ବୋଧେ ବାଟବଣା ହୋଇ ଏଠି ବସିରହିଛି ? ପୋଷାକପତ୍ରରୁ ଜଣାପଡ଼ୁଥିଲା ଲୋକ ଜଣକ ମଫସଲ ଅଞ୍ଚଳର ହେବ । ତଥାପି ତା’ ଦୁଆରେ ସେ କାହିଁକି ବସି ରହିଛି ? ମୁହଁଟା ଟେକି ରଖିଥିଲେ ତାକୁ ଅବା ସୁର ଚିହ୍ନିପାରିଥାଆନ୍ତା । ଲୋକଟା କିଏ ଅବା ହୋଇପାରେ ? କାହିଁକି ଆସି ଏଠି ବସି ରହିଛି ? ଚିହ୍ନା କି ଅଚିହ୍ନା ? କ୍ୟାପିଟାଲର ନା ବାହାରର ଲୋକ ? ଏମିତି କେତେ ରକମର ପ୍ରଶ୍ନ ତା’ ମନ ଭିତରେ ଗୋଳେଇ ଘାଣ୍ଟି ହେଲା । ଦୁଆର ମୁହଁରେ ଆସି ପାଦ ଦେଲାବେଳେ ଜୋତା ଖଡ଼୍‌ ଖଡ଼୍‌ କରି ଘର ଭିତରକୁ ସେ ଜୋରରେ ପଶିଆସିଲା ।

 

ଲୋକଟା ସାଙ୍ଗେ ସାଙ୍ଗେ ଠିଆହୋଇ ନମସ୍କାର ହେଲା ।

 

ଦେଖିଲାବେଳକୁ ହରିଆ ଚପରାଶୀ । ଦାଢ଼ି ସଲବଲ ମୁହଁ । ଖାଟି ଖାଟି ମୁହଁଟା ତା’ର ସିଝିଗଲା ଭଳି ଦେଖାଯାଉଛି । ଆଖିରେ ତେଜ ଥିଲା ଭଳି ଜଣା ପଡ଼ୁନି । ଭାବନାରେ ସେ ଅବା ନଇଁପଡ଼ିଛି ।

 

ହରିଆ ତା’ ଘରକୁ ଆସିବାର ଅସଲ କାରଣଟା କ’ଣ ଯେ ହୋଇପାରେ ସେ କଥାଟାକୁ ସୁର ମନ ଭିତରେ ଫେଣଉ ଥିଲାବେଳେ ହରିଆର ଚେହେରାରୁ ବେଶ୍ ଜଣାପଡ଼ୁଥିଲା– ବୋଧେ କ’ଣ ମାଗିବାକୁ ଆସିଛି । ପଚାରିଲା– ହରି, ଖବର କ’ଣ ? ଏଠେଇ କାଇଁ ମୁହଁ ପୋତି ବସଛୁ ? କଥା କ’ଣ ?

 

ଏଇ ଆଜ୍ଞା ଇଆଡ଼େ ଆସିଥିଲି । ମୁଣ୍ଡଟା କେମିତି ଘୂରେଇଲା ଭଳି ଜଣାପଡ଼ିଲା । ବସିଯାଇଛି । ତା’ କଥାରୁ ଜଣାପଡ଼ିଲା– ଅସଲ କଥାଟାକୁ ସେ ଲୁଚେଇବାକୁ ଚେଷ୍ଟା କରୁଛି । କହୁନି ।

 

ସୁର ପଚାରିଲା– କିରେ କହୁନୁ–

 

ହରିଆ ମୁଣ୍ଡକୁ ତଳକୁ ପୋତି ତୁନିଟି ହୋଇ କେବଳ ଠିଆ ହୋଇ ରହିଲା । ଏଣେ ବାଁ ଗୋଡ଼ର ବୁଢ଼ା ଆଙ୍ଗୁଠି ନଖଟାକୁ ସିମେଣ୍ଟ ଉପରେ କେବଳ ଘସିବାରେ ଲାଗିଥିଲା ।

 

କ’ଣ ଟଙ୍କା ଦରକାର ? କେତେ ଟଙ୍କା ଦେଲେ ଚଳିବ ?

 

ହରିଆ ବିଚାରା କିଛି ହେଲେ ଆଉ କହିପାରିଲାନି । ଆଖିରୁ ତା’ର ବହିଚାଲିଲା ଲୁହର ଧାରା । ଶ୍ରାବଣର ମେଘ ଭଳି ।

 

କିରେ କଥା କ’ଣ ? ବଡ଼ ଆଶ୍ଚର୍ଯ୍ୟ ଲୋକ ଇଏ ?

 

ସୁର ଘର ଭିତରକୁ ତାକୁ ଡାକି ନେଇ ଆଶ୍ୱାସନା ଦେଲା । କିଛି ହେଲେ ତାକୁ ପଚାରିଲାନି ।

 

ହରିଆ କିନ୍ତୁ କହି ଚାଲିଲା–

 

ଆଜି ହେଲାଣି ଷୋଳ ତାରିଖ । ଦରମା ପାଇବାକୁ ଆଉ ଚଉଦ ପନ୍ଦର ଦିନ ବାକୀ । ଏତେ ଗୁଡ଼ା ଦିନ କେମିତି ଯେ ମୁଁ ଏଠି ପିଲା କବିଲା ଧରି ଚଳିବି ଜାଣିପାରୁନି । ଆଗେ ବାବୁମାନଙ୍କୁ ମାଗିବା କିଛି ଦରକାର ପଡ଼ୁ ନ ଥିଲା । ସେମାନେ ମନଜାଣି ଯେତେବେଳେ ଯାହା ତାହା ଇଚ୍ଛା ଦେଉଥିଲେ । ବାଇଶି ତେଇଶି ବର୍ଷ ଚାକିରୀ କଲିଣି ଏତେ ଅସୁବିଧା କେବେ ଭୋଗ କରିନଥିଲି । ଖାଲି ଟଙ୍କା ପଇସା ନୁହେଁ । ମାସକେ କୋଡ଼ିଏ ଦିନ ବାବୁଙ୍କ ଘରେ ମୋର ଖାଇବା ମୁଠାକ ଚଳିଯାଏ । ବାବୁମାନଙ୍କ ଘରୁ ମାଗିଯାଚି ମୁଁ ଯାହା ନିଏ ପିଲେ ମୋର କେତେ ଦିନ ସେମିତି ଚଳିଯାଆନ୍ତି । ଏବେ କିନ୍ତୁ ଯୁଗ ଓଲଟି ପଡ଼ିଲାଣି । ବାବୁମାନଙ୍କ ନାଁ ମୁଁ କହିବିନି । ଏତିକି କହିବି–ସେମାନଙ୍କ ଘରେ ସକାଳ ପାଉ ନ ପାଉ ନଅ ସାଢ଼େ ନଅ ଯାଏ ଖଟିବାକୁ ପଡ଼େ । ପିଲା କାଖେଇବା, ବଜାର ସଉଦା କରିବା, ଛୋଟ ପିଲାମାନଙ୍କୁ ସାଙ୍ଗରେ ନେଇ ସ୍କୁଲରେ ଛାଡ଼ିବା, ବାବୁଆଣୀ ମାନଙ୍କର ମିଞ୍ଜାସ୍ ଜଗି ଦିନେକେ ପଚାଶ ଶହେ ଥର ଦୋକାନକୁ ଦଉଡ଼ିବା, ସଦାବେଳେ ହାଁ ଜୀ ହାଁ ଜୀ କରିବା ଆଦି କେତେ କଥା ଓ ଅସଂଖ୍ୟ ଫରମାସ୍‌ ଅନୁସାରେ କାମ ନକଲେ ରକ୍ଷା ନାହିଁ । ଏକା ଗାରକେ କୋଉ ଦିନ ଚାକିରୀ ଚାଲିଯିବ । ଚାକିରୀ ଖଣ୍ଡକ ଗଲେ ସରିଲା କଥା । ଦିନ ରାତି ଦଉଡ଼ି ଦଉଡ଼ି, ମୁଣ୍ଡଝାଳ ତୁଣ୍ଡରେ ମାରିଲେ କ’ଣ ପ୍ରଶଂସା ଟିକିଏ ଭାଗ୍ୟରେ ଜୁଟିଲା ? ସେତକ ବି ଭାଗ୍ୟରେ ନାହିଁ । ପେଟ ଜାଣି ମୁଠେ ଖାଇବାକୁ ଦେବା କି ଅଭାବ ଅସୁବିଧା ଜାଣି ଟଙ୍କେ ଅଧେ ହାତରେ ଗୁଞ୍ଜିଦବାର ଯୁଗ କୋଉ ଦିନୁ ଚାଲିଗଲାଣି ।

 

କିରେ ତୋର ଦରକାର କ’ଣ କହୁନୁ ? ସୁର ପୁଣି ଥରେ ପଚାରିଲା ।

 

କିଛି ନକହି ହରିଆ କିଛି ସମୟ ଯାଏ ତୁନି ରହି ପୁଣି ଆରମ୍ଭ କଲା–

 

ଆପଣ ବୋଧେ ଜାଣିଥିବେ– ମୋ ବଡ଼ ପୁଅଟି ନାଁ ଭଗି ବଡ଼ ଚେହେଙ୍କା ପିଲା । ତିନି ଚାରି ଦିନ ହେଲା ଆମକୁ ଆଉ ସେ ରାତିରେ ଶୁଆଇ ଦଉନି । କ’ଣ ଯେ ତା’ର ହେଉଛି ଆମେ ଜାଣିପାରୁନୁ । ଆଗେ ମନଖୁସିରେ ଖେଳବୁଲ କରୁଥିଲା । ଦୁଷ୍ଟାମୀ କରୁଥିଲା । ଅଫିସ୍‌ କାମ ପରେ ବାବୁମାନଙ୍କ ଘରେ ବୋଲାହାକ କରି ରାତି ନଅ ଦଶ ବେଳକୁ ଫେରିଲାବେଳେ ଭଗି ପ୍ରତିଦିନ ଶୋଇ ନଥାଏ । ତିନି ତିନିଟା ଛୁଆ ମରିବାପରେ ସେଇ ଆମର ଗୋଟିଏ । ଏକଇର ବଳା ବିଶିକେଶନ । ଡାକ୍ତରଖାନାକୁ ନେଇ ଔଷଧ ଖୁଆଇଲି । ମା’ ତାକୁ ଦିନରାତି ଧରି ବସି ରହିଛି । କ’ଣ ତା’ର ଯେ ହୋଇଛି କେହି ଆମେ ଜାଣି ପାରୁନୁ । ହାତରେ ବି ପଇସା ନାହିଁ । ଯୋଉ ବାବୁମାନଙ୍କ ଘରେ କାମ କରେ ସେମାନଙ୍କୁ କହିଲିଣି । ମୋ କଥା ଶୁଣି ସେମାନେ ଶୁଣି ନ ଶୁଣିଲା ଭଳି ରହିଯାଉଚନ୍ତି । ଧାର ମାଗିଲେ ଦଉଛି ଅବା କିଏ ସେ ? ଆପଣ ତ ଜାଣନ୍ତି– କ୍ୟାପିଟାଲ ଭଳି ଯାଗାରେ ଅସୁବିଧା ବେଳେ ଟଙ୍କା ପାଞ୍ଚଟା ମାଗିଲେ ବି କେହି ଦେବେନି । ଲୋକ ପଡ଼ିଶା ଘରର ଖବର ବି ଜାଣନ୍ତିନି । କହିବି କାହାକୁ......

 

ହରିଆ ଆଉ କେତେ କଥା ସେମିତି କହି ଚାଲିଥାଆନ୍ତା । ସୁର ମଝିରେ ତା’ର କଥା ଭାଙ୍ଗି କହିଲା ଆଚ୍ଛା, ତୋର କେତେ ହେଲେ ଚଳିଯିବ ?

 

ଆପଣଙ୍କ ଇଚ୍ଛା– ହରିଆ କୃତଜ୍ଞତାରେ ଭିଜି ଯାଇଥିଲା । ତଳକୁ ମୁହଁପୋତି କେବଳ ଠିଆ ରହିଲା ।

 

ଚାରିଆଡ଼ିକି ଥରେ ଆଖିପକେଇ ଆଣି ସୁର ଘର ଭିତରକୁ ପଶିଗଲା ବେଳେ ଦେଖିବାକୁ ପାଇଲା–ଗୋପାଳବାବୁ କ୍ୱାଟର ଆଗର ତାଙ୍କ ବଗିଚା ଭିତରେ ଘାସ ଉପାଡ଼ିବାରେ ବ୍ୟସ୍ତ । ଛୁଆଟା ତାଙ୍କର ବଗିଚାରୁ ଘର ହେବାରେ ଲାଗିଛି । କୁକୁଡ଼ା ଦିଟା ବାଡ଼ ପାଖରେ ଘୂରି ବୁଲୁଛନ୍ତି । ଫୁଲ ଫଳରେ ଗୋପାଳବାବୁଙ୍କ ବଗିଚାଟା ହସି ଉଠୁଛି ।

 

ସୁରର ଛାତି ପାକେଟରେ ତା’ର ଟ୍ରେଜେରୀ । ବର୍ଷେ ହେଲା ସେ ଚାକିରୀ କଲାଣି, ଯୋଉତକ ଦରମା ମିଳେ କେବେହେଲେ ଟଙ୍କାତକ ସେ ବାକ୍‌ସରେ ରଖିନି । ପହିଲା ବେଳେ ପକେଟକୁ ଟଙ୍କା ଆସି ଦିନ କେଇଟା ଭିତରେ କୁଆଡ଼େ ଉଭେଇ ଯାଏ । ଟଙ୍କା ବୋଲି ତିନିଶ । କୁଆଡ଼ିକି ଅବା ପାଉଛି ?

 

ପକେଟରୁ ପାଞ୍ଚଟା ଟଙ୍କା ବାହାର କରି ସେ ହରିଆ ହାତରେ ଦେଲା । ଟଙ୍କା ପାଞ୍ଚଟା ପାଇ ସେ ଅବା ପୁନର୍ଜନ୍ମ ପାଇଲା । ସୁର ଲକ୍ଷ୍ୟ କରିଛି ହରିଆର କପାଳ ଉପରଟା ସେତେବେଳେ କେମିତି ତେଜୀୟାନ୍‌ ଦେଖାଗଲା । ମୁଣ୍ଡପୋତା ନମସ୍କାରଟିଏ ପକେଇ ସିଧା ତା’ କ୍ୱାଟର ଆଡ଼େ ସେ ଚାଲିଲା । ଟଙ୍କାଟା କେବେ ଫେରେଇବ ସେତକ ମଧ୍ୟ ପଚାରି ପାରିଲାନି ।

 

ସୁର ଟଙ୍କାଟା ଫେରିପାଇବ ବୋଲି ଆଶା ବି କରୁ ନ ଥିଲା । ମନରେ କେବଳ ଏତିକି ଆଶା ଥିଲା ଯେ ହରିଆଟା ନିମକହାରାମୀ ହେବନି । ଅସମୟରେ ଟଙ୍କା ପାଞ୍ଚଟା ଆସି ମାଗି ନେଇଥିଲା । ଏ ବିଷୟଟା ଅନ୍ତତଃ କେତେ ଦିନଯାଏ ସେ ମନେ ରଖି ପାରିବ । ସେ ଯାହାହେଉ ଟଙ୍କା ଯେ ତା’ ପାଖେ ବେଶି ଥିଲା ଏମିତି ନୁହେଁ । ସୁର ତା’ ସାଙ୍ଗେ ସାଙ୍ଗେ ଭାବୁଥିଲା– ଏଇ ଟଙ୍କା ପାଞ୍ଚଟା ପାଇଁ ତାକୁ ପରେ କେତେ କଷ୍ଟ ଭୋଗ କରିବାକୁ ପଡ଼ିବ । ଜଳଖିଆ ବି ତା’ର କେଇଦିନ ବନ୍ଦ ହୋଇଯାଇପାରେ ।

 

ଗାଧୁଆ ପାଧୁଆ ସାରିଦେଇ ସୁର ଚାଲିଲା ହୋଟେଲ । ଅଫିସରେ ଏଣିକି ଠିକ୍‌ ସମୟରେ ପହଞ୍ଚିବା ଦରକାର ।

 

ହୋଟେଲର ଚାଉଳିଆ ଭାତ, ପେଜୁଆ ଡାଲି, ସାରୁ ଅମୃତଭଣ୍ଡା ଘଣ୍ଟା ତର୍କାରୀ ଓ ତେଲଭସା ନାଲି ଟହଟହ ମାଛ ତର୍କାରୀ ନାକରେ କାନରେ ପୁରେଇ ସୁର ଅଫିସ ଚାଲିଲା । କାଲି ଭଳି ପାଞ୍ଚ ଦଶ ମିନିଟ୍‌ ଡେରିହେବା ଦରକାର ନାହିଁ କି ଏତେ ମୁହଁଛିଞ୍ଚାଡ଼ା କଥା ବଡ଼ବାବୁଙ୍କଠୁ ଶୁଣି ଲାଭ ନାହିଁ । ଚାଲି ଚାଲି ହୋଟେଲରୁ ଅଫିସ୍‌ ଗଲାବେଳେ ସୁର ଦେଖିବାକୁ ପାଇଲା– ଅଧିକାଂଶ ଲୋକ ସାଇକେଲ ଚଢ଼ି ତରତରରେ ମୁହେଁଇଛନ୍ତି ସେଇ ଆଡ଼େ । ମନେ ମନେ ସେ ଭାବୁଥିଲା– କୋଉଦିନ ତା’ର ସୁବିଧାହେବ ସେ ସାଇକେଲ ଖଣ୍ଡିଏ କିଣିବ । ସାଇକେଲ୍‌ ବିନା କ୍ୟାପିଟାଲ୍‌ରେ ଚଳିବା ମହାନ୍‌ ମୁସ୍କିଲ୍‌ । ଚାଲି ଚାଲି ରାସ୍ତା ସରେନି ।

 

ଅଫିସରେ ପହଞ୍ଚିଲା ବେଳକୁ ଆସି ନାହାନ୍ତି ବାସୁ ବାବୁ । ଅନ୍ୟମାନେ ଗୋଟି ଗୋଟି ହୋଇ ପହଞ୍ଚିବାରେ ଲାଗିଛନ୍ତି । ସୁର ହାଜିରା ଖାତାରେ ଦସ୍ତଖତ୍‌ କରି ନିଜ ଚଉକିରେ ବସିଛି କି ନାହିଁ ସେକ୍‌ସନ ଭିତରକୁ ପଶି ଆସିଲେ ମିଃ ମହାନ୍ତି । ଚାରିଆଡ଼େ କଠମଠ କରି ଅନେଇ ଫେରିଗଲେ । ଠିକ୍‌ ତା’ପରେ ପରେ ଆସିଲା ମିଃ ମହାନ୍ତିଙ୍କ ଚାପରାଶୀ ନାରଣ । ଖବର ଦେଇ ଗଲା– ସାହେବ ଡକେଇ ପଠାଇଛନ୍ତି ।

 

ଆସୁ ଆସୁ କୋଉ କାରଣ ଯୋଗୁ ଡକରାଟା ଯେ ହୋଇପାରେ ସୁର ଭାବିପାରିଲାନି । ତା’ ଛଡ଼ା ତା’ର କୌଣସି ହେଲେ ଫାଇଲ୍‌ ଅଫିସରଙ୍କ ପାଖକୁ ଦସ୍ତଖତ ହେବାକୁ ତ ଯାଇ ନ ଥିଲା ? ଲୋଅର ଡିଭିଜନ କିରାନୀର ଅଫିସରଙ୍କ ପାଖରେ କାମ ! ସୁର ବିପଦ ଗଣି ଗଣି ମିଃ ମହାନ୍ତିଙ୍କ ରୁମ୍‌ ଭିତରକୁ ପଶିଗଲା ।

 

ସୁରକୁ ଦେଖି ଦେଇ ମିଃ ମହାନ୍ତି ଲମ୍ଫ ଦେଲା ଭଳି ଗର୍ଜନ କରି ଉଠିଲେ । କହିଲେ– ତୁମେ କିଛି କାମଦାମ କରୁନ । ଚାକିରୀରେ ବୋଧେ ମନ ନାହିଁ !

 

ସୁର ତା’ ଦୋଷଟା ରହିଲା କୋଉଠି ଜାଣି ପାରିଲିନି । କିଛି ନକହି ମୁହଁକୁ ତଳକୁ ପୋତି କେବଳ ଠିଆ ହୋଇ ରହିଲା ।

 

ଆଚ୍ଛା ଯାଅ–ଭଲ ଭାବରେ କାମ ଦାମ କର ।

 

ସୁର ତଥାପି ବି ବୁଝିପାରିଲାନି । ରୁମ ଭିତରୁ ଫେରି ଆସୁ ଆସୁ ସକାଳର ଗୋଟିଏ ଘଟଣା ଆପେ ଆପେ ତା’ ଆଖି ଆଗରେ ନାଚି ଉଠିଲା । ଯେତେବେଳେ ଶଇଳକୁ ଛାଡ଼ିବା ପାଇଁ ସେ ବସ୍‌ଷ୍ଟାଣ୍ଟକୁ ଆସିଥିଲା ଓ ତା’ ସାଙ୍ଗେ କଥାବାର୍ତ୍ତା କରୁଥିଲା ମିଃ ମହାନ୍ତିଙ୍କ କାର୍‌ଟା ସେତିକିବେଳେ ସେଇ ବାଟ ଦେଇ ଚାଲିଯିବାର ସେ ଲକ୍ଷ୍ୟ କରିଛି । ଶଇଳର ସେ ନଜର ନ ଥିଲା-। କିନ୍ତୁ କାର୍‌ ଭିତରେ ମିଃ ମହାନ୍ତି ଯେ ବସିଥିଲେ ଏକଥା ସୁର ସ୍ପଷ୍ଟ ଲକ୍ଷ୍ୟ କରିଛି ।

 

ଏ ଘଟଣାଟା ସୁର ଆଉ କାହା ଆଗରେ କହିଲାନି । କିନ୍ତୁ ମନଟା ତା’ର କେମିତି ଫିକା ପଡ଼ିଗଲା । ତୁଚ୍ଛାଟାରେ ଅଫିସକୁ ଆସୁ ନ ଆସୁ ଗାଳି । କିଛି କାରଣ ହେଲେ ଥାଆନ୍ତା ?

 

ତା’ ସାଙ୍ଗେ ସାଙ୍ଗେ ସେ ମନ ଭିତରେ ନିଜକୁ ପ୍ରବୋଧ ଦେବାକୁ ବି ଲାଗିଗଲା । ଚାକିରୀ କଲେ କେତେ କଥା ଏମିତି ଶୁଣିବାକୁ ପଡ଼େ । ମିଃ ମହାନ୍ତିଙ୍କ କଥା ମନ ଭିତରୁ ପୋଛି ଦେଇ ସୁର ତା’ ଫାଇଲରେ ମନ ଦେଲା ।

 

ସୁରକୁ ବସ୍‍ଷ୍ଟାଣ୍ଡରେ ବିଦାୟ ଦେଇ ଶଇଳ କଟକ ଆଡ଼େ ଯାଉଥିଲା ବେଳେ ଝରକା ଭିତର ଦେଇ କ୍ୟାପିଟାଲକୁ ଲକ୍ଷ୍ୟ କରୁଥିଲା । ଧାଡ଼ି ଧାଡ଼ି କ୍ୱାଟର, ରାସ୍ତା କରର କୋଠା ବାଡ଼ି, ନୂଆ ନୂଆ ରାସ୍ତା ଓ ଲୋକବାକ ସବୁ ତା ପଛଆଡ଼ିକି ଅବା ଦଉଡ଼ିବାରେ ଲାଗିଥାଆନ୍ତି । ତା’ ସାଙ୍ଗେ ସାଙ୍ଗେ ଶଇଳର ମନ ଧାଇଁ ପଳାଉଥିଲା ବସ୍‌ଷ୍ଟାଣ୍ଡ ଆଡ଼େ । ସୁରବାବୁ ତାକୁ ଦେଖା କରିବାକୁ ଆସିଥିଲେ । ତାଙ୍କ କ୍ୱାଟରରେ ବୋଧେ ଯାଇ ପହଞ୍ଚିଯିବେଣି । ଯାହାହେଉ ଯିବାର ମନେ ରଖି ସକାଳୁ ସକାଳୁ ଅନ୍ତତଃ ସେ ଆସିପାରିଲେ ? ତା’ର ଭାବନା ଭିତରେ ଆଉ କେହି ନ ଥିଲେ । ନ ଥିଲେ ବାସୁ ବାବୁ, ନିମେଇଁ ବାବୁ, ରବିବାବୁ କି ମିଃ ମହାନ୍ତି । କେବଳ ସୁର । ଲୋଅର ଡିଭିଜନ କିରାନୀ । ବର୍ଷେ ହେଲା ଚାକିରୀ ଆରମ୍ଭ କରିଛି । ପାଟି ଖୋଲି ନ କହିଲେ ବି ତାଙ୍କ ଆଖିରୁ ଜଣାପଡ଼େ–ଚାକିରୀରେ ସେ ସନ୍ତୁଷ୍ଟ ନୁହେଁ । ଟଙ୍କା ତିନିଶ ପାଇଁ ମୁଣ୍ଡ ବିକିବା କଥା । ସେମିତି ଦରକାର ନପଡ଼େ କି ଚାକିରୀ କରିବାକୁ ସେ ନ ଆସେ ? ଯେତିକି ଯେତିକି ସୁରବାବୁ କଥା ସେ ଭାବୁଥିଲା– ତା’ ମନ ଭିରତୁ ସେତିକି ଜୋରରେ ଧାଇଁ ଆସୁଥିଲା ଷୋଳ ସତର ବର୍ଷର ଗୋଟିଏ ଝିଅ । ସେତେବେଳେ ସେ ମାଟ୍ରିକ ପଢ଼ୁଥିଲା । ବି.ଏ. ପାଶ୍‌ କରି ଚାକିରୀ କରିବ ବୋଲି କେବେହେଲେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ସେମିତି ଅସୁବିଧା ନପଡ଼େ ବୋଉ ମରି ନଯାଏ ଆଉ ଘରର ଅବସ୍ଥା ସେତେ ଖରାପ ନହୁଏ କି ସେ ଚାକିରୀ କରିବାକୁ ନ ଆସେ । ସେତେବେଳର କିଶୋରୀ ଶଇଳ କେତେ କେତେ ସ୍ୱପ୍ନ ଦେଖୁଥିଲା–ସେ ବିବାହ କରିବ, ଘରଦ୍ୱାର କରିବ, ପିଲା ଛୁଆର ମା’ ହେବ, ଆଉ ଠିକ୍‌ ସୁର ବାବୁଙ୍କ ଭଳି ଜଣଙ୍କୁ ତା’ର ସାଥି ରୂପରେ ପାଇବ । ତା’ର ଇହକାଳର ଆଉ ପରକାଳର ।

ଶଇଳ ରାସ୍ତା ଉପରକୁ ଅନେଇଲା ବେଳେ ଦେଖିଲା– ଆଗରୁ ଗୋଟିଏ କାର୍‌ ଛୁଟିଛି । ଠିକ୍‌ ଭାବରେ ସେ ଲକ୍ଷ୍ୟ କରିଛି– ମିଃ ମହାନ୍ତି ମଟର ଚଳେଇ ଫେରୁଛନ୍ତି କଟକ ଆଡ଼ୁ । କାହିଁକି ଆସୁଛନ୍ତି ? କ’ଅଣ ବୋଧେ କାମଥିବ । ମିଃ ମହାନ୍ତିଙ୍କ ଚେହେରା ଝାପ୍‌ସାଭାବରେ ତା’ ଆଖି ଆଗରେ ଆସି ନାଚିଗଲା । ସୁର ବାବୁଙ୍କ ଭଳି ସେ ନହକା ଢକ ଢକ ନୁହନ୍ତି । ବେଶ୍‌ ଗୋଲଗାଲ୍‌-। କାନ ମୂଳରୁ ଅଧେହବ ବାଳ ପାଚି ଯାଇଛି । କପାଳ ଉପରୁ ପଛ ଆଡ଼ିକି ଚାଖଣ୍ଡେ ଯାଏ ଚନ୍ଦା । ସୁଟ୍‌ ସାଙ୍ଗକୁ ଟାଇ ଭିଡ଼ି ରୁମ୍‌ ଭିତରେ ବସିଥିଲେ କେହି ତାଙ୍କୁ ପ୍ରୌଢ଼ ବୋଲି କହି ପାରିବନି । ସତେ ଅବା ତିରିଶି ପଞ୍ଚତିରିଶ ବର୍ଷର ଯୁବକ ।

ଆଖି ଆଗରେ ଠିଆ ହେଲେ ଆସି ବାପା । ଖବର ପାଇ ଗଲା ରାତିରେ ଚାଲିଯାଇ ଥିଲେ ହୁଏତ ଆଗୁଆ ଦେଖି ପାରିଥାଆନ୍ତା । ଗାଡ଼ି ତ ନଥିଲା ଆଉ ଉପାୟ କ’ଣ ? ଯାଉ ଯାଉ ଗାଁ ମୁଣ୍ଡରୁ କିଛି ଖରାପ ଖବର ଯେମିତି ମିଳିବନି ତ ! ଶଇଳ ସେଇ କଥାଟାକୁ ଖାଲି ଭୟ କରୁଥିଲା । ତା’ ସାଙ୍ଗେ ତା’ର ମନ ଭିତରଟା ବି କାନ୍ଦି ଉଠୁଥିଲା । କେତେଦିନ ଯାଏ ବାପାଙ୍କର ସେ ଅନ୍ତତଃ ସେବା କରି ପାରିବ । ବାପାଙ୍କୁ ଫଳ ଔଷଧ ଦେଇ ନିଜ ମନକୁ ବୁଝେଇ ପାରିବ । ବାପାତ ହେଲେ ପାଚିଲା ଫଳ । କେତେବେଳେ ହେଲେ ତା’ର ନାହାନ୍ତି । କେବଳ ବାବୁଲା । ତାକୁ ମଣିଷ କରି ପାରିଲେ ସବୁ କିଛି ତା’ର ସାର୍ଥକ ହେବ । ଚାକିରୀ କରି ଭାଇକି ବଡ଼ କରିପାରିଛି ବୋଲି ସେ ଗର୍ବ କରି ପାରିବ । ହେଲେ, ବାପା ଥିଲେତ ? ଶଇଳ ମନେ ମନେ ଜଗନ୍ନାଥଙ୍କୁ କେବଳ ଡାକୁଥିଲା–ଗଲାବେଳକୁ ସେ ବାପାଙ୍କୁ ଯେମିତି ଦେଖେ ।

ଇଆଭିତରେ ବସ୍‌ ଆସି କେତେବେଳେ ଯେ କଟକ ରେଲଷ୍ଟେସନର ପାଖାପାଖି ହେଲାଣି ଶଇଳର ଖିଆଲ୍‌ ନଥିଲା । ଦେଖେତ– ପଚାଶ ଶହେ ଖଣ୍ତ ମଟର, ରିକ୍‌ସା ଓ ସାଇକେଲ୍‌ ଆଦି ଧାଡ଼ି ବାନ୍ଧି ଠିଆ ରହିଛନ୍ତି । ପ୍ରଥମେ ପ୍ରଥମେ ସେ ବୁଝି ପାରିଲାନି । ଏତେ ଗହଳି କାହିଁକି ? ଶୁଣୁ ଶୁଣୁ କ’ଣ ନା– ମାଲଗାଡ଼ି ସଣ୍ଟି କରୁଛି । ପଛକୁ ପଛ ଅଟକି ଯାଇଛି । ଲାଇନ୍‌ ଉପରେ ହୁଇସିଲ୍‌ ମାରି ରେଲଇଂଜିନ ସବୁ ଏପଟ ସେପଟ ଯା’ ଆସ କରିବାରେ ବ୍ୟସ୍ତ । ଏତେ ଲୋକବାକ ଦି ପଟେ ଅପେକ୍ଷା କରି ପଡ଼ିରହିଛନ୍ତି ।

 

ଚାହୁଁ ଚାହୁଁ ଦଶ ପନ୍ଦର ମିନିଟ୍‌ ବିତିଗଲା । ପଛ ମଟରରୁ ପାଟି ତୁଣ୍ଡ ଶୁଭିଲା । କଥା କ’ଣ ! ଲୋକେ ଖାଲି ଗାଳିଗୁଲଜ କରିବାରେ ଲାଗିଥାଆନ୍ତି । ଶଇଳ ଝରକା ଭିତରେ ମୁଣ୍ଡ ପୂରେଇ ଦେଖିବାକୁ ପାଇଲା– ପଛରେ ଗୋଟିଏ ଆମ୍ୱୁଲାନ୍‌ସ ଗାଡ଼ି । ଲୋକେ ଗାଡ଼ି ମଟରରୁ ଓହ୍ଲାଇ ତା’ ଚାରିପାଖେ ଘେରିଯିବାକୁ ଲାଗିଥାଆନ୍ତି । ଆଖି ପିଛୁଳାକେ ଖବରଟା ଚାରିଆଡ଼େ ଖେଦିଗଲା । କିଛି ଗୋଟାଏ ଘଟଣା ଘଟି ଗଲାଣି । ଖାଲି ପାଟି ତୁଣ୍ଡ ଆଉ ଘୋ ଘା । ଗାଳିଗୁଲଜରେ ସେଇ ରାସ୍ତା ଖଣ୍ଡିକ କଂପି ଉଠିଲା ଅନ୍ୟ ସ୍ତ୍ରୀ ଲୋକମାନେ ବସ୍‌ରୁ ଓହ୍ଲାଇ ପଡ଼ି ଚାଲିଲେ ସେ ଆମ୍ୱୁଲାନ୍‌ସ ଆଡ଼େ । ଶଇଳ ପ୍ରକୃତ ଘଟଣାଟା କ’ଣ ଜାଣି ନଥାଏ । ପଚାରିବାକୁ ବି ସମୟ ନାହିଁ । ସମସ୍ତଙ୍କର ରାଗ ଦର ଦର ମୁହଁ । ସମସ୍ତଙ୍କ ତୁଣ୍ଡରେ ଖାଲି ଗାଳିଗୁଲଜ । ରେଲବାଇ କି ବିଦ୍ରୂପ । ଅନ୍ୟ ସ୍ତ୍ରୀ ମାନଙ୍କ ଭଳି ଶଇଳ ବି ଓହ୍ଲାଇ ଗଲା ।

 

ମଟର ଚାରିପାଖେ ଭରପୁର ଲୋକ । ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ । ଏମାନେ ହେଲେ ମାଇପି ଲୋକ । ଯିବେ ଅବା କେମିତି ? ପରସ୍ପରରେ ଶୁଣିବାକୁ ମିଳିଲା– ଆମ୍ୱୁଲାନସ ଗାଡ଼ିରେ ଜଣେ ସ୍ତ୍ରୀ ଲୋକ ମେଡ଼ିକାଲକୁ ଆସୁଥିଲା । ଲେଭଲ୍ କ୍ରସିଂ ବନ୍ଦ ହୋଇଥିବା ଯୋଗୁ ସେଇ ମଟର ଭିତରେ ବିଚାରୀଟି ଜନ୍ମ କରି ପକେଇଲା । ଜନ୍ମ କରିବା ଅବସ୍ଥାରେ ମା’ ପିଲା ଦିହେଁ ମରି ଶୋଇଛନ୍ତି । ଲେଭଲ୍ କ୍ରସିଂ ତଥାପି ବି ବନ୍ଦ ରହିଛି । ଯେତେ ପାଟିତୁଣ୍ଡ କଲେ ଲୋକଙ୍କ କଥା ଶୁଣୁଛି ଅବା କିଏ ସେ ? ଶେଷକୁ ନିଜ ନିଜ ଭିତରେ ଖାଲି ପାଟିତୁଣ୍ଡ, କଳି ତକରାଳ ଓ ମାଡ଼ ମରାମରି ।

 

ସମସ୍ତେ ନିଜ ନିଜ ଜାଗାରେ ଯାଇ ବସିଲା ବେଳକୁ ଲେଭଲ୍ କ୍ରସିଂଟା ଖୋଲିଗଲା । ମଟର ସବୁ ହର୍ଣ୍ଣ ଦେବାରେ ଲାଗିଲେ । କିନ୍ତୁ ଲୋକଙ୍କ ପାଟିତୁଣ୍ଡ ବନ୍ଦ ହେଲାନି । ପନ୍ଦର କୋଡ଼ିଏ ଜଣ ଲୋକ ପାଟି ତୁଣ୍ଡ କରି ଲେଭଲ୍ କ୍ରସିଂର ସେ ଜଗୁଆଳୀ ଆଡ଼ିକି ଧାଇଁ ଆସିଲେ । ଅନ୍ୟମାନେ ସେମାନଙ୍କୁ ଉତ୍ସାହିତ କରିବାରେ ଲାଗିଥାଆନ୍ତି ।

 

ଜଗୁଆଳୀ ବିଚାରାଟି ତା’ କ୍ୱାଟରର ଦୁଆର ପକେଇ ଦେଲା । ନୋହିଲେ ଆମ୍ୱୁଲାନ୍‌ସର ସେ ମା’ ପିଲାଙ୍କ ସାଙ୍ଗେ ତା’ର ବି ପ୍ରାଣ ଯାଇ ଥାଆନ୍ତା । ଗାଡ଼ି ଭିତରୁ ଆଉ ବାହାରୁ ସମସ୍ତେ କେବଳ ହଲ୍ଲା ଲଗେଇ ଥାଆନ୍ତି । ଚାହୁଁ ଚାହୁଁ ମଟରଟା ତାଙ୍କର ରେଲଲାଇନ୍‌ ଉପର ଦେଇ ଆରପଟକୁ ଚାଲିଗଲା । ଶଇଳ ସେ ମା’ ପିଲାଙ୍କୁ ମରିପଡ଼ିଥିବାର ଦେଖିନି । କିନ୍ତୁ ଭାବୁଥିଲା ସେ ଦିହିଁଙ୍କ କଥା । କେଡ଼େ ଅସହାୟ ଅବସ୍ଥାରେ ସେମାନଙ୍କୁ ସଂସାରରୁ ବିଦାୟ ନେବାକୁ ପଡ଼ିଲା । ଏ ସବୁ ଅବ୍ୟବସ୍ଥାର କ’ଣ ପ୍ରତିକାର ନାହିଁ ?

 

ଲେଭଲ୍ କ୍ରସିଂ ଆରପଟେ ପ୍ରାଇଭେଟ୍ ମଟର ଷ୍ଟାଣ୍ଡ । ସେଇ ଜାଗାରୁ ଛାଡ଼େ କଟକ କୁଜଙ୍ଗ ବସ୍‌ । ଶଇଳ ସେଇଠୁ ଓହ୍ଲାଇ ଗଲା । ଦେଖିଲା– କୁଜଙ୍ଗ ବସ୍‌ଟା ଠିଆ ହୋଇଛି । ସେତେ ବେଶି ଲୋକ ନାହାନ୍ତି । ନିଜ ବ୍ୟାଗ୍‌ ଖଣ୍ଡିକ ଧରି ସେ ବସ୍‌ ଭିତରକୁ ପଶିଗଲା ।

 

ବାହାରକୁ ଅନେଇ ଦେଖେତ– ଆମ୍ୱୁଲାନ୍‌ସ ଗାଡ଼ିଟା ଚାଲିଗଲାଣି । ଲୋକମାନଙ୍କର ଉତ୍ତେଜନା ବି ଆସ୍ତେ ଆସ୍ତେ କମି ଆସୁଛି । ଗାଡ଼ିଘୋଡ଼ା ଓ ଲୋକସମାଗମ ଆଗଭଳି ନିଜ ଛାଏଁ ଚାଲିଲାଣି । ଆମ୍ବୁଲାନ୍‌ସ ଗାଡ଼ିର ଆଉ ଦେଖାନାହିଁ । କଥାଟା ମନ ଭିତରେ ହଜିଯିବାକୁ ବସିଲାଣି-। ଲୋକମୁଖରେ ଯେତିକି କେବଳ ଘୂରିବୁଲୁଛି ।

 

ନୂଆ ବଜାର, ବୀରବାଟୀ ଆଉ ଫକୀର ପଡ଼ା ଦେଇ ବସ୍‌ଟା ଆଗେଇ ଚାଲିଲା । ଶଇଳର ଗାଁ ଆଡ଼େ । କୁଜଙ୍ଗ ରହିବ ଆଗରେ । କଟକଠୁ ପଞ୍ଚତିରିଶ୍ ମାଇଲ୍‌ ଗାଁ । ନାଁ ତାର ଦାନପୁର ।

 

ବସ୍‌ରୁ ଲୋକ ଓହ୍ଲେଇବାର ଦେଖା ନଥିଲା । ମାଇଲିଏ, ଦି’ ମାଇଲ ଯାଇ ବସ୍‌ ଅଳ୍ପ ସମୟ ଅଟକି ଯାଏ ରାସ୍ତା ଉପରେ କିଏ ଜଣେ ହାତ ଦେଖେଇଲେ । ତା’ପରେ ଜୁଆର ମାଡ଼ି ଆସିଲା ଭଳି ଲୋକେ ବସ୍‌ ଭିତରକୁ ମାଡ଼ି ଆସୁଥାଆନ୍ତି । ମନା କରିବାକୁ ଉପାୟ ନାହିଁ । ସମସ୍ତଙ୍କର ତ ଦରକାର । କାହାକୁ ଅବା ମନା କରିବ ? ଶେଷକୁ ବସ୍‌ରେ ଠିଆ ହବାକୁ ସ୍ଥାନ ଅଭାବ ହେବାରୁ ଡ୍ରାଇଭର ଆଉ କାହାକୁ ବସେଇ ଦେଲାନି । ଭିତରଟା ଜନ୍ତା ଜୂନ୍ତି । କର ବୁଲେଇବାକୁ ଉପାୟ ନାହିଁ ।

 

ରାସ୍ତା କରେ କରେ ତାଳଦଣ୍ଡା କେନାଲ କଟକରୁ ବାହାରି ମହାନଦୀରେ ଯାଇ ମିଶିଛି-। କୁଜଙ୍ଗ ଡେଇଁ ଚଉମୁହାଣୀ ପାଖରେ । କେନାଲ ଧାରେ ଧାରେ କରଞ୍ଜ, ଦେବଦାରୁ ଆଜି ଗଛର ଧାଡ଼ିବନ୍ଧା ପଦଯାତ୍ରା । ମଟରର ବିପରୀତ ଦିଗକୁ ସେମାନେ ଦଉଡ଼ିବାରେ ଲାଗିଥାଆନ୍ତି । ଗାଁ କଥା ଭାବି ଭାବି ଶଇଳ ଦାନପୁର ଛକ ମୁଣ୍ଡରେ କେତେବେଳେ ଯାଇ ପହଞ୍ଚିଗଲାଣି, ସେ କଥା ତା’ର ଖିଆଲ୍‌ ନଥିଲା । ରାସ୍ତା ଉପରୁ ମାଇଲିଏ ବାଟ ଗାଁକୁ ସିଧା ବାଟ ପଡ଼ିଛି । ଅସୁବିଧା ବୋଲି କିଛି ହେଲେ ନାହିଁ ।

 

ବ୍ୟାଗ୍‌ ଖଣ୍ଡକ ହାତରେ ଝୁଲେଇ ଶଇଳ ଡରି ଡରି ଗାଁ ଦାଣ୍ଡ ଦେଇ ଘର ଆଡ଼େ ଯାଉଥିଲା ବେଳେ ଆଶା କରୁଥିଲା– ଜଣେ କିଏ ହେଲେ ବାପାଙ୍କ ଦେହବ୍ୟସ୍ତ ଖବରଟା ତାକୁ ଆଗ ଜଣେଇ ଦବ । କାହାଠୁ ସେ ବିଷୟରେ ସେ ଶୁଣିଲାନି । ଘରକୁ ତ ଯାଉଥିଲା ଆଉ ପଚାରିବ କ’ଣ ? ଲୋକମାନଙ୍କ ଆବଭାବରୁ ସେ ଠଉରେଇ ନେଲା–ବାପାଙ୍କର ଦେହ ବ୍ୟସ୍ତ ହେବାଟା ବୋଧେ ସେତେ ସାଂଘାତିକ ନୁହେଁ ।

 

ସତକୁ ସତ ସେ ଦେଖିବାକୁ ପାଇଲା– ବାପା ଖିଆ ପିଆ ସାରି ପାନବଟା ପାଖରେ ବସି ପାନ ଭାଙ୍ଗିବାରେ ବ୍ୟସ୍ତ । ଘରଭିତରୁ ବାବୁଲାର ପାଟି ଶୁଭୁନି । ବୋଧେ ସ୍କୁଲ ଯାଇଛି । ବୋଉ ପାଖକୁ ଯିବାରୁ ସେ ତାକୁ କୁଣ୍ଢେଇ ପକେଇ କାନ୍ଦି ପକେଇଲା । ଶଇଳକୁ ଦେଖି ଦେଇ ବାପା ଖୁବ୍‌ ଖୁସି ହେଲେ ସତ କିନ୍ତୁ ଶଇଳ ମୁହଁରେ ତାଙ୍କର ସେ ଖୁସି ହେବାଟା ପ୍ରତିନିଧିତ୍ୱ ହେଲା ନାହିଁ । ମନଟା କେମିତି ମରିଯାଇଥିଲା ଭଳି ଜଣାପଡ଼ୁଥିଲା । ଶଇଳ ବାପାଙ୍କ ମୁହଁକୁ ସିଧା ଭାବରେ ଚାହିଁ ପାରିଲାନି । ବାପା ମିଛକଥା କହି ତାକୁ ଯେ ଡକେଇ ପଠେଇଛନ୍ତି ଏକଥାଟା ଘର ଭିତରକୁ ପଶିଯାଇ ସେ ଜାଣିପାରିଲା ।

 

ତଥାପି ଗାଁକୁ ଆସିଲେ ମନଟା କେମିତି ବଦଳିଗଲା ଭଳି ଜଣାପଡ଼େ । ନ ଥାଏ ଚାକିରୀର ଦାୟିତ୍ୱ, ଦଶରୁ ପାଞ୍ଚ ଯାଏ ଖାଟେଣି । ଏକୁଟିଆ ଜୀବନ ଓ ନାନା କୃତ୍ରିମତା ଭିତରେ ନିଜକୁ ସଭ୍ୟସମାଜ ଭିତରେ ହଜେଇ ଦେବାର ଯୋଜନା । ପୁଣି କ୍ୟାପିଟାଲ ଭଳି ଜାଗା ! ଯେଉଁଠି ପୁରୁଣା ସଭ୍ୟତାର କବରଖାନା ଭିତରୁ ଚାରା ଗଛଟିଏ କେଇ ବର୍ଷ ତଳେ ଗଜୁରୀ ଉଠିଥିଲା, ସେଇଟା ଦ୍ରୂମରେ ଏବେ ପରିଣତ ହେଲାଣି । ଦିନକୁ ଦିନ କ୍ୟାପିଟାଲଟା ନୂଆ ନୂଆ ରୂପରେ ସଜ ହେଲାଣି । ବଢ଼ି ବଢ଼ି କୋଉଯାଏ ଯେ ଯିବ କେହି କହିପାରିବେନି । କେବେ ଯେ କ୍ୟାପିଟାଲଟା ତୋଳା ସରିବ ଏବଠୁ କଳ୍ପନା କରି ହୁଏନି ।

 

ଶଇଳ କିନ୍ତୁ ଦେଖିବାକୁ ପାଇଲା– ଦାନପୁର ଗାଁଟା ଠିକ୍‌ ଆଗ ଭଳି ଅଛି । କିଛି ହେଲେ ଇଆର ପରିବର୍ତ୍ତନ ହୋଇନି । ତା’ ପିଲା ଦିନର ଦେବଦାରୁ ଗଛ ଯୋଉ ଗୁଡ଼ା କେନାଲ କୂଳରେ ଛୋଟ ଅବସ୍ଥାରେ ଥିଲା ସେ ସବୁ ଝଙ୍କାଳିଆ ହୋଇ ବଢ଼ି ଆକାଶକୁ ଛୁଇଁଲା ଭଳି ଦେଖା ଗଲାଣି । କେନାଲଟା ଏବେ ଆସ୍ତେ ଆସ୍ତେ ପୋତି ହୋଇପଡ଼ୁଛି । ଗାଁ ମୁଣ୍ଡର ତୋଟାମାଳ, ଜାଲ ବୁଣିଲା ଭଳି ବନ୍ଧା ଘେରା ଧାନ କିଆରୀ, ବଙ୍କା ଢଙ୍କା ଅଣଓସାରିଆ ରାସ୍ତା, ଶଗଡ଼ ଗୁଳା ଠିକ୍‌ ଆଗ ଭଳି ଅଛି । କିଛି ହେଲେ ପରିବର୍ତ୍ତନ ହୋଇନି । କେବଳ ତା ପିଲାଦିନର ପିଲା ଗୁଡ଼ାଙ୍କୁ ଏବେ ଚିହ୍ନି ହଉନି । ସେମାନେ ବାହାଚୁରା ହୋଇ ପୁଅ ଝିଅର ବାପା ହେଲେଣି । ଚାଷ ସେମାନଙ୍କର ବେଉସା । କୋଡ଼ିଏ ଏକୋଇଶି ବେଳୁ ବାହାଘର ଦେଖିଲେ । ସେମାନଙ୍କୁ ଚିହ୍ନି ହୁଏନି । ଦାଢ଼ି ସଲବଲ ହାଡ଼ୁଆ ମୁହଁ । ନିଜେ ନିଜର ସଂସାର ସେଇ ସେମାନେ ବ୍ୟସ୍ତ ।

 

ଶଇଳ ବାପାଙ୍କ ସଙ୍ଗେ କିଛି ହେଲେ କଥା ହେଲାନି । ମନେ ମନେ ରାଗୁଥାଏ । ମିଛଟାରେ ତାକୁ ଟେଲିଗ୍ରାମ୍‌ କରି ଭୁବନେଶ୍ୱରରୁ ଡକେଇ ଆଣିଲେ ।

 

ଦାଣ୍ତଆଡ଼ୁ ଦଉଡ଼ି ଆସିଲା ବାବୁଲି । ବୋଉ ବୋଧେ କାହା ହାତରେ ସ୍କୁଲକୁ ଖବର ପଠେଇଥିଲା । ଭାଇକି ଜାକି ଧରି ଶଇଳ ସାଙ୍ଗେ ସାଙ୍ଗେ ବ୍ୟାଗ୍‌ ଖୋଲିଲା । ବାପାଙ୍କ ପାଇଁ ଆଣିଥିବା କମଳା ତାକୁ ଆଗ ଧରେଇ ଦେଲା । ତା’ପରେ ବାହାର କଲା–ବିସ୍କୁଟ ଆଉ ଲଜେନ୍‌ସ-। ସାଙ୍ଗେ ସାଙ୍ଗେ ସେ ଛୁଟିଲା– ସ୍କୁଲ ଆଡ଼େ । ସମସ୍ତିଙ୍କି ଗୋଟିଏ ଗୋଟିଏ ଦେଇ ସେ ନିଜେ ଖାଇବ । ବୋଉ ଡାକୁ ଡାକୁ ସେ ଚମ୍ପଟ୍‌ କଲା । ବାବୁଲିଟା ସଦାବେଳେ ସେମିତି । ଅପା ତା’ର ଭୁବନେଶ୍ୱରରୁ ଆସିଛି । ଖୁସିଟାକୁ ସେ ଭାଗ ବାଣ୍ଟିଦେବାକୁ ଚାହେଁ । ସ୍କୁଲର ସାଙ୍ଗସାଥି ମେଳରେ-

 

ଟେଲିଗ୍ରାମ୍ କରି ତାକୁ ଡକେଇ ପଠେଇବାର କାରଣଟା ଶଇଳ ବୋଉକୁ ଯେତେଥର ପଚାରିଲା ସେତେଥର ସେ ପ୍ରଶ୍ନଟାକୁ ଆଡ଼େଇ ଦେବାକୁ ଚେଷ୍ଟା କରୁଥିଲେ । ଶଇଳ ଯିଦ୍‌ ଧରିଲା-। ଏପରିକି ଖାଇବାକୁ ବି ଗଲାନି ।

 

ବୋଉ କହିଲା–ଆଗ ତୁ ଖାଇସାର୍‌ । ବାପା ଆସନ୍ତୁ–କହିବେ ।

 

ବାପା ଥିଲେ ବାହାରେ ।

 

ଖାଇଲା ବେଳେ ମା’ ଝିଅଙ୍କ କଥାବାର୍ତ୍ତା– ତା’ ପାଇଁ ବିଭାଘର ପ୍ରସ୍ତାବ ଆସିଛି । ସେଇ ଭୁବନେଶ୍ୱରରେ । ବାପାଙ୍କର ଇଚ୍ଛା କରି ଦେବେ ।

 

ଭୁବନେଶ୍ୱରରେ ? କିଏ ? କୋଉଠି ?

 

ଘର ତାଙ୍କର ବାଲେଶ୍ୱର । ନାଁ ଅଭିରାମ ମହାନ୍ତି । ଭୁବନେଶ୍ୱରରେ ଜଣେ ବଡ଼ ଅଫିସର । ଜଣେ ଲୋକ ହାତରେ ସେ ଖବର ପଠେଇ ଥିଲେ ।

 

ବୋଉ କଥାଟା ଶଇଳ ଆଗ ବୁଝିପାରିଲାନି । ତା ହେଲେ ସେଇ ଚନ୍ଦାମୁଣ୍ଡିଆ ମିଃ ମହାନ୍ତି । ତାଙ୍କର ଡିପାର୍ଟମେଣ୍ଟର ଅଫିସର । ଯିଏ ତା’ର ଛୁଟି ମଞ୍ଜୁର କରିଛନ୍ତି ! ସେଇଥିପାଇଁ ସେ ପାଖକୁ ଡାକି ଏତେ କଥା ପଚାରନ୍ତି !!

 

ବାପାଙ୍କଠୁ ବି ଶଇଳ ଶୁଣିବାକୁ ପାଇଲା– ଠିକ୍‌ ସେଇ କଥା । ଖାଲି ସେତିକି ନୁହେଁ– ତାକୁ ହଁ– କି ନାଇଁ କହିବାକୁ ପଡ଼ିବ ।

 

ଖୁଣୁ ଖୁଣୁ ମନଟା ତା’ର କେମିତି ମରିଗଲା । ମିଃ ମହାନ୍ତିଙ୍କ ସକାଶେ ତା’ ପାଇଁ ଯେ କେବେ ବିଭାଘର ପ୍ରସ୍ତାବ ପଡ଼ିପାରେ ଏକଥା ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା । ଶଇଳ ଜାଣେ– ମିଃ ମହାନ୍ତି ଦି’ ତିନି ବର୍ଷ ହେଲା ତାଙ୍କର ସ୍ତ୍ରୀ ହରେଇଛନ୍ତି । ଅଛି, ଦଶ ବର୍ଷର ଗୋଟିଏ ମାତ୍ର ପୁଅ-। ସେ ପୁଣି ଘରେ ନଥାଏ । ଡେରାଡ଼ୁନ୍‌ରେ ରହି ପାଠ ପଢ଼ୁଛି । ମିଃ ମହାନ୍ତି ଏକେଲା । କ୍ୱାଟରରେ ପୂଜାରୀ ଓ ଚାକର ।

 

ପ୍ରସ୍ତାବଟା ବାହାରକୁ ଶୁଣିବାକୁ ଓ ଦେଖିବାକୁ ଖୁବ୍‌ ଭଲ । ଶଇଳ ପାଇଁ ଏ ପ୍ରସ୍ତାବଟା କିଛି ମନ୍ଦ ନୁହେଁ । କେଇଟା ଟଙ୍କା ପାଇଁ ଚାକିରୀର ଆଶ୍ରା ନେବା ଅପେକ୍ଷା ଜୀବନକୁ ବନ୍ଧନ ଭିତରେ ବାନ୍ଧି ରଖିବା ଭଲ । ସେଥିରେ ବୁଢ଼ା ହଡ଼ାର ପ୍ରଶ୍ନ ନାହିଁ କି ଦୋଅଡ଼ ପକ୍ଷ ବୋଲି ବିଭାଘର ଭାଙ୍ଗିବାର ଅବକାଶ ନାହିଁ । ପ୍ରସ୍ତାବଟା ଆପଣା ଛାଏଁ ଆସିଛି । ଏ ବିଷୟଟା ଶୁଣୁ ଶୁଣୁ ଶଇଳ ଖାଲି ମନେ ପକେଇବାରେ ଲାଗିଲା– ମିଃ ମହାନ୍ତିଙ୍କର ତା’ ପ୍ରତି ଅଳ୍ପ କେତେଦିନର ବ୍ୟବହାର, ତା’ର ଭଲମନ୍ଦ ବୁଝିବା ଓ ନିଜ ରୁମ୍‌କୁ ଡାକି ତା’ ସାଙ୍ଗେ କଥାବାର୍ତ୍ତା ହେବା ।

 

ହଁ କି ନାହିଁ ଶିଘ୍ର କହିଦେବାଟା ଏତେ ସହଜ ନୁହେଁ । ଶଇଳ ମନା କରିଦେବ ବୋଲି ଯାଉଥିଲା, କହି ପାରିଲାନି । ହଁ କରିବାକୁ ଭିତରୁ ଅବା କିଏ ତାକୁ ମନା କଲା । ତା’ ସାଙ୍ଗେ ବି ତାକୁ ଗାଁରେ ରହିବାକୁ ଭଲ ଲାଗିଲାନି । ଏଇ କଥାଟା ବାପା ଚିଠି ଲେଖି ଜଣେଇ ପାରି ଥାଆନ୍ତେ-। ଛୁଟି ନେଇ ସେ ମିଛଟାରେ ଗାଁକୁ ଆସିଲା । ମନସ୍ତାପ ସାଙ୍ଗକୁ ପଇସା ଖର୍ଚ୍ଚ । ପଇସା ପାଇଁ ତ ଏତେ କଥା । ନୋହିଲେ ଏକେଲା ସେ କାହିଁକି କ୍ୟାପିଟାଲରେ ପଡ଼ିଥାଆନ୍ତା ?

 

ଛୁଟି ଆଣିଥିବାରୁ ବୋଉ ଗାଁରୁ ଯିବାକୁ ମନା କରୁଥିଲା । ବାପାଙ୍କର ବି ଇଚ୍ଛା ନଥିଲା । ଏତେ ଦିନ ପରେ ଶଇଳ ଗାଁକୁ ଆସିଛି । ବିଭାଘର ପାଇଁ ହଁ କରୁ ବା ନାହିଁ କରୁ ଗାଁରେ ରହିବାକୁ କ’ଣ ପିତା ଲାଗେ ?

 

ଶଇଳ ସେଇ ଦିନଟା ଗାଁରେ ରହି ଆର ଦିନ ସକାଳୁ ଭୁବନେଶ୍ୱର ଫେରି ଆସିଲା । କହି ଦେଇ ଆସିଲା– ହଁ କି ନାହିଁ ପରେ ସେ ଚିଠି ଲେଖି ଜଣେଇବ ।

 

କ୍ୟାପିଟାଲକୁ ଫେରି ଆସି ଶଇଳ ଆଉ ଅଫିସ୍‌ ଗଲାନି । ଛୁଟିତ ଅଛି, ଏତେ ତରତର କାହିଁକି ? ଅଫିସର ଅନ୍ୟ କେହି ନ ଦେଖି ପାରିଲେ ଭଲ, କାହା ସାଙ୍ଗରେ ଦେଖାହେଲେ ଖବରଟା ସାଙ୍ଗେ ସାଙ୍ଗେ ଖେଦିଯିବ ।

 

ଶଇଳକୁ ଦେଖି ଚାକରାଣି ବୁଲି ମା’ ବି ଆଶ୍ଚର୍ଯ୍ୟ ହେଲା । ତା’ ପାଇଁ ପନ୍ଦର ଦିନର ଖାଇବା ପିଇବାର ବନ୍ଦୋବସ୍ତ କରି ଦେଇ ସେ ଗାଁକୁ ଯାଇଥିଲା । ଦିନଟିଏ ବି ଗାଁରେ ରହିବାକୁ ତର ସହିଲାନି ? ବାପାଙ୍କ ଦେହ ବ୍ୟସ୍ତ କଥା ତା’ ହେଲେ ମିଛ ?

 

ବାହାରକୁ କୁଆଡ଼େ ବୁଲି ନଯାଇ ଶଇଳ ନିଜ କ୍ୱାଟରରେ କେବଳ ଶୋଇ ରହିଲା । ବୁଲି ମା’କୁ ମନା କରିଦେଲା– ସେ ଥିବା କଥା କାହା ଆଗରେ କହିବନି । କେତେ ସମୟ ଖାଲି ବିଛଣାଟା ଉପରେ ଅବା ସେ ଶୋଇ ରହିବ ? ବେଳେ ବେଳେ କ୍ୱାଟରର ଏ ବଖରାରୁ ସେ ବଖରା, ଅଗଣାରୁ ଘର ତ ଘରୁ ଅଗଣାର ହେବାରେ ସେ ଲାଗିପଡ଼େ । ଅଣ୍ଟା ଉପରେ ପଛୁଆ ହାତ ଛନ୍ଦି କେବଳ ପଦଚାରଣ କରେ । ଖାଲି ଭାବନା ଆଉ ଭାବନା–

 

ବିପରୀତ ଦିଗରୁ ଧାଇଁ ଆସୁ ଥିଲା ଦି’ଟି ଭାବନା–

 

ମନକୁ ମନ ସେ ତୁଳନା କରେ– ଗୋଟିଏ ପାଖରେ ରାଜପ୍ରାସାଦ ଭଳି ବିରାଟ କ୍ୱାଟର-। ଚଟାଣରେ ମୁହଁ ଦିଶେ । ଘରଯାକ ଆଇନା ଖଞ୍ଜା । ନାନା ରକମର ସୌଖିନ ଚିଜ ମନକୁ ଭୁଲାଇ ଦିଏ । ଭିତରକୁ ପଶିଗଲେ–ନିଜକୁ ଚିହ୍ନି ହୁଏନି । ନିଜକୁ ସେଇ ରାଜପ୍ରାସାଦ ଭିତରେ ଖୋଜୁ ଖୋଜୁ ବାହାରକୁ ଆସିବାକୁ ସମୟ ମିଳେନି । ତା ଭିତରେ ସେ ବନ୍ଦୀ । ଘର ଆଗରେ ବଗିଚା । ନାନାଜାତି ଗୋଲାପ ଆଉ କ୍ରୋଟେନ ଗଛରେ ଭରା । ବଗିଚା ଚାରିପାଖେ କଣ୍ଟାବାଡ଼ ସେଥିରେ ଲଟେଇଛି ମାଧବୀ ଲତା । ଘର ପାଖକୁ କରି ମଟର ଗ୍ୟାରେଜ୍‌ । ବଗିଚା ଭିତରେ ଇଟା ଘେରା ଘାସ ପଡ଼ିଆ । ପାଇପ ପାଣି ଆପଣା ଛାଏଁ ଉପରୁ ଘାସ ଉପରେ ବିଛୁଡ଼ି ହୋଇ ପଡ଼ୁଛି । ବାହାର ବାରେଣ୍ଡାକୁ କରି ଦି’ଟି କୁସନ୍‌ । ତା’ ଉପରେ ବସିଥିବେ ଦି’ଜଣ । ଗୋଡ଼ ପାଖକୁ କରି ଆଲ୍‌ସେସିଆନ୍‌ କୁକୁର ଜିଭ ଲହ ଲହ କରି ଶୋଇଥିବ । ଫାଟକରେ କିଏ ଜଣେ ହାତ ଦେଲା ମାତ୍ରେ ଭୁକି ଉଠିବ । ଆଙ୍ଗୁଠି ଆଗରେ ଥିବ ନିର୍ଦ୍ଦେଶ । ଆଦେଶ ଦେଲା ମାତ୍ରେ ଯେ କୌଣସି କାମ ସାଙ୍ଗେ ସାଙ୍ଗେ ହୋଇଯାଉଥିବ । ଯେତେବେଳେ ଯାହା ଇଚ୍ଛା ହେଲା । କୋଉଥିରେ କିଛି ଅଭାବ ନାହିଁ । ଅଛି ପ୍ରାଚୁର୍ଯ୍ୟ, ଅଛି ଜୀବନ, ବିଳାସ ଓ ଉପଭୋଗ ଆଦି ସବୁ କିଛି । ଫାଟକ ବାହାରେ ଚାଲିଯାଉଥିବା ଲୋକେ ଚାହିଁ ଚାହିଁ ଯାଉଥିବେ ଡରିକରି ।

 

ଆର ପାଖେ ଆଉ ଗୋଟିଏ କ୍ୱାଟର । ନାଁକୁ ମାତ୍ର । ଘର ବୋଲି ବଖରେ । ବାହାରୁ କିଏ ଜଣେ ଆସିଲେ ମୁଣ୍ଡ ଗୁଞ୍ଜିବାକୁ ଉପାୟ ନାହିଁ । ଘର ଭିତରେ ଖଣ୍ଡେ ଅଧେ ଟ୍ରଙ୍କ । ମଇଳା ବିଛଣା ପତ୍ର । ଚଉକି ଟେବୁଲ ଥିଲେ ବଡ଼ କଥା । ଘର ଆଗ ବଗିଚାରେ ନ ଥାଏ ଗୋଲାପ କି ମାଧବୀ ଲତା । କେବଳ କଦଳୀ ଓ ଅମୃତଭଣ୍ଡା ଗଛ । କୋଶଳା କିଆରୀ, ଲଙ୍କାମରିଚ ଜହ୍ନି, ବାଇଗଣ ଆଉ ଭେଣ୍ଡି ଗଛ । ପରିବା ଖର୍ଚ୍ଚ ଉଠେଇ ଦବାକୁ ଦିନରାତି ପ୍ରାଣମୂର୍ଚ୍ଛା ଉଦ୍ୟମ । ଆଜି ଚାଉଳ ଥିଲେ କାଲିକି ତେଲ ନାହିଁ । ଧାର ଉଧାର ଆଣି ଚଳିଯିବା କଥା । କେବଳ ଅଭାବ ଅସୁବିଧା ଜଞ୍ଜାଳ । ଅନ୍ୟମାନଙ୍କ ପାଇଁ ସ୍ୱାର୍ଥତ୍ୟାଗ, କର୍ତ୍ତବ୍ୟର ତାଡ଼ନା, ପଲ ପଲ କରି ଜୀବନକୁ ନଷ୍ଟ କରିବା ଓ ଦିନରାତି ନିଜ ପାଇଁ ଓ ପିଲା କବିଲାଙ୍କ ପାଇଁ କେବଳ ଭାବନା– ଚିନ୍ତା । କେବଳ ଘର କଥା । ଆଉ ତା’ ଛଡ଼ା କିଛି ଜାଣନ୍ତିନି । ତା’ପରେ ଧୈର୍ଯ୍ୟ ଧରି ଖାଲି ପଡ଼ିରହିବା ଛଡ଼ା ଉପାୟ ନାହିଁ । ବର୍ଷକୁ ବର୍ଷ ଦରମା ବଢ଼ି ବଢ଼ି ପ୍ରମୋଶନକୁ ଅପେକ୍ଷା । ଚଳି ନପାରିଲେ ଦି’ ଜଣଙ୍କର ଚାକିରୀ । ଦିହିଁଙ୍କର ଟଙ୍କା । ଜୀବନକୁ ସୁରୁଖୁରିଆ କରିବା ପାଇଁ ଯୋଜନା । ପିଲାଛୁଆଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା ପାଇଁ ଚେଷ୍ଟା । ସବୁଥିରେ କାଣ୍ଟ ଛାଣ୍ଟ । ପ୍ରୋଭିଡ଼େଣ୍ଟ ଫଣ୍ଡ୍‌, ଇନସୁରାନ୍‌ସ ପାସ୍‍ବୁକ୍ ଆଦି କେତେ ଉପାୟ । ନାନା ଧନ୍ଦା ଭିତରେ ଦି’ଟି ଜୀବନକୁ ଗୋଟିଏ କରି ଗଢ଼ିବାର କଳ୍ପନା ଆଦି କେତେ କ’ଣ ? ଏଥିରେ ମନର ସଉକ୍ ଅଛି । ପଥ ବନ୍ଧୁର ହେଲେ ବି ଅଛି ଦୁଇଟି ଜୀବନର ଏକତ୍ର ସମାବେଶ । ଅଭାବ ଅସୁବିଧା, ଜଞ୍ଜାଳ ଓ ଅନିଶ୍ଚିତତା ଭିତରୁ ସ୍ୱାଦ ବାହାର କରିବାର ଏକାନ୍ତ ଇଚ୍ଛା । ଏସବୁ ମଧ୍ୟରେ ବି ଜୀବନ ଅଛି । ବଞ୍ଚିରହିବାର ଅଦ୍ୟମ ପିପାସା ବଳବତ୍ତର ରହିଛି ।

 

ଶଇଳର ଦି’ପଟେ ଦି’ଟି ସମାନ୍ତରାଳ ଭାବନା । କାହା ସାଙ୍ଗେ କାହାର ସମ୍ପର୍କ ନାହିଁ । ଅଲଗା ଅଲଗା ବାଟ । ଗୋଟିଏ ରାସ୍ତାରେ ଗଲେ ବାହା ମେଲେଇ ଠିଆ ରହିଛି– ପ୍ରାଚୁର୍ଯ୍ୟ, ବିଳାସ ଓ ଉପଭୋଗ ସେଥିରେ ମନର ପ୍ରୟୋଜନ ନାହିଁ । ଅଣଓସାରିଆ ନଇଟିଏ ସମୁଦ୍ର ଆଡ଼ିକି ମନଫୁଲାଣିଆ ଗୀତଗାଇ ଧାଇଁ ଯାଉଥିଲା ବେଳେ ତାକୁ ବାଡ଼ଦେଇ ବନ୍ଧେଇ ଦେଲେ ନଈକୂଳ ଯେମିତି ଶସ୍ୟସମ୍ଭାରରେ ହସି ଉଠେ ଓ ବିଜୁଳି ଶକ୍ତି ଆଣିଦିଏ ପ୍ରାଚୁର୍ଯ୍ୟ ସୁଖସମ୍ଭୋଗ ଓ ଉନ୍ନତ ଜୀବନ । କିନ୍ତୁ ନଈଟିକି ସେଇଠି ମାରିଦିଆଯାଏ । ବନ୍ଧ ପାଖରେ ସେଇଥି ପାଇଁ ଦିନରାତି ମଥା ପିଟି ଲାଗେ । ନ ଥାଏ ତା’ର ମନ୍ଥର ଗତି, କୁଳୁ କୁଳୁ ଗୀତ ଓ ଲହରୀ ମାଳାରେ ନୂପୁରର ଛନ୍ଦ । ସେଥିରେ ସୁଖସମୃଦ୍ଧି ଥାଏ କିନ୍ତୁ ଅଭାବ ଥାଏ ନିଜର ମନ । ଉନ୍ନତ ଜୀବନ କୃତ୍ରିମ ଜଳ ଭଣ୍ଡାର ଭଳି ଭରପୁର ହୋଇ ରହିଥାଏ, କିନ୍ତୁ ସେଥିରେ ଲହରୀ ଉଠେନି । ପରିକଳ୍ପିତ ଯୋଜନା ଥାଏ, ନ ଥାଏ ସ୍ୱପ୍ନ । ଗଠନମୂଳକ ହେଲେ ବି ସେ ସବୁ ସ୍ପନ୍ଦନହୀନ ।

 

ଶୋଇଲା ଘର ଖଟ ଉପରେ ପଡ଼ିଥିବା ତକିଆ ଭିତରେ ମୁହଁପୋତି ଶଇଳ କେତେ କ’ଣ ଏମିତି ଭାବୁଥିଲା । ଭଲ ମନ୍ଦ ଓ ଆଗପଛ, ସୁଖ ଦୁଃଖ ସାଙ୍ଗକୁ ତାର ବର୍ତ୍ତମାନ ଓ ଭବିଷ୍ୟତ-। ଲମ୍ୱେଇଥିବା ଦି’ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗି ଦେଇ ସେ ହଲେଇବାରେ ଲାଗିଥିଲା । ଜଣାପଡ଼ୁ୍ଥିଲା– ବିଛଣା ଉପରେ ପଡ଼ି ରହିଛି ଗୋଟିଏ ସରିସୃପ । ଲାଞ୍ଜ ହଲେଇ ତା’ର ଶିକାର ଖୋଜ ବୁଲୁଛି । ପେଟ ଭିତରେ ଭରି ରହିଛି କ୍ଷୁଧା । ମନ ଭିତରେ କୋଉ କାଳର ତୃଷ୍ଣା । ଆଗରେ ଜଳାଶୟ । କ୍ଷୁଧା ତୃଷ୍ଣା ଆଦି ମେଣ୍ଟାଇବାକୁ ଏତେ ଦିନେ ସେ ସୁଯୋଗ ପାଇଛି ।

 

ତକିଆ ଭିତରୁ ମୁହଁଟେକି ଶଇଳର ଆଖି ଆଗରେ ପଡ଼ିଗଲା ତା’ରି ଗୋଟିଏ ହାତବୁଣା ଫଟୋ । ବଣ ଭିତରେ ଦୁଇଟି ମୟୂର ମୟୂରୀ । ଗଛ ଉହାଡ଼ରେ ତାଙ୍କର ପୁଚ୍ଛଟେକା ଯୁଗଳ ନୃତ୍ୟ । ଗୋଟିକ ପାଇଁ ଅପରର ପ୍ରାଣଭରା ଆବେଗ । ମୟୂର ପାଖରେ ନିଜର ସର୍ବସ୍ୱ ଅଜାଡ଼ି ଦେବା ପାଇଁ ମୟୂରୀର ନିବେଦନ ।

 

କେଇ ବର୍ଷ ତଳେ ଶଇଳ ସେଇଟାକୁ ବୁଣିଥିଲା । ମୟୂର ମୟୂରୀର ଫଟୋ । ମାଟ୍ରିକ ପଢ଼ିଲା ବେଳେ । ସେ ସମୟରେ ସେ କଳ୍ପନା କରି ନଥିଲା– ଦିନେ ନା ଦିନେ କଲେଜରେ ପାଠ ପଢ଼ି ସେ ବି.ଏ. ପାଶ କରିବ ଓ ଚାକିରୀ କରିବ । ଅନ୍ୟମାନଙ୍କ ଭଳି ବାପା ବୋଉ ବାଛି ଆଣି ଥାଆନ୍ତେ ଗୋଟିଏ ପାତ୍ର । ତାଙ୍କର ମନ ଲାଖି । ଅଳ୍ପ ପାଠ ପଢ଼ିଥିବ । ଚାକିରୀ କରି ଘରକୁ ଆଣୁଥିବ କଞ୍ଚା ପଇସା । ଘରେ କିଛି ଜମିବାଡ଼ି, ଶାଶୁ ଶଶୁର, ଦିଅର, ଦେଢ଼ଶୁର ଓ ନଣନ୍ଦ ଆଦି । ଗହଳ ପରିବାର ନୁହେଁ । ଖାଇବା ପିଇବାକୁ ଅସୁବିଧା ନ ଥିବ । ଚାହୁଁ ଚାହୁଁ ଗଡ଼ିବ ବର୍ଷପରେ ବର୍ଷ । ପିଲା ଛୁଆର ଘର । ପୁଅ ଝିଅର ମା’ । ପରେ ପରେ ଗୋସେଇଁ ମା’, ଆଈ ଓ ଶାଶୁ । ଛୋଟରୁ ବଢ଼ି ବଢ଼ି ସେ ବୁଢ଼ୀ ବୟସରେ ଯାଇ ପାଦ ଦେବେ । ଏଇ ତା’ର ସଂସାର । ଦୁନିୟାଁର ସମସ୍ତଙ୍କ ଭଳି । ପ୍ରଥମେ ବାପଘରେ ଝିଅ । ଶାଶୁ ଘରେ ବୋହୂ । ପୁଅ ଜନ୍ମ କରି ଘରକୁ ବୋହୂ ଆଣିଲେ ପୁଣି ଶାଶୁ । ଏମିତି ଜୀବନ । ଗଡ଼ି ଆସିଲା ପାଣି ଭଳି । ସମସ୍ତେ ଯେମିତି ଭାବି ଥାଆନ୍ତି । ବାପା ବୋଉ ତା’ ପିଲାଦିନୁ ସେମିତି ତା’ ପାଇଁ ଭାବିଥିଲେ । ଶଇଳ ବି ମାଟ୍ରିକ୍‌ ପଢ଼ିଲା ବେଳୁ ସେଇ ଜୀବନ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା । ମାଟ୍ରିକ୍‌ ପାଶ କରି ଘରେ ବସି ରହିଲା ବେଳେ ଶଇଳ କେତେ କେତେ ଫଟୋ ଏମିତି ତିଆରି କରୁଥିଲା । ରୁମାଲରେ ଫୁଲ ପକେଇଥିଲା-। ଟେବୁଲ କ୍ଳଥ, ଦୁଆର ଝରକା ପାଇଁ ପରଦା, ଜଳଖିଆ ଘୋଡ଼ଣୀ, କାଚମାଳୀ, ଉଲର ବିଲେଇ କୁକୁର, ସୁଇଟ୍ ଲଭ୍‌, ଫରଗେଟ୍‌ ମିନଟ ଓ ପତି ପରମଗୁରୁ ଆଦି ସୁତାରେ ବୁଣା ଫୁଲପକା ନାନାପ୍ରକାରର ହାତକାମ ।

 

ସେତିକିବେଳେ ବାମବାବୁଙ୍କ ସାଙ୍ଗେ ଦେଖା । ସେ ମାଟ୍ରିକ୍‌ ପାଶ କରି ବସିଥାଏ । ରାମବାବୁ ବି.ଏ. ପଢ଼ୁଥାଆନ୍ତି । ତାକୁ ବେଳେବେଳେ ପଢ଼େଇଦେବାକୁ ଆସନ୍ତି । ବେଶ ଭଲ ମଣିଷ । କାହା ମୁହଁକୁ ସିଧା ଭାବରେ ସେ ଚାହିଁପାରନ୍ତିନି । ବଡ଼ ସାଧାସିଧା । ତାଙ୍କୁ ରାଗିବାର କେହି କେବେ ଦେଖିନି । ଦି’ ବର୍ଷ କାଳ ସେ ପଢ଼େଇବାକୁ ଆସିଛନ୍ତି । ପଇସାପତ୍ର କିଛି ନିଅନ୍ତିନି । କେବଳ ବାପାଙ୍କ କଥା ରକ୍ଷା କରି । ବାପା ବୋଉଙ୍କର ତାଙ୍କ ଉପରେ ଅଗାଧ ବିଶ୍ୱାସ । ଗୋଟିଏ ଘରେ ରାତି ଦଶ ଏଗାର ଯାଏ ସେ ପଢ଼େଇବାରେ ଲାଗିଥାଆନ୍ତି । ସବୁବେଳେ ଆସନ୍ତିନି ସପ୍ତାହରେ ଦି’ ତିନିଥର ଯେତେବେଳେ ତାଙ୍କୁ ସମୟ ମିଳିଲା । କିନ୍ତୁ କେବେହେଲେ ତା ଆଡ଼ିକି ମୁହଁ ଟେକି ଚାହିଁ ନାହାନ୍ତି । ଗୋରା ତକ ତକ ଚେହେରା । ସୁଶ୍ରୀ ଖଣ୍ଡା ନାକ, ଉନ୍ନତ କପାଳ ଓ ଭସାଣିଆ ଆଖି । ମୁଣ୍ଡର କୁଞ୍ଚୁକୁଞ୍ଚିଆ ବାଳ ତକ ପଛ ଆଡ଼ିକି କୁଣ୍ଡେଇ ଥାଆନ୍ତି । ତାଙ୍କୁ ଦେଖିଦେଲେ ପେଟ ପୂରିଉଠେ । ସେଇ ସମୟରୁ ଜଣାପଡ଼ୁଥିଲା– ଦିନେ ନା ଦିନେ ସେ ବଡ଼ ମଣିଷ ହେବେ । ଏମ୍‌.ଏ. ପାଶ କରି ସେ ବର୍ତ୍ତମାନ ଶାସନ ବିଭାଗରେ କାମ କରୁଛନ୍ତି । ବେଶ୍‌ ଭଲରେ ଅଛନ୍ତି । ବିବାହ କରି ଦି’ ତିନିଟା ପିଲାର ବାପା ହେଲେଣି । ସ୍ତ୍ରୀକି ମଧ୍ୟ କୋଉଠି ଖୁଣି ଦବାକୁ ନାହିଁ । ସେ ଅଜସ୍ର ଜିନିଷପତ୍ର ଆଣିଛି । ରାମବାବୁ ଶଶୁର ଘରୁ ଦଶ ହଜାର ଟଙ୍କା କ୍ୟାସ୍‌ ବି ଆଣିଥିଲେ । ହେଲେ ସ୍ତ୍ରୀ ତାଙ୍କର ପ୍ରାଇମେରୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ମଫସଲର ଗୋଟିଏ ଜମିଦାର ପରିବାରର ଝିଅ । ଏସବୁ କେବଳ ଶୁଣା ଶୁଣି କଥା ।

 

ସେଥିରେ ଯାଏ ଆସେ କ’ଣ ଅଛି ? କିନ୍ତୁ ରାମବାବୁ ଏତେବଡ଼ ଲୋକ ହୋଇ ବି କଥାଟା ତାଙ୍କର ରଖିପାରିଲେନି ।

 

ଶଇଳ ମନର ଜାଲ ପକେଇ ଅତୀତରୁ କେତେଟା ଘଟଣା ଶୁଣି ଆଣୁଥିଲା ବେଳେ– ଆପେ ଆପେ ତା’ ପାଟିରୁ ବାହାରି ପଡ଼ିଲା–ସେ ତ ତାଙ୍କୁ ପଚାରୁ ନ ଥିଲା ? ଯେଉଁ ଦିନ ସେ ଏମ୍‌.ଏ. ପଢ଼ିବାକୁ କଟକ ଯାଆନ୍ତି– ତା’ର ହାତ ଧରି କହି ଯାଇଥିଲେ– ବାପା ଯେବେ ଦି’ବର୍ଷ ଅପେକ୍ଷା କରନ୍ତି ସେ ନିଶ୍ଚୟ ତାଙ୍କୁ ବିବାହ କରିବ । ଶଇଳ ରାମବାବୁଙ୍କ କଥାରେ ସେଦିନ ବିଶ୍ୱାସ କରିପାରିଲାନି । ଦି’ ଦି’ ବର୍ଷ ହେଲା ତାଙ୍କ ସାଙ୍ଗେ ଚଳିଛି । କେବେ ହେଲେ ଏମିତି କଥା ସେ ଶୁଣି ନ ଥିଲା । ରାମବାବୁଙ୍କୁ ସେ ଭୟ କରୁଥିଲା । ଭୟ ସାଙ୍ଗରେ ଥିଲା ଭକ୍ତି । ରାମ ବାବୁଙ୍କର ଏଇ କଥା ପଦକରେ ସେ ତାଙ୍କ ଉପରେ ସେଦିନ ଲଟେଇ ପଡ଼ିଥିଲା । ଲାଉଟିଏ ଯେମିତି ଆଶ୍ରା ପାଇଁ ଦ୍ରୁମ ଉପରେ ଲଟେଇ ପଡ଼େ । ରାମବାବୁ ବି ତାଙ୍କୁ ତୋଳି ଧରିଥିଲେ । ରାମବାବୁଙ୍କୁ ସେ ପଚାରିବାକୁ ଯାଇ ନଥିଲା । ସେ ଆପେ ଆପେ ଧରା ଦେଇଥିଲେ ।

 

ତାଙ୍କ କଥା ଉପରେ ବିଶ୍ୱାସ ରଖି ଶଇଳ ଅନ୍ୟ କୌଣସି ପ୍ରସ୍ତାବରେ ରାଜି ହେଲାନି । ଖୋଲି କରି ବାପା ବୋଉଙ୍କୁ କହିଲା । ଅପେକ୍ଷା କରି ଘରେ ବସି ରହିବା ଅପେକ୍ଷା ପାଠ ପଢ଼ିବାକୁ ଭଲ ବୋଲି ଧରିନେଲା ।

 

ଚାହୁଁ ଚାହୁଁ ଦି’ବର୍ଷ କଟିଗଲା । ରାମ ବାବୁ ଏମ୍‌.ଏ. ପାଶ୍‌ କରି ବଡ଼ ଚାକିରୀ ପାଇଲେ-। କେତେ ମାସ ପର୍ଯ୍ୟନ୍ତ ଚିଠି ମିଳିଲାନି କି ଦେଖା ମିଳିଲାନି । ଶୁଣିବାକୁ ମିଳିଲା– ସେ ବିବାହ କଲେ । ଶଇଳ ଭାଗ୍ୟକୁ ଆଦରି ପାଠ ପଢ଼ାର ଆଶ୍ରୟ ନେଲା । ଇଆ ଭିତରେ ତାଙ୍କ ଘରର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ବସେ । ଜମିତକ ସେମାନେ ଆସ୍ତେ ଆସ୍ତେ ଖଣ୍ଡ ଖଣ୍ଡ କରି ବିକି ଦିଅନ୍ତି । ବି.ଏ. ପାଶ କରି ସାରିଲା ପରେ ଯୋଗ୍ୟ ପାତ୍ରଟିଏ ବି ଖୋଜି ପାଇବା ମୁସ୍କିଲ । ପଇସା ପତ୍ର ଖର୍ଚ୍ଚ କରି ବିଭା ଦେବାର କ୍ଷମତା ନାହିଁ । ଭାଇଟି ସାନ । ଘରେ ବାପା ବୋଉ । ବୁଢ଼ା ବୁଢ଼ୀ । ତିନି ଚାରି ମାଣ ଯେଉଁ ଜମି ଅଛି ସେଥିରେ ମାସ ଦି ତିନିଟା ଭାତ ଯାଏ । ଗାଁରେ କେବଳ ଘର ଡିହ ଖଣ୍ଡେ । ଏ ସବୁ ଦେଖି ଓ ପ୍ରଥମ ଜୀବନରୁ ଧକ୍‌କା ଖାଇ ଶଇଳ ଚାକିରୀ ଜୀବନକୁ ବାଛି ନିଏ । ବାହାରର ଚହମହକୁ ଗୋଡ଼ରେ ଆଡ଼େଇ ଅନ୍ୟମାନେ ଏମିତି ହୁଏତ କରି ପାରିବେନି-। ସେଇଥି ପାଇଁ ତା’ର ସବୁ ଆଡ଼େ ପ୍ରଶଂସା । ଜୀବନରେ ସେ ଆଉ କାହାକୁ ବିଶ୍ୱାସ କରିନି । ସମସ୍ତଙ୍କ ଠାରୁ ନିଜକୁ ଦୂରେଇ ରଖେ ।

 

ସୁର ବାବୁଙ୍କ କଥା କିନ୍ତୁ ଅଲଗା । ପ୍ରଥମେ ସେ ତା’ଠୁ ଅଫିସ କାମ ଶିଖନ୍ତି । ତାଙ୍କର ଲାଜୁରାପଣିଆ ଥଙ୍ଗଥଙ୍ଗିଆ ସ୍ୱଭାବ ଯୋଗୁ ତାଙ୍କୁ ସେ କେମିତି ଛୋଟ ଆକାରରେ ଦେଖୁଥିଲେ । ପ୍ରଥମରୁ ଶଇଳ ବୁଝି ପାରୁ ନ ଥିଲା । ସୁର ବାବୁଙ୍କ କଥା ସେ ଏତେ ସମୟ ଧରି କାହିଁକି ଭାବେ-? ସେତେବେଳେ ଜାଣି ନ ଥିଲା ଯେ ପୁରୁଷର ଦୈନ୍ୟ ଓ ଛୋଟ ପଣିଆ ପାଖରେ ସ୍ତ୍ରୀ ବି ତା’ର ସର୍ବସ୍ୱ ଅଜାଡ଼ି ଦିଏ । ତା’ର କଅଁଳ ମନଟି ସେଇ ପୁରୁଷ ଦିହରେ ଯାଇ ଲଟେଇ ପଡ଼େ । ଭଲ ପାଇବାର ସିଏ ବି ଗୋଟିଏ ବାଟ ।

 

ମୟୂର ମୟୂରୀଙ୍କର ଫଟୋ ଆଡ଼ିକି ଚାହିଁଲା ବେଳେ ଏ ସବୁ ଘଟଣା ଠିକ୍‌ କୁହୁଡ଼ି ଭଳି ତା’ ମନ ଭିତର ଦେଇ ଭାସିଗଲା । ଶଇଳ ଭାବି ଭାବି ଖାଲି ବେଦମ୍‌ ହେଲା । ନାନା ଆଡ଼ୁ ନାନା ଭାବନା ମନ ଭିତରକୁ ଉବୁକେଇ ଆସି ତାକୁ ଥୟ କରି ବିଛଣାରେ ଶୁଆଇ ଦେଲାନି । ଶଇଳ ଅଗଣା ଆଡ଼ିକି ଗଲାବେଳକୁ ବୁଲି ମା’ର ରୋଷେଇବାସ ସରିଲାଣି । ଖାଇବାକୁ ଶଇଳର ଇଚ୍ଛା ନଥିଲା । କ୍ୱାଟର ଭିତରୁ ଶୁଣିଲା ଟ୍ରକ୍‌ ସବୁ ଗୋଟାକ ପରେ ଗୋଟେ ପାଖ ରାସ୍ତାଦେଇ ଛୁଟି ଲାଗିଛି । ସେ ଠିକ୍‌ କଲା– ବେଶି ଦିନ ଆଉ କ୍ୱାଟରରେ ଲୁଚି ରହିବା ଭଲ ନୁହେଁ । ଏକୁଟିଆ ହୋଇ ପଡ଼ି ରହିବାରୁ ଖରାପ ଲାଗୁଛି । ସେ ଦିନଟା ଥିଲା ଶନିବାର । ଆସନ୍ତା କାଲିଟା ବିଶ୍ରାମ ନେଇ ସେ ଅଫିସରେ ଜଏନ୍‌ କରିବ । ଛୁଟି ଗୁଡ଼ାକ ମିଛରେ ନଷ୍ଟ କରିବା ଭଲ ନୁହେଁ । ଅଫିସ୍‌ରେ କେହି ପଚାରିଲେ ସେ କହି ଦେଇ ପାରିବ– ବାପାଙ୍କର ଦେହ ଅଳ୍ପ ଭଲ ହୋଇଯିବାରୁ ସେ ଫେରି ଆସିଲା ।

 

କିନ୍ତୁ ମିଃ ମହାନ୍ତିଙ୍କ ଏ କଥାଟାବା ଅଛପା ରହିବନି । ବଡ଼ ଆଶ୍ଚର୍ଯ୍ୟ ଲୋକ । ଶଇଳ ତାଙ୍କୁ ମନେ ପକେଇବାକୁ ଚେଷ୍ଟା କଲା । ରୁମ୍‌କୁ ପଶିଗଲା ବେଳେ ତାଙ୍କ ଆଖିରୁ ଜଣାପଡ଼େ– ସେ ଅନେକ କିଛି କହିବାକୁ ଚେଷ୍ଟା କରୁଛନ୍ତି । କହିପାରୁ ନାହାନ୍ତି । ବହୁତ ନରମ ଗଳାରେ ନିଜ ଲୋକ ଭଳି ତା’ ସାଙ୍ଗରେ କଥା ହୁଅନ୍ତି । ଭଲମନ୍ଦ ବୁଝନ୍ତି । ବାପା ବୋଉ କେମିତି ଅଛନ୍ତି ? ଗାଁରେ ଚଳନ୍ତି କେମିତି ? ଜମି ବାଡ଼ି ଅଛିକି ନାହିଁ ? ତା’ ଉପରେ କେତେ ଜଣ ଘରେ ନିର୍ଭର କରନ୍ତି ? ଏମିତି ନାନା ରକମର ପ୍ରଶ୍ନ । ଶଇଳକୁ ଏ ସବୁ ଶୁଣିବାକୁ ଭଲ ଲାଗେନି । ତାଙ୍କ ଆଖି ଆଡ଼ିକି ସିଧା ଭାବରେ ସେ ଚାହିଁ ବି ପାରେନି । କେମିତି ତାକୁ ଡରମାଡ଼େ । ଭଦ୍ରତା ଆଉ ରୁଚିକି ଡରି ଆଖି ସାଙ୍ଗେ ଆଖି ମିଳିଗଲେ ଶଇଳକୁ ଜଣାପଡ଼େ ମିଃ ମହାନ୍ତିଙ୍କର ଆଖି ଦି’ଟି ଯେପରି ଅବା ଅନେକ କିଛି ତାଠୁ ଆଶା କରୁଛି । ପାଟିରେ କହି ହେଉନି ଅଥଚ ଆଖି କହୁଛି । କେତେ କେତେ ଭାବନା ମୁହଁ ଉପରେ ତାଙ୍କର ଛାଇ ଭଳି ଭାସିଯାଉଛି ।

 

ଶଇଳ ଆଶ୍ଚର୍ଯ୍ୟ ହେଲା– ମିଃ ମହାନ୍ତିଙ୍କ ଅପେକ୍ଷା ସୁର ବାବୁଙ୍କ କଥାଇ ସେ ବେଶି ଭାବୁଛି । ସବୁ କିଛି ଘଟଣା ଲୁଚେଇ ନରଖି ତାଙ୍କ ଆଗେ ଖୋଲି କହିଦେବ ବୋଲି ସେ ଠିକ୍‌ କଲା । ତାଙ୍କ ଆଗେ କହି ଅବା ଲାଭ କ’ଣ ଏ ସବୁ ଅନ୍ୟକୁ କହିବା ଭଲ ନୁହେଁ– ଶଇଳ ମନେ ମନେ ପୁଣି ଭାବୁଥିଲା– ତାଙ୍କ ସାଙ୍ଗେ ଆଗେ ଦେଖା କରିବା କିନ୍ତୁ ଦରକାର ।

 

ବୁଲିମା’ ଇଆ ଭିତରେ ଭାତ ଆଣି ବାଢ଼ି ସାରିଲାଣି । ଖାଇ ବସିଲା ବେଳେ ସେ ଆକାଶ ଆଡ଼କୁ ଲକ୍ଷ୍ୟ କରୁଥିଲା । ଚଲା ମେଘର ପଟୁଆର ଭିତରେ ସେ ଅବା ସୁର ବାବୁଙ୍କୁ ଲୁଚି ଥିବାର, ଦେଖିବାକୁ ପାଇଲା । ଠିକ୍‌ କଲା– ସନ୍ଧ୍ୟା ବେଳକୁ ତାଙ୍କ କ୍ୱାଟର ଆଡ଼େ ସେ ଯେମିତି ହେଲେ ଯିବ । ସୁଖ ଦୁଃଖ ହେବ । ଗାଁ କଥା ଆଉ ଅଫିସ କଥା । ନିଜ କ୍ୱାଟର ଭିତରେ ବନ୍ଦୀ ହୋଇ ପଡ଼ି ରହିବାକୁ ତାକୁ ଭଲ ଲାଗୁ ନଥିଲା ।

 

ରବିବାରର ସନ୍ଧ୍ୟା ନଇଁ ଆସୁ ଥିଲା । ଠିକ୍‌ ଘଣ୍ଟାଟିଏ ଆଗରୁ ସୁର ଯାଇଥିଲା ରେଲଉଏ ଷ୍ଟେସନ । ବାପାଙ୍କୁ ଛାଡ଼ି ଦେବାକୁ । ରାତି ବାରଟାରେ ବାପା ଆସି ସବୁ ଭଣ୍ଡୁର କରି ଦେଲେ । ବହୁତ କଷ୍ଟରେ ଘଣ୍ଟେ ଯାଏ ଖୋଜି ଖୋଜି ତା’ କ୍ୱାଟରକୁ ସେ ଆବିଷ୍କାର କଲେ ସବୁ ଆଡ଼େ କ୍ୱାଟର ଗୁଡ଼ିକ ତ ଏକାଭଳି । କ୍ୟାପିଟାଲରୁ ଜଣଙ୍କୁ ଖୋଜି ବାହାର କରିବା ମୁସ୍କିଲ ବ୍ୟାପାର୍‌ ।

 

ବାପା କେବଳ ବୁଲି ଆସି ନ ଥିଲେ । ପ୍ରସ୍ତାବଟିଏ ପୁଅ ପାଖରେ ବାଢ଼ିବାକୁ ଆସିଥିଲେ । ତା’ର ମତାମତ । ସିଏ ପୁଣି କାପିଟାଲ୍‌ ଭିତରର ପ୍ରସ୍ତାବ । ଗୋପାଳବାବୁଙ୍କ ଝିଅ ବିଷୟରେ । ତାଙ୍କଠୁ ଚିଠି ପାଇଥିଲେ । ପ୍ରସ୍ତାବଟା ଶୁଣି ସେ ତୁନି ହୋଇ ଖାଲି ବସି ନ ଥିଲେ । ଖବର ଅନ୍ତର ସଂଗ୍ରହ କରି ଗୋପାଳବାବୁଙ୍କ ବିଷୟରେ ବୁଝୁଥିଲେ । ସବୁ ଆଡ଼ୁ ଶୁଣିଥିଲେ ଝିଅଟିର ପ୍ରଶଂସା ।

Unknown

 

ସକାଳ ଲୋକାଲ ଗାଡ଼ିରେ ବାପା ସାଢ଼େ ଆଠଟା ବେଳେ ଭୁବନେଶ୍ୱର ଆସି ଓହ୍ଲାଇଲେ । ତିନି ଚାରିବର୍ଷ ତଳେ ଥରେ ସେ ଆସିଥିଲେ ଭୁବନେଶ୍ୱର । କିନ୍ତୁ ସେତେବେଳେ କାପିଟାଲ୍‌ଟା ଏତେ ବଡ଼ ହୋଇ ନ ଥିଲା । ନ ଥିଲେ ଏତେ ଲୋକ, ଗାଡ଼ି ମଟର ଓ ଦୋକାନ ବଜାର, ଅଫିସ୍‌ ସବୁ କଟକରୁ ଭୁବନେଶ୍ୱର ଆସି ନଥିଲା । ଲୋକମାନଙ୍କ ମନରେ ପ୍ରଥାରୁ ବିଶ୍ୱାସ ବି ନଥିଲା– କାପିଟାଲଟା ଦିନେ ନା ଦିବେ ବଡ଼ ସହର ହୋଇ ଠିଆ ହେବ ।

 

ଲୋକାଲ୍‌ରୁ ଓହ୍ଲେଇ ରିକ୍‌‌ସା ଖଣ୍ତେ ଧରି ସେ ଘଣ୍ଟେଯାଏ ଏପଟ ସେପଟ ହେଲେ । ଭୁଲ୍‌ରେ ଆଉ ଜଣଙ୍କ ଘରକୁ ପଶିଯାଉଥିଲେ । ଭାଗ୍ୟ ବଶତଃ ଜଣେ ଭଦ୍ରଲୋକଙ୍କ ସାଙ୍ଗେ ଦେଖା ହେଲା ଓ ନିଜେ ଘରଟା ଆସି ଦେଖେଇ ଦେଲେ ।

 

ଆଗରୁ ଚିଠିପତ୍ର ନାହିଁ । ବାପାଙ୍କୁ ଦେଖି ଦେଇ ସୁର ଏକବାରେ ଆଶ୍ଚର୍ଯ୍ୟ ହୋଇଗଲା-। ସେ ଆସିଲେ ପୁଣି କେମିତି ? କେମିତି ଅବା ସେ କ୍ୱାଟର ପାଇଲେ ? ଯୋଗକୁ ସେଦିନ ରବିବାର । ସୁର ବି ଆଉ କୁଆଡ଼େ ନ ଯାଇ ଘରେ ଥିଲା ।

 

ତା’ପରେ ପଡ଼ିଲା ଗୋପାଳ ବାବୁଙ୍କ କଥା । ଦି’ଖୋଜ ଗଲେ ତାଙ୍କ କ୍ୱାଟର । ବାପା ବୋହୂ ଦେଖି ମହାଖୁସି । ଘରକୁ ଆସ ଖାଲି ମନିର ପ୍ରଶଂସା । କେବଳ ସେତିକି ନୁହେଁ– ବାପା ଆଗରୁ ଭାବିଥିଲେ କାପିଟାଲ୍‌ର ଝିଅ ସବୁ ଭାରି ଫାଜିଲ୍‌ ଆଉ ଫରଓ୍ୟାଡ୍ । ମନିକି ଦେଖି ଦେଇ ତାଙ୍କର ମତ ଏକଦମ୍‌ ବଦଳି ଯାଇଥିଲା ।

 

ସୁରର ଏକା ଜିଦ୍‌ । ଏତିକି ଅଳ୍ପ ଦରମାରେ ସେ ବିବାହ କରି ଚଳେଇ ପାରିବନି । ସେଇଠି ବିଭାଘର ହେଉ ତା’ର ଆପତ୍ତି ନାହିଁ । ବାପାଙ୍କ କଥାରେ ଅମଙ୍ଗ ହେବାକୁ ତା’ର ଇଚ୍ଛା ନଥିଲା । ଗୋପାଳବାବୁ ଯେବେ ଅପେକ୍ଷା କରିପାରିବେତ ଭଲ କଥା । କିନ୍ତୁ ଏଇନେ ନୁହେଁ । ଦି’ ତିନି ବର୍ଷ ପରେ । ସୁରର ଯୁକ୍ତି– ସାପ ମରିବନି କି ବାଡ଼ି ଭାଙ୍ଗିବନି ବାପାଙ୍କୁ ଅସନ୍ତୁଷ୍ଟ କରିବାକୁ ସେ ରାଜି ନୁହେଁ କି ମନି ସକାଶେ କି ବିଭାଘର ସକାଶେ ଅମଙ୍ଗ ନୁହେଁ ।

 

ଖରା ବେଳଟା କେବଳ ବାପ ପୁଅଙ୍କ ଭିତରେ ଯୁକ୍ତି ତର୍କରେ ଚାଲିଗଲା । ବାପାଙ୍କ କଥାରେ ସୁର ରାଜି ହେଲାନି । ଏ ବର୍ଷ ମୋଟେ ହେଲେ ନୁହେଁ । ଗୋପାଳ ବାବୁଙ୍କୁ ମଧ୍ୟ ସେଇ କଥା କୁହାଗଲା । ସେ ବି ଅପେକ୍ଷା କରିବାକୁ ରାଜି । କେବଳ ନିର୍ବନ୍ଧ କରି ରଖି ଦେଲେ ତାଙ୍କର ଦକ ଯିବ । କିନ୍ତୁ ସେ ବିଷୟରେ ବି ସୁର ତୁନି ରହିଲା । କହିଲା– ପରେ ସେ ଖବର ଦେବ । ଚିଠିଦେଇ ଜଣେଇବ । ବାପା ଗୋପାଳ ବାବୁଙ୍କ ସାଙ୍ଗେ ପୁଣି ଥରେ କଥା ହେଲେ । ଜବାବ୍‌ କିନ୍ତୁ ଦେଇ ପାରିଲେନି । ତା’ପରେ ଗାଁକୁ ଫେରିଯିବା କଥା । ସୁର ଆଉ ଦିନେ ରହିବାକୁ ବାପାଙ୍କୁ ଅନେକ ବୁଝେଇଲା । ଗାଁରେ ଅନେକ କାମ ଅଛି ବୋଲି କହି ସେ ଗାଡ଼ିକି ବାହାରିଲେ । ପାଞ୍ଚଟା ଗାଡ଼ିକି । ସୁର ତାଙ୍କୁ ଛାଡ଼ିଦେବା ପାଇଁ ଷ୍ଟେସନ ଆସିଥିଲା । ବାପାଙ୍କୁ ଛାଡ଼ି ଦେଇ ସେ କ୍ୱାଟର ଆଡ଼େ ଫେରୁଥିଲା । ରାସ୍ତାଯାକ ଖାଲି କାର୍, ସାଇକେଲ ଓ ଗୋଟିକ ପରେ ଗୋଟିଏ ଟ୍ରାନ୍‌ସପୋର୍ଟ ବସ୍‌ । ରବିବାରିଆ ଲୋକ ସମାଗମ । ସଂଧ୍ୟାବେଳର କମଳାରଙ୍ଗର ଖରା ସେତେବେଳେ କାପିଟାଲ୍‌ର ଚାରିଆଡ଼େ ବିଛୁଡ଼ି ହୋଇ ପଡ଼ିଥିଲା । ସତେ ଅବା ଗୋଟିଏ ଛାଇ ଛାଇ କିଆ ଗୋଲାପି ଓଢ଼ଣୀଟିଏ କିଏ ଆଣି ଢାଙ୍କି ଦେଇଛି । ଇଲେକଟ୍ରିକ୍‌ ତାର ଓ ଫୋନ ତାର ଜାଲ ବୁଣିଲା ଭଳି ଚାରିଆଡ଼େ ଘେରି ଯାଇଛି । ତାରି ଭିତରେ ଧାଡ଼ି ଧାଡ଼ି କ୍ୱାଟର, ସିଧା ସଳଖ ପିଚୁରାସ୍ତା, କରର ଝଙ୍କାଳିଆ ଫୁଲ ଗଛ ଓ କୋଠାବାଡ଼ି । ସେ ସବୁ ସୁରକୁ ଯେପରି ନିର୍ଜୀବ ଭଳି ଜଣାପଡ଼ୁଥିଲା । ମୁହଁ ପୋତି ସେ ଚାଲିଥିଲା– ତା’ କ୍ୱାଟର ଆଡ଼େ ।

 

ତା’ ସାଙ୍ଗେ ସେ ଭାବୁଥିଲା– ତା’ର ନିଜ କଥା । ତିନିଶ ଟଙ୍କା ତା’ର କିରାନୀ ଚାକିରୀ । ସେଇ ତକ ଟଙ୍କାରୁ ସେ ନିଜେ ଖାଇବ । ଉପରକୁ ଚାକ୍‌ଚିକଣ ଦେଖେଇବାକୁ ତା’ର ପ୍ୟାଣ୍ଟ ଜାମା, ଜୋତା ଆଦି ପୋଷାକ ପରିଚ୍ଛଦ, ପୁଣି କ୍ୱାଟର ଆଲୁଅ ଓ ପାଣି ପାଇଁ ଭଡ଼ା, ଚା’ ଜଳଖିଆ, ପାନ ସିଗାରେଟ୍‌ ଓ ସାଙ୍ଗ ସାଥି । ଘରକୁ ଟଙ୍କା ପଠେଇବାର କର୍ତ୍ତବ୍ୟ ସଦାବେଳେ ମନ ଭିତରେ ଆସି ଧକ୍‌କା ମାରେ । ତା’ ସାଙ୍ଗକୁ ପୁଣି ବିଭାଘର । ସୁର ମନେ ମନେ ହସି ଉଠୁଥିଲା । ନିଜର ଜୀବନ ପ୍ରତି ସବୁଯାକ ବିଦ୍ରୂପ ତା’ ତୋଟି ପାଖରେ ଯେପରି ଜମା ହେଲା ।

 

କିରାନୀ ଚାକିରୀର ବର୍ଷକ ଅନୁଭୂତିରୁ ତା’ର ଧାରଣା ସେ ଜୀବନ ପ୍ରତି କେମିତି ତିକ୍ତ ହୋଇ ଉଠୁଥିଲା । ସେ ଅନୁଭବ କଲାଣି– କିରାନୀ ଗୋଟିଏ ସ୍ୱତନ୍ତ୍ର ଜାତି । ସେମାନଙ୍କ ବିନା ଶାସନ ଚଳିପାରିବନି ଅଥଚ ସେଇମାନେ ହାଡ଼ି ବାଉରୀଙ୍କ ଭଳି ଅଛୁଆଁ । ବଡ଼ ବଡ଼ ଅଫିସର ଯୋଉମାନେ ମୋଟା ଦରମା ପାଇ, ମଟର ଚଢ଼ି ବଡ଼ ଆରାମରେ ସମୟ କାଟନ୍ତି ସେମାନେ ପିଠିରେ ହାତ ଚାପୁଡ଼େଇ କାମତକ ଆଦାୟ କରି ଜାଣନ୍ତି । ଅଥଚ ସେମାନଙ୍କ ମେଳରେ କିରାନୀ ବାପୁଡ଼ାର ସ୍ଥାନ ନାହିଁ । ତାଙ୍କର ଇଉରିନାଲ୍‌ ଅଲଗା, ତାଙ୍କର କ୍ଳବ ଅଲଗା, କିରାନୀଙ୍କର ଆସୋସିଏସନ୍‌ ସାଙ୍ଗରେ ସେମାନଙ୍କ ସଂପର୍କ ନାହିଁ, କିରାନୀମାନେ ସେମାନଙ୍କ ସାଙ୍ଗେ ଖେଳବୁଲ କରିପାରିବେନି, ହସିପାରିବେନି, ନିଜର ମନକଥା କହି ପାରିବେନି । ଅଭାବ ଅସୁବିଧା କହିଲେ, ଛୁଟି ନବାକୁ କହିଲେ, କାମର ଚାପା ପଡ଼ିଛି ବୋଲି କହି ସେ ସବୁକୁ ନଦେଇ ଚାଲିଯିବେ-। ମୋଟ ଉପରେ କିରାନୀମାନେ ହେଲେ ଗୋଟିଏ ଭିନ୍ନଜାତି ।

 

ଫାଇଲର ଚିଠି ନେଉଟେଇ ତା’ରି ଭିତରୁ ସେ ସୃଷ୍ଟି କରେ ଶିଳ୍ପକଳା । ଡ୍ରାଫଟ୍‌ ଲେଖି, ନୋଟ୍‌ ଦେଇ, ଡିପାର୍ଟମେଣ୍ଟର ବହି ଘୋଷି ଓ ଦିନକୁ ଦିନ ବଦଳି ଯାଉଥିବା ନିୟମ କାନୁନ୍‌ ଉପରେ ଏଠାରେ କରେକ୍‌ସନ ସ୍ଳିପ୍‌ ମାରି ମାରି କୋର୍ଡ ବହି ଗୁଡ଼ିକୁ ସେ ଅଭିଧାନ କରିବାରେ ଲାଗେ । ଶାସନ ଚଳେଇବା ଦିଗରେ ସେ ବି ହୁଏ ଗୋଟିଏ ଅଭିଧାନ । ତାକୁ ନପଚାରିଲେ କାମ ଚାଲେନି । ତା’ର କଲମ ମୁନ ନ ବାଜିଲେ ଶାସନ ଅଚଳ ହୁଏ । କିରାନୀ କୁଳ ହେଲେ ଶାସନ କୋଣାର୍କର ସ୍ଥାପତ୍ୟ । ଅଥଚ ସେମାନଙ୍କ ମୁହଁରେ ଭାଷା ନାହିଁ । ଯୁଗ ଯୁଗ ଧରି ସେମାନେ ମୂକ-। ଆଖି ଥାଇ ସେମାନେ ଅନ୍ଧ । କାନ ଥାଇ ବଧୀର । କେବେହେଲେ ତା’ର ପେଟ ପୂରିନି । ସେ ଗୋଟିଏ ଜୀର୍ଣ୍ଣଶୀର୍ଣ୍ଣ ପ୍ରାଣୀ । ଓଠରେ ହସର ପୁଟ ମାରି, ଭବିଷ୍ୟତ ପ୍ରମୋଶନ୍‌ ଉପରେ ଆଖି ରଖି ସେ ଦିନରାତି କେବଳ ପରିଶ୍ରମ କରେ, କେତେ ଗାଳିମନ୍ଦ ଶୁଣେ, କାରେକ୍‌ଟର ରୋଲ ପାଟି ତା’ର ତୁନି କରିଦିଏ, ଅଫିସ୍‌ ସମୟ ଭିତରେ କାମ ସରି ନ ପାରିଲେ, ସକାଳେ ସଞ୍ଜେ ଘରେ ପୁଣି ସେ ଫାଇଲ୍‌ରେ ମନ ଦିଏ । ଘର କଥା, ପିଲାମାନଙ୍କ କଥା ପାସୋରି କାମରେ କେବଳ ଲାଗିପଡ଼େ– ସାବାସ ପାଇବ ବୋଲି । ଭଲ ମନ୍ତବ୍ୟ ପାଇଲେ ଉପରକୁ ଉପରକୁ ସେ ଉଠିପାରିବ, ଏହି ହେଲା ତା’ର ଆଶ୍ୱାସନା କିନ୍ତୁ ସେ କ’ଣ ସମସ୍ତଙ୍କ ଭାଗ୍ୟରେ ଜୁଟେ ? ପ୍ରମୋଶନ ହେଲା ଲଟେରୀ ଟିକଟରେ ଟଙ୍କା ଉଠିଲା ଭଳି । ତା’ ପଛଆଡ଼େ ରହିଛି ପୁଣି କେତେ କେତେ ଶିଳ୍ପର ତୁରୀ– ବାଗେଇ ଚୁନେଇ କଥାକହିବାରେ, କାମ ଦେଖେଇବାରେ, ବୋଲହାକ କରିବାରେ, ମୋଟ ଉପରେ ଖୁସାମତ ଉପରେ । ସେତକ କରି ନପାରିଲେ ଓ ବେଳ ଉଣ୍ଡି ନିଆ ରେ ପାଣି ନ ଦେଲେ ସବୁକିଛି ଭଣ୍ଡୁର ହୋଇଯିବ । ଖାଲି କାମ ଉପରେ ଜୀବନର ଭବିଷ୍ୟତ ନିର୍ଭର କରେନି । ସେଥିରେ ପୁଣି ରହିଛି– ତେଲର କାରସାଦୀ । ଅନ୍ୟ ଲୋକକୁ ତଳକୁ ପକେଇ ଉପରକୁ ଉଠିଯିବା ପାଇଁ ପ୍ରାଣମୂର୍ଚ୍ଛା ଚେଷ୍ଟା । ଭିନ୍ନ ଭିନ୍ନ ଉପାୟରେ । ସୁର କେତେ କେତେ ବୁଢ଼ାଲୋକଙ୍କୁ ଏମିତି ଦେଖିଛି– ଯୋଉମାନେ ଶେଷ ଜୀବନକୁ ହତାଶାର ନିଃଶ୍ୱାସ ମାରୁ ଥାଆନ୍ତି-। ଯେଉଁମାନଙ୍କ ହାତରେ ସେ ସବୁ କାରସାଦୀ ହୋଇପାରିଲାନି । ସେମାନଙ୍କ ପାଇଁ ଜୀବନ ସାରା– ହାହାକାର, ଗୋଛା ଗୋଛା ପିଲାକବିଲା ଧରି ଘାଣ୍ଟି ହେବାର ଦୁର୍ଯ୍ୟୋଗ, ନିଅଣ୍ଟିଆ ଘରକରଣା, ରୋଗ ବଇରାଗ ଓ ପେନ୍‌ସନ୍‌ ଭୋଗ କରି ନପାରି ମୃତ୍ୟୁ.....

 

ରାଜପଥର ବା କଡ଼କୁ ମୁହଁ ପୋତି ପୋତି ସୁର ଚାଲିଥିଲା– ତା’ କ୍ୱାଟର ଆଡ଼େ । କୁଆଡ଼ିକି ତା’ର ନଜର ନଥିଲା । ଲୋକ ସମାଗମ ଓ ଗାଡ଼ି ମଟର ଆଦି ତା’ ପାଖ ଦେଇ କେବଳ ଧାଇଁବାରେ ଲାଗିଥିଲା । ସେ ସବୁଥିରୁ ସୁର ଯେପରି ଅଲଗା । ଏତେ ବଡ଼ କାପିଟାଲ୍‌ରେ ସେ ହେଲା ଗୋଟିଏ ଛୋଟିଆ ପ୍ରାଣୀ । ଡିଗ୍ରୀଧାରୀ ତିନିଶ ଟଙ୍କିଆ ଚାକର । ଲୋଅର ଡିଭିଜନ କିରାନୀ ।

 

ରାସ୍ତାକରର ବିଜୁଳିବତୀ ସବୁ ହଠାତ୍‌ ଜଳି ଉଠିଲା । ତା’ ମନର ଭାବନାଯାକ ଯେପରି ଅବା ଦିଗ ପରିବର୍ତ୍ତନ କଲା । ଅନେଇ ଦେଖେତ– ସେ ଆଉ ଗୋଟିଏ ରାସ୍ତାରେ ଚାଲିଛି । ତା’ କ୍ୱାଟର ପାଖରୁ ଆଉ ତିନି ଧାଡ଼ି କ୍ୱାଟର ଛାଡ଼ି ଦେଇ । ସୁର ପଛପଟକୁ ବୁଲିଯାଇ ତା’ର କ୍ୱାଟର ମୁହାଁ ଚାଲିଲା ବେଳେ– ମୁହଁ ଆଡ଼ୁ ଧାଇଁ ଆସୁଥିଲା ଗୋଟିଏ ସାଇକେଲ୍‌ ରିକ୍‌ସା । ଘଣ୍ଟି ବଜେଇ ତୀର ବେଗରେ ସେଇଟା ଛୁଟିଥିଲା ।

 

ରିକ୍‌ସା ଭିତରକୁ ଚାହିଁ ଦେଲ ବେଳକୁ କିଏ ଜଣେ ସ୍ତ୍ରୀ ଲୋକ । ହସ ହସ ମୁହଁ । ସଞ୍ଜ ବେଳର ଆଲୁଅ ଅନ୍ଧାର ଭିତରେ ତାଙ୍କୁ ସେ ଚିହ୍ନି ପାରିଲାନି । ମୁହଁଟି ତାର ତଳକୁ ନଇଁ ପଡ଼ିଲା । ଅଚିହ୍ନା ସ୍ତ୍ରୀ ଲୋକଟି ଉଦ୍ଦେଶ୍ୟରେ । ନିଜ ଭାବନା ଭିତରେ ସୁର ବୁଡ଼ି ରହିଥିଲା ।

 

ରିକ୍‌ସାଟି ହଠାତ୍‌ ଅଟକି ଗଲା । ହସି ହସି ଓହ୍ଲାଇ ପଡ଼ିଲା ଶଇଳ ।

 

ଆଶ୍ଚର୍ଯ୍ୟ– ଗାଁରେ ଥିବାର କଥା । ଏଠେଇ ପୁଣି କେମିତି ?

 

ଗାଁରୁ କୋଉଦିନ ଫେରିଲ ?

 

କାଲି ।

 

ବାପାଙ୍କ ଅବସ୍ଥା ?

 

ଭଲ ଅଛି ।

 

ଟେଲିଗ୍ରାମ୍‌ କରି ଡକେଇ ଥିଲେ କାହିଁକି ?

 

ମିଛଟାରେ ।

 

ସୁର ଶଇଳ ଆଡ଼ିକି ଚାହିଁ ପାରିଲାନି । ତୁନି ରହିଲା । ତା ହେଲେ କାଲି କ’ଣ ଜଏନ୍‌ କରିବ ?

 

ଭାବୁଛି ।

 

ଯାଉଛନ୍ତି କୁଆଡ଼େ ?

 

ଆପଣଙ୍କ କ୍ୱାଟର ଆଡ଼ୁ ଆସିଲିଣି ।

 

ସତେ ? ବାପାଙ୍କୁ ଛାଡ଼ିବାକୁ ମୁଁ ଷ୍ଟେସନ ଆସିଥିଲି ।

 

ବାପା ତା’ ହେଲେ ଆସିଥିଲେ ? କୋଉ ଦିନ ?

 

ଆଜି ଆସିଥିଲେ । ରହିବାକୁ ଲଗେଇଲି । ଚାଲିଗଲେ ।

 

କ’ଣ କାମ ଥିଲା ?

 

ନାଁ– ସେମିତି କିଛି ନୁହେଁ । ଶଇଳ ଆଗରେ ସୁର ପ୍ରକୃତ କଥାଟା କହିଲାନି । ତା’ ବିଭାଘର କଥା । ମନ ବିଷୟରେ । ଛେପ ଢୋକି ସୁର ଆଉ କ’ଣ କହି ଆସୁଥିଲା–

 

ଆସନ୍ତୁ ଯିବା– ଆମ କ୍ୱାଟର ଆଡ଼େ ।

 

ଶଇଳର ମୁହଁକୁ ଅନେଇ ସୁର କ’ଣ କାମ ଚିନ୍ତା କରୁଥିଲା । ଉତ୍ତର ଦେଲାନି ।

 

ଆପଣଙ୍କର କଣ କାମ ଅଛି ?

 

କାମ ଆଉ କ’ଣ !

 

ତା’ ହେଲେ ଆସନ୍ତୁ ।

 

ରିକ୍‌ସା ବୁଲେଇବାକୁ ଶଇଳ ଆଦେଶ ଦେଲା । ତିନି ନମ୍ୱର ଇଉନିଟ୍‌ର ଶେଷ ମୁଣ୍ଡ ଆଡ଼େ । ଆସେମ୍ଳି ବିଲଡ଼ିଙ୍ଗ୍‌ର ସିଧା ରାସ୍ତା । ଦି’ ତିନିଟା ଧାଡ଼ି ଛିଡ଼ା ଦେଇ ବାଁ ଆଡ଼ିକି ବୁଲିଗଲେ ଗୋଟିଏ ଶେଷ ମୁଣ୍ଡିଆ କ୍ୱାଟର । ମାଷ୍ଟର କାଣ୍ଟିନ୍‌ ଛକ ଡେଇଁଗଲେ ସେଠୁ କନ୍‌ଭେଣ୍ଟ ସ୍କୁଲ ଦେଖାଯାଏ । ଚାରିନମ୍ୱର ଇଉନିଟ୍‌ର ପାଖାପାଖି । ଫାଙ୍କା ଜାଗା । ସେ ଆଡ଼େ ବେଶି ଲୋକ ସମାଗମ ନାହିଁ ।

 

ରିକ୍‌ସା ଭିତରେ ଶଇଳକୁ ଏକାକୀ ଅଥଚ ଏତେ ନିକଟରେ ପାଇ ସୁରର ମନ ଭିତରେ କେତେ କେତେ ଭାବନାର ଲହରୀ ନାଚିବାରେ ଖାଲି ଲାଗିଗଲା । ନିଶ୍ୱାସରେ ତା’ ଛନ୍ଦ । ଆଖିରେ ନିଶା । ରାସ୍ତା କରରେ କେବଳ ଆଲୁଅ । ରିକ୍‌ସା ଭିତରଟା ଅନ୍ଧାରିଆ । ଶଇଳର ଧୋବ ଫର ଫର ଶାଢ଼ୀ ଘେରା ବାହାଟି ତା’ର ହାଓ୍ୟାଇରେ ଧକ୍‌କା ଖାଉଥିଲା । ରିକ୍‌ସାଟା ତୀର ବେଗରେ ଛୁଟିଥିଲା । ବାହା ସଙ୍ଗରେ ବାହା, ଜଙ୍ଘ ପାଖକୁ ଜଙ୍ଘ । ପୋଷାକ ପରିଚ୍ଛଦ ଘେରା ଦୁଇଟି ଶରୀର-। କେବଳ ବାହାରର ଆଚ୍ଛାଦନ । ଯୁଗ ଯୁଗ ଧରି ମଣିଷର ସଭ୍ୟତା ଶରୀରକୁ ତା’ର କେବଳ ଘୋଡ଼େଇବାରେ ଲୁଚିଛି । କୋଉ ଆଦିମ କାଳରୁ । ବାହାର ଆଖିରୁ ଦୁରେଇ ରହିବାକୁ । ନିଜକୁ ଘୋଡ଼େଇ ରଖିବାରେ ସେ ଅବା ସନ୍ତୁଷ୍ଟ ନୁହେଁ । ସେଇଥି ପାଇଁ ସଦାବେଳେ ତା’ର ଅଦମ୍ୟ ଚେଷ୍ଟା । ଶରୀରକୁ ସେ ଅନ୍ୟ ଆଗରେ ପ୍ରକାଶ କରିବାକୁ ଚାହେଁ । ଲଜ୍ଜାର ଘୋଡ଼ଣୀ ଭିତରେ ସେ ନିଜକୁ ଲୁଚେଇବା ଅପେକ୍ଷା ବେଶିହିଁ ପ୍ରକାଶ କରେ । ଓଢ଼ଣା ଘେରା ଆଖି ଦି’ଟିରେ ବେଶି ପରିମାଣରେ ଥାଏ ଅବା ଚୁମ୍ୱକ ଶକ୍ତି । ଅକୁହା କଥାରେ ଭରି ରହିଥାଏ କାହାଣୀ । ପୋତା ମୁହଁରେ ବେଶିଥାଏ ଭାଷା । ଶରୀରର କ୍ଷୁଧା ଓ ଆଖିରୁ ତୃଷ୍ଣା ପ୍ରକାଶ ପାଇଛି ଭିନ୍ନ ଭିନ୍ନ ରୂପରେ-? କେତେବେଳେ କଥାରେ, କେତେବେଳେ ଚିତ୍ରରେ, ସାମାଜିକ ରୂପରେ ଅବାଧ ମିଳାମିଶାରେ, ସ୍ଥାପତ୍ୟ ଓ କଳା ଜରିଆରେ । ଭିନ୍ନ ଭିନ୍ନ ଉପାୟରେ ମନ ଭିତରେ ଥିବା ପ୍ରବୃତ୍ତିରହିଁ ବିକାଶ ଘଟିଛି ।

 

ସୁର କେତେ କ’ଣ ମନେ ମନେ ଖାଲି ଭାବୁଥିଲା । କିଛି ନକହି ତୁନି ରହିଥିଲା । ବେଶି ମନେପଡ଼ୁଥିଲେ ବାପା– ମନି ସାଙ୍ଗରେ ତା’ର ପ୍ରସ୍ତାବ, ସେ ଦିନ ଝରକା ପାଖରେ ମନି ସାଙ୍ଗରେ ଦେଖା । ବିଚାରୀ ସରଳ ଶାନ୍ତଶିଷ୍ଟ ଝିଅଟିଏ ।

 

ଶଇଳ କହି ଆସୁଥିଲା– ଶୁଣିଲେଣି ଗୋଟେ କଥା । ମିଃ ମହାନ୍ତି......

 

ଆଗରୁ ଧାଇଁ ଆସିଲା ଗୋଟିଏ କାର୍‌ । ରିକ୍‌ସା ଭିତରକୁ ଆଲୁଅର ପିଚିକାରୀ ମାରିଦେଇ ସେଇଟା ଧାଇଁଗଲା ।

 

ସୁର ପଚାରିଲା– କ’ଣ ମିଃ ମହାନ୍ତି !!

 

ପରେ କହିବି ।

 

କହନ୍ତୁନା ?

 

ଏଇ– କାଲି ଜଏନ୍‌ କଲାବେଳେ ସେ କାଳେ କ’ଣ ଭାବିପାରନ୍ତି । କହିବେ ଗାଁକୁ ଯିବାପାଇଁ ଟେଲିଗ୍ରାମ୍‌ଟା ବୋଧେ ଆଉ କିଏ କରି ଦେଇଥିଲା ।

 

ନାଁ– ସେମିତି ସେ ଭାବିବେ କାହିଁକି ? ତମର ଜଏନ୍‌ କରିଯିବାଟା କ’ଣ ବଡ଼ କଥା ନୁହେଁ ? ଛୁଟି କାଟି ତିନି ଚାରିଦିନ ପରେ ଆସି ଅଫିସ୍‌ରେ ଜଏନ୍‌ କରିଯିବା କେତେ ଲୋକ କରିପାରନ୍ତି ?

 

ସୁରର ପାଟି କେବଳ ଏ ସବୁ କହିଗଲା । ମନ ଭିତରେ ତା’ର ରହିଗଲା ଆଉ ଗୋଟିଏ କଥା । ଶଇଳ କ’ଣ ଗୋଟିଏ କହି ଆସୁଥିଲା । କହିଲାନି । ଲୁଚେଇଲା ବୋଧେ । ସାଙ୍ଗେ ସାଙ୍ଗେ ତା’ର ମନେ ପଡ଼ିଗଲା– ମିଃ ମହାନ୍ତିଙ୍କ ସାଙ୍ଗେ ଶଇଳର କଥାବାର୍ତ୍ତା । ଘଣ୍ଟା ଘଣ୍ଟା ଧରି । ତାଙ୍କ ରୁମ୍‌ରେ । ସେ ଭଲ ଭାବରେ ଜାଣେ କେବଳ ଅଫିସ୍‌ କଥା ଓ ଦସ୍ତଖତ କରିବାକୁ ଦେଇଥିବା କେସ୍‌ ବିଷୟରେ ତାକୁ ସେ ପଚାରନ୍ତିନି । ତା’ର ଘରକଥା । ତା’ ବାପା ବୋଉଙ୍କ ବି ଆଲୋଚନା ଚାଲେ ।

 

ରିକ୍‌ସା ଅଟକେଇ ସୁର ଅଧବାଟରେ କହିଲା– ତା’ର କାମ ଅଛି । କାଲି ଅଫିସ୍‌ରେ ଦେଖା । ନହେଲେ କାଲି ସଞ୍ଜରେ । ଜଣେ ଭଦ୍ରଲୋକଙ୍କ ସଙ୍ଗରେ ତା’ର ଜରୁରୀ ଦେଖା କରିବାର ଅଛି ।

 

ଓହ୍ଲେଇଗଲା ସୁର । ହସି ହସି ।

 

ତା କ୍ୱାଟର ଆଡ଼େ ଶୀଘ୍ର ଚଳେଇବାକୁ ରିକ୍‌ସାବାଲାକୁ ସେତେବେଳେ ଆଦେଶ ଦେଉଥିଲା ଶଇଳ ।

 

ଅନ୍ୟ କାହା ସଙ୍ଗେ ଦେଖା କରିବା କି କଥା ହେବା ସୁରର ଦରକାର ନଥିଲା । ଦରକାର ଥିଲା ଟଙ୍କା । ଅତିକମ୍‌ରେ ପଚାଶ ଟଙ୍କା । ହୋଟେଲବାଲା ଦି’ତିନି ଦିନ ହେଲା ମାଗିଲାଣି । ପହିଲା ବେଳକୁ ଘରକୁ ଟଙ୍କା ପଠେଇବାକୁ ଥିଲା । ବାପା ଆଗରୁ ଚିଠି ଲେଖିଥିଲେ-। ଦରମା ପାଇ ସେ ପଚାଶ ଟଙ୍କା ପଠେଇ ଦେଇଥିଲା । ଫଳରେ ଏଇ ବିଭ୍ରାଟ । ଜଳଖିଆ ବାଲା, ହୋଟେଲ, ଧୋବା କାହାକୁ ହେଲେ ଟଙ୍କା ସେ ଦେଇ ପାରିଲାନି । ଆରମାସରୁ ଅଫିସ୍‌ରେ ଜଣଙ୍କର ତିରିଶ ଟଙ୍କା ଧାର ଥିଲା । ତାଙ୍କୁ ନ ଦେଲେ ନଚଳେ । ଆଉ କେତେବେଳେ ମାଗିଲେ ଧାର ମିଳିବନି । ତାଙ୍କର ତ ପୁଣି ସୁବିଧା ଅସୁବିଧା ଅଛି । ସେ ପିଲା କବିଲା ଧରି ରହୁଛନ୍ତି । ତାଙ୍କୁ ଟଙ୍କାତକ ଦେଇ ସାରିଲାପରେ ତା’ ପାଖରେ ଥିଲା କୋଡ଼ିଏଟା ବୋଲି ଟଙ୍କା । ବାପାଙ୍କ ଗାଡ଼ିଭଡ଼ା ଓ ତାଙ୍କ ଖିଆପିଆ ଆଦିରେ କିଛି ଟଙ୍କା ଉଡ଼ିଗଲା । ହୋଟେଲବାଲାକୁ କିଛି ନା କିଛି ନ ଦେଲେ ତା ପାଖରେ ଯାଇ ମୁହଁ ଦେଖେଇବାକୁ ତା’ର ଇଚ୍ଛା ହେଲାନି । ଭାବୁଥିଲା– ଶଇଳକୁ ମାଗିବ । ରିକ୍‌ସାରେ ପାଟି ନେଉଟିଲାନି । ଆଗରୁ ରବିବାବୁଙ୍କୁ ଟଙ୍କା ବିଷୟରେ ଥରୁଟିଏ ଶୁଣେଇ ଦେଇଥିଲା । ସେ ହଁ କି ନାଇଁ କିଛି କହି ନଥିଲେ । ହେଲେ ତାଙ୍କ କ୍ୱାଟରକୁ ଗଲେ ସେ ଯେମିତି ହେଲେ ଦେବେ । କେତେ ଥର ତାଙ୍କଠୁ ସେ ଧାର ଆଣି ଶୁଝି ଦେଇଛି ।

 

ରବିବାବୁଙ୍କ କ୍ୱାଟର ଆଡ଼େ ସୁରର ପାଦ ଦୁଇଟି କେବଳ ଚାଲିଥିଲା । ମନ ତା’ର ଦଉଡ଼ୁଥିଲା ବିପରୀତ ଦିଗରେ । ରିକ୍‌ସା ପଛେ ପଛେ । ଶଇଳ ଆଡ଼େ ।

 

କେତେ କ’ଣ କହିବ ବୋଲି କି ଗାଁ ବିଷୟରେ କିଛି କଥା ହେବ ବୋଲି ଶଇଳ ତାକୁ ଡାକିଥିଲା । ସଂଧ୍ୟାଟି ବେଶ୍‌ ଆରାମରେ କାଟି ଥାଆନ୍ତି– ଚା’ ଜଳଖିଆରେ ଏଇଟା ଶଇଳର ଗୋଟେ ଧରାବନ୍ଧା କଥା । ଯେତେବେଳେ ସେ ତାକୁ ତା’ର କ୍ୱାଟରକୁ ଡାକେ କିଛି ନା କିଛି ଖାଇବାକୁ ନ ଦେଲେ ସେ ଛାଡ଼େ ନି । ବିଚାରୀ ଭଲ ଝିଅଟିଏ । ଆଉ କେତେ କେତେ ଝିଅ ତା’ର ମନେ ପଡ଼ିଲେ ଅଫିସରେ, ଘରେ ଆଉ ବାହାରେ । ଚିହ୍ନା ଆଉ ଅଚିହ୍ନା । ଶଇଳଠୁ ସୁନ୍ଦର ବି ହେବେ । କିନ୍ତୁ ଶଇଳ ଭଳି ଝିଅ କେବେ କେଉଁଠି ଦେଖି ଥିବାର ତା’ର ମନେ ପଡ଼ିଲାନି । ପାଠପଢ଼ି ଚାକିରୀ କରିଛି ଅଥଚ କେବେହେଲେ ବଡ଼ ବଡ଼ କଥା ତା’ଠୁ ଶୁଣିବାକୁ ମିଳେନି । ବି.ଏ. ଯାଏ କଲେଜରେ ପଢ଼ିଛି, ଅଥଚ ଅନ୍ୟମାନଙ୍କ ଆଗରେ ଦେହରୁ ଲୁଗା ଖସେଇ ସେ କେବେ ଚାଲିଯାଏନି । ଅନ୍ୟମାନଙ୍କ ଭଳି ସେ ଫୁଲେଇ ନୁହେଁ । ବିଚାରା ତା’ ଦୁଃଖରେ ସେ ଥାଏ । ଘରକୁ ମାସକୁ ମାସ ଟଙ୍କା ପଠେଇବ ବୋଲି କେବେହେଲେ ବେଶି ଦାମର ଶାଢ଼ୀ ବ୍ଳାଉଜ ପିନ୍ଧିବାର ସେ ଦେଖିନି । ଏତେ ଲୋକଙ୍କ ଭିତରେ କାମ କରି ବି ସେ ସମସ୍ତଙ୍କଠାରୁ ଅଲଗା ।

 

ଅନ୍ୟଦିନ ଅପେକ୍ଷା ଶଇଳ କେଜାଣି କାହିଁକି ସେଦିନ ବେଶି ସୁନ୍ଦର ଦେଖା ଯାଉଥିଲା-। ବେଶବାସ୍‌ରେ ତା’ର ପରିପାଟୀ ନଥିଲା । ପିନ୍ଧିଥିଲା ଖଣ୍ଡେ ସାଦା ପାଇପିଙ୍ଗ୍‌ ଶାଢ଼ୀ । କହୁଣୀଯାଏ ଗାଢ଼୍‌ ଲାଲ୍‌ ରଙ୍ଗର ବ୍ଳାଉଜ । ହାତରେ ଦି’ ଦି’ ପଟ ସୁନା କାଚ । କାନରେ ସେଇ ପଥର ବସା ଫୁଲ ହଳିକ । ରିକ୍‌ସାରେ ବସିଲାବେଳେ ତା’ର ସିଧା ସଳଖ ସୁନ୍ଥାରୁ କପାଳ ଉପରେ ଦୋଳି ଖେଳୁଥିଲା ଚୁନା ବାଳ କେରା କେରା । ହୁଗୁଳି ଯାଇଥିବା ଶାଢ଼ୀକି ଦିହରେ ଭିଡ଼ି ଦେଇ ରିକ୍‌ସା ଉପରକୁ ଉଠିଗଲା ବେଳେ ସୁର ତା’ର ଶରୀରର ବର୍ତ୍ତୁଳ ସ୍ଥାପତ୍ୟରେ ନିଜକୁ ଅବା ହଜେଇ ଦେଇଥିଲା । ଶଇଳକୁ ଯେ ଏତେ ସୁନ୍ଦର ସେଦିନ ସୁର ପ୍ରଥମ କରି ଅବା ତାକୁ ଦେଖିବାକୁ ପାଇଲା । ସେ ବି.ଏ. ପାଶ୍‌ କରିଛି, ପୁଣି ଚାକିରୀ କରିବାର ତିନି ଚାରିବର୍ଷ ହେଲାଣି । ପଚିଶ ଛବିଶ ବର୍ଷରୁ କେବେ ହେଲେ ତାଙ୍କୁ କମ୍‌ ହୋଇ ନଥିବ ବୋଲି ସେ ଆଗରୁ ଭାବୁଥିଲା । ସେଦିନ କିନ୍ତୁ ଶଇଳ ତା’ ଆଖିକି ଭାରି ସାନ ଦେଖାଗଲା । ସତର, ଅଠର ବର୍ଷର ଅଭିଆଡ଼ୀ ଝିଅ ଭଳି ।

 

ମନ ଭଅଁରଟିକି ଶଇଳ ପଛେ ପଛେ ଉଡ଼ିବୁଲିବାକୁ ଛାଡ଼ି ଦେଇ ସୁର ପଲସି ଥିଲା– ରବି ବାବୁଙ୍କ ଘର ଆଡ଼େ । କୁଆଡ଼େ ସେ ଯେବେ ଚାଲି ଯାଆନ୍ତି, ବଡ଼ ଅସୁବିଧା ଭୋଗ କରିବାକୁ ପଡ଼ିବ ।

 

ତାଙ୍କ କ୍ୱାଟର ପାଖକୁ ଆସି ସୁର ଦି’ତିନି ଥର ନାଆଁ ଧରି ଡାକିଲା । ଜବାବ୍‌ ମିଳିଲାନି-। ଭାବୁଥିଲା ରବିବାବୁ କ’ଣ ନାହାନ୍ତି କି ? ନ ଥିଲେ ସରିଲା କଥା । ହୋଟେଲବାଲା ପାଖରେ ସେ ମୁହଁ ଦେଖେଇବ କେମିତି ?

 

ବାହାର ଆଲୁଅଟା ହଠାତ୍‌ ଜଳି ଉଠିଲା ।

 

ସୁର ମନରେ ଆଶାର ବତୀଟି ଅବା ଜଳି ଉଠିଲା । ରବିବାବୁ ତା’ ହେଲେ ଅଛନ୍ତି ? କ୍ୱାଟର ଆଗରେ କଦଳୀ ଗଛ ଉପରୁ ଲହରୀ ଖେଳେଇ ଧାଇଁ ଆସିଲା ସୁଲୁସୁଲିଆ ଦକ୍ଷିଣା ପବନ । ମାଘ ଶେଷୁଆ ଫଗୁଣ ପଶନ୍ତି ବସନ୍ତ ପବନ । ବାହାରର ଆଲୁଅ ପଡ଼ି କଦଳୀର ପତ୍ର ଗୁଡ଼ାକ ଥରି ଥରି ନାଚି ଉଠୁଥିଲା । ସୁର ଫାଟକ ଖୋଲି ବଗିଚା ଭିତରର ରାସ୍ତା ଉପରକୁ ଗଲା ବେଳକୁ ରବିବାବୁ ପଚାରିଲେ କିଏସ୍‌?

 

ଭିତରକୁ ପଶି ଯାଉ ଯାଉ ସୁର କହିଲା– ମୁଁ ।

 

ସୁର ବାବୁ !

 

ଆଜ୍ଞା ।

 

କୁଆଡ଼େ ?

 

ସୁର କିଛି କହିଲାନି ।

 

ଓଃ ମନେପଡ଼ିଲା । ଅଫିସ୍‌ରେ କାଲି ଯାହା କହୁଥିଲେ ନା ?

 

ସୁର ଆଖିରେ କେବଳ ହଁ ଭରିଲା ।

 

ଏଇନେ ତା’ ହେଲେ ଦରକାର ?

 

ଆଜ୍ଞା ।

 

ରବିବାବୁ ଘର ଭିତରୁ ଚଉକି ଖଣ୍ଡେ ଆଣି ଆଗ ବାରେଣ୍ଡାରେ ପକେଇ ଦେଲେ । ବାହାରେ ଥାଇ ପାନ ଆଣିବାକୁ ଡାକ ଛାଡ଼ିଲେ ।

 

ବସିବାକୁ କହି ଦେଇ ରବି ବାବୁ ଘର ଭିତରକୁ ଗଲେ ।

 

ସୁର ମନେ ମନେ ଭାବୁଥାଏ– ଆସିବାର ଯୋଗଟା ଆଜି ଭଲ । ନୋହିଲେ ବଡ଼ ଅସୁବିଧା ଭୋଗ କରିବାକୁ ପଡ଼ିଥାଆନ୍ତି ।

 

ସୁର ଲକ୍ଷ୍ୟ କଲା– ରବି ବାବୁଙ୍କ କ୍ୱାଟର କରକୁ ଗୋଟିଏ ଚାଳିଆ । ଛଣରେ ତିଆରି ହେଲେ ଗାଈ ବାଛୁରୀ ବନ୍ଧା । ଆରପଟକୁ କୁକୁଡ଼ା ଘର । ବଗିଚାରେ କୋଶଳା କିଆରୀ, ଲଙ୍କାମରିଚ ଓ ଜହ୍ନି, ଭେଣ୍ଡି ଗଛ, ବାଇଗଣ କିଆରୀ, ଅମୃତଭଣ୍ଡା ଓ କଦଳୀ ଗଛରେ ବଗିଚାଟା ଭର୍ତ୍ତି । କ୍ୱାଟର ଆଗକୁ ଗୋଲାପ ଆଉ କ୍ରୋଟେନ୍‌ ଗଛ । ସୁର ବାଡ଼ ଆଡ଼ିକି ଚାହିଁ ଦେଖିଲା– ଘସି ସବୁ ଧାଡ଼ି ଧାଡ଼ି ହୋଇ ବଗିଚା ଭିତରେ ପରା । ବାରେଣ୍ଡାରେ ନାନା ଜାତିର ଚିତା ପଡ଼ିଛି । ପିଠୋଉରେ କଟାଫୁଲ ଓ ପାଦପଦ୍ମ । ଦୁଆର ଝରକାରେ ପରଦା । ଘରଯାକ କଲେଣ୍ଡର ଭର୍ତ୍ତି । ଭିତରୁ ଶୁଭୁଥିଲା ଗୋଟିଏ ପ୍ରାଣ ମତାଣିଆ ଗୀତ । ରେଡ଼ିଓରେ କୋଉ ଏକ ଷ୍ଟେସନରୁ । ସୁର ଲକ୍ଷ୍ୟ କରୁଥିଲା– କ୍ଵାଟର ଚାରିଆଡ଼ ସଫାସୁତୁରା । ଅଳିଆ ଅସକରା କି ଗୋଟିଏ ହେଲେ କାଠିକୁଟା ସେ ଦେଖିବାକୁ ପାଇଲାନି । ରବିବାବୁଙ୍କର ଗୋରା ତକ ତକ ଚେହେରା ଭଳି ସବୁଆଡ଼ ଭରପୁର ଓ ଲୋଭନୀୟ । ଗାଁ ପରିମଳ ଧୋବା ତୁଠରୁ ଜଣାପଡ଼ିଲା ଭଳି ସୁର କ୍ୱାଟରରୁ ତାଙ୍କର ପିଲାପିଲି ଓ ତାଙ୍କ ଘରର ସଂସାର ଜାଣିବାକୁ ଚେଷ୍ଟା କରୁଥିଲା । ରବିବାବୁ କେବଳ ଜଣେ ଗ୍ରେଡ଼୍‌ ଓ୍ୟାନ୍‌ ଆସିଷ୍ଟାଣ୍ଟ୍ । ବେଶ ଭଦ୍ର, ସୁରୁଚି ସମ୍ପନ୍ନ ଓ ମିଷ୍ଟାଳାପୀ । ଏକା ସେକ୍‌ସନରେ ସାଙ୍ଗ ହୋଇ ବର୍ଷେ ହେଲା କାମ କଲେଣି । ତାଙ୍କର ଅଭାବ ଅସୁବିଧା ଥିଲାଭଳି ସୁର କେବେହେଲେ ଅନୁଭବ କରିନି ।

 

ଦି’ଖଣ୍ଡ ପାନ, ପାଖରେ ମସଲା ଓ ଗୁଣ୍ଡିଥିବା ଗୋଟିଏ କାଚ ଥାଳିଆ ଧରି ପିଲାଟିଏ ଘରଆଡ଼ୁ ହସି ହସି ଦଉଡ଼ି ଆସିଲା । ପାନ ଦି’ଖଣ୍ଡ ଥାଳିଆରୁ ନେଇଗଲା ବେଳେ ସୁର ଭାବୁଥିଲା– ପିଲାଟିକି ସେ ଟେକି ଧରନ୍ତା ଓ ଦେହକୁ ଆଉଜେଇ ଆଣି ଗେଲ କରନ୍ତା ।

 

ପିଲାଟି ବି ସେମିତି ସଫା ସୁତୁରା । ବାପାଙ୍କ ଭଳି ଗୋରା ତକ ତକ । ଥୁକୁଲଥାକୁଲ, ଟିକିଟିକି ନେଳିଆ ଆଖି ଓ କୁଞ୍ଚକୁଞ୍ଚିଆ ବାଳ ।

 

ମୁଣ୍ଡରେ ତାର ହାତ ବୁଲେଇ ଆଣି ସୁର ପଚାରିଲା– ତୁମ ନାଁ କ’ଣ ?

 

ଶ୍ରୀ ହରନାରାୟଣ ସାମନ୍ତସିଂହାର ।

 

ବାପାଙ୍କ ନାଁ– ?

 

ଶ୍ରୀ ରବିନାରାୟଣ ସାମନ୍ତସିଂହାର ।

 

କୋଉ କ୍ଳାସରେ ପଢ଼ୁଛ ?

 

ଦୁତୀୟ– ଖନେଇ ଖନେଇ ଆଉ କେତେ କ’ଣ ସେ କହି ଆସୁଥିଲା ।

 

ଘରଭିତରୁ ବାହାରି ଆସିଲେ ରବିବାବୁ । କହିଲେ– କ’ଣ କଥାବାର୍ତ୍ତା ଚାଲିଛି ?

 

ସୁର କହିଲା– ଭାରି ଭଲ ପିଲାଟିଏ ।

 

ଭଲ ? ତା’ଠୁ ବଳି ବାଜେ ବଦମାସ୍‌ ଆଉ କେହିହେଲେ ନାହାନ୍ତି । ସବୁଦିନ କିଛିନା କିଛି ଗୋଟେ ଭାଙ୍ଗୁଥିବ । ଦୁଆତ, ସିଲଟ, କଲମ, ନୋହିଲେ ଔଷଧ ଶିଶି । ଅଳ୍ପ ସମୟ କଥା ହୋଇ ଆପଣ ତାକୁ ଜାଣିଗଲେ ?

 

ପିଲାମାନେ କ’ଣ ଦୁଷ୍ଟାମୀ କରନ୍ତିନି ?

 

କିନ୍ତୁ ଇଆ ଭଳି ନୁହେଁ ।

 

ହଉ ଘରକୁ ଯା– ପୁଅକୁ ଚାଲିଯିବାକୁ କହି ରବିବାବୁ ସୁରକୁ ବାହାରକୁ ଡାକି ଆଣିଲେ-। ଚଟି ହଳକ ଗଳେଇ ସିଏବି ବାହାରି ଥାଆନ୍ତି । କ୍ୱାଟର ଡେଇଁ ଗୋଟିଏ ଛେକ ମୁଣ୍ଡ ହେବାରୁ ରବିବାବୁ ଦଶଟଙ୍କିଆ ପାଞ୍ଚଖଣ୍ଡ ସୁର ହାତକୁ ବଢ଼େଇ ଦେଲେ ।

 

ଘରେ ତାଙ୍କ ସ୍ତ୍ରୀଙ୍କି ନକହି ସେ ଯେ ଟଙ୍କାଟା ଦଉଛନ୍ତି ଏକଥା ଜାଣିବାକୁ ସୁରର ଆଉ ବାକୀ ରହିଲାନି । ତାଙ୍କୁ ଅଧବାଟିଆ କରିଦେବେ ବୋଲି ରବିବାବୁ ଆଉ କିଛିବାଟ ଆସିଲେ । ସୁର ଶେଷକୁ ବାଧ୍ୟ ହୋଇ ତାଙ୍କୁ ଫେରିଯିବାକୁ କହିଲା । ନମସ୍କାର କରି ତାଙ୍କ ପାଖରୁ ବିଦାୟ ନେଲାବେଳେ କୃତଜ୍ଞତାରେ ମନ ତା’ର ଭିଜି ଯାଉଥିଲା ।

 

ସୁର ହୋଟେଲ ଆଡ଼େ ଗଲାନି । ସନ୍ଧ୍ୟା ବେଳଟା । ସାତଟା ପନ୍ଦର କି କୋଡ଼ିଏ ମିନିଟ୍‌ । ଆଉ ଗୋଟିଏ କାମ ତା’ର ବାକୀ ଥିଲା । ଯୋଉଟାକୁ ସେ ସଞ୍ଜବେଳେ କରେ । ନକଲେ ଉପାୟ ନାହିଁ । ଭେକ ରହିବନି ।

 

ଘରଆଡ଼େ ବଡ଼ ବଡ଼ ପାହୁଲ ପକେଇ ସେ ଚାବି ଖୋଲିଲା । ମଇଲା ଲୁଗାପଟାତକ ଗୋଟିଆଗୋଟି କରି ସେତକ ପୂରେଇଲା ଗୋଟଏ ବ୍ୟାଗ୍‌ରେ । ଯୋଉ ହଳକ ପିନ୍ଧିଛି ସେତିକି ତା’ର ସମ୍ୱଳ । ଦି’ତିନି ଦିନ ପରେ ସେ ଦି’ଟା ମଇଳା ହୋଇଗଲେ ଉପାୟ ନାହିଁ । ଅଫିସ୍‌କୁ ଯିବାତ ଦୂରର କଥା । ଘରୁ ବି ବାହାରି ହେବନି ।

 

ପେଟରେ ଓଦାକନା ପକେଇ ବାହାରକୁ ଧୋବଧାଉଳିଆ ନ ହେଲେ ଚଳି ହେବନି । ପୁଣି କ୍ୟାପିଟାଲ୍‌ ଭଳି ଯାଗାରେ । ଯୋଉଠି ଖାଲି ଅଫିସ ଖଣି । ପଣପଣ କିରାନୀ, ଅଫିସର, କାର, ବସ୍‌, ନୂଆ ନୂଆ କ୍ୱାଟର, ଚଉଡ଼ା ଚଉଡ଼ା ରାସ୍ତା । ଆଜିର ନୂଆ ସଭ୍ୟତା ଭିତରେ ମଇଳା ଲୁଗାପଟା ପିନ୍ଧିଥିବା ଲୋକର ସ୍ଥାନ ନାହିଁ । କେହି ପାଖରେ ପୂରେଇବେନି । ଅନ୍ୟର ପାଖ ପଶିବାକୁ ଲାଜ ମାଡ଼ିବ ଓ ସମସ୍ତଙ୍କ ଭିତରେ ଚଳାଚଳ କରିହେବନି ।

 

ଏ ଘଟଣାଟା ସୁର ପକ୍ଷରେ ନୂଆ ନୁହେଁ । ସେମିତି ବଡ଼ ବଡ଼ ଅଫିସର ନ ହେଲେ ଧୋବାମାନେ ଘରୁ ଆସି ଲୁଗା ନିଅନ୍ତିନି । କିରାନୀ ବାପୁଡ଼ାଙ୍କୁ ପଚାରେ କିଏ ? ତା’ ଛଡ଼ା ପାଖରେ ଏତେ ବେଶି ଲୁଗାପଟା ନାହିଁ ଯେ ମାସେ ପନ୍ଦର ଦିନ ଧୋବା ପାଖରେ ଲୁଗା ସବୁ ରଖି ହବ । ସେଇଥିପାଇଁ ସପ୍ତାହରେ ଥରେ ବିଶେଷତଃ ରବିବାର ଦିନ ନିଜର ଲୁଗାପଟା ସବୁ ବ୍ୟାଗ୍‌ରେ ପୁରେଇ ସେ ଧୋବା ଘରକୁ ନେଇଯାଏ । ସନ୍ଧ୍ୟାବେଳେ ପୁଣି ଯାଇ ନେଇଆସେ । କେହି ଦେଖି ନ ପାରିଲା ଭଳି ।

 

କେବଳ ସେ ଏକଲା ନୁହେଁ । କ୍ୟାପିଟାଲ୍‌ର ଏ ଗୋଟିଏ ଧରାବନ୍ଧା କଥା । ସୁର ଭଳି ଆଉ କେତେ କେତେ ବାବୁ ସଞ୍ଜ ହେଲେ କେହି ଦେଖି ନ ପାରିଲା ଭଳି କିଏ ବ୍ୟାଗ୍‌ ଭିତରେ କିଏ ଦଦରା ସାଇକେଲ ପଛରେ ମଇଳା ଲୁଗା ଲଦି ଧୋବାଘରେ ନେଇ ଦେଇ ଆସନ୍ତି । ଧୋବ ହୋଇଗଲେ ପୁଣି ଯାଇ ସେମିତି ନେଇ ଆସିବା କଥା । ଧୋବ ନ ପିନ୍ଧିଲେ ଉପାୟ ନାହିଁ । ଭୁବନେଶ୍ୱର ଭଳି କିରାନୀ ନଗରୀରେ ନିଜର ଦାରିଦ୍ର୍ୟକୁ ଘୋଡ଼େଇ ରଖିବାପାଇଁ ଗୋଟିଏ ମାତ୍ର ଉପାଦାନ– ଧୋବ ପ୍ୟାଣ୍ଟ୍ ଜାମା ।

 

ସେତେବେଳେ ଆଠଟା ବାଜିବ । ସୁର ବ୍ୟାଗ୍‌ ଭିତରେ ଲୁଗାପଟା ପୂରେଇ ଲଣ୍ଡ୍ରି ପାଖରେ ହେଲା ବେଳକୁ କିଉ ଲାଗିଛି । ଦୋକାନରୁ ରାସ୍ତାଯାଏ । ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ବୁଜୁଳା ଓ ଖଣ୍ତିଏ ଲେଖାଏ ବ୍ୟାଗ୍ । ସୁର ସବାଶେଷକୁ ଯାଇ ଠିଆ ହେଲା ।

 

କିଉ ଭିତରେ ପଶି ଠିକ୍‌ ଜାଗାରେ ପହଞ୍ଚିଲା ବେଳକୁ ଲାଗିଲା ବଜରା ଅଧଘଣ୍ଟେ । ସେଥିରେ ପୁଣି ନାନା ରକମର ପ୍ରଶ୍ନ– ଅରଜେଣ୍ଟ, ସେମି ଅରଜେଣ୍ଟ ନା ଅଡ଼ିନାରୀ ? ଅନେକଥର ଆଗରୁ ସେ ଲୁଗାପଟା ପକେଇ ଦେଇ ଠିକ୍‌ ସମୟରେ ଯାଇ ନେଇ ଆସିଛି । ସାତଦିନ ପରେ । ସେଦିନ କିନ୍ତୁ ତା’ର ଚାରିହଳ ପ୍ୟାଣ୍ଟ ଜାମା ସେଦିନ ସେମିଅରଜେଣ୍ଟରେ ଦେଇ ସେ ରସିଦ୍‌ ଆଣିଲା । ଖଣ୍ଡକୁ ଚାଳିଶ ପଇସା କରି । ତିନିଦିନ ଭିତରେ ଦେବ ।

 

ଖାଲି ବ୍ୟାଗ୍‌ଟାକୁ ହାତରେ ଝୁଲେଇ ସୁର ଫେରୁଥିଲା ହୋଟେଲ ଆଡ଼େ । ଇଉନିଟ୍‌ ଓ୍ୟାନ୍‌ର ବରମୁଣ୍ଡାକୁ । ତା’ରି ଭଳି କେତେ କେତେ ଚାକିରୀଆ, ଯୋଉମାନଙ୍କର ପିଲାକବିଲା ନାହାନ୍ତି ସେମାନେ ସକାଳେ ସଞ୍ଜେ ସେଇଠି ଆସି ରୁଣ୍ଡ ହୁଅନ୍ତି । ସମସ୍ତଙ୍କର ବାକୀ ହିସାବ । ବାକିଆ ଖାତା କେବଳ ହୋଟେଲ ନୁହେଁ । ମନୋହାରୀ ଦୋକାନ, ଚା’ ଜଳଖିଆ ଦୋକାନ, ପାନ ସିଗାରେଟ୍‌, ଲୁଗା ପରିବା ଆଦି ପ୍ରତ୍ୟେକ ଦୋକାନରେ ସମସ୍ତଙ୍କର ବାକୀ ଖାତା । ପହିଲାକୁ ଦରମାଟା ପାଇସାରିଲା ପରେ ଦେଇଦେବାକୁ ପଡ଼େ । ନ ଦେଲେ ଉପାୟ ନାହିଁ । ମାସକଯାକ ଚଳି ହେବନି । ମାସ ଭିତରେ ନଗଦ ପଇସାଟିଏ ଖୁବ୍‌ କମ୍‌ ଲୋକଙ୍କ ପାଖରେ ଥାଏ ।

 

ସୁର ପ୍ରଥମେ ପ୍ରଥମେ ଆସିଲାବେଳେ ଏଇ ବାକୀ ଜିନିଷଟାକୁ ଘୃଣା କରୁଥିଲା । କେତେମାସ ସେ ପଇସା ଦେଇ ଚଳେଇ ନେଲା । ପ୍ରତିଜ୍ଞା କରିଥିଲା– କାହାଠୁ ସେ ବାକୀ ଆଣିବନି କି ପଦେ କାହାଠୁ ଶୁଣିବନି । ମାସ କେଇଟା ପରେ ଏଇ ପ୍ରତିଜ୍ଞା ତା’ର ଫସର ଫାଟିଗଲା । ନାନା ଅଭାବ ଅସୁବିଧା ଫଣା ଟେକି ତା ଆଡ଼ିକି ଆସ୍ତେ ଆସ୍ତେ ମାଡ଼ି ଆସିଲେ । ଗୋଟିଏ ମାସରେ ତାକୁ ଗାଁକୁ ଟଙ୍କା ପଠେଇବାକୁ ପଡ଼ିଲା । ସେଇ ମାସରେ ପ୍ୟାଣ୍ଟ ସାର୍ଟ ହଳେ କିଣିବା ବି ନିହାତି ଦରକାର ଥିଲା । ଚଟିଟା ତା’ର ଛିଣ୍ଡି ଯାଇଥିଲା । ନୂଆ ହଳେ ନ କିଣିଲେ ନ ଚଳେ । ସେଇ ମାସରେ ସେ ଖୋଲିଲା ବାକୀ ଖାତା । ହୋଟେଲରେ, ପାନ ଦୋକାନରେ , ଚା’ ଜଳଖିଆ ଓ ଲୁଗା ଦୋକାନରେ । ସେଇ ଅସୁବିଧାଟା ମାସକୁ ମାସ ବଢ଼ି ଚାଲିଛି । ସୁଧୁରିବାକୁ ହାତରେ ସମ୍ୱଳ ନାହିଁ । କ୍ୟାପିଟାଲ ଭଳି ଯାଗାରେ ନିଜର ଇଜ୍ଜତକୁ ଜଗି ଚଳିବାକୁ ପଡ଼ିବ । ଅନ୍ୟମାନଙ୍କ ସଙ୍ଗେ ଖାପଖୁଆଇ ନ ଚଳିଲେ ନିଜକୁ ଭଲ ଲାଗିବନି । ଅଫିସ କାମ ପରେ ସମସ୍ତଙ୍କ ସାଙ୍ଗେ ହସି ଖେଳି, ବୁଲାଚଲା କରି ସମୟ କଟେଇ ନେଲେ ନିଜର ଦୁଃଖ ଅସୁବିଧା ଓ ମନସ୍ତାପ ଭୁଲିଯିବାକୁ ହୁଏ ।

 

ରବିବାବୁ ଧାର ଦେଇଥିବା ଟଙ୍କାତକ ସୁର ଛାଡ଼ି ପକେଟରେ ରଖିଥିଲା । ଅନ୍ୟଦିନ ଭଳି ତାକୁ ଅନ୍ତତଃ ଅପ୍ରସ୍ତୁତ ହେବାକୁ ପଡ଼ିବନି । ହୋଟେଲବାଲା ଚାରିପାଞ୍ଚ ଦିନ ତଳେ କେବଳ ତାକୁ ଟଙ୍କା ମାଗିଥିଲା । ଗଲା କେଉଁଦିନ ହେଲା ସେ ତାକୁ ଆଉ ମାଗିନି । ଖାଇସାରିଲା ପରେ କେବଳ ଅନାଏ । ସୁର ତା’ ଆଖିରୁ ନିଜକୁ ରକ୍ଷା କରିବା ପାଇଁ ଖାଇଲା ବେଳେ ଅନ୍ୟମାନଙ୍କ ସାଙ୍ଗେ କଥାବାର୍ତ୍ତାରେ ଯୋଗ ଦିଏ । କଥାର ଖିଅ ବାହାର କରି ନାନା ଆଡ଼ୁ ନାନା ବିଷୟ ପଡ଼େ । ହୋଟେଲବାଲା ମନରେ ଧାରଣା ଦିଏ ଯେ ସେ ଟଙ୍କା ଆଣିବାକୁ ଭୁଲି ଯାଇଛି । ଲାଙ୍ଗୁଡ଼ ଯାକି ଗଲା କେଇଦିନ ହୋଟେଲ୍‌ରୁ ସେ ଏମିତି ଫେରୁଥିଲା ।

 

ହୋଟେଲର ପାଖାପାଖି ହେଲାବେଳେ ସେ ଦେଖିବାକୁ ପାଇଲା– କେତେଜଣ ଖା ପିଆ ସାରି ଫେରିବାକୁ ଆରମ୍ଭ କଲେଣି । ସେମାନେ ସବୁ ଅନ୍ୟ ଅଫିସର ଲୋକ । ଚିହ୍ନା ମୁହଁ । ସହଜେ ସେଦିନ ଡେରି ହୋଇ ଯାଇଥିଲା । କାହା ସଙ୍ଗେ କଥାବାର୍ତ୍ତା ନ କରି ସେ ସିଧା ଚାଲିଲା ହୋଟେଲ ମାଲିକ ପାଖକୁ । ପକେଟରୁ ଟଙ୍କା କାଢ଼ି ଦେଲାବେଳେ ସେ ଅଳ୍ପ ଆଶ୍ୱସ୍ତ ବୋଧ କଲା-। କିନ୍ତୁ ସେଇ ଆଶ୍ୱସ୍ତି ହୋଟେଲବାଲା ମୁହଁରେ ପ୍ରତିଧ୍ୱନିତ ହେଲାନି । ପୁଣି ତାର କୋଡ଼ିଏ ଟଙ୍କା ବାକୀ ପଡ଼ିଛି ।

 

ହୋଟେଲର ଆଗପଟଟା ଯାହା ପରିଷ୍କାର ପରିଚ୍ଛନ୍ନ କିନ୍ତୁ ହାତ ଧୋଇଲାବେଳେ ଟବ୍‌ ପାଖକୁ ଗଲେ ହୋଟେଲର ପ୍ରକୃତ ପରିବେଶ ଜଣାପଡ଼େ । ନଳାଟା ପଙ୍କରେ ପଚ ପଚ । ଶିଉଳିଲଗା । ବେହୁସିଆରରେ ପକେଇଲେ ଗୋଡ଼ ଖସିଯିବାର ଭୟ ଅଛି । ଅଇଁଠା ସଙ୍ଖୁଡ଼ି ଏଣେତେଣେ ଅବେଇଛତର ହୋଇ ପଡ଼ିଥାଏ । ଭଣ ଭଣ ମାଛି ବେଢ଼ୁଥାଆନ୍ତି । ସବୁଠୁ ବେଶି ଅପରିଷ୍କାର ଦେଖାଯାନ୍ତି ହୋଟେଲର ପିଲା ଗୁଡ଼ା । ତାଙ୍କର ମଇଳା ଲୁଗାପଟା ଓ ମଳିବସା କଳାକଳା ଦିହମୁଣ୍ଡକୁ ଲକ୍ଷ୍ୟ କଲେ କେମିତି ବିକାର ଲାଗେ । ସେମାନେ ବି ଚାକିରୀଆ । ବାବୁମାନଙ୍କ ଭଳି ସେମାନଙ୍କର କେବଳ ଶିକ୍ଷା ନାହିଁ, କି ସଭ୍ୟତାର ଖୋଳ ନାହିଁ ।

 

ଖାଇ ବସିଲା ବେଳେ ସୁର ସବୁଦିନ ସେଇସବୁକୁ ଲକ୍ଷ୍ୟ କରେ । ସେଦିନ କିନ୍ତୁ ତା’ର ସମୟ ନଥିଲା । ଶିଘ୍ର ଖିଆପିଆଟା ସାରିଦେଇ ସେ ଚାଲିଲା କ୍ୱାଟର ଆଡ଼େ ।

 

ଖାଲି ବ୍ୟାଗ୍‌ଟା ହାତରେ ଝୁଲେଇ ଫେରୁଥିଲାବେଳେ ଖିଲିଖିଲିଆ ଦକ୍ଷିଣାପବନ କ୍ୟାପିଟାଲ ଉପରେ ଲହଡ଼ା ଭାଙ୍ଗୁଥିଲା । ରାସ୍ତାକରର ଆଲୋକମାଳା ଉପରେ ଝୁଲି ରହିଥିଲା– ଅଷ୍ଟମୀର ବଙ୍କା ଚନ୍ଦ୍ର । ଠିକ୍‌ ମନ ଭିତରେ ତା’ର କେତେ କେତେ ଦରଖଣ୍ଡିଆ ଭାବନା ଝୁଲି ରହିଥିଲା ଭଳି । ଚାକିରୀ, ପ୍ରମୋଶନ, ବିଭାଘର, ମନି ଓ ଶଇଳ ।

ଶଇଳ ବିଷୟରେ ହିଁ ସେ ବେଶି ଭାବୁଥିଲା । ଜ୍ୟୋତ୍ସ୍ନାରେ ଭିଜା ଚନ୍ଦ୍ରର ଉତ୍ତରୀୟଟି କ୍ୟାପିଟାଲ ଉପରେ ଘୋଡ଼େଇ ହୋଇ ରହିଥିଲା ଭଳି ଚାକିରୀ କଲା ଦିନୁ ସୁର ଆଗରେ ଶଇଳ କେମିତି ରହସ୍ୟମୟୀ ଜଣା ପଡ଼ୁଥିଲା ।

ଖାଲି ରହସ୍ୟମୟୀ ତ ନୁହେଁ । ତା’ ଆରଦିନ ଅଫିସରେ ଶଇଳର ଚାଲିଚଳଣ ସୁରକୁ କେମିତି ଅଲଗା ବୋଧ ହେଲା । କଥାବାର୍ତ୍ତା ନକଲେ କି ମୁହଁ ଫେରେଇ ନ ଚାହିଁଲେ ବି ଦେଖି ଦେଇ ଲୋକଙ୍କୁ ଚିହ୍ନି ହୁଏ । ମୁହଁକୁ ଚାହିଁଦେଲେ ଭିତରଟା ଜଣାପଡ଼େ । ସୁର ଅନୁଭବ କଲା– ଶଇଳ ଅବା ବଦଳି ଯାଇଛି । କାଲି ସଞ୍ଜବେଳର ଶଇଳ ଅଫିସରେ ବସି ରହିଛି ଭିନ୍ନ ରୂପରେ ।

ସେକ୍‌ସନର ସଭିଏଁ ଶଇଳକୁ କାମରେ ଯୋଗଦେବାର ଦେଖି ଆଶ୍ଚର୍ଯ୍ୟ ହେଲେ । ଛୁଟି ନେଇ ସେ ଗାଁକୁ ଯାଇଥିଲା ଅବା କାହିଁକି ? ଛୁଟି ଥାଉ ଥାଉ ପୁଣି ଆସି ଜଏନ୍‌ କରିବାର କାରଣ କେହି ହେଲେ ଜାଣି ପାରିଲେନି ।

ଶଇଳର ସମସ୍ତଙ୍କ ଆଗରେ କେବଳ ଗୋଟିଏ କଥା– ଛୁଟି ନବା ଦରକାର ପଡ଼ିଲାନି-

ବଡ଼ବାବୁ ଖୁସି । ତାଙ୍କ ସାଙ୍ଗକୁ ଖୁସି ହେଲେ ଆଉ ସଭିଏଁ । ସେକ୍‌ସନରେ ଶଇଳ ଗୋଟିଏ ବୋଲି ଝିଅ ପିଲା । ସେ ଦିନେ ଅଫିସ୍‌ ନ ଆସିଲେ ଅନ୍ୟମାନଙ୍କୁ ଭଲ ଲାଗେନି । ସେକ୍‌ସନଟା ଖାଲି ଜଣାପଡ଼େ । କାମଦାମ କରିବାକୁ ଇଚ୍ଛା ହୁଏନି ।

ଡକେଇ ପଠେଇଲେ ମିଃ ମହାନ୍ତି । ତାଙ୍କ ପାଖରୁ ଫେରୁ ଫେରୁ ଶଇଳକୁ ଅଧଘଣ୍ଟେ ଉପରେ ଲାଗିଲା ।

ଶଇଳ ଅଫିସରଙ୍କ ପାଖରୁ ଫେରିଲା ପରେ ପରେ ନିମେଇଁବାବୁଙ୍କୁ ଡକରା ପଡ଼ିଲା । ସେମିତି କୌଣସି କେସ୍ କି ଫାଇଲ୍ ଇତ୍ୟାଦି ଦସ୍ତଖତ ପାଇଁ ଯାଇ ନଥିଲା । ନାନା ଆଡ଼ୁ ନାନା ଜାତି କଥା । ଅଫିସ୍‌ ଓ ଘରୋଇ କଥା ମିଶାମିଶି ।

 

କାମ କରି ଗଲାବେଳେ ସୁର ଅନୁତାପ କରୁଥିଲା– କାଲି ସଞ୍ଜବେଳେ ଶଇଳ ପାଖରୁ ରିକ୍‌ସାରୁ ଓହ୍ଲେଇଯାଇ ସେ ଭୁଲ କରିଛି । ମନରେ ତା’ର ବୋଧେ କଷ୍ଟ ହୋଇଥିବ ? ପାଖରେ ଟଙ୍କା ନଥିବା କଥାଟା ତାକୁ କହି ଦେଇଥିଲେ ଭଲ ହୋଇଥାଆନ୍ତା ।

 

ଆସିବା ଛଡ଼ା ଉପାୟ ନଥିଲା । ସେ ଯାହା ଭାବିଲେ ଭାବୁଥାଉ । ରବି ବାବୁଙ୍କଠୁ ଟଙ୍କାଟା ନ ଆଣିଥିଲେ ହୋଟେଲବାଲା ପାଖରେ ସେ ମୁହଁ ଦେଖେଇ ପାରି ନ ଥାଆନ୍ତା ।

 

ସୁର ଫାଇଲ୍‌ ଭିତରୁ କେତେଥର ଶଇଳ ଆଡ଼େ ଅନେଇଁଲା । ଦିନେ ଦିନେ ଦିହିଁଙ୍କର ଆଖି ମିଲିଯାଏ । ମୁହଁରେ ହସ ଫୁଟିଲେ ବି ଆଖି ଦି’ହଳ ହସି ଉଠେ । ଦିହେଁ ପରସ୍ପରକୁ ବୁଝି ପାରନ୍ତି । ସେଦିନ କିନ୍ତୁ ଶଇଳ ବେଶି ଗମ୍ଭୀର ଜଣା ପଡ଼ୁଥିଲା । ସତେଅବା କେତେ କଣ ସେ ଭାବୁଛି । ଅଫିସ୍‌ କାମ କେବଳ ଲୋକ ଦେଖାଣିଆ । ବାହାନା ।

 

ସୁର କାମ କରି ଯାଉ ଯାଉ ଭାବୁଥିଲା ତା’ର ପ୍ରମୋଶନ୍‌ ବିଷୟରେ । ଟଙ୍କା ତିନିଶରେ ଚଳି ହବନି । ଅନ୍ୟ ସେକ୍‌ସନର ଲୋକେ ଛ’ ମାସ କାମ କରି ବି ପ୍ରମୋଶନ ପାଇ ସାରିଲେଣି । ଯେବେ କେହି ପାଇବାର କଥା ସେ ପାଇବ ଆଗ । ବର୍ଷେ ଉପରେ ତା’ର ଆସି ଚାକିରୀ ହେଲାଣି-

 

ସତକୁ ସତ ରବିବାବୁ ଆସି ତାକୁ ଆଗ ଖବର ଦେଲେ । ସେକ୍‌ସନକୁ ଗୋଟିଏ ଅପର ଡିଭିଜନ୍‌ ପୋଷ୍ଟର ଚାକିରୀ ଆସିଛି । ଅନ୍ୟମାନଙ୍କ ଅପେକ୍ଷା ସୁର ପୁରୁଣା । ସେ ଆସିବା ପରେ ଦି’ ତିନିଜଣ ଆସି ସେକ୍‌ସନରେ ଯୋଗ ଦେଇଛନ୍ତି । ପର୍ଶୁରାମ ବାବୁ, ଘନ ବାବୁ ଆଉ ବିଶ୍ୱାଳ ବାବୁ । ସେମାନଙ୍କ ଆଗରୁ ସୁର ।

 

ରବିବାବୁଙ୍କଠୁ ଖବରଟା ଶୁଣି ସେ ଆଗ ବିଶ୍ୱାସ କରିପାରିଲାନି । ପଛକୁ ପଛ ଠିକ୍‌ ସେଇ କଥା କହିଲେ–ରମେଶବାବୁ, ନିମେଇଁବାବୁ, ସେନଗୁପ୍ତ ବାବୁ ଓ ଭେଙ୍କଟ ଚଲପତି ।

 

ମନ ପୁରେଇ କେତେ ବେଳଯାଏ କାମ କଲାପରେ ସୁର ପଦିଆଭାଇନାଙ୍କୁ ସାଙ୍ଗରେ ଧରି ବାହାରକୁ ଗଲା । କେତେ ଶାସ୍ତ୍ର ଆଲୋଚନା ପଡ଼ିଲା । ପଦିଆ ଭାଇନା ଗୋଟିକ ପରେ ଗୋଟିଏ ଗାଇ ଲାଗିଲେ ସଂସ୍କୃତ ଶ୍ଳୋକ । ତା’ ସଙ୍ଗେ ସଙ୍ଗେ ସୁରକୁ ପ୍ରଶ୍ନ କଲେ ତାର ରାଶି ନକ୍ଷତ୍ର ଜନ୍ମ ହେଲାବେଳେ କୋଉ ଗ୍ରହରୁ କେତେ ବାକୀ ଥିଲା ଇତ୍ୟାଦି ।

 

ଏକଠୁ ତିନି ଯାଏ ଗୋଟିଏ ସଂଖ୍ୟା ଗୋଟିଏ ଧଳା ପକ୍ଷୀର ନାଁ ଓ ଗୋଟିଏ ଫଳ ନାଁ ପଚାରି ପଦିଆ ଭାଇନା ଆଙ୍ଗୁଠି ଗଣାଗଣି କରିବାରେ ଲାଗି ପଡ଼ିଲେ । ଆଶା ଅଛି ନା ନାହିଁ ? ଧନ ପ୍ରାପ୍ତି ଓ ଚାକିରୀରେ ଉନ୍ନତି । ତଥାପି ଗ୍ରହମାନେ ଉଚ୍ଚ ସ୍ଥାନରେ ନାହାନ୍ତି । ପଦିଆ ଭାଇନା ଉପଦେଶ ଦେଲେ– ଦିଅଁଙ୍କ ପାଖରେ ଭୋଗରାଗ କରିବାକୁ । ଖରାପ ଦଶାଟା ତା ଦ୍ୱାରା କଟିଯିବ-। ତା’ଛଡ଼ା ଡେଉଁରିଆ କିଣି ପିନ୍ଧିଲେ ଗ୍ରହ ଦଶା ପାଖ ମାଡ଼ିବନି ।

 

ସୁର ଏ ସବୁ କଥା ଆଗେ ମାନୁ ନଥିଲା । ପଦିଆ ଭାଇନାଙ୍କୁ କେତେଥର ବି ଏମିତି କହିଛି । ସେଦିନ କିନ୍ତୁ ସେ ସବୁ ତାକୁ ମିଛ ବୋଧ ହେଲାନି । ପ୍ରଥମ କରି ସେ ଜାଣିଲା– ଗ୍ରହମାନଙ୍କ ଯୋଗୁହିଁ ମଣିଷ ଜାତିର ଭାଗ୍ୟ ନିର୍ଣ୍ଣୟ ହୁଏ ।

 

ସେଇଦିନ ତିନିଟା ବାଜିଲା ବେଳକୁ ଅର୍ଡ଼ର ବାହାରି ପଡ଼ିଲା । ସୁରର ପ୍ରମୋଶନ– ତିନିଶରୁ ଚାରିଶ ଟଙ୍କା ଦରମା । ବେଶି କିଛି ଏଣିକି ଅସୁବିଧା ହେବନି । ଗାଁକୁ ବି ନିୟମିତ ଟଙ୍କା ପଠେଇ ହେବ । ସେତିକି ବେଳୁ ସୁର ମନେ ମନେ ଠିକ୍‌ କରି ନେଲା– ଏଣିକି ଆଉ କୋଉଠୁ ବାକୀ ଆଣିବନି । ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ ଆଉ କିଛି ଯେମିତି ଅସୁବିଧା ନ ହୁଏ ।

 

ଇଆ ପରେ ପରେ ପୁଣି ଅଛି ପ୍ରମୋଶନ୍‌ । ଅପର ଡିଭିଜନରୁ ହେଡ଼୍‌ କିରାନୀ । ତାପରେ ବଡ଼ବାବୁ । ବୟସ ଥିଲେ ବଡ଼ବାବୁ ହେବା ପରେ ପରେ ଅଫିସର ହେବାବି ଅସମ୍ଭବ ନୁହେଁ । ବଡ଼ ବଙ୍ଗଳା, ମଟର ଆଉ ବ୍ୟାଙ୍କ ବାଲାନ୍‌ସ । ଭାବନା ଭିତରେ ସୁର ଉଲୁସି ଉଠୁଥିଲା ।

 

ସୁର ମନେ ମନେ କେତେ କ’ଣ କଳ୍ପନା କରି ଚାଲିଲା । ଭବିଷ୍ୟତରେ ସୁରଖୁରିଆ ଜୀବନ । ନ ଥିବ ଅଭାବ ଅସୁବିଧା । ବର୍ଷକୁ ବର୍ଷ ଦରମା ବଢ଼ି ବଢ଼ି ଚାଲିଥିବ । ପୁଣି ଦି’ ତିନିବର୍ଷ ପରେ ପ୍ରମୋଶନ । ଚାରିଶରୁ ବଢ଼ି ବଢ଼ି ପାଞ୍ଚଶ ଛ’ଶ ଓ ହଜାରେ ଯାଏ–

 

ଖାଲି ସେତିକି ନୁହେଁ– ବାପାଙ୍କ କଥାରେ ରାଜି ହୋଇ ମନିକି ବି ବିବାହ କରିବାକୁ ପଡ଼ିବ । ଏଥର ଆଉ ପଇସା ଅଣ୍ଟୁନି ବୋଲି କହି ମନା କରିବାକୁ ବାଟ ନାହିଁ । ତା’ ସାଙ୍ଗକୁ ସେ ଭାବୁଥିଲା–ଯୋଗକୁ ଚାକିରୀ କରୁଥିବା ସ୍ତ୍ରୀଟିଏ ବୁଝିଲେ ଆହୁରି ଭଲ ହୁଅନ୍ତା । ଦୁହିଁଙ୍କର ରୋଜଗାର । ଅସୁବିଧା କ’ଣ ସେମାନେ ଜାଣନ୍ତେନି । ବେଶିଗୁଡ଼େ ଛୁଆପିଲା ହୋଇଗଲେ ନାନାପ୍ରକାର ଅସୁବିଧା । ସୁର ଭାବନାରେ ଖାଲି ଭାସୁଥିଲା ।

 

ବେଶିହେଲେ ଗୋଟିଏ କି ଯୋଡ଼ିଏ ଛୁଆ । ସେମାନଙ୍କୁ ମଣିଷ କରିବାକୁ ପଡ଼ିବ । କୁକୁର ଛୁଆ ଭଳି ଗୁଡ଼ାଏ ଜନ୍ମ କରି ଲାଭ କ’ଣ ? କେବଳ ଦୁଃଖ ଅସୁବିଧାର ବାଟ । ପ୍ରଥମରୁ ପ୍ରଥମରୁ ସେ ହୁସିଆର ହେବ । କେତେ ଲୋକଙ୍କୁ ସେ ଏମିତି ଦେଖିଛି । ଗୋଛେ ଗୋଛେ ପିଲାଛୁଆଙ୍କୁ ଧରି ଏପରି କଷ୍ଟ ଭୋଗ କରୁଥାନ୍ତି ।

 

ଭାବନା ଭିତରେ ଆପେ ଆପେ ପଶିଗଲା ଆସି ଶଇଳ । ଦିନସାରା ସେ ଭାବୁଥିଲା କେବଳ ଶଇଳର କଥା । ଏତେ ବଡ଼ ଶୁଭ ଖବରଟିଏ ଶୁଣିବାକୁ ମିଳିଲା ଅଥଚ ସେ ତାକୁ କିଛିହେଲେ କହି ପାରିଲାନି । କେତେଥର କହିଦେବ ବୋଳି ଭାବୁଥିଲା । ତା’ର ଗମ୍ଭୀର ମୁହଁ ଦେଖି ତା’ର ପାଟି ଲେଉଟିଲାନି ।

 

ସେଦିନ ଉଣା ଅଧିକେ ସେକ୍‌ସନରେ କାମଦାମ ବି ବନ୍ଦ ହୋଇଗଲା । ସୁରବାବୁଙ୍କଠୁ ଯେମିତି ହେଲେ କିଛିନା କିଛି ଆଦାୟ କରିବାକୁ ପଡ଼ିବ । ଆଗ ଯାହା ପାଉଥିଲେ ତାହାଠୁ ପାଇବେ ଶହେଟଙ୍କା ବେଶି । ଅନ୍ତତଃ ପକ୍ଷେ ରୋଷେଇବାସ ବ୍ୟବସ୍ଥାଟା ନିହାତି କରିବା ଦରକାର-। ଚା’ ଜଳଖିଆ ବୋଲି କିଏ ଜଣେ କହି ଆସୁଥିଲା । ସେକ୍‌ସନର ସମସ୍ତେ ତାକୁ ପାଟି କଲେ । ରୋଷେଇବାସ ବରାଦ କରି ବାହାରକୁ କୁଆଡ଼େ ନଗଲେ ସୁରବାବୁଙ୍କର ପ୍ରମୋଶନ୍‌ ହେଲା ବୋଲି ଜଣା ପଡ଼ିବନି । କିଛି ନ ହେଲେ ଖଣ୍ଡଗିରି କି କେଦାରଗୌରୀ ପାଖକୁ ଛୁଟି ଦିନ ଦେଖି ଗଲେ ବି କମ୍‌ ଜମନ୍ତାନି । ବୁଲାଚଲା ଓ ଖିଆପିଆ ଆଜି କରିବାକୁ ହେଲେ କ୍ୟାପିଟାଲ ବାହାରକୁ ଯିବା ଦରକାର ଖା’ପିଅଟା ଯେତେ ଭଲ ହେଲେ ବି ସେ ଆବହାଓ୍ୟାଟା ମନେପଡ଼େ । ଅଫିସ, କୋଠାବାଡ଼ି ସେଇ ଫାଇଲ, ସେଇ ଦଶରୁ ପାଞ୍ଚଯାଏ ଅଫିସ୍‌ କଥାବାର୍ତ୍ତା, ଅଫିସ୍‌ ଲୋକମାନଙ୍କ ସାଙ୍ଗେ ସଦା ବେଳେ ଚଳପ୍ରଚଳ ହୋଇ କେମିତି ଶ୍ୱାସରୁଦ୍ଧ ହେଲାଭଳି ଜଣାପଡ଼େ । କେଇଦିନ ବାହାରେ ଯାଇ ବୁଲି ଆସିବାକୁ ମନ ହୁଏ । ପିକ୍‌ନିକ ବା ମଉଜ ମଜ୍‌ଲିସ୍‌ କରିବାକୁ ସୁଯୋଗ ପଡ଼ିଲେ ସେଇ କଥାଇ ମନକୁ ଆସେ ।

 

ସବୁ କଥାବାର୍ତ୍ତା ପଡ଼ିଲା । ସୁର ବି ପ୍ରଥମ ମାସକର ବଢ଼ା ଦରମା ଶହେ ଟଙ୍କା ଏଥିରେ ଖର୍ଚ୍ଚ କରିବ ବୋଲି ନିଜ ଇଚ୍ଛାଟା ଜଣେଇ ଦେଲା । ତା’ପରେ ତିଆରି ଚାଲିଲା ‘‘ମେନୁ’’ । ଖାଦ୍ୟ ଜିନିଷର ତାଲିକା । ସମସ୍ତେ ଗୋଟିଏ ଗୋଟିଏ ପ୍ରକାର ମତ ଦେଲେ । କିଏ କହିଲା ମାଂସ ଉପରେ କିଏ କହିଲା– କେବଳ ଛେନା ଉପରେ । କିଏ ମତ ଦେଲା– ମାଛ ଆସିବା ଦରକାର । ନାନା ମୁନିଙ୍କର ଏମିତି ନାନା ମତ । ଶେଷକୁ ଠିକ୍‌ ହେଲା– ଆସନ୍ତା ରବିବାର ଦିନ । ସ୍ଥାନ ଠିକ୍‌ ହେଲା– ଖଣ୍ଡଗିରି ।

 

ଏ ସବୁ କଥାବାର୍ତ୍ତା ଚାଲିଥିଲା ବେଳେ ଶଇଳ ନିଜ ଫାଇଲରେ କେବଳ ମନ ଦେଇଥିଲା । ହଁ କି ନାଇଁ ସେ କିଛି ହେଲେ କହୁ ନଥିଲା । କହିବା କଥା ତ ଛାଡ଼ିଦିଅ ଚାହୁଁ ବି ନଥିଲା । ଅଫିସ୍‌ ସମୟ ଭିତରେ ସୁର ତା ଆଡ଼ିକି କେତେଥର ଚାହିଁଛି । ଶଇଳ କିନ୍ତୁ ମୁହଁ ବୁଲେଇ ଦେଇଛି । ତା ସାଙ୍ଗେ ଯେପରି ଅବା ତା’ର ସମ୍ପର୍କ ନାହିଁ । ପ୍ରମୋଶନ ଖବର ପାଇ ତା’ର ଖୁସି ହେବାର ନାହିଁ । ସେ ଅବା ଜଣେ ଅଜଣା ଅଶୁଣା ଲୋକ ।

 

ଅଫିସ୍‌ ପରେ ସୁର ଅପେକ୍ଷା କଲା । ପାଞ୍ଚଟାବେଳେ ଶଇଳ ତା’ କ୍ଵାଟର ଆଡ଼େ ଫେରିଲା ବେଳେ ଜାଣିଶୁଣି ତା ଆଗରେ ସେ ଚାଲିଗଲା । ଅନ୍ୟ ଦିନ ଭଳି ଶଇଳ ଅପେକ୍ଷା କଲାନି । କଥାବାର୍ତ୍ତା ହେଲାନି କି ଚାଲି ଚାଲି ତା ସାଙ୍ଗେ ଗଲାନି । ତା ଛଡ଼ା କେତେ ଦୁଃଖ ସୁଖ, ଭଲ ମନ୍ଦ ଓ ତା ଆଡ଼ୁ ନାନା କଥା ସେ ହୁଏ । ଅଫିସ୍‌ ଛୁଟି ହେବାପରେ ସେ କ୍ୱାଟର ଆଡ଼େ ସାଇକେଲ ଛୁଟେଇ ଦେଲା । ପଛ ଆଡ଼ିକି ବି ଚାହିଁଲାନି ।

 

ସୁର ସେଦିନ ଆଉ ବେଶି ସମୟଯାଏ ଅଫିସ୍‌ରେ ରହିଲାନି । ସମସ୍ତଙ୍କ ସାଙ୍ଗେ କଥା ହେବାକୁ ଇଚ୍ଛା ଥିଲା । ବିଶେଷତଃ ବଡ଼ବାବୁ, ନିମେଇଁବାବୁ ଓ ରବିବାବୁଙ୍କ ସାଙ୍ଗେ । କହିଲା– କାମ ଅଛି । ଜରୁରୀ କାମ ନଗଲେ ନ ଚଳେ ।

 

କ୍ୱାଟରଆଡ଼େ ଫେରୁଥିଲାବେଳେ ସେ ଭାବୁଥିଲା ଶଇଳ ପାଖକୁ ଯିବ । କାଲି ସନ୍ଧ୍ୟାବେଳେ ରିକ୍‌ସାରୁ ଓହ୍ଲେଇ ଯିବାର କାରଣଟା ସେ ତାକୁ ମନ ଖୋଲି କହିଦବ । ସବୁ ଶୁଣିସାରି ଯେବେ ସେ ଖରାପ ଭାବିବ, ତା ହେଲେ ଭାବୁ ଥାଉ ସେଥିକି ଆଉ ଚାରା ନାହିଁ ।

 

ତା’ପରେ ସେ ଠିକ୍‌ କଲା– କିଛି କହିବା ଦରକାର ନାହିଁ । ସମୟ ଆସିଲେ ସେ ଜାଣିବ । ନିଜର ଅଭାବ ଅସୁବିଧା କଥା ତାକୁ କହିବାକୁ ସୁରର ଇଚ୍ଛା ହେଲାନି । ଏମିତି ଅନେକ ଜିନିଷ ଅଛି ସେ ସବୁ ମଣିଷର ପୂରାପୂରି ବ୍ୟକ୍ତିଗତ । ଯେତେ ନିକଟ ସମ୍ପର୍କୀୟ ହେଲେ ବି ଅନ୍ୟ ଆଗେ କହିବାକୁ ଭଲ ଲାଗେନି ।

 

ନିଜର ପ୍ରମୋଶନ୍‌ ଓ ଶଇଳ ଏ ଦି’ଟି ଭାବନାକୁ ମନ ଭିତରେ ଗୋଳେଇ ଘାଣ୍ଟି ତା କ୍ୱାଟରରେ ଯାଇ ପହଞ୍ଚିଗଲା ।

 

ମନର ସଉକ୍‌, ସୁଖ ସ୍ୱାଚ୍ଛନ୍ଦ୍ୟ ଓ ନିଜର ରଙ୍ଗ ଢଙ୍ଗିଆ ଭାବନାକୁ ଜଳାଞ୍ଜଳି ଦେଇ ମଣିଷ ସବୁଦିନ ପାଇଁ ଆଦର୍ଶ ପଛରେ ଧାଇଁପାରେ । କର୍ତ୍ତବ୍ୟକୁ ଆଖି ଆଗରେ ରଖି ଜୀବନସାରା ତା’ରି ପଛରେ କେବଳ ଧାଇଁ ବୁଲିବା ସମ୍ଭବପର ହୁଏନି । ମଣିଷ ମନରେ ବେଳେ ବେଳେ ଭାବନାର ଜୁଆର ଉଠେ । ବାଲ୍ୟ ଅବସ୍ଥାଟା ଶାନ୍ତ ଓ ସ୍ପନ୍ଦନହୀନ ଜଣାପଡ଼ୁଥିଲେ ବି ଭାବନାର ଲହରୀମାଳା ତାଳ ଦେଇ ଦେଇ ଛପି ଛପି ନାଚିବାରେ ଲାଗିଥାଏ । ବାହାରୁ ଦେଖିଲେ ଜଣାପଡ଼େନି । ସୁଅ ଉଜାଣି ମାଡ଼ିଆସି ଚାରିଆଡ଼ ଭସେଇ ନିଏ । ଶକ୍ତ ପଥର ବନ୍ଧ ଭଳି ନିଜର ଆଦର୍ଶ ଆଦି ଯାହା କିଛି ସେତେବେଳେ ତାକୁ ଆଉ ରୋକିବାର ସାଧ୍ୟ ନଥାଏ ।

 

ଗାଁରୁ ଫେରିଲା ଦିନଠୁ ଶଇଳ ମନରେ କେବଳ ଭାବନାର ଜୁଆର ଉଠୁଥିଲା । ଲହରୀ ସବୁ ଫଣା ଟେକି ତାକୁ ଆଘାତ କରିବାରେ ଲାଗିଥିଲା । ସବୁବେଳେ ଦ୍ୱନ୍ଦ୍ୱ ଭାବନା ନିଜର ଭବିଷ୍ୟତ, ଏକାକୀ ଜୀବନ ଆଦି ନାନା କଥା ଶଇଳ ମନର ଭିତରେ ଭାଙ୍ଗି ଲାଗିଥିଲା ଢେଉ ଉପରେ ଢେଉ । କିଛି ହେଲେ ସେ ଠିକ୍‌ କରି ପାରୁ ନଥିଲା । କ’ଣ କରିବା ତା’ର ଉଚିତ୍‌ । କୋଉଟା ବା ଅନୁଚିତ ।

 

କୌଣସି ଗୋଟିଏ ବିଷୟ ମଣିଷ ନିଜେ ଠିକ୍‌ କରିପାରୁ ନଥିଲେ ଅନ୍ୟ ଆଗରେ ସେଇ କଥାଟି ନ କହି ରହିପାରେନି । ରୁଦ୍ଧ ଭାବନାଗୁଡ଼ିକୁ ବେଳେ ବେଳେ ମନ ଭିତରୁ ହାଲୁକା କରିଦେବାକୁ ପଡ଼େ । ସମାଧାନର ଅଡ଼ୁଆ ଗଣ୍ଠି, ଆଉ କିଏ ଜଣେ ହୁଏତ ଫିଟେଇ ଦେଇପାରେ । କେବଳ ସେଇଥିପାଇଁ ଶଇଳ ଏତେ ସରାଗରେ ସୁରର କ୍ୱାଟର ପାଖକୁ ତାକୁ ଡାକିବାକୁ ଯାଇଥିଲା । ବାଟରେ ଦେଖି ରିକ୍‌ସାରେ ବସିବାକୁ ଅନୁରୋଧ କଲା । ତା’ କ୍ୱାଟର ଆଡ଼େ ଯିବାକୁ-। କଥାବାର୍ତ୍ତା ହେବା ତା’ର ଭାରି ଦରକାର ଥିଲା । କେବଳ ସେତିକି ନୁହେଁ– ସୁରକୁ ଦେଖି ଦେଲେ ଶଇଳର ମୃତ କାମନା ଗୁଡ଼ିକ ଆସ୍ତେ ଆସ୍ତେ ମଥା ଟେକି ଉଠନ୍ତି । ମନ ଭିତରେ ଚାପା ପଡ଼ିଥିବା ସୁନେଲି ସ୍ୱପ୍ନର ବୀଜ ବଡ଼ ବଡ଼ ଦ୍ରୁମରେ ପରିଣତ ହୁଏ । ସୁରକୁ କେନ୍ଦ୍ର କରି ଭବିଷ୍ୟତ ଆଡ଼ିକି ଦୃଷ୍ଟି ପକେଇବାରେ ଆନନ୍ଦ ଥାଏ । କେବେହେଲେ ପାଟି ଖୋଲି ତାକୁ କହି ହୁଏନି । ତଥାପି ନାନା ଉପାୟରେ ସେ ତାକୁ ଜଣେଇ ଦେଇଛି । ବୁଝି ନ ପାରି ଥିଲେ ତ ଭଲ କଥା କିନ୍ତୁ ସୁର ସେଦିନ ସନ୍ଧ୍ୟାବେଳେ ତା’ ସାଙ୍ଗରୁ ରିକ୍‌ସାରୁ ଓହ୍ଲେଇ ଯାଇ ସବୁକିଛି ଭାବନାକୁ ତା’ର ଓଲଟାପାଲଟା କରି ଦେଇଥିଲା । ଜଣା ପଡ଼ୁଥିଲା– ସେ ଅବା ବଦଳି ଯାଇଛି ।

 

ସୁର ବଦଳିଯାଉ । ତା ସାଙ୍ଗେ କିଛି ଯାଏ ଆସେ ନାହିଁ । ସେଇ ଛୋଟିଆ କ୍ୱାଟର ଖଣ୍ଡିଏ, ଦି’ ଚାରିଟା ଭଙ୍ଗା ଦଦରା ଟ୍ରଙ୍କ୍‌, କାଠ, ହାଣ୍ଡିଆଟିକା, ଚାଉଳ, ଡାଲି ଆଦିର ଭାବନା, ଲୁଣ ତେଲର ଟିକି ସଂସାର ଓ ମାସର ପହିଲାକୁ କେନ୍ଦ୍ରକରି କେତେ କେତେ ନିଅଣ୍ଟିଆ ଭାବନା ସଫଳତା ଅପେକ୍ଷା ସେଥିରେ ହତାଶା ବେଶି । ସଦାବେଳେ ସେଇ ଅଭାବ, ଅସୁବିଧା, ଧାର ଉଧାର ଆଉ ଦାନ୍ତ ନିକୁଟା । ସକାଳ ପାଇଲେ ଦିନ ଆସେନି ଯେ ସମସ୍ୟା ମାଡ଼ି ଆସେ । ପୁଣି କେତେ କେତେ ଗୁରୁ ଦାୟିତ୍ୱ ରହିଛି । ଯାହାପାଇଁ ନକଲେ ତା’ର ଏଡ଼େ ମୁହଁ । ସବୁ କିଛି ତୁଲେଇବାକୁ ପଡ଼େ ଅଳ୍ପ କେଇଟା ଟଙ୍କାରୁ । ବର୍ଷ ପରେ ବର୍ଷ ଗଡ଼ି ଚାଲି ଜୀବନକୁ ଦଦରା କରି ପକାଏ । ମନର ସୂକ୍ଷ୍ମ ଭାବନାଗୁଡ଼ିକ ଦାୟିତ୍ୱ ଓ କର୍ତ୍ତବ୍ୟ ତଳେ ଚାପା ପଡ଼ି ମରି ମରିଯାଏ । ସେଥିରେ ଜୀବନ ନ ଥାଏ । ଥାଏ କେବଳ ଆର୍ତ୍ତନାଦ । ମଣିଷ, କିମ୍ଭୁତ କିମାକାର ପ୍ରେତାତ୍ମାର ରୂପ ନିଏ । ବଡ଼ ଭୟଙ୍କର ସେ ଜୀବନ । ଦଉଡ଼ି ପଳେଇବାର ଉପାୟ ନ ଥାଏ ବୋଲି ଖାଲି ପଡ଼ି ରହିବା କଥା । ତା’ରି ଭିତରେ ଗୋଳେଇଘାଣ୍ଟି ହୋଇ ଜୀବନସାରା ପଡ଼ି ରହିବାକୁ ଶଇଳର ଇଚ୍ଛା ନଥିଲା ।

 

ଡାକ ବଙ୍ଗଳା ଭଳି ବିରାଟ କ୍ୱାଟର । ଠିକ୍‌ ରାସ୍ତା ପାଖକୁ । ରାଜପଥ କଡ଼ରେ । ଆଗରେ ଫୁଲ ବଗିଚା । ଫାଟକ ପାଖକୁ ପିତଳ ପ୍ଳେଟ୍‌ରେ ନାଁ ଲେଖା । ତା ସାଙ୍ଗକୁ ଇନ୍‌ ଆଉ ଆଉଟ୍‌ର ଫଳକ । ବଗିଚା ଭିତରେ ଠଅ ଭଳି ଘୂରିଯାଇଛି ନାଲି ଗୋଡ଼ିର ସରୁଆ ରାସ୍ତା । ଫୁଲ ଗଛ ସନ୍ଧିରେ ମଧୁମାଳତୀ ଝରାର ଦୋଳି । କଅଁଳିଆ ସବୁଜ ଘାସର ଗାଲିଚା । ତା’ ଉପରେ ବିଞ୍ଚି ଦେଲାଭଳି ଝରିପଡ଼ୁଥିବ ଜଳ କଣା । ବେଳେ ବେଳେ ତା ଭିତରେ ଘୂରି ଘୂରି ଓ ଚଉକି ଉପରେ ବସି ରହି ଲକ୍ଷ୍ୟ କରିବାକୁ ମନ ଡାକେ । ବୈଠକଖାନା ଭିତରେ ନାଇଲନ୍‌ ବୁଣା ସୋଫା, କୁସନ, ଆଲମାରୀରେ ସଦା ହରେକ୍‌ ରକମର ଖେଳନା, ରେଡ଼ିଓ ମଟରଗାଡ଼ି, ଆଲ୍‌ସେସିଆନ୍‌, ଗଣ୍ଡା ଗଣ୍ଡା ଚାକର ପୁଝାରୀ, ଅଫିସ ପିଅନମାନେ ଓ ଦିନରାତି ବନ୍ଧା, ବ୍ୟାଙ୍କ ବାଲାନସ, ଧନର ପ୍ରାଚୁର୍ଯ୍ୟ, ସମ୍ମାଜର ପ୍ରତିଷ୍ଠା, ଖାତିର୍‌, ବଡ଼ ହାକିମ୍‌, କଲମ ମୁନରେ ଶହ ଶହ ଲୋକଙ୍କର ଚାକିରୀ, ମୋଟା ଦରମା, ଭବିଷ୍ୟତକୁ ପୁଣି ପ୍ରମୋଶନର ଆଶା, ବଢ଼ି ବଢ଼ି ମାସକୁ ତିନିହଜାର ଯାଏ ଦରମା । ସବୁଲୋକ କ’ଣ ଏ ସବୁର ଅଧିକାରୀ ହୋଇପାରନ୍ତି ? ହଜାରେ କି ଲକ୍ଷେକରେ ଜଣେ-

 

ମିଃ ମହାନ୍ତି–

 

ବୟସଟା ଯାହା ଚାଳିଶ ପରେ ଡେଇଁ ଆସିଛି । ପଞ୍ଚଚାଳିଶ ପାଖାପାଖି । ମୁଣ୍ଡ ଉପରଟା ଚନ୍ଦା । କାନ ଉପରକୁ ଦି ମେଞ୍ଚା କଳା ଧଳା ବାଳ । ସିଏ ତ ଧନ ଆଉ ବିଦ୍ୱାନ୍‌ ହବାର ଲକ୍ଷଣ ।

 

ସେ ସବୁରେ ଯାଏ ଆସେ ନାହିଁ । ରୁଚି ଅପେକ୍ଷା ତୃପ୍ତି ହେଲା ବଡ଼ କଥା । ସଂଗ୍ରାମ କରିବାକୁ ସଦାବେଳେ ବଳ ନଥାଏ । ସ୍ପୃହା ବି ନଥାଏ । ମନ ଚାହେଁ– ଶାନ୍ତ ସୁଶୀତଳ ଜୀବନ– ପ୍ରାଚୁର୍ଯ୍ୟ ।

 

ସବୁ କଥାଗୁଡ଼ାକ ଏକାଠି ଠୁଳ ହେବାର କୋଉଠି ଦେଖାଯାଏନି । ଗୋଟିଏ ଥିଲେ ଆଉ ଗୋଟିକର ଅଭାବ । ଆଙ୍ଗୁଠି ଅଛି ତ ମୁଦି ନାହିଁ । ମୁଦି ଥିଲେ ଆଙ୍ଗୁଠି ନାହିଁ । ଗୋଟିଏ ଜିନିଷ ପାଇ ସାରି ଆଉ ସବୁ ନ ପାଇଲେ ସେଥିରେ ଦୁଃଖ କରିବାର ନାହିଁ । ଆଖି ଖୋଲି ଚାରିଆଡ଼ିକି ଅନେଇଁଲେ ରଙ୍ଗଢ଼ଙ୍ଗିଆ ଦିଶେ । ଦେଖାଯାଏନି ରାସ୍ତା । କେତେଗୁଡ଼ିଏ ଜିନିଷକୁ ଆଖିବୁଜି ନ ଦେଲେ ଜୀବନର ଅଗ୍ରଗତି ଅସମ୍ଭବ । ଅସନ୍ତୋଷ ମନ ଭିତରେ ମରିବାହିଁ କେବଳ ସାର ହୁଏ ।

 

ଅଫିସରେ କାମକରି ଗଲାବେଳେ କେବଳ ମିଃ ମହାନ୍ତିଙ୍କର କଥା । ଆଗେ ଘରର ହାଲ୍‌ଚାଲ୍‌ ସବୁ ଖୋଳତାଡ଼୍‌ କରି ପଚାରିଲେ ତାକୁ ଭଲ ଲାଗୁ ନଥିଲା । ତା କଥା ଅନ୍ୟ କାହାଠାରୁ ସଂଗ୍ରହ କରି ବାପାଙ୍କ ପାଖକୁ ଗାଁକୁ ଚିଠି ଲେଖିବା ଛୋଟ କଥା ନୁହେଁ । ବିଚାରା ବଡ଼ ଏକୁଟିଆ ଲୋକ ଅଫିସରୁ ଫେରି ଘରେ ପହଞ୍ଚିଲା ବେଳକୁ କେହି ହେଲେ ନାହାନ୍ତି ।

 

ମିଃ ମହାନ୍ତିଙ୍କି ଶଇଳ ମନେ ପକେଇଲା । ଆଖି ହଳକ ଏବେବି ତାଙ୍କର ଭୋକିଲା ଭଳି ଜଣାପଡ଼େ । ଗୋଲଗାଲ ମୁହଁ । ଗୋରା ତକ ତକ । କ୍ଷମତା ଆଉ ଗାମ୍ଭୀର୍ଯ୍ୟରେ ଭରା । କଳାଭମ୍ୱର ରଙ୍ଗର ଗଭୀର ଜଳରାଶି ଭଳି ସେଥିରେ ସୌନ୍ଦର୍ଯ୍ୟ ଅଛି । ଅଛି ଆତ୍ମ ପ୍ରତ୍ୟୟ, ନିରାପତ୍ତା ଆଉ ବିଶ୍ୱାସ । ତାଙ୍କୁ ପାଇଲେ ସୁରୁଖୁରିଆ ଜୀବନଟିଏ ବିତେଇ ହେବ । ଜୀବନ ପରି ଜୀବନ । ସେଥିରେ ସ୍ୱପ୍ନ ନ ଥାଉ । କେତେଦିନ ଅବା ମଣିଷ ସ୍ୱପ୍ନ ଦେଖେ ? ବର୍ଷେ ନୋହିଲେ ଦି’ବର୍ଷ । ପିଲାଛୁଆ ଗୋଟିଏ ଯୋଡ଼ିଏ ହୋଇଗଲେ ସରିଲା ସ୍ୱପ୍ନ । ତା’ପରେ କଠୋର ଜୀବନ । ଅଭାବ ଅସୁବିଧାରେ ଭରା । ସବୁବେଳେ ଖାଲି ହାଁ–ହାଁ । ତା’ ଅପେକ୍ଷା ମିଃ ମହାନ୍ତିଙ୍କି ନେଇ ପ୍ରାଚୁର୍ଯ୍ୟ ଭରା ଜୀବନ ଶତଗୁଣେ ଶ୍ରେୟସ୍କର ।

 

କାମ କରୁଥିଲା ବେଳେ ସୁର ଆଡ଼ିକି କେବେହେଲେ ସେ ଚାହିଁନି । ତା ବିଷୟ ପୁରାପୁରି ପାସୋରି ଯାଇଥିଲା ।

 

ସତକୁ ସତ ଆସିଲା ଡକରା । ଚପରାଶୀ ଆସି ଖବର ଦେଲା– ସାହେବ ଡାକୁଛନ୍ତି ।

 

ମିଃ ମହାନ୍ତି ଡାକୁଛନ୍ତି ଶୁଣି ଶଇଳକୁ କେମିତି କାଇଁ ଲାଜ ମାଡ଼ିଲା । ଆଗେ ଆଗେ ତାକୁ ଡରମାଡ଼େ । ଜଗି ଚଳିବାକୁ ପଡ଼େ । ହେଲେ ମିଃ ମହାନ୍ତି ବଡ଼ ସୁନ୍ଦର ଲୋକ । ଦୁନିଆରେ ଦଳେ ଲୋକ ଥାଆନ୍ତି । ଯୋଉମାନେ କେବେହେଲେ ଅନ୍ୟକୁ ଭଲ ବୋଲି କହନ୍ତିନି । ସେହି ଦୃଷ୍ଟିରୁ ତାଙ୍କ ନାଁରେ ଯାହାକିଛି ଶୁଣାଯାଏ । ନୋହିଲେ ସମସ୍ତଙ୍କ ମୁହଁରେ ତାଙ୍କର ପ୍ରଶଂସା । ତା ଛଡ଼ା ଯେତେବେଳେ ସୁଯୋଗ ମିଳେ ସେତେବେଳେ ସେ ତାର ସୁଖଦୁଃଖ ବୁଝନ୍ତି । ଘରକଥା ଆଉ ବାପା ମା’ଙ୍କ କଥା ।

 

ଏଥରକ ଗଲେ ଆଉ ସେ ସବୁ କଥା ନାହିଁ । ଶଇଳ ଭଲ ଭାବରେ ଜାଣେ– ମିଃ ମହାନ୍ତି ଅନ୍ୟସବୁ କିଛି ପଚାରିବେନି । ହେଲେ ତାଙ୍କ ମୁହଁକୁ ଚାହିଁପାରିବା ଏଣିକି ଅସମ୍ଭବ ଜଣାପଡ଼ୁଛି ।

 

ମିଃ ମହାନ୍ତିଙ୍କ ରୁମ୍‌ ଭିତରକୁ ଶଇଳ ତରତରରେ ପଶିଗଲାବେଳେ ସୁରକୁ ଦେଖିବାକୁ ପାଇଲା । ମୁହଁ ପୋତି ସେ କାମ କରୁଥିଲା ।

 

ଶଇଳ ଯାଇ ଦେଖେତ– ତାର ଗୋଟିଏ ଫାଇଲ୍‌ । ସେମିତି ଜରୁରୀ ନୁହେଁ । ଅନେକ ଦିନୁ ତାଙ୍କ ପାଖରେ ଥିଲା । ଶଇଳର ବି ମନେ ନଥିଲା– ଏମିତି ଗୋଟେ ଫାଇଲ ତାର ପଡ଼ି ରହିଛି ।

 

ମିଃ ମହାନ୍ତିଙ୍କ ଆଡ଼ିକି ଶଇଳ ଚାହିଁ ପାରୁ ନ ଥିଲା । ଇଆଡ଼ିକି ସିଆଡ଼ିକି ଚାହିଁ ସେ କଥାର ଜବାବ୍‌ ଦେଉଥିଲା । ମୁହଁ ତଳକୁ ପୋତି । ଆସ୍ତେ ଆସ୍ତେ ।

 

ସେଦିନ ସଂଧ୍ୟାବେଳେ କଟକରେ ତାଙ୍କର କାମ ଥିଲା । ଫାଇଲ କାମ ପରେ ଶଇଳକୁ ଡାକିଲେ । ଅଫିସ୍‌ ପରେ ପରେ ଯାଇ ସେଇ ରାତିରେ ଫେରି ଆସିବାକୁ ପଡ଼ିବ । କାର୍‌ରେ ଭୁବନେଶ୍ୱରରୁ ବେଶିହେଲେ ଅଧ ଘଣ୍ଟାକର ବାଟ । ବାରିଆଡ଼ ଦାଣ୍ଡଆଡ଼ ଭଳି ଦିପଟେ କଟକ ଆଉ ଭୁବନେଶ୍ୱର ।

 

ଶଇଳ ପ୍ରଥମେ କିଛି ନକହି ତୁନି ରହିଲା ।

 

ମିଃ ମହାନ୍ତି ପଚାରିଲେ– କ’ଣ କାମ ଅଛି ?

 

ତଳକୁ ମୁହଁ ପୋତି ଶଇଳ କହିଲା– ନାଇଁ ସେମିତି କିଛି ନାହିଁ ।

 

ତା’ ହେଲେ ?

 

କେତେବେଳେ ?

 

ଅଫିସ୍‌ ପରେ ପରେ । ପାଞ୍ଚଟା ସାଢ଼େ ପାଞ୍ଚଟା ବେଳେ ଚା’ ଟିକିଏ ଖାଇସାରି ।

 

ଶଇଳ ଭାବୁଥିଲା– ଅଫିସରୁ ତ ସେ ଏକା ମଟରରେ ସାଙ୍ଗ ହୋଇ ଯାଇ ପାରିବନି ? ଲୋକେ ଦେଖିଲେ କ’ଣ କହିବେ ? ଭାବିଲା ସିନା କହିପାରିଲାନି ।

 

ଶଇଳର ଭାବନାଟା ମିଃ ମହାନ୍ତିଙ୍କ ତୁଣ୍ଡରେ ଅବା ପ୍ରତିଧ୍ୱନିତ ହେଲା । କହିଲେ– ତା କ୍ୱାଟର ପାଖରୁ ସେ କାରରେ ଆସି ନେଇଯିବେ ।

 

ତୁନି ରହି ଶଇଳ ତାଙ୍କ କଥାର ଉତ୍ତର ଦେଲା । ଫେରି ଯାଉ ଯାଉ–

 

ପଛପଟୁ ଡାକିଲେ ମିଃ ମହାନ୍ତି । ତା’ ହେଲେ ଯିବାଟା ନିଶ୍ଚୟ ହେଲା ?

 

ଖଣ୍ଡଗିରି ରାସ୍ତା ଦେଇ ଅଳ୍ପ ବୁଲିଯିବାକୁ ପଡ଼ିବ । ଶଇଳ କହିଲା– ତା’ର କାମ ଅଛି ।

 

ଆଚ୍ଛା ।

 

ମୁହଁ ପୋତି ପୋତି ଶଇଳ ସେ ରୁମ୍‌ ଭିତରୁ ଯାଇ ତା ସିଟ୍‌ ଉପରେ ବସି ରହିଲା ।

କାମରେ ଆଉ ମନ ଲାଗିଲାନି । ଦି’ତିନିଥର ସୁର ଆଡ଼ିକି ଚାହିଁଲା । ସେ ତାର କାମ କରି ଚାଲିଛି । ଅନ୍ୟମାନେ ସବୁ ଯେଝା କାମରେ ଯିଏ ବ୍ୟସ୍ତ । ପଙ୍ଖା ଗୁଡ଼ାକ ଘୂରିବାରେ ଲାଗିଛି-। ଧାଡ଼ି ଧାଡ଼ି ହୋଇ ବସି ରହିଛନ୍ତି– ଶହ ଶହ କିରାନୀ । ଟେବୁଲ ଉପରେ ଫାଇଲ । କରରେ ଥିବା ହ୍ୱାଟ୍‌ନଟ୍‌ ଓ ର‍୍ୟାକ୍‌ ଉପରେ ଫାଇଲର ଗଦା । ଥାକ ମରା ହୋଇଛି । ଯେତେବେଳେ ଯାହାର ଦରକାର ସେ ବାହାର କରି ଆଣି ତାକୁ ମେଲେଇବାରେ ଲାଗିଛି । ଫାଇଲ ହାତରେ ଧରି କିଏ ତରତରରେ ଅଫିସରଙ୍କ ପାଖକୁ ଛୁଟିଛି ତ କାହା କାହା ଭିତରେ ଚାଲିଛି କଥାବାର୍ତ୍ତା କୌଣସି କୌଣସି କେସ୍‌ ବିଷୟରେ ।

ଶଇଳ ପାଖରେ ଥିଲା ଖଣ୍ଡିଏ ଜରୁରୀ ଚିଠି । ଦିନକ ଭିତରେ ତା’ର ଉତ୍ତର ଦେବାକୁ ପଡ଼ିବ । ଚିଠି ଖଣ୍ଡକୁ ଟେବୁଲ ଉପରେ ରଖି ସେ ଭାବୁଥିଲା ତା’ର ଉତ୍ତର କ’ଣ ଲେଖିଲେ ସୁବିଧା ହେବ । ଲେଖାରେ ତା’ର କେହିହେଲେ ଗାର ଦେଇ ପାରିବେନି । ତା’ ସୁନାମଟାକୁ ସେ ବଜାୟ ରଖି ପାରିବ । ଅଫିସର ଓ ବଡ଼ବାବୁ ଆଦି ସମସ୍ତଙ୍କ ପାଖରେ ।

ମିଃ ମହାନ୍ତିଙ୍କ ସାଙ୍ଗେ କଟକ ଯିବା କଥାଟା ସୁର ଯେମିତି ନ ଜାଣେ ସେହିପରି ଶଇଳ ପ୍ରଥମେ ପ୍ରଥମେ ଭାବୁଥିଲା । ତା’ପରେ ମନେ ପଡ଼ିଗଲା– ସନ୍ଧ୍ୟାବେଳର ଘଟଣା । ତା ପାଖରୁ ହଠାତ୍ ଉଠିଯାଇ ରିକ୍‌ସାରୁ ଓହ୍ଲେଇ ପଡ଼ିବା କଥା । ପ୍ରକାରାନ୍ତରରେ ତାକୁ ଅପମାନ କରିଥିଲା । ଅପମାନର ପ୍ରତିଶୋଧ ଚାହେଁ ।

 

କେବଳ ସେଇଥିପାଇଁ କହିଲା– ଖଣ୍ଡଗିରି ରୋଡ଼ ଦେଇ ସେ କାର୍‌ରେ ଯିବ । ସେମିତି କିଛି ତା’ର କାମ ନଥିଲା । ଅସଲ ଉଦ୍ଦେଶ୍ୟଟା– ସେ ସୁରକୁ ଦେଖେଇ ଦେବାକୁ ଚାହେଁ, ମିଃ ମହାନ୍ତିଙ୍କ ସାଙ୍ଗେ ତାର ସମ୍ପର୍କ । ତାପରେ ବିଭାଘର । ତେଣିକି ସେ ହେବ ମିସେସ୍‌ ମହାନ୍ତି । ସୁର ଦେଖିଲାବେଳେ ପ୍ରଥମେ ପ୍ରଥମେ ତାକୁ ହୁଏତ ଖରାପ ଲାଗିବ । କେତେ କ’ଣ ଭାବିଯିବ । ବିଭାଘରଟା ସରିଗଲେ ତା’ଭଳି କେତେ କେତେ ଲୋକ ଆସି ତାକୁ ପୁଣି ସମ୍ମାନ ଦେବେ । ସମ୍ମାନ ସାଙ୍ଗକୁ କେତେ କେତେ ଉପହାର । ଦୂର ଆକାଶର ନୀଳିମାକୁ ଚାହିଁ ଚାହିଁ ପକ୍ଷୀ ଉଡ଼ିବୁଲିଲା ବେଳେ ତା’ର ପକ୍ଷ ଯେମିତି ଦରଜ ହୁଏ ଅଥଚ ସେ ଖାଦ୍ୟ କି ଆଶ୍ରୟ ଟିକିଏ ପାଏନି, ଜୀବନସାରା ସେମିତି ଖାଲି ଯାଯାବର ଭାବରେ ଉଡ଼ି ବୁଲିବାକୁ ଶଇଳର ଇଚ୍ଛା ନଥିଲା । ସେ ଚାହେଁ ଆଶ୍ରୟ, ନିରାପତ୍ତା ତା’ର ଘର ସଂସାର ଆଉ ଭବିଷ୍ୟତ । ମିଃ ମହାନ୍ତିଙ୍କ ପାଖରେ ସେ ସବୁ ଅଛି । ସବୁ କିଛି ତାଙ୍କ ପାଖରୁ ସେ ପାଇ ପାରିବ । ପକ୍ଷୀଟି ପଞ୍ଜୁରୀ ଭିତରେ ଥିଲେ ବି ତା’ପାଇଁ ନିୟମିତ ଖାଦ୍ୟପେୟର ଯେମିତି ସୁବିଧା ଥାଏ । ତା ଛଡ଼ା ସୁର ଉପରେ ପ୍ରତିଶୋଧ । ମିଃ ମହାନ୍ତିଙ୍କୁ ବିବାହ କରି ସୁର ଉପରେ ସେ ଠିକଣା ପ୍ରତିଶୋଧ ନେଇ ପାରିବ ।

ଅଫିସ କାମ କରାଯାଉଥିଲା ବେଳେ ଶଇଳ ଏ ସବୁ ଭାବିବାରେ ଲାଗିଥିଲା । ନିରାଟ ବାସ୍ତବ ଅଫିସ କାମ ସାଙ୍ଗକୁ ଏଇ ସବୁ ଭାବନାର ଲହଡ଼ି ଦୁଇଟି ପରସ୍ପର ବିରୋଧୀ । ଅଥଚ ଦୁଇଟି ସମାନ ଭାବରେ ଗତି କରୁଥିଲା । ସମାନ୍ତରାଳ ସରଳରେଖା ଭଳି ।

ତା’ର ଟେବୁଲ ପାଖ ଦେଇ ଚାଲିଗଲା ସୁର । ଦି’ ତିନି ହାତ ଅଛି ଶଇଳ ଜାଣିପାରି ତା’ ଫାଇଲରେ ମନ ଦେଲା । ମୁହଁ ଟେକି ଚାହିଁଲାନି କି କିଛି ହେଲେ କହିଲାନି ।

ପ୍ରମୋଶନ ପାଇସାରିଲା ପରେ ସୁର ଆଉ ଶଇଳ ସାଙ୍ଗରେ କାମ କରେନି । ଏକେଲା ତାକୁ କାମ ଦିଆଗଲାଣି । ସେ ହେଲାଣି ପୋଖତ କିରାନୀ । ନୂଆ ଲୋକମାନଙ୍କୁ ଏଣିକି ସେ କାମ ବତେଇ ପାରିବ ।

ଶଇଳ ତା’ ଆଡ଼ିକି ଚାହିଁଥିଲେ ସେ ଆଗ କିଛି ସମୟ ଯାଏ କଥା ହୋଇ ଥାଆନ୍ତା । ବଡ଼ବାବୁଙ୍କୁ ଧାରଣା ଦେଇଥାଆନ୍ତା– ସେ ଅଫିସ୍‌ ବିଷୟ କଥା ହେଉଛି । ଚାଲିଥାଆନ୍ତା ଦୁଃଖସୁଖ-। ଅଫିସ ଜୀବନର ଏ ସବୁ କାଇଦା କଟକଣା ଗୁଡ଼ାକ ସୁର ଆସ୍ତେ ଆସ୍ତେ ଆୟତ୍ତ କଲାଣି । ଭଲ ରୂପେ ଅନ୍ତତଃ ବୁଝି ସାରିଲାଣି କୋଉଠି କେମିତି କରିବାକୁ ହୁଏ । କାମଦାମ କିଛି ନ କରି ଦକ୍ଷ କିରାନୀ ଭାବରେ ନିଜକୁ ଅଫିସ୍‌ରେ ପ୍ରତିଷ୍ଠିତ କରିପାରିବା ଯେ ଗୋଟିଏ ନିର୍ଦ୍ଦିଷ୍ଟ ଶିଳ୍ପକଳା ଏକଥା ଆଉ ତାକୁ ଶିଖେଇ ଦେବାକୁ ନାହିଁ ।

ସୁର ଟେବୁଲ ପାଖ ଦେଇ ଚାଲିଗଲା ପରେ ଶଇଳ ତା ସିଟ୍‌ରୁ ଉଠି ସିଧା ଚାଲିଲା– ବଡ଼ବାବୁଙ୍କ ପାଖକୁ । କହିଲା– ତାର କାମ ଅଛି । ସେ ଶିଘ୍ର ଅଫିସ ଛାଡ଼ିବାକୁ ଚାହେଁ ।

 

ବଡ଼ବାବୁ ସେତେବେଳେ ବୋଧେ ଭଲ ମିଞ୍ଜାସ୍‌ରେ ନଥିଲେ । ନିଜେ ସେ ଯାଅ ବୋଲି କହିପାରି ଥାଆନ୍ତେ । କହିଲେ– ଅଫିସରଙ୍କୁ କହିଦେଇ ଯାଅ ।

 

ମିଃ ମହାନ୍ତିଙ୍କି କହିବାକୁ କେମିତି ଲାଜ ମାଡ଼ିଲା । ନ କହିଲେ ନ ଚଳେ ।

 

କହିବା ଆଗରୁ ଶିଘ୍ର ଅଫିସ୍‌ ଛାଡ଼ିବାକୁ ସେ ଆଦେଶ ଦେଲେ । ମିଃ ମହାନ୍ତିଙ୍କ ଆଖି ଦି’ଟି ସେତେବେଳେ ହସି ଉଠୁଥିଲା ।

 

ଶଇଳ ମୁହଁରେ ସେଇ ହସ ବି ପ୍ରତିବିମ୍ୱିତ ହେଲା ।

 

ପଛପଟୁ ଡାକି ପୁଣି କହିଲେ– ପାଞ୍ଚଠୁ ସାଢ଼େ ପାଞ୍ଚ ଭିତରେ ।

 

ତାଙ୍କ ମୁହଁ ଉପରକୁ ହସର ପିଚିକାରୀ ମାରି ଦେଇ ଶଇଳ ରୁମ୍‌ ଭିତରୁ ବାହାରି ଆସିଲା ବେଳେ ବାହାରେ ଅପେକ୍ଷା କରିଥିଲା ସୁର । କିଛି କହିବ ବୋଲି ପାଖକୁ ଆସୁଥିଲା ।

 

ତା ଆଡ଼ିକି ଆଖି ନ ପକେଇ ଶଇଳ ଅଫିସ୍‌ ଛାଡ଼ୁଥିବା କଥା ବଡ଼ବାବୁଙ୍କୁ ଆଗ କହିଦେଲା । ତା’ପରେ ଅଫିସରୁ ବାହାରି ସିଧା ଚାଲିଲା ରାସ୍ତା ଉପରକୁ । ସେଦିନ ସାଇକେଲ ଆଣି ନଥିଲା । ରିକ୍‌ସା ଖଣ୍ଡେ ଧରି ଚାଲିଲା କ୍ୱାଟର ମୁହାଁ ।

 

ସେଦିନର ସଂଧ୍ୟା ସମୟଟା ଶଇଳକୁ କେମିତି ଅଲଗା ବୋଧ ହେଲା । କ୍ୱାଟରକୁ ଆସି ସେ ଆଗ ଗାଧୋଇ ପଡ଼ିଲା । ସାବୁନ ଲଗେଇ ଘଷିମାଜି ହେଲା । ସୁଟକେଶରୁ କାଢ଼ି, ପିନ୍ଧିଲା ତା’ର ନାଲି ଫୁଟୁଫୁଟୁକିଆ ଛପାଶାଢ଼ୀ । ଗାଢ଼ ନୀଳ ରଙ୍ଗର ବ୍ଳାଉଜ୍‌। ସୁନେଲି ବଡ଼ରଦିଆ ମଖମଲ ରଙ୍ଗର ଚପଲ । ଆଇନାରେ ନିଜ ମୁହଁର ପ୍ରତିବିମ୍ୱ ଦେଖି ନିଜକୁ ଅବା ସେ ଚିହ୍ନିପାରୁ ନଥିଲା । କି ଏକ ଅଜଣା ପୁଲକରେ ଦିହ ସାରା ଉଲୁସି ଉଠୁଥିଲା ।

 

ମନ ତା’ର ଏଣେ ଧାଇଁ ବୁଲୁଥିଲା ଖଣ୍ଡଗିରି ରାସ୍ତାରେ ଥିବା ସୁରର କ୍ୱାଟର ଆଡ଼େ । ଭାବୁଥିଲା–ସୁରବାବୁ ବୋଧେ ଅଫିସରୁ ଫେରି ଆସିବେଣି ! ବିଚାରା ତାଙ୍କର ସାଇକେଲ ନାହିଁ । ଚାଲି ଚାଲି ଆସୁଥିବେ । ପୁଣି ହୋଟେଲ ଖିଆ । ବଡ଼ ଅସୁବିଧାରେ ଚଳୁଛନ୍ତି । ବିଶେଷତଃ କ୍ୟାପିଟାଲ ଭଳି ଜାଗାରେ । ନିଜର ବୋଲି ଜଣେ ଲୋକ ନଥିଲେ ସ୍ଥାନଟା ମରୁଭୂମି ଭଳି ମନେ ହୁଏ । ଖାଲି କ୍ୱାଟର ପରେ କ୍ୱାଟର, ସିଧାସଳଖ ପିଚୁ ରାସ୍ତା ଓ ବିଜୁଳି ଆଲୁଅର ମାଳା । ଅଫିସରେ ଆଉ ବାହାରେ ସବୁଆଡ଼େ କେବଳ ଚାଲିଥାଏ ଅଫିସ କଥା । ସେଇ ଅଫିସ କାମ ବିଷୟରେ ଆଳାପ ଆଲୋଚନା ନିଜର ବାହାଦୁରୀ ଦେଖେଇବା, ଖଚ ମିଛ ଓ ପ୍ରମୋଶନ ପାଇଁ ଆପ୍ରାଣ ଚେଷ୍ଟା । ସୁରବାବୁ ଏଇ ଦି’ତିନି ବର୍ଷ ହେଲା ଅଫିସରେ ଆସି ଯୋଗ ଦେଇଛନ୍ତି । ପ୍ରମୋଶନ ବି ପାଇଲେଣି । ନିଜର ଦାୟିତ୍ୱ, ଘରକୁ ଟଙ୍କା ପଠେଇବା, ସମସ୍ତଙ୍କର ରକ୍ଷଣାବେକ୍ଷଣ ଆଦି ଭାର ସବୁ ତାଙ୍କରି ଉପରେ । ତାଙ୍କର ବି ଗୋଟିଏ ସାନଭାଇ ଅଛି । ତା’ର ପଢ଼ାପଢ଼ି । ଭଉଣୀକି ବିଭା ଦେବାର ଦାୟିତ୍ୱ ଆଦି ସବୁ କିଛି ତାଙ୍କୁ ତୁଲେଇବାକୁ ପଡ଼ିବ । ତଥାପି–

 

ହର୍ଣ୍ଣ ଦେଇ ରାସ୍ତା ଉପରେ ଛୁଟିଗଲା ଗୋଟିଏ କାର୍‌ । ଶଇଳ ଝରକା ପାଖକୁ ଆସି ଚାହିଁଲା ବେଳକୁ କାର୍‌ଟା ଚାଲିଗଲାଣି । ମିଃ ମହାନ୍ତି ଏ ଯାଏ ଆସି ନାହାନ୍ତି । ଅଫିସ୍‌ କାମ ବୋଧେ ସରି ନଥିବ । ଆସିବାର ଥିଲେ ତ ଆସି ସାରନ୍ତେଣି । ରାଜପଥ ଆଡ଼ିକି ଛୁଟି ଚାଲିଥିଲା କାର୍‌ ଆଡ଼ିକି ଲକ୍ଷ୍ୟ କରି ଶଇଳ ଭାବୁଥିଲା– ସିଏ ।

 

ତା’ର ଭ୍ରୂଲତା ଉପରେ ପୁଣି ଆସି ଠିଆ ହେଲା ସୁର ।

 

ସୁରବାବୁଙ୍କ କଥା ଏତେ ଭାବି ଭାବି କିଛି ଲାଭ ନାହିଁ ।

 

କେବଳ ଏଇ ଗୋଟିକ ନୁହେଁ । କେତେ କେତେ କଥା ଏମିତି ଘଟି ଯାଇଛି । ମନ– ଗହନ ଭିତରେ ସେ ସବୁ ହଜି ସାରିଲାଣି । ଖୋଜି ପାଇବା କଷ୍ଟ । ଅଡ଼ୁଆ ସୁତାଗୁଲିକୁ ଖିଅ ବାହାର କଲା ଭଳି ।

 

ମନ ଭିତରୁ ଉଁକି ମାରିଦେଲେ ସରୋଜବାବୁ– ଶଇଳ ସେତେବେଳେ ବି. ଏ: ପାଶ୍‌ କରି ସାରିଥିଲା । କ’ଣ କରିବ ଓ କ’ଣ ନ କରିବ ସେଇ ଥିଲା ତା’ ଆଗରେ ବଡ଼ ପ୍ରଶ୍ନ । ସେତେବେଳେ ବିଭାଘରର ପ୍ରସ୍ତାବ ନଥିଲା । ବି. ଇଡ଼ି. ପଢ଼ି ମାଷ୍ଟରାଣୀ ଚାକିରୀ ନୋହିଲେ ଏମ୍‌. ଏ, । ଅଧ୍ୟାପିକା ହେବାକୁ ଶଇଳ ଅନେକ ଆଗରୁ ଭାବିନେଇଥିଲା । ସେଇ ଜୀବନକୁ ଆଖି ଆଗରେ ରଖି ନିଜର ପଢ଼ାପଢ଼ିରେ ସେ ମନ ଦିଏ । କିନ୍ତୁ ଅସଲ ଅସୁବିଧାଟା ହେଲା ଟଙ୍କା । ଆଉ ଦି’ବର୍ଷ ପାଠ ପଢ଼ିବାକୁ ସେତେବେଳେ ଘରର ସମ୍ୱଳ ନଥିଲା । ବି. ଇଡ଼ି. କୋର୍ସଟାରେ ଷ୍ଟାଇପେଣ୍ଡ୍‌ ମିଳେ । ଦଶମାସ ଟ୍ରେନିଂ । ଟ୍ରେନିଂ ପରେ ପୁଣି ଚାକିରୀ ଖୋଜା । ବର୍ଷକ ଆଗରୁ ନୁହେ । ଘରର ଅବସ୍ଥା ଯୋଗୁ କିଛି ନା କିଛି ଗୋଟିଏ ଚାକିରୀ କରିବା ଶଇଳର ନିହାତି ଦରକାର ଥିଲା । ସେତିକିବେଳେ ସରୋଜବାବୁଙ୍କ ସାଙ୍ଗେ ଦେଖା । ସେକ୍ରେଟେରୀଏଟ୍‌ରେ ସେ ଚାକିରୀ କରୁଥାଆନ୍ତି । ଆଗ ଥିଲେ କଟକରେ । କିଲ୍ଲା ଭିତରେ ଥିଲା ଅଫିସ୍‌ । କ୍ୟାପିଟାଲ ହେବାପରେ ଅଫିସ୍ ସବୁ ଭୁବନେଶ୍ୱର ଘୁଞ୍ଚି ଆସିଲା । ଆଗେ କେଇଦିନ ଭୁବନେଶ୍ୱରରୁ କଟକ ଯା’ଆସ କରୁଥିଲେ । କ୍ୱାଟର ମିଳିଗଲା । ହାଣ୍ଡି କୁଣ୍ଢେଇ ଧରି ଚାଲି ଆସିଲେ କ୍ୟାପିଟାଲ । ସେତେବେଳେ ସେ ଗ୍ରେଡ୍ ଓ୍ୟାନ୍‌ ଆସିଷ୍ଟାଣ୍ଟ । ଶଇଳକୁ ଅଫିସ୍‌ରେ ଆଣି ପୁରେଇବାକୁ ଅନେକ ସାହାଯ୍ୟ କରିଥିଲେ । କେବଳ ସରୋଜବାବୁଙ୍କ ଯୋଗୁ ଚାକିରୀ ଖଣ୍ଡକ ସେ ପାଇ ପାରିଥିଲା । କିନ୍ତୁ ବେଶିଦିନ ପାଇଁ କ୍ୟାପିଟାଲରେ ସେ ରହି ପାରିଲେନି । ଠିକ୍‌ ଦି’ମାସ ପରେ ତାଙ୍କର ବଦଳି ଆଦେଶ ଆସିଗଲା । ବଦଳି ତ ନୁହେଁ ପ୍ରମୋଶନ । କିରାନୀରୁ ଅଫିସର । ଗ୍ରେଡ୍ଓ୍ୟାନ୍‌ ଆସିଷ୍ଟାଣ୍ଟରୁ ସବ୍‌ଡ଼େପୁଟୀ । ପ୍ରଥମେ ଛତ୍ରପୁରରେ ତାଙ୍କୁ ଜଏନ୍‌ କରିବାକୁ ପଡ଼ିଲା ।

 

ଭୁବନେଶ୍ୱର ଛାଡ଼ିବାକୁ ତିନି ଚାରିଦିନ ବାକୀ । ସରୋଜବାବୁ ପିଲାପିଲିଙ୍କି ନେଇ ଗାଁରେ ଛାଡ଼ିଦେଇ ଆସିଥିଲେ । ଅଫିସ୍‌ରୁ ରିଲିଭ୍‌ ହେବା ଡେରି ଥିଲା ।

 

ଦିନେ ସଞ୍ଜବେଳେ–

 

ସରୋଜବାବୁ ଆଗରୁ ଅନୁରୋଧ କରିଥିଲେ । କଟକ ଯାଇ ବୁଲି ଆସିବାକୁ– କିଣାକିଣି ବୁଲାଚଲା ଆଉ ସିନେମା ଦେଖା । ସରୋଜବାବୁଙ୍କର ସେ ଅନୁରୋଧ ଶଇଳ ସେଦିନ ଭାଙ୍ଗି ପାରି ନଥିଲା । ତାକୁ ସେ ଯେତେ ସାହାଯ୍ୟ କରିଥିଲେ, ମନା କରିଥିଲେ ସେ ହୋଇଥାଆନ୍ତା । କୃତଘ୍ନା । ସେଦିନ ଶୀଘ୍ର ଅଫିସ୍‌ ଛାଡ଼ି ଶଇଳ ସରୋଜବାବୁଙ୍କ ସାଙ୍ଗେ ଯାଇଥିଲା କଟକ । ଗଲାବେଳକୁ ଗଲେ ବସ୍‌ରେ । ଫେରିଲେ ଟ୍ରେନ୍‌ରେ । ରିକ୍‌ସାରେ, ସିନେମା ହଲ୍‌ ଭିତରେ, ଗାଡ଼ିରେ ଆଉ ମଟରରେ ଦିହେଁ ଲଗାଲଗି ହୋଇ ବସିଥାଆନ୍ତି । ଚାଲିଥାଏ କେତେ କେତେ ଆଳାପ ଆଲୋଚନା । କେବଳ କଥାବାର୍ତ୍ତା ଛଳରେ ନୁହେଁ ତୁନି ହୋଇ ବସି ରହିଥିଲା ବେଳେ ବି ସରୋଜବାବୁ କ’ଣ ଅବା ଭାବୁଥାଆନ୍ତି । ଆଖି ଦି’ଟି ତାଙ୍କର କହି ଯାଉଥାଏ କେତେ କେତେ କାହାଣୀ । ତାଙ୍କର ଦରଚିପା ହସ ଓ ଆଖି ଦି’ଟିରୁ ବାହାରି ଆସୁଥାଏ ଅବା ଗୋଟିଏ ବଣୁଆ ପଶୁର ବୁଭୂକ୍ଷା । ତାକୁ ଗୋଟାସୁଦ୍ଧା ଗ୍ରାସ କରିବା ପାଇଁ । ଶଇଳ ସେତେବେଳେ ଥରି ଉଠୁଥିଲା । ରିକ୍‌ସାରେ ଗଲାବେଳେ ଶଇଳର ଠିକ୍‌ ମନେ ଅଛି–ସରୋଜବାବୁଙ୍କ ବାଁ ହାତଟି ତା’ର କାନ୍ଧ ଉପରେ ଆସି ପଡ଼ିଥିଲା । ମାଂସ ଆସ୍ୱାଦନ କରି ସରୋଜବାବୁଙ୍କ ଭିତରର ପଶୁ ସେତେବେଳେ ମାଂସରୁ ସ୍ୱପ୍ନକୁ ଅବା ଚିପୁଡ଼ି ଆଣୁଥିଲା । ସରୋଜବାବୁଙ୍କ ବ୍ୟବହାର ଖରାପ ଲାଗୁଥିଲେ ବି ସେ ଗ୍ରହଣ କରି ନେଉଥିଲା ।

ସେତେବେଳେ ତା’ର ଅନ୍ୟ କିଛି ଉପାୟ ନଥିଲା । କହିବାକୁ ଚାରା ନାହିଁ । ଜାଣିଶୁଣି ସେ ତାଙ୍କ ସାଙ୍ଗେ ଆସିଛି । ଗଲା ଆଗରୁ ସରୋଜବାବୁଙ୍କର ଗୋଟିଏ ବୋଲି ଅନୁରୋଧ । ଆଉ ପୁଣି କେବେ ଦେଖାହବ କି ନାହିଁ ସନ୍ଦେହ । ତଥାପି କଟକ ଆସିଲାବେଳେ ଶଇଳ କଥା ଏତେ ଦୂର ଯିବ ବୋଲି ଆଶା କରି ନଥିଲା । ଯାହା କେବଳ ସାନ୍ନିଧ୍ୟ, ଆଳାପ ଆଲୋଚନା ଓ ସୁଖଦୁଃଖ ।

ଭୁବନେଶ୍ୱର ଫେରି ଆସିଲା ବେଳକୁ ସେଦିନ ରାତି ଏଗାରଟା ଉପରେ । ଟ୍ରେନ୍‌ ସେଦିନ ଡେରିରେ ଆସି ଲାଗିଲା । ଶଇଳର କଥାବାର୍ତ୍ତାରେ କିଛି ହେଲେ ସେଦିନ ବ୍ୟତିକ୍ରମ ହୋଇନି । ହସି ହସି ତାଙ୍କୁ ବିଦାୟ ଦେଇଥିଲା । ସରୋଜବାବୁ ଓ ସେ ନିଜ ନିଜ କ୍ୱାଟର ଚାଲିଲେ-। କିନ୍ତୁ ସରୋଜବାବୁଙ୍କ ସାଙ୍ଗେ ତା’ର ଆଉ କେବେ ଦେଖା ହୋଇନି । ଜାଣିଶୁଣି ସେ ଯାଇନି । ସରୋଜବାବୁ କ୍ୟାପିଟାଲ ଛାଡ଼ି ଛତ୍ରପୁର ଗଲାଦିନ ଡାକିଥିଲେ ବି ଶଇଳ ଷ୍ଟେସନକୁ ଆସିଲାନି । ଛତ୍ରପୁରରୁ ସେ ତିନି ଚାରିଥର ଚିଠି ଦେଲେ । ଶଇଳ ଉତ୍ତର ଦେଲାନି । ସେଇ ଦିନଠୁ ସରୋଜବାବୁଙ୍କୁ ସେ ଘୃଣା କରେ ।

ମନ ଭିତରେ ଲୁଚି ରହିଥିବା ଘୃଣା ଭିତରୁ ଅଳ୍ପ ସମୟ ପାଇଁ ଉଁକି ମାରିଦେଲେ ସରୋଜବାବୁ ।

ଶାଢ଼ିଟାକୁ ତା’ଦିହ ଉପରେ ଭିଡ଼ିଧରି ଶଇଳ ଟେବୁଲ ପାଖକୁ ଗଲାବେଳକୁ ଆଇନା ଭିତର ଦେଇ ଲକ୍ଷ୍ୟ କଲା– ନିଜର ପ୍ରତିବିମ୍ୱ ବଦଳରେ ସେ ଦେଖିବାକୁ ପାଇଲା ସୁରବାବୁଙ୍କର ମୁହଁ । କଳା କାଠ ପଡ଼ିଯାଉଛି । କେତେ କ’ଣ କହିଦେବାକୁ ଇଚ୍ଛା । କହିପାରୁ ନାହାନ୍ତି । ଡାକିଦେବାକୁ ଇଚ୍ଛା, ଅଥଚ ସେ ନୀରବ ଆଉ ନିଶ୍ଚଳ । ସବୁଦିନ ଭଳି ପୋଷାକ ପରିଚ୍ଛଦରେ ତାଙ୍କର ନଜର ନାହିଁ । ଖଣ୍ଡେ ମଇଳା ପ୍ୟାଣ୍ଟ ଓ ହାଓ୍ୟାଇ । ମୁହଁ ଶୁଖେଇ ଭୋକ ପେଟରେ ବୋଧେ ହୋଟେଲ୍‌ ଆଡ଼େ ଯାଉଥିଲେ । ବାଟରେ କ୍ୱାଟର ପଡ଼ିଲା । କେଇ ପଦ ସୁଖ ଦୁଃଖ ହେବାକୁ ଚାଲି ଆସିଲେ ବୋଧେ ।

ଦୁଆର ଖୋଲିଲାବେଳକୁ କେହି ହେଲେ ନ ଥିଲେ । ସୁରବାବୁଙ୍କର ଦେଖା ସାକ୍ଷାତ ନାହିଁ । ସେ ଆସିଗଲେ କି ?

 

ଝରକା ଦେଇ ରାସ୍ତା ଉପରକୁ ଅନେଇଲା ବେଳେ ସେଇଆଡ଼ୁ ତୀର ବେଗରେ ଧାଇଁ ଆସୁଥିଲା ଗୋଟିଏ କାର୍‌ । ମିଃ ମହାନ୍ତିଙ୍କର ଗାଡ଼ିକି ଶଇଳ ଏତେ ଦୂରରେ ଥାଇ ବି ଚିହ୍ନି ପାରିଲା-। ଲୁଗାପଟା ପିନ୍ଧି ସେ ସଜ ହୋଇଥିଲା ସତ କିନ୍ତୁ ହଠାତ୍‌ ତା’ର ଇଚ୍ଛା ହେଲା– ନ ଗଲେ ଭଲ ହୁଅନ୍ତା । ତାଙ୍କୁ ହଁ କରିଦେଇ ସେ ଭୁଲ୍‌ କରିଛି ।

 

କ୍ୱାଟର ଆଗରେ କାର୍‌ ଅଟକେଇ ମିଃ ମହାନ୍ତି ହସ ହସ ମୁହଁରେ ଦାଣ୍ଡ ଦୁଆରେ ଆସି ଠିଆ ହେଲେ । ସେତେବେଳେ ତାଙ୍କ ଆଡ଼ିକି ସେ ଚାହିଁ ପାରୁନଥିଲା । ସାମ୍ନାର ଓ ପାଖଆଖର ଧାଡ଼ି ଧାଡ଼ି କ୍ୱାଟର ଆଡ଼ିକି ଲକ୍ଷ୍ୟ କରୁଥିଲା । କେହି ଲୋକ ବାରେଣ୍ଡାରେ ଠିଆ ହୋଇ ତା’ ଆଡ଼ିକି ଲକ୍ଷ୍ୟ କରୁଛନ୍ତି ନା ନାହିଁ ? କିଏ କ’ଣ ଭାବୁଛି କି କହୁଛି । ସେ ସବୁ କଥାକୁ ଶଇଳର ହାତେ ହାତେ ଡର । ପର ଲୋକଙ୍କ ତୁଣ୍ଡରେ ବାଡ଼ ଦେଇ ହବନି । ମିଃ ମହାନ୍ତି ଆସି ତା’ ଦୁଆରେ-। ଘର ଆଗରେ ପୁଣି ଥୁଆ ହୋଇଛି କାର୍‌ । ନ ଭାବିଲେ ବି ଭାବିବାର କଥା ।

 

ଡେରି କଲେ ପୁଣି ଅସୁବିଧା । ଯେତିକି ବେଶି ସେ ଡେରି କରିବ ଲୋକେ ସେତିକି ବେଶି ଜାଣିବେ । ତାଙ୍କୁ ପୁଣି ମନା କରି ହବନି । ବୁଲିମା’କୁ କହିଦେଇ ଶଇଳ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲା । ଅତି ବେଶି ହେଲେ ଲାଗିବ ଦି’ ତିନି ଘଣ୍ଟା । ଆସିଲେ ଯାଇ ଖିଆପିଆ ।

 

ମିଃ ମହାନ୍ତିଙ୍କର ମେଘାରଙ୍ଗର ମଟର ଗାଡ଼ି ସେଦିନ ଶଇଳକୁ ସାଙ୍ଗରେ ଧରି ମନ ଆନନ୍ଦରେ ନାଚି ନାଚି ଗଡ଼ି ଚାଲିଥିଲା । ପଶ୍ଚିମ ଆକାଶରେ ସୂର୍ଯ୍ୟ ସେତେବେଳେ ଅସ୍ତ ଯାଉଥିଲା ନାଲି ଟହ ଟହ ମୁହଁରେ ହସ ଫୁଟେଇ । କ୍ୟାପିଟାଲ ଉପରକୁ କମଳା ରଙ୍ଗର ପିଚିକାରୀ ମାରି ଖଣ୍ଡଗିରି ପଛଆଡ଼ର ଗଛ ଉହାଡ଼ରେ ସେ ଲୁଚିଗଲା ।

 

ତାଙ୍କର ବୋଧେ ମନେ ନ ଥିଲା । ରାଜପଥ ହେଲାରୁ ଶଇଳ ମନେ ପକେଇ ଦେଲା । ଖଣ୍ଡଗିରି ରାସ୍ତା ଦେଇ ବୁଲି ଯିବାକୁ ପଡ଼ିବ ।

 

ପ୍ରଧାନ ରାସ୍ତାରୁ ଦି’ତିନୋଟି ଧାଡ଼ି ଛାଡ଼ି ଦେଲେ ସୁରର କ୍ୱାଟର । ଚାହୁ ଚାହୁଁ ସେଇ ବାଟ ଦେଇ ଛୁଟିଲା କାର୍‌ । ମିଃ ମହାନ୍ତି ମଟର ଚଳଉଥାଆନ୍ତି । ସାମ୍ନା ସିଟ୍‌ରେ ଶଇଳ ।

 

ମିଃ ମହାନ୍ତି ପଚାରିଲେ– କୋଉଠି ?

 

ଶଇଳ ଗୋଟିଏ କ୍ୱାଟରକୁ ହାତ ବଢ଼େଇ ଦେଲା । ଘରେ ଚାବି ପଡ଼ିଥିଲା । ମିଛରେ କହିଲା ଅମୁକ ସମୁକଙ୍କ ଘର । ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ତା’ର ଆଳାପ ଅଛି ।

 

ତା କରକୁ ଗୋଟିଏ କ୍ୱାଟର । ଯୋଗକୁ ବାରେଣ୍ଡାରେ ସେତେବେଳେ ଠିଆ ରହିଥିଲା ସୁର । ମିଃ ମହାନ୍ତିଙ୍କର ସେ ଆଡ଼ିକି ନଜର ନାହିଁ । ଶଇଳ କିନ୍ତୁ ସୁରକୁ ଦେଖିଛି । ସେତେବେଳେ ତା ମୁହଁ ଉପରେ କେତେ କେତେ ଭାବନାର ଛାଇ ଘୂରି ଯାଉଥିବାର ସେ ମଟର ଭିତରୁ ଲକ୍ଷ୍ୟ କରୁଥିଲା । ଆଖିପିଛୁଳାକେ ଗଡ଼ିଗଲା ମଟର ଗାଡ଼ି ।

 

ଶଇଳ ମନେ ମନେ ଖୁସି ହେଲା– ସୁର ସାଙ୍ଗେ ଦେଖାଟା ଅନ୍ତତଃ ହେଇପାରିଲା । ମିଃ ମହାନ୍ତିଙ୍କ ସାଙ୍ଗେ ତାକୁ ସୁର କେବଳ ଦେଖୁ ଏଇ ଥିଲା ଶଇଳର ଏବାଟେ ଆସିବାର ଉଦ୍ଦେଶ୍ୟ । ଇଚ୍ଛାଟା ତାର ପୂର୍ଣ୍ଣ ହୋଇପାରିଲା ।

 

ମିଃ ମହାନ୍ତିଙ୍କ ମନରେ ଏଣେ ଧାରଣା ଦେଲା– ଯାହାଙ୍କୁ ଖୋଜି ଆସିଥିଲା, ପାଇଲାନି-

 

ଅଫିସ ଫେରନ୍ତା ଅଗଣିତ କାର୍‌ ସେତେବେଳେ କଟକ ଆଡ଼େ ଛୁଟିଥାଏ । ତା’ ସାଙ୍ଗେ ଟ୍ରାନ୍‌ସପୋର୍ଟ ବସ୍‌ । ଲୋକବାକରେ ଭରପୂର । ଯା’ ଆସ କରିବାରେ ବ୍ୟସ୍ତ । ପ୍ରତି ଦୁଇ ପାଞ୍ଚ ମିନିଟ୍‌ରେ ଥରେ ଥରେ । କଟକ ଭୁବନେଶ୍ୱର ରାସ୍ତାରେ ରେଲ ଲାଇନ୍‌ କରେ କରେ ତୀର ବେଗରେ ଦଉଡ଼ିଥାଏ ତାଙ୍କର କାର୍‌ ।

 

ମିଃ ମହାନ୍ତିଙ୍କ ଓଠ ଧାରରେ ଲାଗି ରହିଥାଏ ସେତେବେଳେ ଦରଚିପା ହସ । ଷ୍ଟିଅରିଂ ଧରି ବେଳେ ବେଳେ ସେ କରେଇ ଚାହୁଁ ଥାଆନ୍ତି ଶଇଳ ଆଡ଼େ ।

 

କାର୍‌ରେ ଦି’ଜଣ ବସି ରହିଥିଲେ ତୁନି ତୁନି ଯିବାକୁ ଅଡ଼ୁଆ ଲାଗେ । କିଛି ନା କିଛି କଥା ଭାଷା ଦରକାର ।

 

ନୀରବତା ଭାଙ୍ଗି ସେ ପ୍ରଶ୍ନ କଲେ– ବାପା କ’ଣ ଭଲ ଅଛନ୍ତି ।

 

ମୁଣ୍ଡ ହଲେଇ ଶଇଳ ହଁ କଲା ।

 

ତା’ ହେଲେ ଡକେଇ ଥିଲେ କାହିଁକି ?

 

ଶଇଳ ଉତ୍ତର ଦେଲାନି । ମୁଣ୍ଡ ପୋତି କାର୍‌ ଭିତରକୁ ଲକ୍ଷ୍ୟ କରୁଥିଲା ।

 

ଠିକ୍‌ ଏତିକିବେଳେ କଟକଆଡ଼ୁ ଧୁଆଁ ଉଡ଼େଇ ଧାଇଁଗଲା ଗୋଟିଏ ମାଲଗାଡ଼ି । ଶଇଳ କାର୍‌ ଭିତରୁ ଗାଡ଼ିଟାକୁ କେବଳ ଚାହୁଁଥିଲା । ଘର ଘର ହୋଇ ଗଡ଼ି ଚାଲିଛି ମାଲଗାଡ଼ି । ଶହ ଶହ ଘଟଣାକୁ ମନ ଭିତରେ ପୁରେଇ ଜୀବନ ଆଗେଇ ଚାଲିଲା ଭଳି ।

 

ଶଇଳର ମନେ ପଡ଼ିଗଲା ସୁଷମା ଦେବୀ–

 

ମିଃ ମହାନ୍ତିଙ୍କର ପ୍ରଥମ ସ୍ତ୍ରୀ । ପାଞ୍ଚବର୍ଷ ଘର କରିଛନ୍ତି । ଗୋଟିଏ ବୋଲି ପୁଅ ଅଜୟ-। ଡେରାଡୁନରେ ପଢ଼ୁଛି । ବର୍ଷକେ ମାସେ କି ପନ୍ଦରଦିନ ଘରକୁ ଆସେ । ସୁଷମା ଦେବୀଙ୍କର ଦ୍ୱିତୀୟ ପ୍ରସବ ବେଳେ ଡାକ୍ତରଖାନାରେ ଚିରଦିନ ପାଇଁ ସେ ଆଖି ବୁଜି ଦେଇଛନ୍ତି । ଜନ୍ମ କରିଥିଲେ ଗୋଟିଏ ଝିଅ । ଦିନେ ଦି’ଦିନ ପରେ ସିଏ ବି ମା’ ପାଖକୁ ବିଦାୟ ନେଲା । ଅଜୟକୁ ସେତେବେଳେ ତିନିବର୍ଷ ଚାଲୁଥିଲା । ବଡ଼ ହେବା ଯାଏ ସେ ରହିଲା ମାମୁଁ ଘରେ । ଦି’ବର୍ଷ ହେଲା ଯାଇଛି ଡେରାଡ଼ୁନ୍‌ । ଦ୍ୱିତୀୟ ପକ୍ଷ ବିବାହ ପାଇଁ ସେତେବେଳେ କେତେ କେତେ ପ୍ରସ୍ତାବ ଆସିଥିଲା । ମହାନ୍ତିବାବୁ କିନ୍ତୁ ମନା କଲେ । ସଂସାର ଜଞ୍ଜାଳ ଭିତରେ ଯିଏ ଥରେ ପଶିଛି-। ଆଉ ଥରେ ତା’ ଭିତରେ ଲଟରପଟର ହେବାକୁ ସେ ଇଚ୍ଛା କରେନି । ମନା କରିବାର ପ୍ରଧାନ କାରଣ ହେଲା ଅଜୟ । ତାକୁ ମଣିଷ କରି ସାରିଲା ପରେ ଏବେ ତାଙ୍କର ନିଦ ଭାଙ୍ଗିଛି । ଆହା ପଦେ କରିବାକୁ କେହି ହେଲେ ପାଖରେ ନାହାନ୍ତି । ପୁଣି ରୋଗ ବୈରାଗ ଅଛି । ପ୍ରଥମ ଅବସ୍ଥାରେ ନିଜ ପ୍ରତିଜ୍ଞାରେ ଅଟଳ ରହି ହୁଏ । ବୟସ ଗଡ଼ି ଚାଲିଲେ ଜୀବନର ହିସାବ ନିକାଶ କରିବାକୁ ପଡ଼େ । ନଥିଲେ ଚାରିଆଡ଼ ହା–ହୁତାଶ ମନେ ହୁଏ । ଚପଳ ଅବସ୍ଥା ଡେଇଁ ମଣିଷ କେତେବେଳେ ପ୍ରୌଢ଼ ହେବାକୁ ଯାଏ ସ୍ତ୍ରୀର ଦରକାର ସେ ସମୟରେ ବେଶି । ସ୍ତ୍ରୀ ଯେପରି ଅବା ନିଜର ଗୋଟିଏ ଅପରିହାର୍ଯ୍ୟ ଅଙ୍ଗ । ଘରଟିକି ସଜାଡ଼ି ରଖିବାକୁ ଦରକାର ସ୍ତ୍ରୀ, ଧର୍ମପତ୍ନୀ, ଅର୍ଦ୍ଧାଙ୍ଗିନୀ ।

 

ଶଇଳ ପରସ୍ପରରେ ଏ ସବୁ ଶୁଣିଥିଲା ।

 

ତୀର ବେଗରେ ଧାଇଁଥିଲା କାର୍‌ । ପାଖକୁ ଲାଗି ବସି ଥାଆନ୍ତି ମିଃ ମହାନ୍ତି । ବଡ଼ ଚାକିରୀ, ମୋଟା ଦରମା, ଖାତିରୀ, ସାମାଜିକ ସମ୍ମାନ, ବ୍ୟାଙ୍କ ବାଲାନ୍‌ସ ଓ ପ୍ରାଚୁର୍ଯ୍ୟ ସବୁ କିଛି ତାଙ୍କର ଅଛି । ତାଙ୍କ ସାଙ୍ଗେ ନିଜର ଭବିଷ୍ୟତକୁ ଖଞ୍ଜିଦେଲେ ଆଉ ଭାବିବାର ନାହିଁ । ସମସ୍ତଙ୍କ ସାଙ୍ଗେ ସେ ଜଣେ ବୋଲି ଗଣାହବ । ବାରଲୋକେ ବାରକଥା କହିବେ । ସେ ସବୁ ନ ଶୁଣିଲେ ଗଲା । ଡଅଁର ଭିତରେ ପଡ଼ିଥିବା ନାହାକୁ ସୁଅ ମୁହଁରେ ଛାଡ଼ିଦେବା ଅପେକ୍ଷା କୂଳରେ ଲଗେଇଦେବା ଭଲ ।

 

ମିଃ ମହାନ୍ତି ପଚାରିଲେ– ଆଚ୍ଛା ଶଇଳ ! କଣ ତୁମେ ଭାବୁଛ ?

 

ଆଉ କ’ଣ ? ଶଇଳ ବେଶି କିଛି କହିଲାନି ।

 

ତୁମେ ସୁଖୀ ହୋଇପାରିବ ?

 

କାହିଁକି ନୁହେଁ ?

 

ଶଇଳର ମୁହଁ ଉପରକୁ ଦଲ୍‌କେ ହସ ଛାଟି ଦେଇ ମିଃ ମହାନ୍ତି ମଟରର ସ୍ପିଡ୍ ବଢ଼େଇ ଦେଲେ । ତିରିଶ୍‌ ମାଇଲରୁ ପଞ୍ଚତିରିଶ ଓ ପଞ୍ଚତିରିଶରୁ ଚାଳିଶ ମାଇଲ୍‌ ।

 

ସନ୍ଧ୍ୟାର ଅନ୍ଧକାର ରାସ୍ତା କଡ଼ରୁ ଗଛପତ୍ର ଭିତରୁ ଡେଣା ମେଲେଇ ସେତେବେଳେ ଚାରି ଦିଗକୁ ଉଡ଼ି ଆସୁଥିଲା ।

 

ହଠାତ୍‌ ରାସ୍ତା କରର ବିଜୁଳିବତୀ ସବୁ ଜଳି ଉଠିଲା । ଫୁଲ ନଖରା ଡେଇଁ ଗାଡ଼ି ତାଙ୍କର ଆଗେଇ ଚାଲିଲା । କାଠଯୋଡ଼ି ଆଡ଼େ ।

 

ରାତ୍ରୀର କାଳିମା ସେତେବେଳେ ଚଉଦିଗରେ ଘୋଟି ଯାଇଥିଲା । ସେଇ ଅନ୍ଧକାର ଭିତରେ ଶଇଳ ଓ ମିଃ ମହାନ୍ତିଙ୍କର ହସ ମିଶିଯାଇ ରାସ୍ତା କରର ବିଜୁଳୀ ଆଲୁଅକୁ ଅବା ଉପହାସ କରୁଥିଲା ।

 

ଶଇଳକୁ ମିଃ ମହାନ୍ତିଙ୍କର କାର୍‌ ଭିତରେ ଦେଖି ସୁର ପ୍ରଥମେ ତା’ ଆଖିକି ବିଶ୍ୱାସ କରି ପାରିଲାନି । ସେଇଥିପାଇଁ ତା’ ହେଲେ ସେ ଅଫିସ୍‌ରୁ ଶିଘ୍ର ଚାଲି ଆସିଥିଲା ? ତା’ର ମନେ ପଡ଼ିଲା– ମିଃ ମହାନ୍ତିଙ୍କର ରୁମ୍‌ ଭିତରେ ଶଇଳର ଘଣ୍ଟା ଘଣ୍ଟା ଧରି ଆଲୋଚନା । ସେ ବେଶ୍‌ ଠଉରେଇ ନେଲା– କଥାବାର୍ତ୍ତାଟା ତା’ ହେଲେ ଅଫିସ୍‌ ବିଷୟରେ ହୁଏନି ? ମିଃ ମହାନ୍ତି ତ ବାହାରକୁ ବେଶ୍‌ କଡ଼ା ଅଫିସର ? କାମଦାମକୁ ତ ଭାରି ଦକ୍ଷ ? କେତେ କେତେ ଲୋକ ଏ ବିଷୟରେ ଟୁପଟାପ୍‌ ହେଉଥିବାର ସେ ଆଗରୁ ଶୁଣିଥିଲା । କିନ୍ତୁ ସେ ସବୁକୁ ସୁର କାନ ଦିଏନି । ଅନେକ ଧରଣର ଏମିତି ଲୋକ ଅଛନ୍ତି, ଯୋଉମାନଙ୍କର ପ୍ରକୃତି ହେଲା– ଭଲ କଥାରୁ ମନ୍ଦର ଖିଅ ବାହାର କରିବା । ମିଛରେ ଗୁଡ଼େ ଅପବାଦ ସୃଷ୍ଟି କରିବା ହେଲା, ଏମାନଙ୍କର ବେଉସା । ସେ ସବୁରେ ସେମାନେ ଧୁରନ୍ଧର । କେବଳ ସେତିକି ନୁହେଁ । ସେ ସବୁ ହେଲା ସେମାନଙ୍କର ଉପାଦେୟ ଖାଦ୍ୟ । ପର ନାଁରେ ଚୁଗୁଲି ପକେଇ, ଚର୍ଚ୍ଚା କରି ସେମାନେ ଆନନ୍ଦ ପାଆନ୍ତି ।

 

କିନ୍ତୁ କଥାଟା ଆଉ ତାକୁ ମିଛ ବୋଧ ହେଲାନି । ତା ଆଖି ଆଗରେ ସେମାନେ ପାଖକୁ ପାଖ ଲଗାଲଗି ହୋଇ ବସି କୋଉଆଡ଼େ ଚାଲିଗଲେ । ସୁର ବୁଲିପଡ଼ି ପଛ ଆଡ଼ିକି ଚାହିଁଲା ବେଳକୁ କାର୍‌ଟା ତାଙ୍କର ରାସ୍ତାର ମୋଡ଼ ବୁଲି ରାଜପଥ ଆଡ଼ିକି ଆଗେଇଲାଣି । ଦଉଡ଼ିଯାଇ ସେ ରାସ୍ତାର ମୋଡ଼ ମୁଣ୍ଡରେ ଅନେଇଲା । ରେଲ ଓଭର ବ୍ରିଜ୍‌ ଦେଇ କାର୍‌ଟା ସେତେବେଳେ ଛୁଟିଥିଲା କଟକ ଆଡ଼େ ।

 

ମନ ଭିତରେ ତା’ର ଭରିଗଲା ଖାଲି ଘୃଣା । ଶଇଳ ଉପରେ– ପାଠୋଇ ଝିଅମାନଙ୍କ ଉପରେ । ଯୋଉମାନେ ପାଠଶାଠ ପଢ଼ି, ଡିଗ୍ରୀ ହାସଲ କରି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଚେଷ୍ଟା କରନ୍ତି । ବେଶବାସ ଦେଖେଇ ଚାକଚିକ୍‌କଣ ଓ ପାଠପଢ଼ାର ମୁଖା ପିନ୍ଧି ଏଇ ସବୁ ହେଲା ସେମାନଙ୍କର କାମ । ଏମିତି ଚାକିରିବାକିରୀ କରି ଲାଭ ଆଉ କ’ଣ ?

 

ଛି–ଛି–ଛି–ସୁରର ମନ ଭିତରଟା ବିଷାକ୍ତ ହୋଇ ଉଠୁଥିଲା ।

 

ଆଉ କୁଆଡ଼େ ବୁଲିଯିବାକୁ ତା’ର ଇଚ୍ଛା ନ ଥିଲା । ରାସ୍ତାର ମୋଡ଼ ମୁଣ୍ଡରୁ ଫେରିଲା ତା’ କ୍ୱାଟର ଆଡ଼େ ।

 

ଖାଲି ଶଇଳ ଶଇଳ ହୋଇ କେତେଦିନ ସେ ବିନା କାମରେ ବିତେଇ ଦେଇଛି । ଅଫିସରେ ଆସି ଯୋଗଦେଲା ଦିନୁ ତା ବିଷୟରେ ଭାବି ଭାବି କ୍ୟାପିଟାଲର ନିରସ ଓ ପ୍ରାଣହୀନ ଜୀବନ ପ୍ରଥମେ ପ୍ରଥମେ ସେ ଭୁଲି ଯାଇଥିଲା । ତା କଥା ଯେତିକି ଯେତିକି ସେ ଭାବୁଥିଲା, ଶଇଳ ସେତିକି ସେତିକି ରହସ୍ୟ ଭଳି ମନେ ହେଉଥିଲା । ତା’ ବିଷୟରେ ସୁରର କେମିତି ଗୋଟିଏ ଉଚ୍ଚ ଧାରଣା ଥିଲା । କେତେ କେତେ ଝିଅପିଲା ସେ ଦେଖିଛି ଯୋଉମାନେ ପାଠପଢ଼ି ଚାକିରୀବାକିରି କରୁଛନ୍ତି । କିନ୍ତୁ ଶଇଳ ଭଳି ଝିଅଟିଏ ମିଳିବା ମହାନ୍‌ କଷ୍ଟ । ଏତେ ଲୋକଙ୍କ ଭିତରେ ସେ ଏକଲା ରହିଥିଲା । ଅଥଚ କେହି ତା’ କଥା ଜାଣୁ ନଥିଲେ କି ତା’ ବିଷୟରେ କୋଉଠି ଚର୍ଚ୍ଚା କରୁଥିବାର ସେ କେବେ ଶୁଣି ନଥିଲା । ନିଜର ସୁଖ ଓ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ବାପ ମା’ ଓ ସାନଭାଇଟିକି ମଣିଷ କରିବାପାଇଁ ଓ ପୋଷିବାପାଇଁ ଚାକିରୀ ଜୀବନକୁ ସେ ବାଛିଥିଲା । କେବଳ ସେଇଥିପାଇଁ ଶଇଳକୁ ସେ ଏତେ ଭଲ ପାଏ । ମନେ ମନେ ତାକୁ ଉଚ୍ଚସ୍ଥାନ ଦିଏ । ସବୁ ଝିଅଙ୍କଠୁ ତାକୁ ଅଲଗା ବୋଲି ଭାବେ । ମଣିଷର ମନ ଭିତରେ କିଏ ଅବା ପଶି ପାରିବ ? ପୁଣି ସ୍ତ୍ରୀ ମନ ? ସୁର କ୍ୱାଟର ଆଡ଼େ ଫେରୁ ଥିଲାବେଳେ ପଛ କଥା ଗୁଡ଼ାକ ତା’ମନ ଭିତରେ ଖାଲି ଲହଡ଼ି ଭାଙ୍ଗିବାରେ ଲାଗିଥିଲା । ସିଧା ଆସି ସେ ପହଞ୍ଚିଗଲା ଗୋପାଳବାବୁଙ୍କ ଘରେ । ଆଶ୍ଚର୍ଯ୍ୟ ହେଲା ସୁର । ସିଏ ତା କ୍ୱାଟର ଆଡ଼େ ଯାଉଥିଲା । ଗୋପାଳବାବୁଙ୍କ ଘର ଆଗକୁ ଅବା କେମିତି ? କେଇ ପଦ ଆଗେଇ ଗଲେ ତା ନିଜ କ୍ୱାଟର । ସୁର ଫେରି ଯାଉଥିଲା ।

 

ଗୋପାଳବାବୁ ଡାକ ପକେଇଲେ । ଆସନ୍ତୁ–ଆସନ୍ତୁ–ଆଉ ସବୁ କ’ଣ ଭଲ ? ଗୋପାଳବାବୁ ପଚାରିଲେ ?

 

ସେମିତି । ଗୋଟେ ପ୍ରକାର ।

 

ଆସନ୍ତୁ, ଚା’ଟିକେ ।

 

ସୁର ସିଧା ଯାଇ ବସିଗଲା ଚଉକି ଉପରେ । ମନ ଭିତରେ ପଶିଗଲା ମନି । କୋଉଠି ସିଏ ଠିଆ ହୋଇଥିବା କି ଚାହିଁଥିବ ? ସୁର ଏ ସବୁ ଭାବୁଥିଲା । ମୁଣ୍ଡ ଟେକି ଚାହିଁପାରୁ ନଥିଲା ।

 

ଗୋପାଳବାବୁ ଘର ଭିତରକୁ ପଶିଗଲେ ।

 

ସୁର ଚଉକି ଉପରେ ବସି ରହି ଶୁଣିବାକୁ ପାଇଲା– ସ୍ୱାମୀ ସ୍ତ୍ରୀ ଦି’ଜଣଙ୍କର ଫୁସ୍‌ଫାସ୍‌ କଥାବାର୍ତ୍ତା । ବିଭାଗର କଥା ବୋଧେ ପକେଇ ଥାଆନ୍ତି । ବାପାଙ୍କୁ ସେ ମନା କରି ଦେଇଥିବା ବିଷୟ ସେମାନେ ଊଣା ଅଧିକେ ଶୁଣିଥିବେ ।

 

ଦୁଆର ଝରକାର ଫାଙ୍କ, ଘର ଆଗର ଫୁଲ ବଗିଚା ଓ ସାକଶବଜି ଉପରେ ସୁରର ଆଖି ଯାଇ ଲଟେଇ ପଡ଼ିଥିଲା । ମନି ସାଙ୍ଗେ କାଳେ ଦେଖା ହୋଇପାରେ ?

 

ରାସ୍ତା ଉପରେ ଛୁଟିଗଲା ଗୋଟିଏ କାର୍‌ । ଫେରି ଆସିଲା ଅବା ଶଇଳ ? ଝରକା ଦେଇ ବାହାରକୁ ଅନେଇଁଲା । ମିଃ ମହାନ୍ତିଙ୍କର ନୁହେଁ । ଆଉ ଜଣଙ୍କର । ତା’ର ଅଜଣା ।

 

କାନ୍ଥରେ ଟଙ୍ଗା ଗୋଟିଏ ଛବି ଉପରେ ତା’ର ନଜର ପଡ଼ିଗଲା । ନୃତଂରତ ମୟୂରମୟୂରୀ । ଗଛ ଉପରେ ଲଟେଇ ଯାଇଛି ଗୋଟିଏ ଲତା ଲେନ୍ଥା ଲେନ୍ଥା ଫୁଲ ଡାଳ ଉପରେ ଝୁଲି ପଡ଼ିଛି । ଗଛ ଆରପଟୁ ଉଇଁ ଆସୁଛି ଚନ୍ଦ୍ର । ଛବି ତଳକୁ ଲେଖା ଥିଲା ‘ମନି’ । ତା’ର ହାତବୁଣା । ଟେବୁଲ କ୍ଳଥ ଓ ଦୁଆର ଝରକାର ପରଦା ଆଦି ସବୁଥିରେ ‘ମନି’ର ନାଁ । ସରୁ ସୂତା କାମ କନାରେ ଫୁଲ ଓ ଲତା ପକେଇବା ମନିକି ବୋଧେ ଭଲ ଭାବରେ ଜଣା । ଗୋପାଳବାବୁ ସେଦିନ କହୁଥିଲେ– ମନି ମାଟ୍ରିକ୍‌ ଯାଏ ପାଠ ପଢ଼ିଛି । ଦଶମ ଶ୍ରେଣୀ ପରେ ପାଠପଢ଼ା ତା’ର ବନ୍ଦ ହୋଇଥିଲା । ଗୋପାଳବାବୁଙ୍କର ଇଚ୍ଛା ଥିଲେ ବି ତାଙ୍କ ସ୍ତ୍ରୀଙ୍କ ଯୋଗୁ ପଢ଼ାପଢ଼ିରେ ଡୋରୀ ବନ୍ଧା ହୋଇଥିଲା ।

 

ମନେ ମନେ ଶଇଳ ଓ ମନି ଦିହିଁଙ୍କି ସେ ତୁଳନା କରୁଥିଲା । ଜଣେ ନିରୀହ ଛେଳିଛୁଆ ଭଳି ବାଧ୍ୟ । କାନ କାଟିଲେ ବଚନ ବାହାରିବନି । ସ୍ୱାମୀ ସାଙ୍ଗେ ନିଜର ମନ ଓ ଶରୀର ତା’ର ଯୋଖିଦେବ । ଇହକାଳ ଓ ପରକାଳ ଯାଏ । ନିଜ ଗୋଡ଼ରେ ଠିଆ ହେବାର ତାର ଶକ୍ତି ନାହିଁ । ନିଜର ସ୍ୱତନ୍ତ୍ର ଇଚ୍ଛା ଅଛି ବୋଲି ବି ତା’ କହି ହେବନି । ଯିଏ ପାଖରେ ଥିଲେ ମଣିଷ ସୁଖ ଦୁଃଖ କ’ଣ ଜାଣି ପାରେନି । ଜୀବନ ତରୀଟିକି ଯାହା ସାଙ୍ଗେ ଆସ୍ତେ ଆସ୍ତେ ବାହି ନେବାକୁ ପଡ଼େ । ଆଉ ଜଣେ ଠିକ୍‌ ଓଲଟା । ଅନ୍ୟ ଜଣଙ୍କ ଉପରେ ତାକୁ ନିର୍ଭର କରିବାକୁ ପଡ଼େନି । ମନ ତା’ର ଗୃହମୁଖୀ ନୁହେଁ । ସ୍ୱାଧୀନ ଆକାଶର ପକ୍ଷୀ ଭଳି ସେ ଚାରିଆଡ଼େ ଉଡ଼ି ବୁଲିବାକୁ ଚାହେଁ । ଘରେ ଆଣି ତାକୁ ବାନ୍ଧି ରଖିବା କଷ୍ଟକର ବ୍ୟାପାର । ନିର୍ଭର କରୁଥିଲେ ଅଲଗା କଥା ତା’ହାତରେ ସେ ଚଉଦପା’ । ଇଚ୍ଛା ଆଉ ମନକୁ ତା’ର ପରିବାରର ଗଣ୍ଠି ଭିତରେ ରୋକି ହେବନି । ଅଥଚ ତାକୁ ପାଇ ପାରିଲେ ଅଭାବ ଅସୁବିଧା କେତେ ପରିମାଣରେ ଉଭେଇଯିବ । ଦି’ଜଣଙ୍କ ରୋଜଗାର ଘରେ ଆସି ପଶିବ । ପିଲାପିଲିଙ୍କି ମଣିଷ କରିହବ । ଜୀବନକୁ ଉପଭୋଗ କରିହେବ ଜୀବନ ଭଳି ।

 

ଗୋପାଳବାବୁ ଦି’ଟି ପ୍ଳେଟରେ ନେଇ ଆସିଲେ ଜଳଖିଆ । ଘରେ ତିଆରି । ଏତେ ଶିଘ୍ର ସେମାନେ କେମିତି ଯେ ଜଳଖିଆଟା ତିଆରି କରିଦେଲେ ସୁର ସେଇ କଥାଇ ଭାବୁଥିଲା ।

 

ଅଫିସରୁ ଫେରି ସେ ଜଳଖିଆ କରି ନଥିଲା । ଜଳଖିଆ ସାଙ୍ଗକୁ ଚା’ ।

 

ଶୁଣୁଥିଲି– ତୁମର ପ୍ରମୋଶନ ହୋଇଯାଇଛି ? ଗୋପାଳବାବୁ ପଚାରିଲେ ।

 

ହଁ ଆଜ୍ଞା ।

 

ଯା’ ହଉ କିଛି ଗୋଟେ ସୁବିଧା ହେଲା ।

 

ସୁବିଧା ଆଉ କ’ଣ ?

 

ଦରମା କେତେଟା ଟଙ୍କା ତ ବେଶି ମିଳିଲା ।

 

କିଛି ନ କହି ସୁର ଚୁପ୍‌ ରହିଲା ।

 

ବାପାଙ୍କଠୁ ଚିଠି ପାଇଥିଲେ ?

 

ଚା’ କପରେ ଓଠ ଲଗଉ ଲଗଉ ସୁର କହିଲା– କାଇଁ ନାଇଁ ତ ? ଆପଣଙ୍କ ପାଖକୁ ବାପା ଚିଠି ଦେଇଥିଲେ ?

 

ଦେଇଥିଲେ । ତିନିଦିନ ହେଲାଣି ।

 

ତୁମ ଉପରେ ସବୁକିଛି ଛାଡ଼ି ଦେଇଛନ୍ତି ।

 

ମତେ ?

 

ଦୁଆର ବନ୍ଧ ଆଡ଼ିକି ଥରୁଟିଏ ଅନେଇ ସୁର କହିଲା– ବାପାଙ୍କ ପାଖକୁ ଆପଣ ଲେଖି ଦିଅନ୍ତୁ ।

 

ତା’ମାନେ ?

 

ମୋର ଆପତ୍ତି ନାହିଁ ।

 

ଚାହା କପ୍‌ଟା ଥୋଇ ଦେଇ ସୁର ଚଉକି ଉପରୁ ଉଠି ଯାଉଥିଲା ।

 

ଦୁଆର ଆରପଟୁ କାଚ ଥାଳିଆରେ କିଏ ଜଣେ ପାନ ଦେଉଥିବାର ଲକ୍ଷ୍ୟ କଲା । ବୋଧେ ମନିର ବୋଉ । ଗୋପାଳବାବୁ ଝପଟିଯାଇ ପାନ ନେଇ ଆସିଲେ ।

 

ଆଉ କିଛି ବେଳ ବସିବାକୁ ସେ ଅନୁରୋଧ କରୁଥିଲେ । ସୁର କହିଲା କାମ ଅଛି । ବାପାଙ୍କ ପାଖକୁ ଚିଠି ଲେଖିବାକୁ କହି ଫେରିଗଲାବେଳେ ଗୋପାଳବାବୁ ଆଉ କେତେ କ’ଣ ପଚାରି ଆସୁଥିଲେ–?

 

ମନି ସେତେବେଳେ ଝରକା ପାଖରେ ଠିଆ ହୋଇ ଘର ଆଗର ଖୋଲା ପଡ଼ିଆଟା ଆଡ଼ିକି ବୋଧେ ଚାହୁଁଥିଲା । ଆକାଶର ଚଲା ବାଦଲ ଉପରେ ଲାଗି ରହିଥିଲା ତା’ର ଆଖି ।

 

ଘରୁ ଫେରି ଯାଉ ଯାଉ ସୁରର ନଜର ପଡ଼ିଗଲା । ମନିକି ସେ ଦେଖି ବି ଭଲରୂପେ ଦେଖି ପାରିଲାନି ।

 

କାମ ଅଛି ବୋଲି କହି ସୁର ଗୋପାଳବାବୁଙ୍କ ଘରୁ ବିଦାୟ ନେଇ ଆସିଥିଲା । ପ୍ରକୃତରେ ତା’ର କିଛି ହେଲେ କାମ ନଥିଲା । ନିଜ କ୍ୱାଟରର ଚାବି ଖୋଲିଲେ ସେମାନେ ଖରାପ ଭାବି ପାରନ୍ତି ଭାବି ବାଁପଟ ରାସ୍ତା ଦେଇ ସେ କରେ କରେ ଆଗେଇ ଚାଲିଲା । ରେଳଷ୍ଟେସନ, ମଟରଷ୍ଟାଣ୍ଡ୍‌, ମାର୍କେଟ୍‍ବିଲ୍‌ଡ଼ିଂ କି ହାଟ ଆଡ଼େ । ଯେଉଁଠି ସବୁ ଲୋକ ସମାଗମ । ମଣିଷ ସମାଗମ ଦେଖି ସେ ମଣିଷକୁ ଭୁଲିଯିବାକୁ ଚାହେଁ ।

 

ଶଇଳଟା ଏତେ ଖରାପ ହୋଇପାରେ ବୋଲି ସୁର ସ୍ୱପ୍ନରେ ବି ଭାବି ନଥିଲା । କଥାବର୍ତ୍ତାରୁ ତା’ର ଜଣାପଡ଼େ ଝିଅଟା ଭାରି ଖୋଲା । ଭିତର ଆଉ ବାହାର ଏକାଭଳି । ତା’ଛଡ଼ା ବେଶି ଲୋକବାକଙ୍କ ସାଙ୍ଗରେ ସେ କଥାବାର୍ତ୍ତା କରେନି । ନିଜକୁ ସଦାବେଳେ ଦୂରେଇ ରଖେ । ସୁର ବି ନିଜେ ଠିକ୍‌ ତାଆରି ଭଳି । ନିଜ ଦୁଃଖ ନେଇ ନିଜେ ପଡ଼ିଥାଏ । ସେମିତି ଅନ୍ତରଙ୍ଗ ନ ହେଲେ ନିଜ କଥା କାହା ଆଗରେ କହେନି । କେବଳ ଶଇଳ ଛଡ଼ା । ତା’ ପାଖେ ନିଜର କୌଣସି କଥା ସେ ଲୁଚେଇ ନ ଥିଲା । ଶଇଳ ବି ଠିକ୍‌ ତା’ରି ଭଳି ।

 

ଅଥଚ ମିଃ ମହାନ୍ତିଙ୍କ ସାଙ୍ଗେ ତା’ର ସମ୍ପର୍କଟା ସେ କେବେହେଲେ କହିନି । କହିବ ଅବା କେମିତି ? ତା’ ହେଲେ ଏତେଦିନ ହେଲା ସେ ଛଳନା କରୁଥିଲା ?

 

ସୁର ପନିପରିବା ହାଟ ପାଖରେ ପହଞ୍ଚି ଦେଖିଲା– ଅସଂଖ୍ୟ ଲୋକ । ହାତରେ ବ୍ୟାଗ ଝୁଲେଇ ଯିଏ ଯାହାର ସଉଦା କରିବାରେ ବ୍ୟସ୍ତ । ହାଟ ଏବେ ସପ୍ତାହରେ ତିନିଥର ହେଲାଣି । ପ୍ରଥମେ ପ୍ରଥମେ ସପ୍ତାହରେ ଥରେ ବସୁଥିଲା । ଆଗ କ୍ୟାପିଟାଲରେ ବେଶି ଲୋକ ସମାଗମ ନ ଥିଲା କି ବେଶି ବିକାକିଣା ନଥିଲା । ଅବସ୍ଥା ଏବେ ବଦଳି ଗଲାଣି । ରାସ୍ତାଘାଟ ଗହଳି ହେଲାଣି । ବସିଲାଣି କେତେ କେତେ ନୂଆ ଦୋକାନ ।

 

ଖାଲି ପନିପରିବା ତ ନୁହେଁ– ମାଛ ଶୁଖୁଆ ଡାଲି, ଚାଉଳ, ମସଲା ମସଲି ଓ ମନୋହାରୀ ଉଠା ଦୋକାନ । କେତେ କେତେ ଆସ୍ଥାନ ଜମେଇ ଏବେ ସେଠି ରହିଯିବାକୁ ଆରମ୍ଭ କଲେଣି । ତା’ଛଡ଼ା ଅସଂଖ୍ୟ ବଳଦଗାଡ଼ି ହାଟ ପାଖରେ ଦେଖିବାକୁ ମିଳିଲା । ପାଖଆଖ ଗାଁ ଗଣ୍ଡାର ଲୋକେ ପନିପରିବା ବୋଝେଇ କରି ହାଟକୁ ବିକିବାକୁ ଆଣିଥାଆନ୍ତି ।

 

ହାଟ ଭିତରକୁ ପଶିଗଲା ବେଳେ ସେ ଦେଖିବାକୁ ପାଇଲା– ତିନି ଚାରିଜଣ କାବୁଲି । ମୁଣ୍ଡରେ ଠେକା ଭିଡ଼ି ଦାଢ଼ି ଲମ୍ବେଇ ହାଟର ଫାଟକ ପାଖରେ ସେମାନେ ଠିଆ ହୋଇଥାଆନ୍ତି । ସେମାନଙ୍କର କିଣାକିଣି ନ ଥିଲା । କାହାକୁ ବୋଧେ ଅପେକ୍ଷା କରି ଥାଆନ୍ତି ।

 

ଫାଟକ ଦେଇ ହାଟ ଭିତରକୁ ଗଲାବେଳେ ସୁର ବୁଲି ବୁଲି ସେଇମାନଙ୍କ ଆଡ଼ିକି ଖାଲି ଚାହୁଁଥିଲା । ଦେଖିଲା– ତା’ ଭିତରୁ ଜଣେ ତାକୁ ହାତ ଠାରି ପାଖକୁ ଡାକୁଛି । କଥା କ’ଣ ? ମୋ ସାଙ୍ଗରେ ତା’ର କି କଥାବାର୍ତ୍ତା ? ତା ସହିତ ତ ମୋର ଆଳାପ ନାହିଁ ?

 

କାବୁଲି ଜଣଙ୍କ ହସି ହସି ପଚାରିଲା– ଗୋପାଳବାବୁଙ୍କ ଠିକଣା । ତାଙ୍କର କ୍ୱାଟର କୋଉଠି ? ହାଟକୁ ଆସିଛନ୍ତି ନା ନାହିଁ ?

 

ସୁର ପଚାରିଲା– କୋଉ ଗୋପାଳବାବୁ ।

 

ଅଫିସ ଠିକଣାରୁ ଜଣା ପଡ଼ିଗଲା ।

 

ମନିର ବାପା ଗୋପାଳବାବୁ । ଯାହାଙ୍କ ଘରୁ ସେ ଚା’ ଜଳଖିଆ ଖାଇ ଆସୁଛି । କେବଳ ସେତିକି ନୁହେଁ ମନି ସାଙ୍ଗରେ ତାର ବିଭାଘର ଯେମିତି ହେଲେ ହେବାର କଥା । ବାପାଙ୍କର ଜିଦ୍‌ । ସୁର ପ୍ରଥମେ ପ୍ରଥମେ ମନା କରୁଥିଲା । ଶଇଳ ଥିଲା ଆଖି ଆଗରେ । ମତାମତ ତା’ର ବଦଳିଗଲା । ବାପାଙ୍କୁ ଅସନ୍ତୋଷ କରିବାକୁ ସେ ଚାହେଁନି । କେତେଟା ବର୍ଷ ପାଇଁ ଅବିବାହିତ ହୋଇ ରହିଲେ ତା’ ଅବସ୍ଥାରେ ବେଶିକିଛି ପରିବର୍ତ୍ତନ ହେବନି ।

 

ଜାଣେନି– ବୋଲି କହି ସୁର ହାଟ ଭିତରକୁ ପଶିଗଲା ।

 

ଆଗରୁ କେତେ ଲୋକଙ୍କଠୁ ସେ ଶୁଣିଥିଲା– କ୍ୟାପିଟାଲର କିରାନୀମାନେ କାବୁଲିମାନଙ୍କୁ ଦି’ଅଣା ସୁଧରେ ଟଙ୍କା ଆଣନ୍ତି । ଅଭାବ ସମୟରେ । ବାହାର ବେଶ୍‌ବାଶରୁ କେହିହେଲେ ଜାଣିପାରିବେନି ଯେ ସେମାନେ ଏତେ ଅଭାବ ଅସୁବିଧାରେ ଚଳନ୍ତି । କାବୁଲିଙ୍କି ସୁଧ ଗଣିବା କେବଳ ସାର ହୁଏ । ସେମାନେ ବି ଇଆର ସୁଯୋଗ ନେଇ ସେମାନଙ୍କୁ ଶୋଷି ଲାଗନ୍ତି । ଅସଲ କଥାଟା ହେଲା– ସେମାନେ କିରାନୀ ମାନଙ୍କର ଲୋକ ଦେଖାଣିଆ ମାନଇଜ୍ଜତକୁ ଜଗି ଥାଆନ୍ତି । ସଂଧ୍ୟା ହେଲେ, ଛକ ମୁଣ୍ଡରେ କି ହାଟରେ ଅପେକ୍ଷା କରନ୍ତି । ସାଙ୍ଗ ସାଥିରେ ଯାଉଥିଲାବେଳେ ଭୁଲରେ ହେଲେ ମାଗନ୍ତିନି ।

 

ଗୋପାଳବାବୁଙ୍କର ଏ ଭିତିରି ଅବସ୍ଥାଟା ଜାଣି ସୁରକୁ ଭାରି ଖରାପ ଲାଗିଲା । ବିଚାରା ଭାରି ଜଞ୍ଜାଳି ଲୋକ । କ’ଣ କରାଯାଏ ? କେତେବେଳେ ତାକୁ ଯେ ଏମିତି କାବୁଲିର ଆଶ୍ରୟ ନେବାକୁ ନ ପଡ଼ିବ ସେ କଥା କିଏ ଅବା କହିପାରିବ ? ଅଭାବେ ସ୍ୱଭାବ ନଷ୍ଟ ।

 

ସେଇ ଗୋପାଳବାବୁଙ୍କ ଝିଅ ମନି । ତା’ରି ପାଇଁ ବାପାଙ୍କର ଜିଦ୍‌ ।

 

ସୁର ଠିକ୍‌ କଲା– ସେ ଯାହା କିଛି ହେଉ ବାପାଙ୍କୁ ସନ୍ତୋଷ କରିବା ତା’ର ସର୍ବପ୍ରଥମ କାମ ।

 

ହାଟରୁ ବାହାରି ଆସି ଚାଲିଲା ସେ ବସ୍‌ଷ୍ଟାଣ୍ଡ୍ । ଲୋକ ସମାଗମ । ଚିହ୍ନା ଲୋକ ମିଳିଲେ ତାଙ୍କ ସାଙ୍ଗେ ସେ ହୋଟେଲ ଦେଇ ଫେରିବ କ୍ୱାଟର ଆଡ଼େ ।

 

ଆସୁ ଆସୁ ସେଦିନ ଦଶଟା ପାଖାପାଖି ।

 

କଥାଟା ଆଉ ଛପି ରହିଲାନି । ଅଫିସ୍‌ରେ ପ୍ରାୟ ସବୁଲୋକ ସବୁକିଛି ଜାଣିପାରିଲେ । କେବଳ ସେ ଅଫିସରେ ନୁହେଁ । ଊଣା ଅଧିକେ ବିଭିନ୍ନ ଅଫିସ୍‌ରେ । ମିଃ ମହାନ୍ତିଙ୍କ ସାଙ୍ଗେ ଶଇଳର ବିବାହ ପ୍ରସଙ୍ଗ ସବୁ ସ୍ଥାନରେ ହେଲା ଆଲୋଚନାର ବସ୍ତୁ । ସାରା କ୍ୟାପିଟାଲରେ ଏ ଖବରଟା ଚାହୁଁ ଚାହୁଁ ବ୍ୟାପିଗଲା ।

 

ଖାଲି ବିବାହ ନୁହେଁ । ଶଇଳ ବି ଚାକିରୀ ଛାଡ଼ିଦେବ । ମିଃ ମହାନ୍ତିଙ୍କର ସ୍ତ୍ରୀ ଅଫିସ୍‌ରେ ଆସି ଚାକିରୀ କରିବ ଏ କଥା ସେ ସହ୍ୟ କରିପାରିବେନି । ଘରର ଆଭିଜାତ୍ୟ ଉପରେ ବାଧା ଆସିବ । କ’ଣ ତାଙ୍କର ନାହିଁ ? ମୋଟା ଦରମା କଥା ତ ଛାଡ଼ିଦିଅ । ଗାଁରେ ତାଙ୍କର ଖମାର । ପଚାଶ ଏକର ଯାଏ ଧାନ ଜମି । ଦି’ ଚାରି ଜାଗାରେ ବାଡ଼ି ବଗିଚା ବି ଅଛି ।

 

ଦି’ ଚାରିଦିନ ପରେ ଶଇଳ ଛୁଟି ନେଲା । ଲମ୍ୱା ଛୁଟି । ଚାକିରୀରୁ ହଠାତ୍‌ ଚାଲିଯିବା ଅପେକ୍ଷା ଛୁଟି ନେଇ ଦରମାତକ ପାଇବା ବୁଦ୍ଧିଆ ଲୋକର କାମ । ଭଲ ଅଛି ମନ୍ଦ ଅଛି । ହାତଗଣ୍ଠି ନପଡ଼ିଲା ପର୍ଯ୍ୟନ୍ତ ବିଶ୍ୱାସ ନାହିଁ ।

 

ଅଫିସର ସମସ୍ତଙ୍କ ସାଙ୍ଗେ ତାର ଆଗଭଳି ଭଲ ସମ୍ପର୍କ ଥିଲା । ଯାହା କିଛି କଥାବାର୍ତ୍ତା ଥିଲା ଶଇଳ ତାକୁ ବଢ଼େଇବାକୁ ଚେଷ୍ଟା କରୁଥିଲା । ଏତେଦିନର ସମ୍ପର୍କଟା ଭୁଲିଯିବାର ନୁହେଁ । ବେଳେ ବେଳେ କେତେଜଣଙ୍କ କ୍ୱାଟରକୁ ଯାଇ ସଞ୍ଜବେଳେ ଅନେକ ବିଷୟ ସେ ଆଲୋଚନା କରେ । ନିମେଇଁବାବୁ, ରାଜୁବାବୁ, ରବିବାବୁ ଓ ବଡ଼ବାବୁ ସମସ୍ତଙ୍କ ସାଙ୍ଗେ ତା’ ସମ୍ପର୍କଟା ଖୁବ ଭଲ-। ହେଲେ– ସମସ୍ତେ ତାରି ଭଳି କିରାନୀ ତ ? ତାକୁ ବି ସେମିତି ଜୀବନ ସାରା ଖାଟିବାକୁ ପଡ଼ିଥାଆନ୍ତା । ସେ ହେଲା ଗୋଟିଏ ଜୀବନ । ପକ୍ଷୀଟିଏ ଦୂର ଆକାଶର ନୀଳିମା ଭିତରେ ନିଜକୁ ହଜେଇ ଦେଲେ ବି ନିଜର ବୋଲି ବସାଟିଏ ତା’ର ଥାଏ । କେତେଦିନ ଅବା ସେ ଖାଲି ଖାଲି ଘୁରି ବୁଲିବ ? ଉଡ଼ି ଉଡ଼ି ଡେଣା ଦରଜ ହେଲେ ସେ ଖୋଜିବୁଲେ ଗୋଟିଏ ବସା । ବସା ନଥିଲେ ବୁଲି ବୁଲି ଲୁହ ଗଡ଼େଇବାହିଁ ସାର ହୁଏ । ତଳେ ଆଶ୍ରା ନ ଥାଇ ଉପରେ ଉଡ଼ି ବୁଲୁଥିଲେ ଶେଷ ଜୀବନ ବଡ଼ ଦୁଃଖରେ କଟେ ।

 

ଏ ଜୀବନଟା ହେଲା ଗୋଟିଏ ସାଧାରଣ କଥା । ଘର ଦ୍ୱାର ଛାଡ଼ି ପର ଘରକୁ ନିଜର କରିବାକୁ ପଡ଼େ । ବାପା ମା, ଭାଇ ଭଉଣୀଙ୍କୁ ଛାଡ଼ି ପରଲୋକ ହୁଏ ନିଜର ଅତି ଆପଣାର । ଜଞ୍ଜାଳ ସାଙ୍ଗେ ନିଜର ସଂସାର ବଢ଼ିଚାଲେ । ତା’ ପରେ ପିଲାଛୁଆ, ସେମାନଙ୍କର ପଢ଼ାପଢ଼ି ଓ ସେମାନଙ୍କୁ ମଣିଷ କରିବାର ଯୋଜନା । ସେଇମାନଙ୍କ ପାଇଁ ସେତେବେଳେ ନିଜକୁ ଭୁଲିଯିବାକୁ ପଡ଼େ । ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ନିଜର ଇଚ୍ଛା, ମନର ସରାଗ ଆଦି ସବୁ କିଛି ଜଣାପଡ଼େନି । ନିଜ ଜୀବନ ଆଉ ନିଜର ହୋଇ ରହେନି । ପିଲାଛୁଆମାନେ ତାକୁ ଅକ୍ତିଆର କରି ନିଅନ୍ତି ।

 

ଶଇଳ ବି ଆଶା କରି ନଥିଲା– ଦିନେ ନା ଦିନେ ସେ ଘରଦ୍ୱାର କରିବ । ଚାକିରୀ ଛାଡ଼ି ବିବାହ କରିବ । ମିଃ ମହାନ୍ତିଙ୍କ ଭଳି ସ୍ୱାମୀ ଜଣେ ପାଇବ ବୋଲି ସେ ସ୍ୱପ୍ନରେ ହୁଏତ ଭାବି ନ ଥିଲା । ଭାବିଥିଲା ସେ ଅନେକ କିଛି–ଘରର ଅବସ୍ଥା ସୁଧୁରିଗଲେ ଓ ଭାଇଟିକି ମଣିଷ କରିସାରିଲେ ସେ ଭାବିବ ନିଜ କଥା । ନିଜ ଭଳି ଜଣେ ମିଳିଗଲେ କିଛି ତ ଆଉ ଭାବିବାର ନାହିଁ-। ସେଇଥିପାଇଁ ସୁର ଆସି ବେଳେ ବେଳେ ତା’ର ମନ–ଗହୀରରେ ଦେଖା ଦେଉଥିଲା । ସୁରକୁ କେନ୍ଦ୍ର କରି ଅନେକ କିଛି ସେ ଭାବିଥିଲା । ଦୁହିଁଙ୍କର ପ୍ରାୟ ସମଦଶା । ସମାନ ଅବସ୍ଥାରେ ଥିବା ଦି’ଟି ଲୋକ କେବେ ଏକାଠି ହେଲେ ସେମାନଙ୍କ ଭିତରେ ଆଳାପ ଆଲୋଚନା ବଢ଼େ । ବଢ଼େ ସୌହାର୍ଦ୍ର୍ୟ । ବେଳେ ବେଳେ ସେଇଟା ଭଲ ପାଇବାରେ ବି ପରିଣତ ହୁଏ । ସେ ସବୁ ଚାପା ପଡ଼ି ମନ ଭିତରେ ଥାଏ । ସୁବିଧା ସୁଯୋଗ ଦେଖି ବାହାରି ଆସେ । କିନ୍ତୁ ଜୀବନର ଧାରକୁ ବନ୍ଧ ବାନ୍ଧି ରୋକିପାରିବା ଯେପରି ଅବା ସାଧ୍ୟାତୀତ । ଘଟଣା ଗୁଡ଼ିକ ନିଜ ଇଚ୍ଛା ଅନୁଯାୟୀ ବନ୍ଧ ପକେଇଥିଲା ବେଳେ ମଣିଷ ନିଜେ ଅନୁଭବ କରେ– ଘଟଣାର ଧାରାରେ ସେ ନିଜେ ବି ଭାସି ଯାଇଛି ।

 

ମିଃ ମହାନ୍ତିଙ୍କା ସଙ୍ଗେ ଶଇଳର ସାକ୍ଷାତ ଓ ଚାକିରୀ ଛାଡ଼ି ସଂସାର କରିବା ଆଦି ସତେ ଅବା ଘଟଣାର ଧାରାରେ ଛୋଟ ଛୋଟ ତରଙ୍ଗ ଭଳି ।

 

ମାସେ ଖଣ୍ଡେ ଗଲେ ବିଭାଘର । କଥା ହେଲା ବାପା ଗାଁରୁ ଆସି ନେଇଯିବେ । ଯାହା କିଛି କଥାବାର୍ତ୍ତା ବାପାଙ୍କ ସାଙ୍ଗେ ତୁଟିଯିବ । ଆଗ କଥା ହେଉଥିଲା– ଭୁବନେଶ୍ୱରରେ ବିଭାଘରଟା ହେବ । ଶଇଳର ବାପା କିନ୍ତୁ ଅମଙ୍ଗ ହେଲେ । ମିଃ ମହାନ୍ତି ବି ଅନ୍ୟମାନଙ୍କ ଆଖି ଆଗରୁ ନିଜକୁ ଲୁଚେଇ ରଖିବାକୁ ହଁ ଭରିଲେ ।

 

ବାପାଙ୍କ ଆସିବା ଆଗରୁ ଶଇଳ ଲୋକ ଉଣ୍ଡି ବିଦାୟ ନେବାରେ ଲାଗିଥାଏ । ସବୁ ଲୋକଙ୍କ ପାଖକୁ ଯାଏନି । କହିବାକୁ ଲୋକ ଅନେକ ଅଛନ୍ତି । କିଏ କେତେ କଥା କହିବେ । ସେଇଥିପାଇଁ ସମସ୍ତଙ୍କ ପାଖକୁ ଯିବାକୁ ସେ ଠିକ୍‌ ଭାବୁ ନଥିଲା । ଯୋଉମାନଙ୍କୁ ଭଲ ଲୋକ ବୋଲି ଜାଣେ ଓ ଯାହାଙ୍କର ହୃଦୟ ସାଙ୍ଗେ ତା’ର ପରିଚୟ ଅଛି ସେଇମାନଙ୍କ ସାଙ୍ଗେ କଥା ହୋଇଆସେ । ପଦେ ଦି’ପଦ କଥା । ନୋହିଲେ ଅଧଘଣ୍ଟେ । କେବଳ କଥା ରଖିବା ପାଇଁ ।

 

ଗାଁକୁ ଯିବାର ଆଗ ଦିନ–

 

ସଞ୍ଜବେଳେ ରବିବାବୁଙ୍କର କ୍ୱାଟରରେ ସେ ଯାଇ କଥାବାର୍ତ୍ତା କରୁଥିଲା ।

 

ଫାଟକ ପାଖରେ ପହଞ୍ଚୁ ପହଞ୍ଚୁ ରବିବାବୁ ପାଛୋଟି ନେଲେ । ତାଙ୍କ ସ୍ତ୍ରୀ ସେତେବେଳେ ଘର କାମରେ ବୋଧେ ବ୍ୟସ୍ତ ଥିଲେ । ଶଇଳକୁ ଦେଖି ଦେଇ ରବିବାବୁ ପଚାରିଲେ– ସୁରବାବୁଙ୍କୁ ଦେଖିଲେ ?

 

କାଇଁ ନାଇଁତ ?

 

ଏଇ ସାଙ୍ଗେ ସାଙ୍ଗେ ସେ ଗଲେ ।

 

କ’ଣ କାମ ଥିଲା ?

 

ବେଳେ ବେଳେ ସେ ଏମିତି ଆସନ୍ତି । ବଡ଼ ସୁନ୍ଦର ଲୋକ ।

 

ସୁରର ପ୍ରଶଂସା ଶୁଣିବାକୁ ଶଇଳକୁ ଭଲ ଲାଗୁ ନଥିଲା । କହିଲା– ଯାହା ହେଉ ତାଙ୍କର ପ୍ରମୋଶନ ହେଇଗଲା ।

 

ପ୍ରମୋଶନ ସାଙ୍ଗରେ କ’ଣ ଅଛି ? ବିଚାରା ବଡ଼ ଅଭାବଗ୍ରସ୍ତ ଲୋକ ଆପେ ଚଳିବେ, ଟଙ୍କା ପଠେଇଲେ ଗାଁରେ ପୁଣି ବାପ ମା’ ଚଳିବେ । ତା ସାଙ୍ଗେ ବାପା ପୁଣି ତାଙ୍କର ଲଗେଇଛନ୍ତି– ବିଭାଘର କରିବେ । ବିଚାରା ଏକଦମ୍‌ ଅମଙ୍ଗ ।

 

ସତେ ? କୋଉଠି ?

 

ତା’ ମୁଁ କହି ପାରିବିନି । ହେଲେ ସେଇ କଥା ସୁରବାବୁ ଏଇନେ କହୁଥିଲେ । ଆପଣ ଯୋଉଦିନ ଗାଁରୁ ଫେରି ଆସିଲେ ସେଇଦିନ ସଂଧ୍ୟାବେଳେ ସେ ମୋ’ ଘରକୁ ଆସି ଟଙ୍କା ପଚାଶଟା ଧାର ନେଇଥିଲେ । ହୋଟେଲବାଲାକୁ ଦେବା ଦରକାର ଥିଲା । ଟଙ୍କାଟା ଫେରେଇଲାବେଳେ ସେଇ କଥାକୁ ଉଦାହରଣ ଦେଇ କହୁଥିଲେ– ଏଇ ଅଭାବ, ଏଇ ଅସୁବିଧା ଏଥିରେ ପୁଣି ବାପାଙ୍କର ଜିଦ୍‌–ବିବାହ କରିବାକୁ ପଡ଼ିବ । କ୍ୟାପିଟାଲର ଧାଡ଼ି ଧାଡ଼ି କ୍ୱାଟର, ଚାକିରୀ ଓ ବେଶବାସରୁ ଲୋକଙ୍କୁ ଚିହ୍ନି ହୁଏନି । ବାହାରକୁ ସଭ୍ୟତା ଆଉ ଭଦ୍ରାମୀର ଖୋଳ ଦେଖେଇ ଲୋକେ ଭିତରେ କେମିତି ହନ୍ତସନ୍ତ ହୁଅନ୍ତି ଏକଥା ଅଙ୍ଗେ ଲିଭେଇଥିବା ଲୋକ କହିପାରିବ । ବିଚାରା ସୁରବାବୁ ବଡ଼ ବ୍ୟସ୍ତ ହେଉଥିଲେ । ହଉ, ଭିତରକୁ ଆସନ୍ତୁ–

 

ନାଇଁ ମୋର କାମ ଅଛି । କେବଳ କହି ଦେବାକୁ ଆସିଥିଲି ।

 

ତା’ ହେଲେ କେବେ ଗାଁକୁ ଯାଉଛନ୍ତି ?

 

କାଲି ।

 

ରବିବାବୁଙ୍କର ଇଚ୍ଛା ଥିଲା– ଶଇଳକୁ ଘରକୁ ଡାକିବେ । ସ୍ତ୍ରୀଙ୍କ ସାଙ୍ଗରେ ପରିଚୟ କରିଦେଇ ଦୁଃଖ ସୁଖ ହେବେ । ସେ ମିଃ ମହାନ୍ତିଙ୍କି ବିବାହ କରୁ ନ କରୁ ଅଫିସରେ ଏକାଠି କାମ ତ କରୁଥିଲା ?

 

ଶଇଳର କିନ୍ତୁ ବେଳ ନଥିଲା । ଅନେକ କାମ ଅଛି ବୋଲି କହି ସେ ଫାଟକ ପାଖରୁ ବିଦାୟ ନେଲା ।

 

ରିକ୍‌ସାରେ ଚଢ଼ି ସେ କ୍ୱାଟର ଆଡ଼େ ଫେରିଲାନି । ରିକ୍‌ସାବାଲାକୁ କହିଲା ଖଣ୍ଡଗିରି ରାସ୍ତା ଦେଇ ଚଳେଇବାକୁ ସୁରବାବୁଙ୍କର କ୍ୱାଟର ଆଡ଼େ ।

 

ସେଦିନ ସନ୍ଧ୍ୟାର ଘଟଣା ଗୋଟି ଗୋଟି ହୋଇ ତା’ ଆଖି ଆଗରେ ଆସି ଝୁଲିଲା । ସୁରବାବୁ ତା’ ହେଲେ ରିକ୍‌ସାରୁ ଓହ୍ଲେଇ ଯାଇ ତାକୁ ଅପମାନିତ କରି ନଥିଲେ ? ରବିବାବୁଙ୍କ ପାଖକୁ ବିଚାରା ସେଦିନ ସନ୍ଧ୍ୟାରେ ଟଙ୍କାମାଗି ଯାଇଥିଲେ ? ମତେ ତ ଏଇତକ କହି ପାରିଥାଆନ୍ତେ ? ଶଇଳ କେବଳ ମନେ ମନେ ବ୍ୟସ୍ତ ହେଉଥିଲା ଓ ଏଇ ଟିକିଏ କଥା ଉପରେ ଏତେ ଗୁରୁତ୍ୱ ଦେବା ତା’ର ଉଚିତ୍‌ ନଥିଲା ବୋଲି ମନେ ମନେ ନିଜକୁ ଧିକ୍‌କାର କରୁଥିଲା । ସୁରବାବୁଙ୍କୁ ଏପରି ଭାବରେ ଭୁଲ୍‌ ବୁଝିବା ଉଚିତ ହୋଇନି । ତାଙ୍କ ପାଖକୁ ଯାଇ ସବୁ ବିଷୟ ସେ ଖୋଲାଖୋଲି କହିଦେବ ଓ ତାଙ୍କୁ କ୍ଷମା ମାଗିବ ।

 

କ୍ଷମା ମାଗିବାର ବା କ’ଣ ଅଛି ? ତଥାପି ସୁରବାବୁଙ୍କୁ ନିଜର ଲୋକ ଭଳି ସେ ଗାଁକୁ ନିମନ୍ତ୍ରଣ କରିବ । ସେ ଯେବେ ରାଜି ହୁଅନ୍ତି, ଛୁଟି ନେଇ ସେ ତାଙ୍କ ସାଙ୍ଗେ ଗାଁକୁ ଯିବେ ଓ ବିଭାଘର ଯାଏ ରହିବେ ତା’ର ପାଖେ ପାଖେ । ତାଙ୍କୁ ଅନେକ କିଛି କହିବାର ଅଛି । ଗୋଟିଏ ମୁହୂର୍ତ୍ତରେ କିମ୍ୱା ଗୋଟିଏ ଦିନର ସାକ୍ଷାତରେ ସେ ସବୁ କହିପାରିବା ସମ୍ଭବ ନୁହେଁ ।

 

ରାଜପଥ ଦେଇ ରାଜଭବନ କରରେ ବୁଲି ଗଲାବେଳେ କେତେ କେତେ ଭାବନା ତା’ ମନ ଭିତରେ ଉଁକି ମାରୁଥିଲା । ସୁରବାବୁ ଅଫିସରେ ଆସି ଯୋଗଦେବା ଦିନଠୁ ତାଙ୍କ ସାଙ୍ଗେ ଆଳାପ ଆଲୋଚନା, ମନଖୋଲା କଥାବାର୍ତ୍ତା ଆଦି ସବୁ ଘଟଣା ଗୋଟି ଗୋଟି ହୋଇ ତା’ର ଭ୍ରୂଲତା ଉପରେ ଭାସି ଯାଉଥିଲା ।

 

ବିଜୁଳି ଆଲୁଅରେ ଘରଟା ଚାବି ପଡ଼ିଛି କି ବନ୍ଦ ଅଛି କିଛି ଜାଣି ହେଉ ନଥିଲା । ରିକସାବାଲାକୁ ଦେଖି ଆସିବ ବୋଲି ସେ ପଠଉଥିଲା । ଠିକ୍‌ କଲା– ସେ ନିଜେ ଯିବ ଓ ସୁରବାବୁ ତାକୁ ଦେଖି ହଏତ ଆଶ୍ଚର୍ଯ୍ୟ ହେବେ ।

 

ଆସ୍ତେ ଗୋଡ଼ ଟିପି ଟିପି ଗଲାବେଳେ ଶଇଳ ଦେଖିଲା– ଗୁଡ଼େ ବୁଦିବୁଦିକିଆ ଅରମା ସଫା ନ କରିବାକୁ ଖାଲି ମାଡ଼ିବାରେ ଲାଗିଛି । ତା’ରି ଭିତର ଦେଇ ଯାଇଥିବା ସରୁ ରାସ୍ତାଟିରେ ଯାଉ ଯାଉ ଶଇଳ ଭାବୁଥିଲା– ଏଗୁଡ଼ା ସେ ସଫା କରୁ ନାହାନ୍ତି କାହିଁକି ?

 

ଦୁଆରେ ହାତଦେଲା ବେଳକୁ ଘରେ ଚାବି ପଡ଼ିଛି । ଶଇଳ ମନ ଭିତରେ କେତେ କେତେ ଅକୁହା କଥା ସତେ ଅବା ଦୁଆର ଉପରେ ମଥା ପିଟିବାକୁ ଆରମ୍ଭ କରିଦେଲା । ଭାବିଲା ଆଉ ଗଲେ କୁଆଡ଼େ– ବୁଲାବୁଲି ନା ହୋଟେଲ ?

 

ଇଆଡ଼େ ସିଆଡ଼େ ଆଖି ବୁଲେଇ ଶଇଳ ରିକ୍‌ସା ଉପରକୁ ଉଠିଲା । କାଳେ ସାଇ ପଡ଼ିଶା ଘରେ କି କାହା ସାଙ୍ଗେ ରାସ୍ତା କରରେ କଥା ହେଉଥିବେ ? କାହାକୁ ହେଲେ ସେ ଦେଖିଲାନି ।

 

ସୁରବାବୁଙ୍କ କ୍ୱାଟର ଲଗାଲଗି ଜଣେ କାହା ଘରେ ଝିଅଟିଏ ବାରେଣ୍ଡାରେ ପଦଚାରଣ କରୁଥିଲା । ବାରେଣ୍ଡାର ଆଲୁଅରେ ତାକୁ ଚିହ୍ନି ହେଲାନି । ରିକ୍‌ସାରେ ଫେରି ଗଲାବେଳେ ଶଇଳ ତାକୁ ଚିହ୍ନିବାକୁ ଚେଷ୍ଟା କରୁଥିଲା ।

 

ମନି ସେତେବେଳେ ଘରେ ଥିଲା ଏକେଲା । ବାପା ବୋଉ ଟୁନାକୁ ସାଙ୍ଗରେ ନେଇ ସାଇ ପଡ଼ିଶାର ଜଣଙ୍କ ଘରକୁ ବୁଲି ଯାଇଥିଲେ । ମନିକି ଯିବାକୁ ଡାକୁଥିଲେ । ସେ ମନା କରିଦେଲା ।

 

ବାରେଣ୍ଡା ଲାଇଟଟାକୁ ଜାଳି ଦେଇ ସେ ଖାଲି ଏପଟ ସେପଟ ହେବାରେ ଲାଗିଥିଲା । ଘର ଆଗ ବଗିଚା ଭିତରକୁ ବିଜୁଳି ଆଲୁଅର ଲାଞ୍ଜ ଲମ୍ୱି ଯାଇଛି । ଦୋଳି ଖେଳୁଥିଲା ଛପି ଛପି ।

 

ମନ ତା’ର କାହାକୁ ଜଣେ ଅବା ଖୋଜୁଥିଲା । ତାଙ୍କ କ୍ୱାଟର ପାଖ ଘରେ । ଠିକ୍‌ ଏତିକି ବେଳେ ସେ କୁଆଡ଼େ ବୁଲି ବୁଲି ଫେରନ୍ତି । ସୁରବାବୁ–

 

କିନ୍ତୁ ସୁରବାବୁଙ୍କ ବଦଳରେ ସେ ଜଣେ ସ୍ତ୍ରୀ ଲୋକଙ୍କୁ ଦେଖିବାକୁ ପାଇଲା । ତାଙ୍କ ପାଖେ ଜଣେ ସ୍ତ୍ରୀ ଲୋକର ଅବା କାମ କ’ଣ ? କିଏ ବା ସେ ହୋଇ ପାରନ୍ତି ? ରାତିରେ ବା କାହିଁକି ଆସିଥିଲେ ? ଦୁଆରେ ନ ଡାକି ଚାବି ଅଣ୍ଡାଳି ପୁଣି ଫେରି ଆସିଲେ ? ଏମିତି କେତେ କେତେ ଭାବନା ମନିର ମନ ଭିତରେ ଖାଲି ଲହଡ଼ା ଭାଙ୍ଗୁଥିଲା ।

 

ବାପା ବୋଉ ଯୋଉଠି ଠିକ୍‌ କରିଦେବେ ସେଇଠି ତା’ର ଭାଗ୍ୟ ଡୋରୀ ଚିର ଦିନ ପାଇଁ ବନ୍ଧା ହୋଇ ରହିବ । ସୁରବାବୁ ଏତେ ପାଖରେ ଅଛନ୍ତି । ଯା ଆସ କଲାବେଳେ ସେ ତାଙ୍କୁ କେତେଥର ଦେଖିଛି । କିନ୍ତୁ ବିଭାଘର ପଡ଼ିଲା ଦିନୁ ତାଙ୍କ ମୁହଁକୁ ସିଧା ଭାବରେ ସେ କେବେ ଅନେଇ ପାରେନି । ଦେଖିଦେଲେ କେମିତି ଲାଜ ମାଡ଼େ ।

 

ଅଜଣା ସ୍ତ୍ରୀ ଲୋକ ଜଣଙ୍କୁ ତାଙ୍କ ଦୁଆରେ ଡାକୁଥିବାର ଦେଖି ସେ କେବଳ ସୁରବାବୁଙ୍କ କଥା ଭାବୁଥିଲା । ବାହାର ବାରେଣ୍ଡାରେ ପଦଚାରଣ କରୁଥିଲା ଓ ଭାବୁଥିଲା କେତେ କ’ଣ । ଆକାଶ ପାତାଳ ।

 

କିଛି ସମୟ ପରେ ଆସିଲେ ସୁରବାବୁ । ଦୁଆର ଖୋଲି ଭିତରକୁ ଗଲେ । ତାଙ୍କ ସାଙ୍ଗେ ତା’ ବିବାହ ପ୍ରସ୍ତାବଟା ନ ଥିଲେ ସେ କହି ଦେଇଥାଆନ୍ତା ।

 

ଦୁଆର ଆଉଜେଇ ସେ ଘର ଭିତରକୁ ଗଲାବେଳେ ଝରକା ଦେଇ ଫଗୁଣ ଶେଷ ଶେଷୁଆଣି ଚଇତି ପବନ ତା’ ଶରୀରରେ ଗୁଡ଼େଇ ଗୁଡ଼େଇ ହୋଇ ମନ ଭିତରେ କାମନା ଗୁଡ଼ିକୁ ତା’ର ନିଦରୁ ଉଠେଇବାରେ ଲାଗିଗଲା । ଝରକା ପାଖ ଚଉକି ଉପରେ ବସିରହି ମନ ତାରା–ଖଞ୍ଜା ଆକାଶ ଆଡ଼ିକି ଚାହିଁଥିଲା । ଦୂର ଆକାଶ ଭିତରେ ତା’ର ଭବିଷ୍ୟତ ଜୀବନ ଅବା ଛପି ରହିଥିଲା । ନିଜର ଜୀବନକୁ ମନି ନିଜେ ଯେପରି ଖୋଜୁଥିଲା ।

 

ସେଇଦିନ ରାତି ଗାଡ଼ିରେ ଆସି ଓହ୍ଲେଇଲେ ଶଇଳର ବାପା । ମିଃ ମହାନ୍ତିଙ୍କ ସାଙ୍ଗେ କଥାବାର୍ତ୍ତା ସାରି ଘରର ଜିନିଷପତ୍ର ଯାକ ସଜଡ଼ାସଜଡ଼ି କରିବାରେ ଲାଗିଗଲେ । ଶଇଳବି ବାପାଙ୍କ ସାଙ୍ଗେ ଯୋଗଦେଲା । ସକାଳ ଛ’ଟା ମଟରରେ ଗାଁକୁ ଯିବାକୁ ପଡ଼ିବ । କ୍ୟାପିଟାଲରୁ କଟକ । କଟକ ଷ୍ଟେସନରୁ କୁଜଙ୍ଗ ବସ୍‌ ଧରି ଗାଁକୁ ।

 

ଶଇଳ ପ୍ରଥମେ ପ୍ରଥମେ ଅମଙ୍ଗ ହେଉଥିଲା । ଦିନେ ଦି’ଦିନ କ୍ୟାପିଟାଲରେ ରହି ଗାଁକୁ ଫେରିଯିବାକୁ ତା’ର ଇଚ୍ଛା ଥିଲା । ବାପା କିନ୍ତୁ ନ ଛୋଡ଼ ବନ୍ଧା । ଦିନଟିଏ ଡେରି ହେଲେ ବି ଅସୁବିଧା ହେବ । ରହିବା କିଛି ଦରକାର ନାହିଁ । ଯାହା କିଛି କାମ ଅଛି– ବିଭାଘର ସାରି କଟକ ଫେରିଲେ ।

 

ସେଦିନ ରାତିରେ ଶଇଳକୁ ମୋଟେ ନିଦ ହେଲାନି । ସେ ଅନୁଭବ କରୁଥିଲା– ତା’ର ଜୀବନଟାକୁ ଅବା କ୍ୟାପିଟାଲରେ ଛାଡ଼ି ସେ ଚାଲି ଯାଉଛି । ସୁରବାବୁଙ୍କ ସାଙ୍ଗେ ଦେଖା ହୋଇଥିଲେ ତା’ର ଦୁଃଖ ନଥିଲା । ପଦେ କଥାବାର୍ତ୍ତା କରିଥିଲେ ଭଲ ହୋଇଥାଆନ୍ତା । ଥରୁଟିଏ ଦେଖା ମିଳିଥିଲେ ତା’ର କ୍ୟାପିଟାଲ ଜୀବନକୁ ମନ ଭିତରୁ ସେ ଅନ୍ତତଃ ସଂପୂର୍ଣ୍ଣ ଲିଭେଇ ଦେଇପାରି ଥାଆନ୍ତା ।

 

ପୁରୁଣା ଜୀବନକୁ ଭାଙ୍ଗିରୁଜି ସେ ନୂଆ ଜୀବନ ଗଢ଼ିବାକୁ ଗଲାବେଳେ ଅତୀତର ପ୍ରେତାତ୍ମା ତାକୁ ଅବା ଡରେଇବାରେ ଲାଗିଥିଲା । ଶଇଳ ଭାବୁଥିଲା ମିଃ ମହାନ୍ତିଙ୍କ ସାଙ୍ଗେ ସେ ନୂଆ ଜୀବନ ଗଢ଼ିବାକୁ ଯାଉଛି ନା ନିଜକୁ ମାରିଦେବାକୁ ଚାହୁଁଛି ? ଭବିଷ୍ୟତର ଆସ୍ଥା ଓ ନିରାପତ୍ତା ପାଇଁ ଜୀବନ ସାଙ୍ଗେ ମନ ଭିତରର ସୂକ୍ଷ୍ମ ଭାବନା ଓ ସ୍ୱପ୍ନଯାକ କ’ଣ ତାକୁ ବଳି ଦେବାକୁ ପଡ଼ିବ ?

 

ଅନାଗତ ଜୀବନ ସମ୍ୱନ୍ଧରେ ଭାବି ଭାବି ରାତି ପାହିଗଲା । ଭାବନାରେ ଆଉ କେହି ନଥିଲେ । ଖାଲି ସୁରବାବୁଙ୍କ କଥା । ତାଙ୍କର ଚାଲି, ଚାହାଣି, କଥାବାର୍ତ୍ତା ଓ ହୃଦୟ ଖୋଲା ବ୍ୟବହାର ।

 

ଅଳ୍ପ ଟିକିଏ କଥାରେ ସୁରବାବୁଙ୍କୁ ସେ ଭୁଲ ବୁଝିଥିଲା ।

 

ଯୋଗକୁ ଦେଖାହେଲା ବସ୍‌ଷ୍ଟାଣ୍ଡରେ ।

 

ସକାଳ ଛ’ଟାର ବସ୍‌, ସେତେବେଳେ ଷ୍ଟାଣ୍ଡ୍‌ ଛାଡ଼ି ଛୁଟୁଥିଲା– କଟକ ଆଡ଼େ ।

 

ସୁରର ବଡ଼ି ସକାଳୁ ଗୋଟେ କାମ ଥିଲା । ବସ୍‌ଷ୍ଟାଣ୍ଡ୍‌ ଦେଇ ଫେରିବା କଥା । ରାତି ପାହୁ ପାହୁ ଚେଇଁ ଉଠୁଥିଲା କ୍ୟାପିଟାଲ । ରାସ୍ତାରେ କାଁ ଭାଁ ଗାଡ଼ି ମଟର କେଇଟା ରହି ରହି ଧାଁ ଧପଡ଼ କରୁଥିଲେ । ଲୋକବାକର ଦେଖା ନାହିଁ । ସହରଟା ଚେଇଁ ନଥିଲା । ଉଠି ବି ଉଠି ନଥିଲା-। ନିଦ ଭାଙ୍ଗି କ୍ୟାପିଟାଲର କୋଠାବାଡ଼ି, ଲାଇଟ୍‌ ଖୁଣ୍ଟ ଓ ସିଧାସଳଖ ରାସ୍ତା ସବୁ ସତେ ଅବା ଆଖି ମଳିବାରେ ଲାଗିଛି ।

 

ଶଇଳ ସୁରକୁ ଦେଖିଛି ଗାଡ଼ି ଭିତରୁ । ସୁର ବି ।

 

ଉବୁକା କଥା ଗୁଡ଼ିକୁ ସୁର ଆଗରେ ସେ ଅଜାଡ଼ି ଦେବ ବୋଲି ଭାବୁଥିଲା । ଦେଖିଲା– ବେଗ ବଢ଼େଇ ଗାଡ଼ିଟା ତୀର ବେଗରେ ଧାଇଁ ଯିବାକୁ ଉଦ୍ୟତ ହେଲାଣି ।

 

ସୁର ବି ଏତେ ସକାଳୁ ତାକୁ ବସ୍‌ରେ ଦେଖି ଆଶ୍ଚର୍ଯ୍ୟ । ପାଖରେ ପୁଣି ତା’ର ବାପା ଅଛନ୍ତି । କଥା କ’ଣ ? ସେ ଯାଉଛି କୁଆଡ଼େ ?

 

ସୁରର ହଠାତ୍‌ ମନେ ପଡ଼ିଗଲା– ଶଇଳ ସାଙ୍ଗେ ମିଃ ମହାନ୍ତିଙ୍କର ବିଭାଘର କଥା । ଭାବୁଥିଲା ଅନେକ କିଛି, କହି ପାରିଲାନି । ବସ୍‌ଟା ଏକାଦମ୍‌ରେ ଧାଇଁଗଲା । ସେ ତାକୁ ବିଭାଘରର ଶୁଭେଚ୍ଛା ବି ଜଣେଇ ପାରିଲାନି । ପଦୁଟିଏ କଥା ହୋଇଥିଲେ ତାକୁ ହାଲୁକା ଜଣାପଡ଼ି ଥାଆନ୍ତା, ସମୟ ନ ଥିଲା– ସେ ପାରିଲାନି ।

 

ବସ୍‌ ଛାଏଁ ବସ୍‌ ଚାଲିଗଲା ।

 

ଦି’ପଟେ ଦିହେଁ ପଡ଼ି ରହିଲେ । ନିଜେ ନିଜର ଜୀବନ ନେଇ ।

 

ବସ୍‌କୁ ଚାହିଁ ଚାହିଁ ସୁର ଘରଆଡ଼େ ଫେରିଲାବେଳେ ଫଗୁଣ ପବନ କ୍ୟାପିଟାଲରେ ଘେର ଖାଇ ଖାଇ କେତେ କଥା ଅବା କହି ଯାଉଥିଲା ।

Image